Unknown

 

 

 

 

 

 

 

 

 

 

 

ରୁଚିର ରଚନାବଳୀ

ସଚ୍ଚିଦାନନ୍ଦ ମିଶ୍ର

 

ସୂଚୀପତ୍ର

 

୧.

ସାହିତ୍ୟସଭା ଓ ଶ୍ରୋତା ସମସ୍ୟା

୨.

ଗାଲତତ୍ତ୍ୱ

୩.

ଖାଦ୍ୟ ଭେଦ ବିନିଶ୍ଚୟ

୪.

ମୂର୍ଖ କବି

୫.

ଆମରଣ ଅନଶନ

୬.

ସମସ୍ୟା ବିଧାୟକ ସଂସଦ

୭.

ତାଙ୍କ ନାମ, ଆପଣଙ୍କ ମୁହଁ ଏବଂ ମୋର ସ୍ମୃତିଶକ୍ତି

୮.

ଡେଙ୍ଗାଙ୍କ ପକ୍ଷ ସମର୍ଥନ

୯.

ଅଙ୍ଗେ ନିଭେଇବା କଥା

୧୦.

ସାହିତ୍ୟିକ ନିରୁଦ୍ଦିଷ୍ଟ

୧୧.

କୁମାର ସଂଘ

୧୨.

ତାଳପଡ଼ାର ଶେଷ ଜୟନ୍ତୀ

୧୩.

ପାଟଦେଉଙ୍କ ଦି’ପଣ

୧୪.

ମାହାର୍ଜାଙ୍କ ପ୍ରଭାତଫେରି

୧୫.

ବାଲୁଙ୍କି ଦାଶଙ୍କ ପ୍ରବଚନ ଗବେଷଣା

୧୬.

ଠିପି-ମୁଦ-ବନ୍ଧେଇ

Image

 

ସାହିତ୍ୟସଭା ଓ ଶ୍ରୋତା ସମସ୍ୟା

 

ଗୋଟିଏ ସାହିତ୍ୟସଭା କରିବା ପାଇଁ ସର୍ବନିମ୍ନ କେତେଜଣ ଆବଶ୍ୟକ ?

 

କିଛିଦିନ ତଳେ ଜଣେ ପରଲୋକଗତ ମହାପଣ୍ଡିତଙ୍କ ଦ୍ୱାଦଶାହ ଉପଲକ୍ଷେ ଓଡ଼ିଶାର ସର୍ବଶ୍ରେଷ୍ଠ ସାରସ୍ୱତ ସଂସ୍ଥା ଉତ୍କଳ ସାହିତ୍ୟ ସମାଜ ତରଫରୁ ଯଥାରୀତି ଶ୍ରାଦ୍ଧସଭା ଅନୁଷ୍ଠାନ ହେବାକୁ ଥିବା କଥା ସଦସ୍ୟମାନଙ୍କୁ ଜଣାଇ ଦିଆଯାଇଥାଏ ଓ ସଭାର ସ୍ଥାନ, କାଳ ଜଣାଇ ସେହିଦିନର ସମାଜରେ ବିଜ୍ଞାପନ ମଧ୍ୟ ବାହାରିଥାଏ । ତଥାପି ସଭାକୁ ଆସିଲେ ସର୍ବେ ତିନିଜଣ । ଜଣେ ସଭାପତି, ଜଣେ ମୁଖ୍ୟବକ୍ତା (ଇତର କେହି ବକ୍ତା ନ ଥିଲେ ହିଁ ଆଜିକାଲି ଏକମାତ୍ର ବକ୍ତାଙ୍କୁ ମୁଖ୍ୟବକ୍ତା କୁହାଯାଉଛି) ଓ ଏହି ଶ୍ରାଦ୍ଧସଭାରେ ଯୋଗଦେବାକୁ ଅନୁରୋଧ କରିଥିବା ଦୁଇଜଣ ସମ୍ପାଦକଙ୍କ ମଧ୍ୟରୁ ଜଣେ । ଏତେ କମ୍‌ସଂଖ୍ୟକ ଲୋକଙ୍କୁ ନେଇ ଯେ ଏକ ସାହିତ୍ୟସଭା ଅନୁଷ୍ଠିତ ହୋଇପାରିଲା ଓ ଏହି ସଭାର ବିବରଣ ସମାଜରେ ପ୍ରକାଶ ପାଇ ପାରିଲା, ଏଥିପାଇଁ ଏହି ତିନିଜଣ ଯାକ ପ୍ରତ୍ୟେକେ ଧନ୍ୟବାଦାର୍ହ । ସେମାନେ ବର୍ତ୍ତମାନ ଜାଣି ଖୁସି ହେବେ ଯେ ସେମାନଙ୍କ ସହଯୋଗରେ ସେହିଦିନ ସନ୍ଧ୍ୟାରେ ଶ୍ରୀରାମଚନ୍ଦ୍ର ଭବନରେ ଯେଉଁ ସଭାଟି ଅନୁଷ୍ଠିତ ହୋଇଥିଲା ତାହା ପୃଥିବୀ ଇତିହାସରେ କ୍ଷୁଦ୍ରତମ ସଭା । ବସ୍ତୁତଃ ଏହା ଏପରି ଏକ ବିଶ୍ୱ ରେକର୍ଡ଼ ଯାହାକୁ କେହି ଭଙ୍ଗକରି ପାରିବେ ନାହିଁ ।

 

କିନ୍ତୁ ତିନି ଜଣରେ ସଭା କରିବାରେ ଅଡ଼ୁଆ ବହୁତ । ଏଥିରେ ସଭାପତିଙ୍କ ସହିତ ମୁଖ୍ୟବକ୍ତା ମଞ୍ଚ ଉପରକୁ ଉଠି ଆସୀନ ହୋଇ ପାରିବେ ନାହିଁ । ସେ ମଞ୍ଚକୁ ଉଠିଲେ ସଭାର ଏକମାତ୍ର ଶ୍ରୋତା ସଭାର ଉଦ୍ଦେଶ୍ୟ ବୁଝାଇବା, ବା ମୁଖ୍ୟବକ୍ତାଙ୍କର ପରିଚୟ ଦେବା, ବା ସଭାପତି ଓ ମୁଖ୍ୟବକ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ବେଳେ ଆଗରେ ସଭାସ୍ଥଳରେ କେହି ଶ୍ରୋତା ରହିବେ ନାହିଁ । ପକ୍ଷାନ୍ତରେ, ଯଦି ମୁଖ୍ୟବକ୍ତା ମଞ୍ଚକୁ ନ ଉଠି ଆଗ ଧାଡ଼ିରେ ବସନ୍ତି ତେବେ ତାଙ୍କୁ ଫୁଲମାଳ ଦିଆଯାଇ ପାରିବ ନାହିଁ, କାରଣ ଫୁଲମାଳ ଗ୍ରହୀତାମାନେ ମଞ୍ଚ ଛଡ଼ା ଅନ୍ୟତ୍ର ବସିବା ପରମ୍ପରା ନାହିଁ । ତାଙ୍କର ପରିଚୟ ପ୍ରଦାନ ବେଳକୁ ମଧ୍ୟ ବଡ଼ ଅସୁବିଧାଜନକ ଅବସ୍ଥା ଉପୁଜିବ, କାରଣ ବକ୍ତା ନିଜେ ହିଁ ନିଜର ପରିଚୟ ଶୁଣୁଥିବେ । ଆଉ ମଧ୍ୟ ସଭାର ଏକମାତ୍ର ଶ୍ରୋତା ମହାଶୟ ଲଘୁଶଙ୍କା ସମାଧାନ ପାଇଁ ସୁଦ୍ଧା ଗୃହ ବାହାରକୁ ଯାଇ ପାରିବେ ନାହିଁ । ତେଣୁ ସେହି ସନ୍ଧ୍ୟାର ଉତ୍କଳ ସାହିତ୍ୟ ସମାଜର ସଭାକର୍ତ୍ତାଙ୍କ ଅଧ୍ୟବସାୟକୁ ତାରିଫ୍‌ କରି ମଧ୍ୟ ସ୍ୱୀକାର କରାଯାଇ ପାରେ ଯେ ଗୋଟିଏ ସାହିତ୍ୟସଭା ପାଇଁ ମାତ୍ର ତିନିଜଣଙ୍କ ଉପସ୍ଥିତି ପର୍ଯ୍ୟାପ୍ତ ନୁହେଁ ।

 

ଆମ୍ଭମାନଙ୍କ ବିବେଚନାରେ ଗୋଟିଏ ସାହିତ୍ୟସଭା ପାଇଁ ଅନ୍ୟୂନ ସାତ ଜଣ ଆବଶ୍ୟକ । ଜଣେ ସଭାପତି, ଜଣେ ମୁଖ୍ୟବକ୍ତା ଓ ଜଣେ ସମ୍ପାଦକ ବା ଉଦ୍ୟୋକ୍ତା, ଏହି ତିନିଜଣ ବସିବେ ମଞ୍ଚ ଉପରେ (ବିଶେଷତ୍ୱ ଏହି ଯେ ପ୍ରଥମୋକ୍ତ ଦୁଇଜଣହିଁ ଫୁଲମାଳ ପାଇବେ) । ତଳେ ସଭାଗୃହରେ ବସିବେ ମୁଖ୍ୟବକ୍ତା ନାମକୁ ସାର୍ଥକ କରିବା ପାଇଁ ଜଣେ ଗୌଣବକ୍ତା ଓ ଏହି ଗୌଣବକ୍ତା ଭାଷଣ ଦେବାବେଳେ ‘ସଭାସଦ୍‌ଗଣ’, ‘ଶ୍ରୋତମଣ୍ଡଳୀ’ ବା ‘ସୁଧୀବୃନ୍ଦ’ ବୋଲି ଯେଉଁ ସଂସ୍କୃତ ସମ୍ୱୋଧନ କରିବେ ତାହାକୁ ସାର୍ଥକ କରିବା ପାଇଁ ଅନ୍ତତଃ ତିନି ଜଣ ଶ୍ରୋତା । କାରଣ ସଂସ୍କୃତ ବହୁବଚନ ପାଇଁ ଦୁଇରୁ ଅଧିକସଂଖ୍ୟକ ଲୋକ ଆବଶ୍ୟକ) । ଏହି ତିନିଙ୍କ ମଧ୍ୟରୁ ଜଣେ ସଭା ଶେଷରେ ଧନ୍ୟବାଦାର୍ପଣ କରିବେ । ଅନ୍ୟଥା ଦୈନିକ ସମ୍ୱାଦପତ୍ରରେ ଏହି ସଭାର ଅର୍ଦ୍ଧସ୍ତମ୍ଭବ୍ୟାପୀ ବିଚରଣ ପଢ଼ିଲା ବେଳେ ପାଠକ ଯଦି ଜାଣିବ ଯେ ସଭାର ଉଦ୍ଦେଶ୍ୟ ବୁଝାଇବା ଲୋକଟିକୁ ହିଁ ଧନ୍ୟବାଦ ଦେବାକୁ ପଡ଼ିଛି, ତେବେ ସେ ଠଉରାଇ ନେବ ଯେ ଯେତୋଟି ନାମ ପ୍ରକାଶ ପାଇଛି ତାହାଛଡ଼ା ସଭାରେ ଆଉ କେହି ଲୋକ ନ ଥିଲେ । ସଭାରେ ପ୍ରକୃତରେ ଲୋକ ନ ଥିଲେ ହେଁ ବିବରଣ ଲେଖି ସମ୍ୱାଦପତ୍ର କାର୍ଯ୍ୟାଳୟକୁ ଦୌଡ଼ି ତାହାକୁ ପ୍ରକାଶିତ କରାଇବା ଲୋକଟି ସତକଥା ଜଣାଇଦେବା ଏକ ଗର୍ହିତ କାର୍ଯ୍ୟ ବୋଲି ଧରା ଯାଇଥାଏ । ବରଂ ସଭାଫବା ବିଲ୍‌କୁଲ୍‌ ନ ହେଉ, ବିବରଣଟିକୁ ବାଗେଇ କରି ଲେଖି ସମ୍ୱାଦପତ୍ରରେ, ବିଶେଷତଃ ସମାଜରେ, ଛପାଇ ପାରିଲେ ସଭାଟି ଜାଣ ଦଶଅଣା ସଫଳ ହୋଇଗଲା ।

 

ସାତ ଜଣକୁ ସର୍ବନିମ୍ନ ଆବଶ୍ୟକତା ଧରିଲେ ଅନେକ ସାହିତ୍ୟସଭା ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ଆମ୍ଭ ମତ ସମାଲୋଚିତ ହେବା ଆଶଙ୍କା ରଖି ସାହିତ୍ୟସଭା ଲାଗି ଲୋକ ସଂଗ୍ରହର ପଦ୍ଧତି ନିମ୍ନରେ ସୁଚାଉଛୁ ।

 

ସାହିତ୍ୟ ସଭାପାଇଁ ଶ୍ରୋତା ସଂଗ୍ରହ କଳ୍ପେ ନାନାବିଧ କୌଶଳ ଅବଲମ୍ୱିତ ହୁଏ । ପ୍ରତ୍ୟେକ ସଭା ପାଇଁ ସଭାପତି ସୁଲଭ ହୁଅନ୍ତି, ବକ୍ତା ହେବାପାଇଁ ମଧ୍ୟ ବ୍ୟକ୍ତି ହାଉଯାଉ ହୁଅନ୍ତି; କିନ୍ତୁ ଶ୍ରୋତାଟିଏ ପାଇବା ଦୁଷ୍କର । ଶ୍ରୋତା ସଂଗ୍ରହର ସରଳତମ ଉପାୟ ହେଲା–ଜଳଯୋଗ । ସିଉକାଟିର ବାରମଜା, ଗୋଟେ ଦଶପଇସିଆ ପାଚିଲା କଦଳୀ ଓ ପନ୍ଦର ପଇସାର କପେ ଚାଲୁ ଚା; ବାସ୍‌ ଏତିକି । ଜଣପିଛା ମାତ୍ର ପଚାଶ ପଇସା ବ୍ୟୟରେ ମୋଟେ ସାଢ଼େ ତିନିଟଙ୍କା ଖର୍ଚ୍ଚରେ ଗୋଟିଏ ସଭାର ଶ୍ରୋତା ଯୋଗାଡ଼ ଏହି ଉପାୟରେ ସମ୍ଭବ । ଏଥିରେ କିନ୍ତୁ କାର୍ଯ୍ୟକାରିତା ଦୃଷ୍ଟିରୁ ଦୁଇଟି ଅସୁବିଧା ରହିଛି । ପ୍ରଥମ ଅସୁବିଧା ହେଲା, ସଭାବେଳକୁ ଠିକ୍‌ କେତେ ଜଣ ଶ୍ରୋତା ଜୁଟିବେ ତାହା ଆଗତୁରା ଜାଣିବା ସୁବିଧା ନ ଥିବାରୁ ଆଗରୁ ଜଳଖିଆ ବରାଦ ଦେଇ ହୁଏ ନାହିଁ । ଦ୍ୱିତୀୟ ଅସୁବିଧା ହେଲା, ସଭାରେ ‘ସାମାନ୍ୟ ଜଳଯୋଗର ବ୍ୟବସ୍ଥା ରହିଛି ବୋଲି ପୂର୍ବରୁ ପ୍ରଚାର କରିହୁଏ ନାହିଁ । ଆମ୍ଭ ଦେଶରେ ବୁଦ୍ଧିମାନ ସମ୍ପ୍ରଦାୟ କହିଲେ ଅତୀତରେ ବୁଝାଉଥଇିଲା ବ୍ରାହ୍ମଣମାନଙ୍କୁ । ବ୍ରାହ୍ମଣଂ ଭୋଜନଂ ପ୍ରିୟମ୍‌ । ସେମାନେ ସାମାନ୍ୟ ଭୋଜ୍ୟପାଇଁ ବହୁଦୂର ପଥ ଅତିକ୍ରମ କରୁଥିବାର ପରମ୍ପରା ଏ ଦେଶରେ ରହିଛି । ପରମ୍ପରାପ୍ରିୟ ଭାରତୀୟ ସମାଜର ଆଧୁନିକ ବୁଦ୍ଧିମାନ ଲୋକେ ଜଳଖିଆ ବ୍ୟବସ୍ଥା ଥିବା ସୁରାକ ପୂର୍ବରୁ ପାଇଗଲେ ଯେ ସଭାରେ ସମୟାନୁବର୍ତ୍ତୀ ହୋଇ ଯୋଗଦେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କଥା କିଛି ନାହିଁ । ଆବଶ୍ୟକତାରୁ ଅଧିକସଂଖ୍ୟକ ଲୋକ ସଭାକୁ ଆସିଲେ ଜଳଯୋଗ ବଣ୍ଟନରେ ଘୋର ବିଶୃଙ୍ଖଳା ଜାତ ହୁଏ । ଜଳଯୋଗର ବ୍ୟବସ୍ଥା ଥିବା କଥା ଆଗରୁ ଘୋଷଣା ନ କଲେ ଜଳଯୋଗାଣୀ ଶ୍ରୋତା ଯୁଟନ୍ତି ନାହିଁ । ତେଣୁ ଜଳଯୋଗଦ୍ୱାରା ଶ୍ରୋତା ସଂଗ୍ରହ ଉପାୟଟି ସରଳତମ ହେଲେହେଁ ଅନ୍ୟାନ୍ୟ ସରଳତମ ଉପାୟମାନ ଅନୁରୂପେ ଏହା ବିଶେଷ ଫଳପ୍ରଦ ନୁହେଁ ।

 

ଶ୍ରୋତା ସଂଗ୍ରହର ଦ୍ୱିତୀୟ ଉପାୟ ହେଲା ପ୍ରଚାର । ଏହି ତ୍ରିବିଧ–ପ୍ରାକ୍‌ପ୍ରଚାର, ତତ୍‍କାଳ ପ୍ରଚାର ଓ ଉତ୍ତର ପ୍ରଚାର । ପ୍ରାକ୍‌ପ୍ରଚାର ବ୍ୟବସ୍ଥାରେ ନିମନ୍ତ୍ରଣପତ୍ର, ପ୍ରଚାରପତ୍ର ଆଦି ବଣ୍ଟାହୁଏ (ଏଥିରେ ବକ୍ତା ଭାବରେ ବ୍ରହ୍ମା ଆଦିଙ୍କ ନାମ ଥାଏ ଯଦିଚ ସେମାନଙ୍କ ସମ୍ମତି ନିଆଯାଇ ନ ଥାଏ), ସେଦିନର ସମ୍ୱାଦପତ୍ରରେ ସଭାର ସ୍ଥାନ କାଳପାତ୍ର ବିଜ୍ଞାପିତ ହୁଏ । ରାଜନୀତିକ ସଭା ହୋଇଥିଲେ ‘ବିରାଟ ସାଧାରଣ ସଭା’ ହେବ ବୋଲି ଗଳି କନ୍ଦି ହାଟ ବାଟରେ ଲାଉଡ୍‍ସ୍ପିକର ଯୋଗେ ଘୋଷିତ ହୁଏ ଓ ଲୋକଙ୍କୁ ଏକଲା ନ ଆସି ବହୁ ସଂଖ୍ୟାରେ ଯୋଗ ଦେବାକୁ ନିବେଦନ କରାଯାଏ । ବିବାହ ପୂର୍ବେ ସବୁ ବିବାହ ଶୁଭବିବାହ ବୋଲି ପ୍ରଚାରିତ ହେବା ଭଳି ସାଧାରଣ ସଭା ମାତ୍ରେ ସଭା ପୂର୍ବେ ‘ବିରାଟ ସାଧାରଣ ସଭା’ ବୋଲାଏ । ଏଥିର ଶୁଭ ବା ବିରାଟ ବିଶେଷଣ ପ୍ରକୃତ ଅବସ୍ଥାକୁ ନ ବୁଝାଇ ତାହାର କର୍ତ୍ତାମାନଙ୍କର ଉଚ୍ଚ ଆଶାକୁ ହିଁ ସୂଚାଇଥାଏ । ଚଳଚ୍ଚିତ୍ର କ୍ଷେତ୍ରରେ ସପରିବାର ଦେଖିବା ପାଇଁ ବା ବିବାହ କ୍ଷେତ୍ରରେ ସବାନ୍ଧବ ଯୋଗଦେବା ପାଇଁ ନିମନ୍ତ୍ରଣ ହେଲାପରି ସଭାରେ ବହୁସଂଖ୍ୟାରେ ଯୋଗ ଦେବାକୁ ନିବେଦନ ହୋଇଥାଏ ଏକ ରୂଢ଼ି ପ୍ରୟୋଗ ଭାବରେ । ପରିବାର ନଥିବା ଲୋକ ଚଳଚ୍ଚିତ୍ର ଦେଖିବାଲାଗି ପରିବାର ଯୋଗାଡ଼ କରିବା ଅନାବଶ୍ୟକ ହେଲାପରି ସଭାରେ ଏକଲା ଯୋଗ ଦିଆଯାଇପାରେ । (ଏପରି ପ୍ରଚାରରୁ ବୁଝା ନ ଯାଉ ଯେ ଚଳଚ୍ଚିତ୍ରକୁ ବହୁସଂଖ୍ୟାରେ ଅର୍ଥାତ୍‍ ବାରମ୍ୱାର ଦେଖିବା ମନା, ବା ସଭାକୁ ସବାନ୍ଧବ ଆସିବାକୁ ନିମନ୍ତ୍ରଣ ନ ଥିବାରୁ ସେଠାରେ ‘ବନ୍ଧୁଗଣ’ ବୋଲି ସମ୍ୱୋଧନ କରାଯାଇ ପାରିବ ନାହିଁ-।)

 

ତତ୍‍କାଳ ପ୍ରଚାର ବ୍ୟବସ୍ଥାରେ ସଭାସ୍ଥଳକୁ ଆଲୋକମାଳାରେ ସଜ୍ଜିତ କରାଯାଏ (ରବୀନ୍ଦ୍ର ମଣ୍ଡପରେ ଏଥିପାଇଁ ସ୍ଥାୟୀ ବ୍ୟବସ୍ଥା ରହିଛି), ନାନା ରଙ୍ଗ କାଗଜର ପତାକାମାଳା ଆଦି ବନ୍ଧା ହୁଏ ଓ ସଭାଗୃହ ବାହାରେ ଲାଉଡ୍‍ସ୍ପିକର ଖଞ୍ଜି ଭିତରେ ସଭା ଚାଲିଛି ବୋଲି ରାସ୍ତାରେ ଚାଲି ଯାଉଥିବା ଲୋକଙ୍କୁ ଚେତେଇ ଦିଆଯାଏ (ଏହି ବ୍ୟବସ୍ଥାରେ ଭିତରେ ପୁଞ୍ଜାଏ ପାଞ୍ଚଟା ଶ୍ରୋତା ନ ଥିଲେ ବି ବକ୍ତାଙ୍କୁ ମାଇକ୍‌ ବ୍ୟବହାର କରିବାକୁ ପଡ଼େ) । ସହର ବଜାରରେ ସଦାସର୍ବଦା କିଛି ନା କିଛି ଲୋକ ନିକମା ବୁଲୁଥାନ୍ତି; ସେମାନେ ତତ୍‍କାଳ ପ୍ରଚାରରୁ ସଭାର ସୁରାକ୍‌ ପାଇ କୌତୂହଳବଶତଃ ସଭାଗୃହକୁ ପଶି ଆସି ସମୟ କଟାଇବାକୁ ଆସନ ମଣ୍ଡନ କରନ୍ତି-। କିନ୍ତୁ ଏତଦ୍ଦ୍ୱାରା ମିଳିବା ଶ୍ରୋତାଙ୍କ ସଂଖ୍ୟା ତୁଳନାରେ ଲାଇଟ୍‌ ଖର୍ଚ୍ଚ, ପତାକା ଖର୍ଚ୍ଚ, ମାଇକ୍‌ ଖର୍ଚ୍ଚ ଆଦି ଅତ୍ୟଧିକ ପଡ଼େ ।

 

ଶ୍ରୋତା ସଂଗ୍ରହାର୍ଥେ ଉତ୍ତର-ପ୍ରଚାର ବ୍ୟବସ୍ଥା ହେଲା ସଭାର ଶ୍ରୋତାମାନଙ୍କର ନାମଗୁଡ଼ିକୁ ମଧ୍ୟ ସଭାର ବିବରଣରେ ପୂରାଇ ଓ ଶ୍ରୋତୃବର୍ଗଙ୍କ ଫଟୋ ଉଠାଇ ସମ୍ୱାଦପତ୍ରରେ ଛାପିବା । ଶ୍ରୋତା ମାତ୍ରେ ଅବହିତ ଥିବେ ଯେ ଏହି ବ୍ୟବସ୍ଥା ଲାଗି ସମ୍ୱାଦପତ୍ରର ସମ୍ପାଦକଙ୍କ ଅନୁଗ୍ରହ ନ ହେଲେ ନ ଚଳେ । ଯେଉଁ ସଭାରେ ସମ୍ୱାଦପତ୍ରର ସମ୍ପାଦକ ଯୋଗ ଦେବା କଥା ପ୍ରଚାରିତ ହୁଏ, କେବଳ ସେହି ସଭାର ବିବରଣରେ ସମ୍ୱାଦପତ୍ରରେ ସ୍ୱ ସ୍ୱ ନାମ ଓ ଫଟୋ ପ୍ରକାଶ ପାଇବାର ଉଜ୍ଜ୍ୱଳ ସମ୍ଭାବନା ଥିବା ଜାଣି ଶ୍ରୋତାମାନେ ଅନ୍ୟ ସବୁ ଜରୁରୀ କାର୍ଯ୍ୟକୁ ପଛରେ ପକାଇ ସଭାର ପ୍ରଥମ କେତେ ଧାଡ଼ିରେ ଯଥା ସମୟରେ ଆସନ ଗ୍ରହଣ କରନ୍ତି । ଏହି କାରଣରୁ ଓଡ଼ିଶାର ଦୈନିକ ସମ୍ୱାଦପତ୍ରର ସମ୍ପାଦକମାନଙ୍କ ନିକଟରେ ସଭା ସମିତିରେ ସଭାପତି ବା ପ୍ରଧାନଅତିଥି ବା ମୁଖ୍ୟବକ୍ତା ଭାବରେ ଯୋଗ ଦେବା ପାଇଁ ସଭାସମିତିର ଉଦ୍ୟୋକ୍ତାମାନେ ପ୍ରତ୍ୟହ ବହୁ ନେହୁରା ହୁଅନ୍ତି ।

 

ଶ୍ରୋତା ସଂଗ୍ରହର ତୃତୀୟ ଓ ଅବ୍ୟର୍ଥ ଉପାୟ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଖୋଦ୍‌ ଓଡ଼ିଶା ସାହିତ୍ୟ ଏକାଡେମୀ ତାଙ୍କର ଗତ ପାରଳାଖେମୁଣ୍ଡି ଅଧିବେଶନରେ ସନ୍ଧ୍ୟାର ସାହିତ୍ୟିକ ଆଲୋଚନା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାମ ଦେଇ ନାଟଗୀତର ବ୍ୟବସ୍ଥା କରିଥିବାରୁ ତଦବଧି ସଂସ୍କୃତି କହିଲେ ସାହିତ୍ୟକୁ ନ ବୁଝାଇ ବୁଝାଉଛି ସଙ୍ଗୀତ ନାଟକ ଆଦିକୁ । ସାହିତ୍ୟିକ ସଭା ଶେଷକୁ ସାଂସ୍କୃତିକ କାର୍ଯ୍ୟକ୍ରମ ରଖିଲେ ଶ୍ରୋତା ହୁଅନ୍ତି ସତ କିନ୍ତୁ ମାତ୍ରାତିରେକ ହୁଅନ୍ତି । ଏହି ସଭାରେ ଶ୍ରୋତା ଓ ବକ୍ତାଙ୍କ ମଧ୍ୟରେ ବୁଝାମଣାର ଶୋଚନୀୟ ଅଭାବ ପରିଲକ୍ଷିତ ହୁଏ । ଏତେଗୁଡ଼ିଏ ଶ୍ରୋତାଙ୍କୁ ଦେଖିଲେ ବକ୍ତାଙ୍କ ପାଟି ଖଲଖଲ ହୁଏ, ବକ୍ତା ତାଙ୍କ ଭାଷଣକୁ ବଢ଼ାଇବାକୁ ଉଦ୍ୟମ କଲାବେଳେ ଶ୍ରୋତାମାନେ ଜମାରୁ ବକ୍ତୃତା ପାଇଁ ପ୍ରସ୍ତୁତ ନ ଥିବାରୁ ଶୀଘ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିବା ଲକ୍ଷ୍ୟରେ ଭାଷଣକୁ ଭଣ୍ଡୁର କରିବା ଉଦ୍ୟମ କରନ୍ତି । ଏହି ସଭାରେ ସ୍ତନ୍ୟପାୟୀ ଶିଶୁମାନେ ମଧ୍ୟ ମାତୃକୋଳରେ ଥାଇ ଯୋଗ ଦିଅନ୍ତି । ସେମାନଙ୍କ ଆଗ୍ରହ ସାହିତ୍ୟ ପ୍ରତି ଜାଗରୁକ କରାଇବା କଷ୍ଟକର ହୁଏ ଓ ସେମାନଙ୍କ ଆଗ୍ରହ ସ୍ତନ୍ୟପାନରେ ଥାଏ ଅଥଚ ସେ ସୁଯୋଗରୁ ସେମାନଙ୍କୁ ବଳପ୍ରୟୋଗଦ୍ୱାରା ବଞ୍ଚିତ କରା ହେଉଥାଏ । ରାବଣ ସୀତାଙ୍କୁ ଚୋରାଇ ନେବାରୁ ରାମ ନିରପରାଧ ସମୁଦ୍ରକୁ ବାନ୍ଧିଲା ପରି ଏହି ଶିଶୁମାନେ ଅକାରଣ ବକ୍ତାଙ୍କର ପ୍ରତିବାଦୀ ହୁଅନ୍ତି ।

 

ଶ୍ରୋତା ସଂଗ୍ରହ ପାଇଁ ଉପର୍ଯ୍ୟୁକ୍ତ ତିନୋଟିଯାକ ଉପାୟ ଏକେତ ବ୍ୟୟବହୁଳ ନତୁବା ବିଶୃଙ୍ଖଳାକାରକ ନତୁବା ଅସୁବିଧାଜନକ । ଭଗବାନ ଅପରିଣାମଦର୍ଶୀ ହୋଇ ଲକ୍ଷ୍ମୀ ସରସ୍ୱତୀ ଦୁଇଜଣଙ୍କୁ ଅର୍ଦ୍ଧାଙ୍ଗିନୀ (ପ୍ରକୃତରେ କହିବାକୁ ଗଲେ ପ୍ରତ୍ୟେକଙ୍କୁ ଏକ ଚତୁର୍ଥାଂଶାଙ୍ଗିନୀ) କରିବାରୁ ଫଳତଃ ସାହିତ୍ୟସଭା ପାଇଁ ଧନ ମିଳେ ନାହିଁ । ତେଣୁ ଶ୍ରୋତା ସଂଗ୍ରହର ଚତୁର୍ଥ ଓ ବ୍ୟୟଶୂନ୍ୟ ଉପାୟ ସମ୍ପ୍ରତି ଉଦ୍ଭାବିତ ହୋଇଛି । ଏହା ବହୁ ପରୀକ୍ଷିତ । ଉପାୟଟି ସମ୍ପୂର୍ଣ୍ଣ ଆନୁଷ୍ଠାନିକ; ଏହା ପୁଣି ନିତ୍ୟ ଓ ନୈମିତ୍ତିକ ଭେଦରେ ଦ୍ୱିବିଧ । ନିତ୍ୟ ଆନୁଷ୍ଠାନିକ ବ୍ୟବସ୍ଥା ହେଲା–ଯେଉଁ ଅନୁଷ୍ଠାନ ପକ୍ଷରୁ ସଭାସମିତି ମଝିରେ ମଝିରେ କରିବାର ଯୋଜନା ଥାଏ ସେହି ଅନୁଷ୍ଠାନରେ ବର୍ଷକେ ଗୋଟାକେତେ ସଭା କରିବା ଛଡ଼ା ଅନ୍ୟ କୌଣସି କର୍ମ ନ ଥିଲେ ହେଁ ବହୁତଗୁଡ଼ିଏ କର୍ମକର୍ତ୍ତାଙ୍କୁ ରଖିବା । ଏହି ବ୍ୟବସ୍ଥାରେ ଜଣେ ସ୍ଥାୟୀ ସଭାପତି, ଜଣେ ସଭାପତି, ଜଣେ କାର୍ଯ୍ୟକାରୀ ସଭାପତି ଓ ଚାରିଜଣ ଉପସଭାପତି (ଏମାନଙ୍କୁ ସଭୋପପତି କହିବା ଅଧିକ ସଙ୍ଗତ, କାରଣ ସଭାର ପତିଙ୍କ ଉପସ୍ଥିତିରେ ଉପପତିଙ୍କ କିଛି କର୍ତ୍ତବ୍ୟ ନ ଥାଏ), ଏପରି ଗାଏ ସଭାପତି ସାତ ଜଣ-। ଜଣେ ସାଧାରଣ ସମ୍ପାଦକ, ଜଣେ ସଙ୍ଗଠନ ସମ୍ପାଦକ, ଜଣେ ସାଂସ୍କୃତିକ ସମ୍ପାଦକ ଓ ଜଣେ ଅର୍ଥ ସମ୍ପାଦକ ଓ ଏହି ଚାରିଜଣଙ୍କର ଯୁଗ୍ମ ଚାରିଜଣ ଓ ସହକାରୀ ଚାରିଜଣ; ଏପରି ଗାଏ ସମ୍ପାଦକ ବାରଜଣ । କାର୍ଯ୍ୟକାରୀ ସମିତିର ସଭ୍ୟ ପାଞ୍ଚଜଣ, ଦୁଇଜଣ ଅଡ଼ିଟର ଓ ଚାରିଜଣ ଖଣ୍ଡେ ଉପଚେଷ୍ଟା (ଆମ୍ଭ ଦେଶରେ ଉପଦେଶ ଦେଲା ବାଲାଏ କର୍ମ କରୁ ନ ଥିବାରୁ କର୍ମକର୍ତ୍ତାଙ୍କଠାରୁ ପୃଥକ୍‌ କେତେଜଣ ଉପଦେଷ୍ଟା ହୁଅନ୍ତି) । ଏମାନଙ୍କ ଠୁଳ ସଂଖ୍ୟା ତିରିଶିକୁ ଢୁକିବ । ଏଥିସହିତ ସମ୍ୱିଧାନ ସଂଶୋଧନ ଉପସିମିତି ବାଷକୋତ୍ସବ ଉପସମିତି, ପ୍ରକାଶନ ଉପସମିତି ଆଦି ଗଢ଼ି ଆଉ ତିରିଶ ଜଣଙ୍କୁ ନିଆଯାଇ ପାରେ । ସାଧାରଣ ଲୋକର ବିଶ୍ୱାସ ଯେକୌଣସି ଅନୁଷ୍ଠାନର କର୍ମକର୍ତ୍ତାଦି ହେଲେ ଅନୁଷ୍ଠାନକୁ ଚାନ୍ଦା ଦେବା ଓ ତାହାର ସଭାସମିତିରେ ଯୋଗ ଦେବା ତାଙ୍କର ଦାୟିତ୍ୱ । ଏପରି ଦାୟିତ୍ୱବୋଧ ବଶତଃ ସଭାସମିତିକୁ ଅନାୟାସଲବ୍‌ଧ କେତେ ଶ୍ରୋତା ମିଳନ୍ତି (ଓ କିଛି କିଛି ଚାନ୍ଦା ମଧ୍ୟ ମିଳିଯାଏ) ଓ ମିଳି ପାରୁଥିବା କାରଣରୁ ଅନୁଷ୍ଠାନଗୁଡ଼ିକରେ ଅଳ୍ପ କର୍ମକୁ ବହୁତ କର୍ମକର୍ତ୍ତା ଥାଆନ୍ତି । ବହୁଲୋକରେ ମୂଷା ମରେ ନାହିଁ ବୋଲି ଯେଉଁ ପ୍ରବଚନ ଅଛି ତାହା ସଭା କ୍ଷେତ୍ରରେ ପ୍ରଯୋଜ୍ୟ ନୁହେଁ, କାରଣ ମୂଷା ଜଣକରେ ଭଲ ମରେ କିନ୍ତୁ ସଭାପାଇଁ ଅନେକ ଲୋକ ଆବଶ୍ୟକ । ଆଉ ମଧ୍ୟ ମୂଷା ବହୁଲୋକରେ ମରେ ନାହିଁ ସଭା କିନ୍ତୁ ନିରନ୍ତର ଦୌଡ଼ାଦୌଡ଼ି କରି ପ୍ରାଣବିକଳରେ ଲୋକଙ୍କ ଦେହରେ ଭୁଲରେ ଚଢ଼ିଯିବାରୁ ଫୋପାଡ଼ି ହୋଇ ଓ ଲୋକଗୁଡ଼ାକର ଠେଙ୍ଗାମାଡ଼ ମୂଷା ଦେହରେ ବାଜିବାର ଭୟ କରି ଓ ତାହା ସେଠାରେ ନ ବାଜି ପରସ୍ପର ଉପରେ ବାଜିବାଜନିତ ଚିତ୍କାର ଶୁଣି ବିଚାରା ମୂଷା ନୟାନ୍ତ ହୁଏ ।

 

ଶ୍ରୋତା ସଂଗ୍ରହର ନୈମିତ୍ତିକ ଆନୁଷ୍ଠାନିକ ଉପାୟଟି ତତୋଽଧିକ ଫଳପ୍ରଦ । ଏହି ବ୍ୟବସ୍ଥାରେ ସଭାପାଇଁ ପୁଞ୍ଜାଏ ଖଣ୍ଡେ ଅତିଥିଙ୍କ ବ୍ୟବସ୍ଥା ଥାଏ । ଜଣେ ମୁଖ୍ୟ ଅତିଥି ଜଣେ ପ୍ରଧାନ ଅତିଥି, ଜଣେ ବିଶିଷ୍ଟ ଅତିଥି, ଜଣେ ବରେଣ୍ୟ ଅତିଥି, ଜଣେ ସମ୍ମାନିତ ଅତିଥି ଏହିପରି ସ୍ୱତନ୍ତ୍ର ଆଖ୍ୟା ପାଇ ସେମାନେ ବସନ୍ତି । ଏପରି ବିଶେଷଣବିଶିଷ୍ଟ ନାମରୁ ସନ୍ଦେହ କରାଯାଇ ପାରେ ଯେ ସମ୍ମାନିତ ଅତିଥି ଭିନ୍ନ ଅବଶିଷ୍ଟ ଅତିଥିମାନେ ଅପମାନିତ ଅତିଥି, ମୁଖ୍ୟ ଅତିଥି ଭିନ୍ନ ଅନ୍ୟ ଅତିଥିମାନେ ଗୌଣ, ଇତ୍ୟାଦି ଇତ୍ୟାଦି । ଅତୀତର ଅତିଥିମାନେ ଅନାହୂତଆଗତ ଥିଲେ, ଆଜିକାଲି ଅତିଥିମାନଙ୍କୁ ତିଥିବାର ଜଣାଇ ନିମନ୍ତ୍ରଣ କରିବାକୁ ପଡ଼ୁଛି; ପାର୍ଥକ୍ୟ ଏତିକି । ସଭାର ବକ୍ତା ସଂଖ୍ୟା ସେହି ପ୍ରକାରେ ବିଶେଷଣବିଶିଷ୍ଟ ହୋଇ ଅନେକ ହେବେ; ବିଶିଷ୍ଟ ବକ୍ତା, ପ୍ରଧାନ ବକ୍ତା, ଇତ୍ୟାଦି । କିନ୍ତୁ ଏ ପର୍ଯ୍ୟାୟର ବିଶେଷଣ ସଂଖ୍ୟାକୁ ଯଦି ବକ୍ତା ସଂଖ୍ୟା ବଳିପଡ଼େ ତେବେ ସେ ସଭାର ନାମ ହୁଏ ଆଲୋଚନାଚକ୍ର ଓ ସେଥିରେ ବକ୍ତାମାନଙ୍କ ଆଚରଣକୁ ବତ୍କୃତା ବୋଲି କୁହା ନ ଯାଇ କୁହାଯାଏ ଅଂଶଗ୍ରହଣ । ଯଦି ସଭାଟି ଶ୍ରାଦ୍ଧସଭା ହୋଇ ନ ଥାଏ ତେବେ ସେଠାରେ ଆଞ୍ଚଳିକ ସଙ୍ଗତିସମ୍ପନ୍ନ ଗଣ୍ଡାଏ ଛଅଟା ଲୋକଙ୍କୁ ମାନପତ୍ର ଦିଆଯାଇ ପାରିବ (ପ୍ରତ୍ୟେକ ଲୋକର କିଛି କିଛି ଦୋଷ କିଛି କିଛି ଗୁଣ ଥାଏ, ଛୋଟଲୋକମାନେ ଆପଣା ଦୋଷ ବିଷୟ ଜାଣି ନ ପାରିବା ପରି ବଡ଼ଲୋକମାନେ ଆପଣା ଗୁଣ ବିଷୟ ଜାଣି ନ ଥାନ୍ତି । ତେଣୁ ମାନପତ୍ରରେ ଏହି ଗୁଣମାନ ବର୍ଣ୍ଣିତ ହେବା ଦେଖିଲେ ତାହାକୁ ଘରେ ସହଜଦୃଶ୍ୟ ସ୍ଥାନରେ ଲଟକାଇ ନିଜେ ପଢ଼ନ୍ତି) । ଏହି ମାନପତ୍ର ଗ୍ରହୀତାଙ୍କର ଗୁଣଗ୍ରାମର ପରିଚୟ ପ୍ରଦାନଲାଗି ତେତିକିସଂଖ୍ୟକ ପରିଚୟଦାତାଙ୍କ ବ୍ୟବସ୍ଥା ଥାଏ । ଏହି ଅତିଥିବର୍ଗ ବକ୍ତାଗଣ ସମ୍ମାନିତ ଗୋଷ୍ଠୀ ଓ ପରିଚୟଦାତାମାନେ ସଭାକୁ ଆସିଲା ବେଳେ ଏକା ଏକା ଆସନ୍ତି ନାହିଁ । ନିଜର ବାହାଦୁରି ନିଜ ଲୋକଙ୍କୁ ଦେଖେଇବା ପାଇଁ ସାଙ୍ଗରେ ଗୋଟେ ଦିଇଟାଙ୍କୁ ଧରି ଆସନ୍ତି । ବୁଢ଼ା ବୁଢ଼ାଙ୍କୁ ସମ୍ମାନ ଦେଲେ ତାଙ୍କୁ ବସା ଉଠା କରାଇବାକୁ ଦୁଇ ଜଣ ଓ ବହୁ ବଂଶଧରଙ୍କ ମଧ୍ୟରୁ କେତେକ ନିଶ୍ଚୟ ଆସନ୍ତି । ଏହିମାନେ ହୁଅନ୍ତି ସଭାର ଶ୍ରୋତା । ରୁଷିଆରେ ଗୋଟିଏ ସଭାପତି (ପ୍ରେସିଡେଣ୍ଟ) ବଦଳରେ ଗୁଡ଼ାଏ ଲୋକଙ୍କୁନେଇ ଗଠିତ ସଭାପତିମଣ୍ଡଳ (ପ୍ରେସିଡିଅମ୍‌) ପ୍ରଥା ପ୍ରଚଳିତ ହେଲାଣି-। ଦେଖା ଶିଖା ଓଡ଼ିଶା । ଓଡ଼ିଶାରେ ଜଣକୁ ବରେଣ୍ୟ ସଭାପତି, ଜଣକୁ ବିଶିଷ୍ଟ ସଭାପତି, ଜଣକୁ ପ୍ରମୁଖ ସଭାପତି, ଜଣକୁ ପ୍ରଧାନ ସଭାପତି ଏହି ନାମରେ ସଭାର ପାଞ୍ଚୋଟି ପତିଙ୍କୁ ମହାଭାରତର ଆଦର୍ଶରେ ଗ୍ରହଣ କଲେ ରୁଷିଆର ଅନୁକରଣ ହେଲା ବୋଲି ଆମେରିକା ଅନୁକାରୀମାନେ କହି ପାରିବେ ନାହିଁ । ଏ ସବୁ ବ୍ୟବସ୍ଥା ଅନୁସରଣ କରିବାର କାରଣ ଯେହେତୁ ଶ୍ରୋତା ଯୋଗାଡ଼, ତେଣୁ ଜଣକେତେ ଶ୍ରୋତାଙ୍କୁ ମୁଖ୍ୟ, ପ୍ରଧାନ, ବିଶିଷ୍ଟ ଆଦି ବିଶେଷଣଯୁକ୍ତ ଆଖ୍ୟା ଦେଇ ନିମନ୍ତ୍ରଣ କରାଯାଇ ପାରିବ । ସଭାରେ ଅଂଶ ଗ୍ରହଣର ସୁବିଧା ଅଛି ବୋଲି ଜାଣିଲେ ଲୋକେ ସମୟ ରକ୍ଷା କରି ସଭାକୁ ଯିବେ । ଶ୍ରୋତା ବ୍ୟତିରେକେ ସଭା ସମ୍ପୂର୍ଣ୍ଣ ଅଚଳ ହେଉଥିବାରୁ ଆମ୍ଭ ବିବେଚନାରେ ସଭାର ମୁଖ୍ୟ ଅଂଶ ସଭାପତିତ୍ୱ କରିବା କି ବତ୍କୃତାଦେବା କି ଧନ୍ୟବାଦ ଦେବା ନୁହେଁ, ଏହା ଧୀରେ ସୁସ୍ଥେ ଶୁଣିବା । ଅତଏବ ଅନୁଷ୍ଠାନର ଅନ୍ୟାନ୍ୟ ସମ୍ପାଦକ ରହିବା ପରି ଜଣେ ଶ୍ରୋତା ସମ୍ପାଦକ ଓ ତାହାଙ୍କ ଯୋଡ଼ି ହେବାକୁ ଯୁଗ୍ମ, ସହକାରୀ ଆଦି ରଖିବା ମଧ୍ୟ ସମୀଚୀନ ଅଟେ ।

 

ପରିଶେଷରେ ବକ୍ତବ୍ୟ ଏହି ଯେ ଶ୍ରୋତାଙ୍କ ଅଭାବ ନେଇ ଆତଙ୍କିତ ନ ହୋଇ କିଛି ଗଠନମୂଳକ ପଦକ୍ଷେପ କଲେ ଉତ୍ତମ ହେବ । ଓଡ଼ିଆ ଲୋକେ ଭଲ ଭାବରେ ଜାଣନ୍ତି କି ଆମ୍ଭର ଏହି ଦେଶ ମହା ମହା କବି ପଣ୍ଡିତମାନଙ୍କର ଲୀଳାଭୂମି । ସେମାନେ ଜୀବିତ ଥିବା ଅବସ୍ଥାରେ ସେମାନଙ୍କ ବିଷୟରେ କେହି କିଛି ଜାଣି ନଥାନ୍ତି, କାରଣ ସେମାନଙ୍କ ନାମ ଧାମ ଗୁଣ ଗ୍ରାମର ପରିଚୟ ଦୈନିକ ସମ୍ୱାଦପତ୍ରର କ୍ରୋଡ଼ପତ୍ର ସନ୍ଧିରେ ସୁଦ୍ଧା ସ୍ଥାନ ପାଏ ନାହିଁ । କିନ୍ତୁ ମରିବା ବାସୀ ଦିନ ସେମାନଙ୍କ ନାମ ସହିତ ସେମାନଙ୍କ ବନ୍ଧୁ ବାନ୍ଧବ ବଂଶ କୁଳ ଗୋତ୍ରର ନାମ, ସେମାନଙ୍କ କୀର୍ତ୍ତିମୟ ଜୀବନୀ ଓ ସେମାନଙ୍କ ଅମର ଲେଖନୀନିସୃତ ଅପ୍ରକାଶିତ ଉପାଦେୟ ରଚନାଗୁଡ଼ିକର ପରିଚୟ ଓ ସେମାନଙ୍କ ଅକାଳ ବିୟୋଗରେ ଦାରୁଣ ମର୍ମାହତମାନଙ୍କର ଶୋକବାର୍ତ୍ତା ସମାଜ ଆଦି ସମ୍ୱାଦପତ୍ରର ପ୍ରଥମ ପୃଷ୍ଠାରେ କଳାପଟିଦିଆ ବଡ଼ ବଡ଼ ଅକ୍ଷରରେ ବାହାରେ । ଓଡ଼ିଆ ଲୋକେ, କେଡ଼େ ବଡ଼ ମହତ ଲୋକଟାଏ ସେମାନଙ୍କ ଗହଣରୁ ଚାଲିଗଲା ଜାଣି ନିସଜକୁ ଧନ୍ୟ ମନେକରନ୍ତି । ଏତଦ୍ଦ୍ୱାରା ସମାଜ ଆଦି ସମ୍ୱାପତ୍ରର ସମାଲୋଚନା କରାଯାଉ ନାହିଁ । ଏହା ହିଁ ଏହି ଦେଶର ଶିଷ୍ଟାଚାର । ଜଗନ୍ନାଥ ଦାସେ ଲେଖିଛନ୍ତି–

 

ପ୍ରାଣୀର ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି ।।

 

କବି ପଣ୍ଡିତମାନେ ସମସ୍ତେ ପ୍ରାଣୀ ଥିବାରୁ ସେମାନଙ୍କ ଭଲ କାର୍ଯ୍ୟ ସବୁ ଜଣାପଡ଼େ ମଲେ, ମନ୍ଦ କାର୍ଯ୍ୟ ସବୁ ଜଣାପଡ଼େ ମଲେ (ପାର୍ଥକ୍ୟ ଏହି ଯେ ଭଲ କାର୍ଯ୍ୟ ସବୁ ସମ୍ୱାଦ ଆକାରରେ ସମ୍ୱାଦପତ୍ରରେ ପ୍ରକାଶ ପାଏ କିନ୍ତୁ ମନ୍ଦ କାର୍ଯ୍ୟ ସବୁ ସେହି ବ୍ୟକ୍ତିଙ୍କ ସ୍ୱଜନମାନଙ୍କ ତୁଣ୍ଡରେ ଗୁଜବ ଆକାରରେ ପ୍ରକାଶ ପାଏ) ଓ ବାଣୀ ଅର୍ଥାତ୍‍ କାବ୍ୟ କବିତା ଲେଖିଥିବା କଥା ମରିବା ବେଳେ ଜଣା ପଡ଼ିଯାଏ । ଏହି ପରିସ୍ଥିତିରେ ଜୀବିତାବସ୍ଥାରେ ସମ୍ୱର୍ଦ୍ଧନା ସଭା, ଜନ୍ମ ଜୟନ୍ତୀ ସଭା ହୋଇପାରେ ନାହିଁ କିନ୍ତୁ ମରିବା ମାତ୍ରେ ଶ୍ରାଦ୍ଧସଭାର ଆୟୋଜନ ହୁଏ, ବିଭିନ୍ନ ସରକାରୀ ସଂସ୍ଥାରୁ ବିଜ୍ଞାପନ ଲାଗି ଟଙ୍କା ଆଣି ଉଦ୍ୟୋକ୍ତାମାନଙ୍କ ଲେଖାସମ୍ୱଳିତ ସ୍ମରଣିକା ପ୍ରକାଶ ପାଇଁ ଉଦ୍ୟମ ହୁଏ । ତାହାଙ୍କର ସବୁ ଲେଖାକୁ ରୁଣ୍ଡାଇ ଗ୍ରନ୍ଥାବଳୀ ଛାପିବା ଲାଗି ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦିଆଯାଏ । ସାହିତ୍ୟସଭା ବିନା ଏସବୁ କାର୍ଯ୍ୟ ସମ୍ପାଦନ ହୋଇପାରିବ ନାହିଁ । ସେଦିନ ସନ୍ଧ୍ୟାରେ ଶ୍ରୀରାମଚନ୍ଦ୍ର ଭବନରେ କୌଣସିମତେ ତିନି ଜଣ ହାଜର ହୋଇପାରିଲେ ବୋଲି ସଭା କାର୍ଯ୍ୟ ଚଳାଇ ନିଆଗଲା । ଯଦି ସେଥିରୁ ତିନି ଜଣ ବା ଦୁଇ ଜଣ ବା ଜଣେ ସୁଦ୍ଧା କମ୍‌ ଆସନ୍ତି, ତେବେ ? ସଭାପତି ନ ଆସିଲେ ଶ୍ରୋତା ସଭାପତି ହୋଇ ସଭା କାର୍ଯ୍ୟ ଚଳାଇନେବେ, ବକ୍ତା ବି ନ ଆସିଲେ ଶ୍ରୋତା ବକ୍ତାହୋଇ ସଭାକାର୍ଯ୍ୟ ଚଳାଇବେ କିନ୍ତୁ ଶ୍ରୋତା ନ ଆସିଲେ ସଭା ହୋଇପାରିବ ନାହିଁ । ତେଣୁ ଆମ୍ଭ ମତରେ ସଭାପତି, ବକ୍ତା ଆଦିଙ୍କୁ ମାତ୍ର ମାନସମ୍ମାନ ଫୁଲହାର କର୍ପୂରମାଳ ଦେବା ପ୍ରଥା ଚାଲୁ ରହିଲେ ରହୁ କିନ୍ତୁ ଶ୍ରୋତା ସଂଗ୍ରହ ପାଇଁ ସ୍ୱତନ୍ତ୍ର ଉଦ୍ୟମ ହେଉ । ଅନ୍ୟଥା ସାହିତ୍ୟସଭା ଅନୁଷ୍ଠିତ ହୋଇପାରିବ ନାହିଁ । ପ୍ରକାଶ ଥାଉକି ସଭ୍ୟ ହେବାର ସୁନିଶ୍ଚିତ ଉପାୟ ହେଉଛି ସଭା ଗଠନ କରିବା । ସଭା ସଂଖ୍ୟା ଯେତିକି ବଢ଼ିବ, ସଭ୍ୟ ସଂଖ୍ୟା ସେତିକି ବଢ଼ିବ ।

Image

 

ଗାଲତତ୍ୱ

 

[ପାଠ ଡାକୁଚି ଅତି ପରିଚୟେ ଗୌରବ ନଷ୍ଟ, Familiarity breeds contempt ଗାଲଟା ଆମ୍ଭମାନଙ୍କର ଏତେ ବେଶି ଜଣାଶୁଣା ଯେ ତାହାର ତତ୍ତ୍ୱ ବିଚାର ଅଦ୍ୟାବଧି ହୋଇନାହିଁ । ଏହି କାରଣରୁ ଗଜେନ୍ଦ୍ର ଗବେଷକ ଗୋଷ୍ଠୀ ମଧ୍ୟରେ ପଠିତ ହୋଇ ଉଚ୍ଚ ପ୍ରଶଂସା ଲାଭ କରିଥିବା ଏହି ଗବେଷଣାତ୍ମକ ପ୍ରବନ୍ଧଟି ଏହିଜାତୀୟ ଗବେଷଣା ପଥରେ ଦିଗଖୁଣ୍ଟିର କାର୍ଯ୍ୟ କରିବ ।]

ଉଡ୍‍ଡୀୟମାନ ପନ୍ଥାର ପ୍ରବର୍ତ୍ତକ ସମ୍ୱଳର (ଅର୍ଥାତ୍‍ ଆଧୁନିକ ସମ୍ୱଲପୁରର) ରାଜା ଇନ୍ଦ୍ରଭୂତି ପିଣ୍ଡ-ବ୍ରହ୍ମାଣ୍ଡବାଦର ପ୍ରଚାର କରିଥିଲେ । ଏହି ବୌଦ୍ଧଦର୍ଶନଟି କାଳକ୍ରମେ ହିନ୍ଦୁ ଭୂଷାରେ ସଜ୍ଜିତ ହୋଇଥିବା କଥା ସର୍ବସମ୍ମତ । ଏଥିରେ ମାନବର ଶରୀର ସହ ବ୍ରହ୍ମାଣ୍ଡର ଅନନ୍ୟତା ପ୍ରତିପାଦିତ ହୁଏ । ଏହି ଶରୀର ମଧ୍ୟରେ ହିଁ ବିଭିନ୍ନ ଦେବଦେବୀ, ଗ୍ରହୋପଗ୍ରହ, ନଦନଦୀ, ତୀର୍ଥକ୍ଷେତ୍ର ଆଦି ଚିହ୍ନିତ ହୁଅନ୍ତି । ବୌଦ୍ଧିକ ବିଚାରରୁ ପରୀକ୍ଷା କଲେ ଏହି ଦର୍ଶନଟି ଯେ ବ୍ୟାପ୍ତପ୍ରଭାବଶୀଳ ଏହା ଅନସ୍ୱୀକାର୍ଯ୍ୟ; ତଥାପି ଏହା ସର୍ବତୋଭାବେ ସ୍ୱୟଂସମ୍ପୂର୍ଣ୍ଣ ବୋଲି କହିବା ସମ୍ଭବ ହେଉ ନାହିଁ । ମାନବ ଶରୀରର କେତେକ ନିର୍ଦ୍ଦିଷ୍ଟ ଅବୟବ କେତେକ ସ୍ୱତନ୍ତ୍ର ଭାବ ବା ଗୁଣର ମୂଳପୀଠ ରୂପେ ସାଧାରଣତଃ ଗୃହୀତ ହୋଇଥାନ୍ତି । ଯେପରି ଜଣାଯାଉଛି ଏହି ଧାରଣା ଆବହମାନ କାଳରୁ ରହି ଆସିଛି । ପୁଣି, ଏହି ଧାରଣା କୌଣସି ଅଞ୍ଚଳବିଶେଷ ମଧ୍ୟରେ ଆବଦ୍ଧ ନୁହେଁ, ଏହା ଯଥାର୍ଥରେ ସର୍ବତୋବ୍ୟାପୀ । ଅଥଚ ଦୀର୍ଘକାଳ ଧରି ନିବିଡ଼ ଭାବରେ ନିରବଚ୍ଛିନ୍ନ ଅନ୍ୱେଷଣ ପରେ ସୁଦ୍ଧା ପିଣ୍ଡବ୍ରହ୍ମାଣ୍ଡବାଦ ମଧ୍ୟରେ ଏହି ତଥ୍ୟଟି ନେଇ ସାମନ୍ୟତମ ଚର୍ଚ୍ଚା ହୋଇଥିବା ମଧ୍ୟ ଆବିଷ୍କୃତ ହେଲା ନାହିଁ ।

ଶରୀରର ବିଭିନ୍ନ ଅଂଶ ଭିନ୍ନ ଭିନ୍ନ ଭାବର ପୀଠ ବୋଲି ଯେଉଁ ସର୍ବତୋବ୍ୟାପୀ ଧାରଣା ରହି ଆସିଛି ସେ ସଂକ୍ରାନ୍ତରେ କେତୋଟି ଦୃଷ୍ଟାନ୍ତ ଦେଲେ ଆମ୍ଭର ବକ୍ତବ୍ୟ ସ୍ପଷ୍ଟତର ହେବ-। ବୁଦ୍ଧି, ବିବେକ, ସ୍ମରଣଶକ୍ତି ଆଦି ଯେଉଁ ଯେଉଁ ଗୁଣ ମାନବକୁ ଇତର ଜୀବଜନ୍ତୁଙ୍କଠାରୁ ଉଚ୍ଚତର ସୋପାନରେ ଅବସ୍ଥାପିତ କରିଛି, ତାହାର ଆଧାର ମସ୍ତିଷ୍କ ବୋଲି ନିର୍ଣ୍ଣୀତ ହୁଏ । ଏହାର ସ୍ଥାନ ମୂର୍ଦ୍ଧା ଅର୍ଥାତ୍‍ ମାନବ ଶରୀରର ଊର୍ଦ୍ଧ୍ୱତମ ଅଙ୍ଗ । ଦୟା, କ୍ଷମା, ଭକ୍ତି, ପ୍ରେମ ଆଦି ଲଳିତ ଭାବଗୁଡ଼ିକର ପୀଠ ହୃଦୟ–ଏ କଥା ମଧ୍ୟ ସୁବିଦିତ ଅଟେ । ମସ୍ତିଷ୍କହୀନ କହିଲେ ନିର୍ଦ୍ଦୟ ବା କ୍ରୂର ବ୍ୟକ୍ତିକୁ ବୁଝାଏ ନାହିଁ, ବୁଝାଏ ବୁଦ୍ଧି ବା ବିବେଚନାଶୂନ୍ୟ ବ୍ୟକ୍ତିକୁ । ସେହିପରି ହୃଦୟହୀନ କହିଲେ ନିର୍ଦ୍ଦୟ ବା ଅରସିକ ଲୋକକୁ ବୁଝାଇ ପାରେ କିନ୍ତୁ ଏହା ଅର୍ଥ ଅବିବେକୀ ନୁହେଁ । ଏହି ସଂକ୍ରାନ୍ତରେ ବିଭିନ୍ନ ସୂତ୍ରରୁ ଯେଉଁ ତଥ୍ୟ-ପ୍ରମାଣହୀନ ସଂଗ୍ରହ କରାଯାଇଛି ସେ ସବୁକୁ ବୈଜ୍ଞାନିକ ପ୍ରଣାଳୀରେ ଅନୁଧ୍ୟାନ କରିବାରୁ ଜଣାଗଲା ଯେ ମାନବ ଶରୀରକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇ ଭବପୀଠଗୁଡ଼ିକର କଳ୍ପନା କରାଯାଉଛି । ଶରୀରର ମୁଣ୍ଡ ଭାଗଟିରେ ବୁଦ୍ଧି, ବିବେଚନା, ଚିନ୍ତା, ସ୍ମରଣଶକ୍ତି ଆଦି ସୂକ୍ଷ୍ମ ମାନବୀୟ ଗୁଣ ତଥା ସେସବୁର ବିପରୀତଧର୍ମୀ ସ୍ଥୂଳଗୁଣ (ଅର୍ଥାତ୍‍ ନିର୍ବୋଧତା, ଅବିବେକିତା, ବିସ୍ମରଣ ଦୋଷ ଆଦି) ରହନ୍ତି । ହୃଦୟ ଓ ଉଦରକୁ ନେଇ ଗଠିତ ଶରୀରର ଗଣ୍ଡି ଅଂଶଟିରେ ଦୟା, ସ୍ନେହ, କ୍ଷମା ଆଦି ଲଳିତ ମାନବୀୟ ଗୁଣ ତଥା ସେସବୁର ବିପରୀତଧର୍ମୀ କୂଟ, କପଟ, ମାୟା ଆଦି କର୍କଶ ଗୁଣ ରହିଥାନ୍ତି । କ୍ରୋଡ଼ ଓ ପାଦକୁ ନେଇ ଗଠିତ ଶରୀରର ନିମ୍ନଭାଗଟି ଆଦର ଓ ଅନାଦର ଭାବର ପାଠ ବୋଲି କଳ୍ପିତ ହୋଇଥାଏ-

ଗବେଷଣା ଫଳରେ ଏହି ବିଷୟରେ ଅଧିକ ଆଲୋକପାତ କରିବା ବର୍ତ୍ତମାନ ସମ୍ଭବପର ହେଲାଣି । ଏ ସଂକ୍ରାନ୍ତରେ ଲକ୍ଷ୍ୟ କରାଯାଇ ପାରେ ଯେ ପ୍ରତ୍ୟେକ ଭାଗର ଶ୍ରେଷ୍ଠତ୍ୱସୂଚକ ଗୁଣମାନ ସେହି ଭାଗର ଊର୍ଦ୍ଧ୍ୱାଂଶରେ ରହନ୍ତି କିନ୍ତୁ ନିକୃଷ୍ଟତାସୂଚକ ଗୁଣମାନ ସେହି ଭାଗର ନିମ୍ନାଂଶରେ ରହନ୍ତି । ଉଦାହରଣ:–ଶରୀରର ନିମ୍ନ ଭାଗର ଉପର ଅଂଶ କୋଳର ଗୁଣ ହେଲା ଆଦର (ଏଥିରୁ କୋଳରେ ବସାଇବା ଚଳଣିର ଜନ୍ମ) ଏବଂ ତଳ ଅଂଶ ପାଦର ଗୁଣ ହେଲା ଅନାଦର (ଏଥିରୁ ପାଦପ୍ରହାର ଚଳଣି) । ସେହିପରି ଶରୀରର ମଧ୍ୟଭାଗର ଉପରି ଅଂଶରେ (ଅର୍ଥାତ୍‍ ହୃଦଦେଶରେ) ଦୟା, କ୍ଷମା ଆଦି ରହିଲା ବେଳକୁ ସେହି ଭାଗର ନିମ୍ନାଂଶରେ (ଅର୍ଥାତ୍‍ ପେଟରେ) ଛନ୍ଦ, କପଟ, ଛଳନା ଆଦି ନିକୃଷ୍ଟ ଗୁଣ ରହିଥାନ୍ତି । ତେଣୁ ‘‘ତୋ’ ପେଟରେ କିଏ ପଶି ପାରିବ ?’’ ଏପରି ଉକ୍ତିର ଅର୍ଥ ତାହାର ଛନ୍ଦ କପଟ କିଏ କଳନା କରି ପାରିବ । କପଟତାକୁ ପେଟରେ ଲୁଚେଇ ରଖନ୍ତି । ଯାହା ପେଟରେ ଲୁଣ ମିଳେ ନାହିଁ ସେ ଛଳନା କରିପାରେ ନାହିଁ । ଏହି କଥାରୁ ସହଜେ ଅନୁମେୟ କି ଜଳର ଆବିଳ କିମ୍ୱା ତୈଳଭାଣ୍ଡର କାଣ୍ଟି ତଳକୁ ବସିଯିବା ନ୍ୟାୟରେ ଦେହର ପ୍ରୋକ୍ତ ଭାଗତ୍ରୟର ନିକୃଷ୍ଟାଂଶମାନ ତଳକୁ ବସିଯାଇ ଉପରକୁ ପ୍ରକୃଷ୍ଟାଂଶ ମାନ ରହନ୍ତି ।

ଉପର୍ଯ୍ୟୁକ୍ତ ପ୍ରକ୍ରିୟା ମୁଣ୍ଡଭାଗରେ ମଧ୍ୟ ଖଟେ । କୁହାଯାଇଛି, ଏହି ଉପରଭାଗର ଅଂଶ ମୂର୍ଦ୍ଧାରେ ବୁଦ୍ଧି ବିବେକ ଆଦିର ଆସ୍ଥାନ କଳ୍ପିତ ହୁଏ । ତାହାର ବିପରୀତ ସ୍ୱଭାବିକ ନିର୍ବୋଧତା ଆଦିର ଆସ୍ଥାନ ମୁଣ୍ଡର ନିମ୍ନାଂଶ ଗାଲ ହେବା ସ୍ୱାଭାବିକ । ଯାହାର ନିଜର ବୁଦ୍ଧି ନାହିଁ, ଯେ ଅନ୍ୟର କଥା ମାନେ ନାହିଁ, ତାକୁ ଆମେ କହୁ ଗାଲୁଆ । ଫିରିଙ୍ଗିଏ ଠିକ୍‌ ଏହି ମାର୍ଗରେ କହନ୍ତି cheeky ଅର୍ଥାତ୍‍ ଗାଲବନ୍ତ । ମସ୍ତିସ୍କବାନର ବିପରୀତାର୍ଥବୋଧକ ଭାବରେ ଏହି ଅଭିବ୍ୟକ୍ତିଗୁଡ଼ିକୁ ଗ୍ରହଣ କରାଯାଇପାରେ । ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ନିର୍ମାଣ କରିଥିଲେ ମଧ୍ୟ ତାକୁ ନିଜର ବୋଲି ମୂର୍ଖଙ୍କ ପରି ଦାବି କରିଥିବା ଉତ୍କଳର ମାଧବ ନାମଧେୟ ରାଜା ଚିରକାଳ ଗାଲମାଧବ ହୋଇ ରହିଗଲେ । ଗାଲୁଆଙ୍କ ପ୍ରକୃତି ଗାଲୁ । ମାନବ ଶରୀରରେ ମୂର୍ଖତାର ପୀଠରୂପେ ଯେ ଗାଲକୁ ଗ୍ରହଣ କରାଯାଇଛି ଏହାର ଆହୁରି ଆହୁରି ପ୍ରମାଣମାନ ମିଳୁଛି । ଯେ ନିପଟ ମୂର୍ଖ, ତାକୁ କହନ୍ତି ଗଣ୍ଡମୂର୍ଖ–ଗଣ୍ଡବିଶିଷ୍ଟ ମୂର୍ଖ । ଗଣ୍ଡଥିବା କାରଣରୁ ମୂର୍ଖତା ତାହାର ସହଜାତ ଗୁଣ; ସେ ମୂର୍ଖତା ତେଣୁ ଦୂର ହେବା ଭଳି ନୁହେଁ । ଅଯୌକ୍ତିକ କଳ୍ପନାକୁ ଆମେ କହୁ କପୋଳ କଳ୍ପନା । ଅର୍ଥାତ୍‍ ଏହି କଳ୍ପନା ମସ୍ତିଷ୍କରୁ ନ ଜନ୍ମି ଜନ୍ମିଛି କପୋଳ ବା ଗାଲରୁ, ଏଣୁ କଳ୍ପନାଟି ମୂର୍ଖତାପ୍ରସୂତ ମାତ୍ର । ଦାଢ଼ି ରଖିଥିବା ପଣ୍ଡିତମାନଙ୍କ ଧୀମତ୍ତା ପ୍ରତି ଆକ୍ଷେପ ନ କରି ଏଠାରେ ନମ୍ର ଭାବରେ ଉଲ୍ଲେଖ କରାଯାଇ ପାରେ ଯେ ଦାଢ଼ି ଯୋଗୁଁ ସେମାନଙ୍କ ଗାଲ ଲୁଚିଯାଏ ଏବଂ ଫଳରେ ତାଙ୍କ ମୂର୍ଖତା ଲୁଚିଗଲା ପରି ପ୍ରତୀତ ହୁଏ । ଗାଲର ଅନ୍ୟ ଏକ ନାମ ଥେଣ୍ଟ ହେବା ଅନୁମିତ ହୁଏ, କାରଣ ଗାଲରେ ମୁଷ୍ଟିପ୍ରହାରକୁ ‘ଥେଣ୍ଟା’ ବୋଲାଯାଏ । ଗାଲୁଆ ପରି ଥେଣ୍ଟା, ଥେଣ୍ଟି ଆଦି ଶବ୍ଦର ଅର୍ଥ ଅମାନିଆ ବ୍ୟକ୍ତି ଏବଂ ଥେଣ୍ଟ କହିଲେ ଧୃଷ୍ଟକୁ ବୁଝାଏ । ଆହୁରି ମଧ୍ୟ ଉଲ୍ଲେଖ କରାଯାଇ ପାରେ ଯେ ଓଡ଼ିଆ ଗାଳି ଶବ୍ଦଟି ‘‘ଗାଲୀ’’ରୁ ଉଦ୍ଭୂତ ହୋଇଥିବା ସମ୍ଭବପର । ଗାଳିକୁ ନିର୍ବୋଧତାପ୍ରସୂତ ବୋଲି ଆଖ୍ୟା ଦେବାରେ ଏହି ଜାତିର ମହତ୍ତ୍ୱ ଫୁଟି ଦିଶେ ।

ଶରୀରର ଏହି ଭାବପୀଠ ସମ୍ପର୍କିତ ଧାରଣାରୁ ଅନେକ ସାମାଜିକ ଚଳଣିର ବାଖ୍ୟା କରାଯାଇ ପାରେ । ମୂର୍ଖତାକୁ ଦୂରୀଭୂତ କରିବା ଲାଗି ଗୁରୁଶିଷ୍ୟର କି ପିତାପୁତ୍ରର ଗାଲଟିକୁ ଚପେଟାଘାତଦ୍ୱାରା ତାଡ଼ନା ଦିଅନ୍ତି । ମୂର୍ଖତା ଯଦି ରହିଛି ତେବେ ଦୋଷଟା ଗାଲର ନ ହୋଇ ଆଉ କେଉଁ ଅବୟବର ହେବ ? ପାଦତଳେ ମୁଣ୍ଡିଆ ମାରିବା ମଧ୍ୟ ଆଉ ଏକ ସାର୍ଥକ ଚଳଣି । ଏହି ସଙ୍କେତଟିର ଅର୍ଥ ହେବ, ମୋର ବୁଦ୍ଧି ଆପଣଙ୍କ ଆଦର ପାଇବା ଭଳି ନୁହେଁ, ତେଣୁ ମୋ ମୁଣ୍ଡ (ବୁଦ୍ଧିର ପ୍ରତୀକ) ଆପଣଙ୍କ ପାଦ (ଅନାଦରର ପ୍ରତୀକ) ତଳେ ରଖୁଛି । ମୁଣ୍ଡିଆ ମାରିବା ପରେ ମୁଣ୍ଡିଆ ଗ୍ରହଣ କରୁଥିବା ବ୍ୟକ୍ତି ଅନ୍ୟର ମୁଣ୍ଡକୁ ପାଦତଳୁ ଉଠାଇ ତାହାର ମୂର୍ଦ୍ଧା ଶୁଙ୍ଘିବା ଚଳଣି ପୂର୍ବେ ଥିଲା (ପ୍ରମାଣ ପାଇଁ କୃଷ୍ଣସିଂହଙ୍କ ମହାଭାରତ ଦ୍ରଷ୍ଟବ୍ୟ) । ଏହି ପ୍ରକ୍ରିୟାଦ୍ୱାରା ସେ ଜଣାଇ ଦେଉଥିଲା ଯେ ଅନ୍ୟର ବୁଦ୍ଧି ତାହାର ଅନାଦରଣୀୟ ନୁହେଁ । ଚଳଣିର ଯେଉଁ ଭାବଦ୍ୟୋତକ ସଙ୍କେତ ରହିଛି ତାହାର ପରାର୍ଦ୍ଧ ଅଧୁନା ବିସ୍ତୃତ ହେବା ଫଳରେ ଆଜିକାଲିର ମାନ୍ୟଗଣ୍ୟ ବ୍ୟକ୍ତିମାନେ ନିଃସନ୍ଦେହ ଭାବେ ଉଦ୍ଧତ ହୋଇ ପଡ଼ିଛନ୍ତି । ଗାଲରେ ଚୁମ୍ୱନ ଦେବା ଚଳଣିଟିକୁ ମଧ୍ୟ ଏହି ଦୃଷ୍ଟିକୋଣରୁ ପରୀକ୍ଷା କରାଯାଇ ପାରେ । ପ୍ରେମିକ ପ୍ରେମିକାର ତଥା ପ୍ରେମିକା ପ୍ରେମିକର ଗାଲକୁ ସବିଶେଷ ଚୁମ୍ୱନ ଦେବାର ତାତ୍ପର୍ଯ୍ୟ ଏହି କି ଉଭୟେ ଅପରର ମୂର୍ଖତା ବୃଦ୍ଧିପ୍ରାପ୍ତ ହେଉ ବୋଲି ଅଭିଳାଷ ପୋଷଣ କରି ଗାଲଟାକୁ ଖୁବ୍‌ ଗେଲ କରନ୍ତି (ଏପରି ଅଭିଳାଷ ପୋଷଣ କରିବାର ହେତୁ ଏହି ଯେ ପ୍ରେମିକ ବା ପ୍ରେମିକା ନିଜ ଅପେକ୍ଷା ବୁଦ୍ଧିମାନ ହୋଇଗଲେ ସେ ଅନ୍ୟ ଯେକୌଣସି ଦ୍ୱିପଦ ପଛରେ ଧାବିତ ହେବାର ଆଶଙ୍କା ଉପୁଜିବ) । ପକ୍ଷାନ୍ତରେ ଆମ୍ଭେମାନେ ପୁଅଝିଅଙ୍କ ବୁଦ୍ଧିର ବିକାଶ କାମନା କରି କପାଳରେ ଚୁମ୍ୱନ ଦେଇଥାଉ ।

ଚୁମ୍ୱନର ତାତ୍ପର୍ଯ୍ୟ ବୁଝିବା ଲୋକେ ଏଣିକି ଗାଲରେ ଚୁମା ଖାଇବାକୁ ଅବଶ୍ୟ ବିରୋଧ କରିବେ । ଏହା କହିଲେ ଅତ୍ୟୁକ୍ତି ହେବ ଯେ ଯେଉଁମାନେ ଏପରି ଚୁମ୍ୱନ ବା ବୋକ ଖାଇଥାନ୍ତି, ତାଙ୍କୁ ଲୋକେ କହନ୍ତି ବୋକା ।

ଜଗତରେ ଚଳିବା ପାଇଁ କିଛି କିଛି ବୋକାମି ଲୋଡ଼ା । ଆମ୍ଭଭଳିଆ ଯେଉଁମାନଙ୍କର ବୁଦ୍ଧିର ମାତ୍ରା ଅଧିକ ହେବା ହେତୁ ଜଗତରେ ହଟହଟା ହେବାକୁ ହୁଏ, ସେମାନେ ସେମାନଙ୍କ ମହୌଷଧିକୁ ସଂଗ୍ରହ କଲେ ସୁଖୀ ହେବେ ।

ଅଳମତି ବିସ୍ତରେଣମ୍‌ ।

Image

 

ଖାଦ୍ୟଭେଦ ବିନିଶ୍ଚୟ

 

ଯୁଗସ୍ୟ ନାମ କଳିଃ, ତସ୍ୟ ଲକ୍ଷଣମ୍‌:–ଅନ୍ନଗତାଃ ପ୍ରାଣଃ; ବୋଲନ୍ତେ ବର୍ତ୍ତମାନ କଳିଯୁଗେ ଯାବନ୍ତ ପ୍ରାଣୀଙ୍କ ସ୍ୱଭାବ ତାହାଙ୍କ ଅନ୍ନ ବୋଲନ୍ତେ ଖାଦ୍ୟୁଁ ଜାଣିମ । ଖାଦ୍ୟ ବୋଇଲେ ଯେ ଖାଇ ହେବାକୁ ଅର୍ହ । ଯେ ସେ ପଦାର୍ଥ ଖାଦ୍ୟ ପଦକୁ ବାଚ୍ୟ ନୋହେ । ନିର୍ବ୍ୟାଧି, ନିର୍ଗନ୍ଧି, ଅବିଷା, ଅନିଶା ଏ ଚାରି ହେଲେ ଖାଦ୍ୟ । ଏ ଚାରି ଲକ୍ଷଣୁ ଲକ୍ଷଣେ ଊଣା ହୋଇଲେ ଖାଦ୍ୟ ନୋହଇ । ନିର୍ବ୍ୟାଧି ଯେ ବ୍ୟାଧି ବୋଲନ୍ତେ ରୋଗକାରକ ନୋହେ, ନିର୍ଗନ୍ଧି ଯେ ପଚାସଢ଼ା ବାସୀ ଦୁର୍ଗନ୍ଧ ନୋହେ କି ଖଣ୍ଡେ ଦୂରୁ ବାସିଲା ପରି ସୁଗନ୍ଧ ନୋହେ, ଅବିଷା ଯେ ବିଷ କି ମହୁରାଦି ନୋହେ, ଅନିଶା ଯେ ଭାଙ୍ଗ ସୁରା ପ୍ରାୟ ନିଶାକାରକ ନୋହେ । ଏ ଜାଣି ଖାଦ୍ୟ ନିର୍ବ୍ୟାଧି, ନିର୍ଗନ୍ଧି, ଅବିଷା, ଅନିଶା ।

 

ଖାଦ୍ୟ କେତେ ବିଧ ? ନା, ଖାଦ୍ୟ ହେଲେ ଚତୁର୍ବିଧ । ତାହା କି କି ? ସାତ୍ତ୍ୱିକ, ରାଜସିକ, ତାମସିକ, ଆର୍ଥିକ–ଏ ହେଲେ ଚତୁର୍ବିଧ । ଆମିଷ ଖାଦ୍ୟ ସାତ୍ତ୍ୱିକ ନୋହଇ । ପୁରୁଷଙ୍କୁ ନାରୀ ଆମିଷ, ନାରୀଙ୍କୁ ପୁରୁଷ ଆମିଷ । ତଦ୍ଧେତୁ ଆମିଷ ସାତ୍ତ୍ୱିକ ନୋହଇ । ଦୁଗ୍‌ଧ, ଶାକ, ଫୁଲ, ଫଳ, ମୂଳ ଏ ପାଞ୍ଚରେ ସାତ୍ତ୍ୱିକ ଖାଦ୍ୟ ସମ୍ଭାଇ । ଯେ ଫୁଲର ରଙ୍ଗ ମାଂସପ୍ରାୟ ରକ୍ତପ୍ରାୟ ନୋହଇ, ଶୁଚି ସ୍ଥାନରେ ଫୁଟଇ, ତାହାକୁ ସାତ୍ତ୍ୱିକ ବୋଲି ଘେନିମ । ଏଥକୁ ଏକ ନିପାତନ ଅଛଇ-। ଯେ ଫୁଲର ନାମ ବାମାଙ୍କର ନାମ ହୋଇଥାଇ, ତାହାକୁ ସାତ୍ତ୍ୱିକରେ ନ ଗଣି ତାମସିକରେ ଗଣିମ । ତଦ୍ଧେତୁ କୁସୁମ ଫୁଲ ତାମସିକ, ରମ୍ଭାଫୁଲ ତାମସିକ । ସବୁ ଶାକ ସାତ୍ତ୍ୱିକ ନୋହଇ, ଗନ୍ଧଣା ନୋହଇ, ସୁନୁସୁନିଆ ନୋହଇ, ଖଟାପାଳଙ୍ଗ ନୋହଇ । କଟୁବାସ ନ ଥିବ, ବାରି ପଟାଳିରେ ବଢ଼ୁଥିବ, କୋଡ଼ସନ୍ଧିର ଲୋମ ପରି ସରୁଆ ଝମ୍ପୁରା ନୋହିଥିବ, ଛଡ଼ରସୁ ରସେ ଅତ୍ୟନ୍ତରେ ନ ଥିବ ଏମନ୍ତ ଶାକକୁ ସାତ୍ତ୍ୱିକ କହି । ସଜନୀ ଶବ୍ଦ ଘେନି ସଜନା ଶାକ ସାତ୍ତ୍ୱିକ ନୋହି ତାମସିକ । ସଜନୀ ଜାଣି ତାମସିକ, ତଦ୍ଧେତୁ ସଜନା ଶାକ ତାମସିକ । ଲେଉଟିଆ ସାତ୍ତ୍ୱିକ, କୋଶଳା ସାତ୍ତ୍ୱିକ, ମାରିଷ ସାତ୍ତ୍ୱିକ, ଖଡ଼ା ସାତ୍ତ୍ୱିକ । ଏଥିରୁ ପ୍ରମାଣ:–

 

‘‘ଅବ୍ୟାପ୍ତି କାରଣାୟ ମାରିଷଃଭିନ୍ନତ୍ୱନିବେଶଃ,

ମାରିଷଃ ବସୁତେରପି ଖଡ଼କା

ପ୍ରଭେଦୟୋ କୋଶଳାବଲ୍ଲେଉଟିଆଃ’’

 

ସମସ୍ତ ଫଳ ସାତ୍ତ୍ୱିକ ନୋହଇ । ବାମାଙ୍କ ଅଧର ତୁଲ୍ୟ ବିମ୍ୱ ବୋଲନ୍ତେ ତୋରଡ଼ା ନୋହଇ, କୁଚ ସଦୃଶ ତାଳ ନୋହଇ କି ଧଳା ବାଇଗଣ ନୋହଇ କି ଚକା ଲାଉ ନୋହଇ; ନିତମ୍ୱାକାର ଘେନି ବୋଇତି କଖାରୁ ନୋହଇ, ଜଘନର ଲୋମ ପ୍ରାୟ ଶୁଙ୍କ ଥିବା କାଳରେ ପାଣି କଖାରୁ ନୋହଇ; ସ୍ତ୍ରୀ ଚିହ୍ନ ପ୍ରାୟ ଚକ୍ର ଚିହ୍ନ ଥିବା ଫଳ ନୋହଇ । ମେଢ଼୍ର ସମ୍ପର୍କରୁ ଲାଭ ସଜନା, ବିଷ ଯେ ପଦ୍ମ ନାଡ଼ ଏ ଆଦି ନୋହଇ । ଶ୍ରାଦ୍ଧପତ୍ରରେ ସାତ୍ତ୍ୱିକ ଫଳାଦି ପଡ଼ଇ । ଦୁଗ୍‌ଧରେ ଗୋଦୁଗ୍‌ଧ ସଦାକାଳେ ସାତ୍ତ୍ୱିକ । ଧେନୁଙ୍କ ଗାତ୍ରରେ ତେତ୍ରିଶ କୋଟି ଦେବତାଙ୍କ ନିବାସ । ଏ ପୁରାଣଙ୍କ ମତ । ତେବେକେ ଧେନୁଙ୍କୁ ଉଚ୍ଛିଷ୍ଟ ଦେଇ ଯୋଗାଏ । ଗାଈ ଯେବେ ଅମେଧ୍ୟ ଭୁଞ୍ଜଇ ତେବେ ଜାଣି ଦୁଗ୍‌ଧ ମିଷ୍ଟତର ହୋଇ, ସାତ୍ତ୍ୱିକ ପଣ ନ ଯାଇ । ଏଥିକୁ ଉପମା ଗଙ୍ଗାନଦୀ । ଗଙ୍ଗା ଜଳରେ ଶବମାନ ଶତ ସଂଖ୍ୟାରେ ଭାସିଲେ, ଦୁର୍ଗନ୍ଧରେ ଦଶଦିଗ ଫାଟିପଡ଼ିଲେ ସେ ଜଳ କଦାଚନ ଅପବିତ୍ର ନୋହଇ । ଗୋମାତା ଯେ ଗଙ୍ଗାହୁଁ ପବିତ୍ର, ଗୋମାତା ଗର୍ଭମଧ୍ୟକୁ ବିଷ୍ଠା ଗଲେ ସେ ବିଷ୍ଠାକୁ ତେତ୍ରିଶକୋଟି ଦେବତାଏ ଶୁଦ୍ଧି କରନ୍ତି ।

 

ସବୁ ମୂଳ ସାତ୍ତ୍ୱିକ ନୋହଇ । ପଲାଣ୍ଡୁ ନୋହଇ, ଲସୁନ ନୋହଇ । ତଥି ଯୁବତୀଙ୍କ ନୀବିତୁଲ୍ୟ ବେଢ଼କୁ ବେଢ଼ ଆବରଣ ଥାଇ, ପୁରୁଷୋପସ୍ଥ ଆକୃତି ଘେନି ରକ୍ତବର୍ଣ୍ଣ ମୂଳକ ନୋହଇ-। ଏ ଆଦି ମୂଳେ ସାତ୍ତ୍ୱିକ ନୋହି ତାମସିକ । ମୂଳରେ ସାରୁ ସାତ୍ତ୍ୱିକ, ଓଲୁଅ ସାତ୍ତ୍ୱିକ । ସାତ୍ତ୍ୱିକ ଖାଦ୍ୟ ନିର୍ଣ୍ଣୟକୁ ସ୍ମୃତିବାକ୍ୟ ଦେବା–

 

‘‘ବିମ୍ୱଂ ତାଳଂ ପଲାଣ୍ଡୁଂ ଲସୁନମପି ବିଷଂ ରାଜମାଷଂ ମସୂରଂ

ବୃନ୍ତାଲାବୁଂ ଖୁଖୂଣ୍ଡଂ କବକମରୁଣଭଂ ମୂଳକଂ ଚକ୍ରଚିହ୍ନମ୍‌

ବାର୍ତ୍ତାକୀଂ ଶ୍ୱେତବର୍ଣ୍ଣା ମରୁଣ ଭକୁସୁମଂ ସଞ୍ଜନଂ ଗଞ୍ଜନଂ ବା

କୁଷ୍ମାଣ୍ଡଂ ଚାପ୍ୟଫେନଂ ତ୍ୟଜ ଚିରମ ଶୁଭଂ ସ୍ଥାନଜଂ ଗନ୍ଧପୁଷ୍ପମ୍‌ ।’’

 

ରାଜସିକ ଖାଦ୍ୟ କି କି ? ଦୁଗ୍‌ଧରେ ଅଜାଦୁଗ୍‌ଧ ରାଜସିକ । ଖାଦ୍ୟ ହୋଇଥିବ ଅପିଚ ସାତ୍ତ୍ୱିକ, ତାମସିକ, ଆର୍ଥିକ ନୋହିଥିବ, ତାହାକୁ ରାଜସିକ ବୋଲି ।

 

ଏବେ ତାମସିକ ଖାଦ୍ୟ କହିବା । ମହିଷୀ ଦୁଗ୍‌ଧ ତାମସିକ । ମହିଷୀ ବୋଲନ୍ତେ ବ୍ୟଭିଚାରିଣୀ ସ୍ତ୍ରୀ କି କୃତଭିଷେକା ପାଟ ମହାଦେଈ କି ପଶୁଭେଦ । ଅର୍ଥର ତାମସିକ ସମ୍ପର୍କ ଘେନି ମହିଷୀ ଦୁଗ୍‌ଧ ତାମସିକ ହୋଇ । ତଦ୍ଧେତୁ ସନ୍ତାନବତୀଙ୍କ ଚୁଚୁକ ଚୁମ୍ୱନରୁ ସ୍ରବିଲା ଦୁଗ୍‌ଧ ତାମସିକ ଯଦ୍ୟପି ସେ ଦୁଗ୍‌ଧ ସନ୍ତାନ ପକ୍ଷରେ ତାମସିକ ନୋହି ସାତ୍ତ୍ୱିକ । ଯେ ଯେ ଫଳମୂଳ ପତ୍ର ଗୋପନ ଅଙ୍ଗ ସାଦୃଶ ସେ ତାମସିକ । ଆମିଷରେ ସବୁ ଆମିଷ ତାମସିକ, ଲୁଣିଆପାଣି ମାଛ ତାମସିକ, ମଧୁରପାଣି ମାଛ ତାମସିକ, ପକ୍ଷୀପଶୁ ସବୁଙ୍କ ମାଂସ ତାମସିକ । ଏଥିକୁ ବହୁତ ମତାନ୍ତରମାନ ଅଛଇ । ଯାଗଯଜ୍ଞ କୃତେ ନିହତ ପଶୁଙ୍କ ମାଂସ, ଦେବପିତୃବ୍ରାହ୍ମଣ ଅର୍ଥେ ବିନିଯୋଗ ହେଲା ମାଂସ, ଅରଣ୍ୟର ବରାହ, ହରିଣ, ଠେକୁଆଙ୍କ ମାଂସ ନିର୍ଦ୍ଦୋଷ ଖାଦ୍ୟ ବୋଲି ସ୍ମୃତିବାକ୍ୟ ଅଛଇ:–

 

ଖାଦେଚ୍ଛଶମୃଗାଶ୍ଚୈବା ତଥା ଯଜ୍ଞେଷ୍ୱଜାବିକୌ

ବରାହାଶୁ ତଥା ଭକ୍ଷ୍ୟା ମହାରଣ୍ୟ ନିବାସିନଃ ।।

 

ଏ ପଣ୍ଡିତ ସର୍ବସ୍ୱଙ୍କ ବାକ୍ୟ । ଏଥିକୁ ପ୍ରତିଯୁକ୍ତି ଦେବା । ଏ ମତ ବ୍ରାହ୍ମଣେ ମାଂସାଶୀ ହେବାକୁ ସମର୍ଥନ ସ୍ୱରୂପେ ସ୍ୱୟଂ ବ୍ରାହ୍ମଣଙ୍କ ଦ୍ୱାରା ପ୍ରଚାରିତ । ଏହା ବିଧାନ ନୋହି ଅପବାଦ । ବିଧାନ ମାତ୍ର ପାଲ୍ୟ ଅଟଇ, ଅପବାଦ ଦୁଷ୍ୟ ଅଟଇ । ଗ୍ରନ୍ଥାନ୍ତରେ ଆମ୍ୱିଳ ପାଣିର ମାଛଖଣ୍ଡମାନ ଆମିଷ ନୋହଇ । ତାହାକୁ ଅମୃତ କହି:–

 

‘‘କେଚିତ୍‌ ବଦନ୍ତ୍ୟମୃତମସ୍ତି ସୁରାଳୟେଷୁ

କେଚିତ୍‌ ବଦନ୍ତିବନିତାଧର ପଲ୍ଲବେଷୁ

ବ୍ରୁମେ ବୟଂ ସକଳ ଶାସ୍ତ୍ରବିଚାରଦକ୍ଷାଃ

ଜମ୍ଭୀର ନୀର ପରିପୂରିତ ମତ୍ସ୍ୟଖଣ୍ଡେ ।।’’

 

ଅର୍ଥ–କେତେ ପଣ୍ଡିତେ ବୋଲନ୍ତି କି ସୁରାଳୟ ଯେ ସୁରମାନଙ୍କ ନିବାସ ସ୍ୱର୍ଗରେ ଅମୃତ ଥାଇ, ଅବା କେତେ ବୋଲନ୍ତି କି ସୁରାଳୟେ ଯେ ସୁରା କି ମନ୍ଦିରା ଗୃହରେ ଅମୃତ ମିଳଇ, ଆଉ କେହି ପଣ୍ଡିତେ ବୋଲିବାରେ ବନିତା କି ବାମାମାନଙ୍କର ଅଧରରୁ ଚୁମ୍ୱନ ଦାନରୁ ଅମୃତ ସ୍ରବଇ । ଏଥିକୁ ଆମ୍ଭେ ସର୍ବଶାସ୍ତ୍ରରେ ଧୁରନ୍ଧରମାନେ ବୋଲୁଁ ଆମ୍ୱିଳପାଣିର ମତ୍ସ୍ୟଖଣ୍ଡମାନଙ୍କରେ ଅମୃତ ମିଳଇ ଏ ମତ ଗ୍ରନ୍ଥାନ୍ତରଙ୍କର । ଆମ୍ଭ ବିଚାରକୁ ଏ ମତ ଦୁଷ୍ଟ । ସୁରାରେ ଅମୃତ ଜ୍ଞାନ ଯଦ୍‌ବତ୍‌ ମତ୍ସ୍ୟଖଣ୍ଡମାନଙ୍କରେ ତଦ୍‌ବତ୍‌ । ପୁନଶ୍ଚ, ବନିତାଙ୍କର ଅଧରରେ ଅମୃତ ଥିଲା ପକ୍ଷେ ଅଧର ତୁଲ୍ୟ ଯେ ବିମ୍ୱ ବୋଲନ୍ତେ ତୋରଡ଼ା, ସେ କି ସାତ୍ତ୍ୱିକ ନୋହନ୍ତା । ଆପଣାର ଅର୍ଦ୍ଧାଙ୍ଗିନୀଙ୍କ ଡରେ ଚାଟୁ ସ୍ୱଭାବରେ ଅତିଶୟୋକ୍ତି ଯୁକ୍ତିରେ ଅଧରୁ ଅମୃତ ପାନ କରିଥିବା ପରି କେହି ପଣ୍ଡିତ ମିଥ୍ୟାରେ କହିଲେ କହିଥିବେ । ଅପିଚ ପଣ୍ଡିତିଆଣୀଙ୍କ ଅଧରରେ ସତ୍ୟରେ ଅମୃତ ଥିଲେ ପଣ୍ଡିତଙ୍କ ବ୍ୟତ୍ରକେ ଆନ ଲୋକେ ମଧ୍ୟ କହିଥାନ୍ତେ ନାହିଁ କି ? ତଦ୍ଧେତୁ, ଆମ୍ଭ ମତକୁ ସବୁ ଆମିଷ ତାମସିକ-। ଆମିଷ ସମ୍ପର୍କ ପାଇଲେ ତାମସିକ ହୋଇ, ଯେମନ୍ତ କି ମୈଥୁନ ଆଇଁଷିଆ ବୋଲାଇ ତାମସିକ ହୋଇ । କୁକୁଟାଣ୍ଡରେ ଭୃଣ ଥିଲେ ତାମସିକ, ଭୃଣ ନ ଥିଲା ପକ୍ଷେ ମଧ୍ୟ ତାମସିକ । ବ୍ୟଞ୍ଜନରେ କଞ୍ଜିକା ଯେ କାଞ୍ଜି ତାମସିକ । କଞ୍ଜିକା ସଫଳା ହେଲେ ଗ୍ରାହ୍ୟା ବୋଲନ୍ତେ ସାତ୍ତ୍ୱିକହୋଇ । ଫଳ ମଧ୍ୟରେ ଖୁଦକୁ ନ ଗଣି, ସାତ୍ତ୍ୱିକ ଫଳକୁ ମୂଳକୁ ଶାକକୁ ଗଣି । ଏଥିକୁ ସ୍ମୃତି ବଚନ:–

 

କଞ୍ଜିକା ସଫଳା ଯା ଚ ଗୃହେଷୁ ସ୍ଥାପିତା ଭବେତ୍‌

ସାପ୍ୟେଷା କଞ୍ଜିକା ଗ୍ରାହ୍ୟା ନେତରାସ୍ୟା କଦାଚନ ।

 

ଏ ବଚନର ମର୍ମ ବୁଝାଇବା । ଆପଣାର ଘରେ ଫଳ ପଡ଼ି ଯେ କାଞ୍ଜି ହୋଇଥାଇ ତାହାକୁ ଗ୍ରହଣ କରି ଯୋଗାଏ । ଆନ କାଞ୍ଜି କଦାଚନ ନ ଘେନିମ । ଘରର ବଳୀ ଯେ ଉଚ୍ଛୁଣା ଅତିକ୍ରାନ୍ତ ହେଲେ କଞ୍ଜିକା ଆଗ୍ରାହ୍ୟ ହୋଇ । ଏଥିକୁ ଉପଲକ୍ଷ୍ୟ କି କି ? ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସାଦ ଏକାମ୍ର କ୍ଷେତ୍ର ସୀମା ଅନ୍ତର୍ଗତରେ ଗ୍ରାହ୍ୟା ହୋଅଇ, କ୍ଷେତ୍ର ସୀମା ବର୍ହିଗତ ହୋଅନ୍ତେ ଅଗ୍ରାହ୍ୟା ହୋଅଇ । ଲିଙ୍ଗ ବୋଲନ୍ତେ ପୁରୁଷଙ୍କ ଉପସ୍ଥ, ତଦ୍ଧେତୁ ଆମିଷ, ଆମିଷ ସମ୍ପର୍କ ଘେନି ଲିଙ୍ଗରାଜଙ୍କ ପ୍ରସାଦର କ୍ଷେତ୍ର ବହିର୍ଦେଶରେ ଏମନ୍ତ ରୀତି । ଅପିଚ ଆପଣାର ଘରେ ଘରଣୀ ସଙ୍ଗରେ ରଙ୍ଗରସକୁ ନିର୍ଦ୍ଧୋଷ କହି, ଶ୍ରେୟ କହି । ଗୃହର ସୀମା ଅନ୍ତର୍ବର୍ତ୍ତୀ ହେଲେ ଗୃହିଣୀ ଗ୍ରାହ୍ୟା, ପରଗୃହରେ ଆପଣା ଗୃହିଣୀ ଅଗ୍ରାହ୍ୟା, ଆପଣା ଗୃହରେ ପରର ଗୃହିଣୀ ଅଗ୍ରାହ୍ୟା । ରଙ୍ଗରସରେ ଆମିଷ ସମ୍ପର୍କରୁ ଏମନ୍ତ ରୀତି । ତଦ୍‌ବତ କଞ୍ଜିକା ଆମିଷ ତୁଲ୍ୟ ତାମସିକ । ଆମିଷ ସମ୍ପର୍କରୁ ସଫଳା କଞ୍ଜିକା ଆପଣା ଗୃହରେ ଗ୍ରାହ୍ୟା କି ସାତ୍ତ୍ୱିକ ହୋଇ । ଅପରର ସଫଳା କଞ୍ଜିକା ଅପରର ସନ୍ତାନବତୀ ଗୃହିଣୀ ତୁଲ୍ୟା ବୋଲି ଘେନିମ । ତଥାହିଁ ଅପରର କଞ୍ଜିକା ଅପରର ଗୃହେ ଗ୍ରାହ୍ୟା ଆପଣା ଗୃହେ ଅଗ୍ରାହ୍ୟା । ନାତ୍ର ସଂଦେହମ୍‌ ।

 

ଆର୍ଥିକ ଖାଦ୍ୟ କାହାକୁ ବୋଲି । ଏ ବଡ଼ ଗୂଢ଼ ତତ୍ତ୍ୱ । ବେଦବେଦାନ୍ତରେ ଶାସ୍ତ୍ରପୁରାଣରେ ଏ ଖାଦ୍ୟ ଗୁହ୍ୟ, ଏ ଯେଣୁ ସବୁ ଖାଦ୍ୟରେ ସାରଂସାର । ଜୀବଙ୍କ ମଧ୍ୟରେ ମନୁଷ୍ୟ ସାର, ମନୁଷ୍ୟ ଯୋନି ଦୁର୍ଲଭ । ମନୁଷ୍ୟଙ୍କ ଖାଦ୍ୟରେ ଆର୍ଥିକ ଖାଦ୍ୟ ସାର । ଏ ଖାଦ୍ୟର ଲକ୍ଷଣମାନ ପଶ୍ଚାତକୁ ଚିହ୍ନାଇ ଦେବା ।

 

ଇତି ଖାଦ୍ୟ ପ୍ରସଙ୍ଗଃ । ଅଥ ଖାଦକଃ ।

 

ସାତ୍ତ୍ୱିକ ଖାଦ୍ୟର ଖାଦକ ଚତୁର୍ବିଧ ବୋଲି ଜାଣିମ । ସେମାନେ ହେଲେ: ଯତି, ବ୍ରତୀ, କପି, ତପୀ । ଯାହାର ଯେ ଗୁଣର ଅଭାବ ଥାଇ ସେ ଜାଣି ସେହି ଖାଦ୍ୟ ଖୋଜଇ । ଯତି ବୋଲନ୍ତେ ମହନ୍ତ, ବୈଷ୍ଣବମାନେ, ବ୍ରତୀ ବୋଲନ୍ତେ ଓଷେଇତିମାନେ, କପି ବୋଲନ୍ତେ ଶାଖାମୃଗ, ତପୀ ବୋଲନ୍ତେ ସନ୍ନ୍ୟାସୀ ବାବାଜୀମାନେ; ଏମାନେ ସକାଳେ ବଡ଼ ଟିଣା, ଟିକାକୁ ଖଙ୍ଗସ ଘେନନ୍ତି, ଗରଗର ହୋଅନ୍ତି । ଏହାଙ୍କର ସାତ୍ତ୍ୱିକ ଗୁଣର ଅଧିକରେ ଅଭାବ । ତଦ୍ଧେତୁ ଏ ଚାରି ଜାତି ଖାଦକ ସାତ୍ତ୍ୱିକ ଖାଦ୍ୟ ଲୋଡ଼ି ହୋଅନ୍ତି । ଚରାଚରରେ ରାଜସିକ ଗୁଣ ପ୍ରାଣୀଙ୍କଠାରେ ବିଶେଷରେ ବିଦ୍ୟମାନ । ଦୁର୍ବଳ ଜୀବ ଉପରେ ସବଳ ଜୀବ ପ୍ରଭୁତା କରିବାକୁ ସଦାକାଳେ ପ୍ରୟାସୀ ଜାଣିମ । ଶୁକ୍ରଙ୍କ ମତରେ ଏ ମତ୍ସନ୍ୟାୟ । ଗୋରୁ ଛେଳିଙ୍କ ପ୍ରାୟ ନିରୀହ ପ୍ରାଣୀଙ୍କଠାରେ ମାତ୍ର ରାଜସିକ ଗୁଣ କିଞ୍ଚିତରେ ଅଭାବ ଥାଇ । ସେ ଘେନି ଏମାନେ ରାଜସିକ ଖାଦ୍ୟ ଲୋଡ଼ି ହୋଅନ୍ତି । ତାମସିକ ଖାଦକଙ୍କୁ ସେହି ବିଧିରେ ଚିହ୍ନିମ । ଗ୍ରନ୍ଥ ବିସ୍ତାରକୁ ଶଙ୍କା କରି ଠିକେ ଠିକେ ସୂଚାଇବାରୁ ସୂତ୍ର ଧରି ଜାଣିମ ।

 

ଇତର ଜୀବଜନ୍ତୁ ଯେ ସବୁ ଖାଦ୍ୟ ଖାଇ ଲୋଡ଼ନ୍ତି ମନୁଷ୍ୟ ସେ ସକଳ ଖାଦ୍ୟକୁ ଖାଇ ପାରଇ, ଖାଇ ପାର କରଇ । ଅଧିକନ୍ତୁ, ଏକା ମନୁଷ୍ୟ ଅର୍ଥ ‌ଖାଇ ପାରଇ, ଅର୍ଥ ଖାଇ ପାର କରି ପାରଇ । ଆନ ପ୍ରାଣୀ ଅର୍ଥ ଖାଇ ନ ପାରନ୍ତି । ଚାରିଖାନି ମଧ୍ୟରେ ଉଡ଼ା, ବୁଡ଼ା, ଚଳ, ନିଚଳ ସବୁ ଜୀବଙ୍କ ମଧ୍ୟରେ ଏକା ମନୁଷ୍ୟ ଆର୍ଥିକ ଖାଦ୍ୟ ‌ଖାଇ ପାରଇ । ଏ ଘେନି ଆର୍ଥିକ ଖାଦ୍ୟକୁ ମନୁଷ୍ୟ ଖାଦ୍ୟ କହି । ଆନ ଖାଦ୍ୟର ଗୁଣମାନ ବୈଦିକ ଶାସ୍ତ୍ର ଦ୍ରବ୍ୟଗୁଣରୁ ମିଳଇ । ମାନୁଷ ଖାଦ୍ୟର ଗୁଣ ଗୁହ୍ୟ ଅଛଇ । ତଦ୍ଧେତୁ ଲୋକହିତ ଅର୍ଥେ ପ୍ରକାଶ କରିବା ।

 

ଧନ, ସମ୍ପତ୍ତି, ଟଙ୍କା, ସୁନା ଏହି ପର୍ଯ୍ୟାୟଗତ ବିଷୟମାନଙ୍କୁ ଅର୍ଥ ବୋଲି କହି । ଆପଣା ନିମନ୍ତେ ଅପର ବ୍ୟୟକୁ ଅର୍ଥ କହି । ଆନ ଆନ ଖାଦ୍ୟର ଗ୍ରହଣକୁ ଗ୍ରାସ କହି, ଭୋଜନ କହି, ମଣୋହି କହି, ଚୁଣ୍ଟିକା କହି, ଭୁଞ୍ଜିବା କହି । ଆର୍ଥିକ ଖାଦ୍ୟର ଗ୍ରହଣକୁ ଦେଶକାଳପାତ୍ର ଭେଦରେ ନାନା ଆଖ୍ୟା ଦେଇ । ସେ କି କି ଆଖ୍ୟା ? ଦକ୍ଷିଣା, ଭେଟି, ଦର୍ଶନୀ, ନଜର, ଯୌତୁକ, ଉପାୟନ, ଦାନ, ପାନଖିଆ ବଟି, ଉତ୍କୋଚ, ଚାନ୍ଦା, ମିଠେଇଖିଆ, ଅଣ୍ଟାଗୁଞ୍ଜା, ମାମୁଲି, ଲାଞ୍ଚ, କୁସୀଦ, ଏପରି ଏପରି ଆଖ୍ୟା ଅନେକ; ତତ୍ତତ୍‌ ଲକ୍ଷଣ ଆଖ୍ୟା । ଅନୁରୂପେ ଅନେକାନେକ । ଏ ଆଦି ଆଖ୍ୟାମାନ ଏକା ଅର୍ଥର ଦ୍ୟୋତକ ନୋହଇ । ପରିବା ଯଦ୍ୟପି ଏକ, ଜାତି ଜାତି ବ୍ୟଞ୍ଜନ ହୋଇ, ବେସର, ଆମ୍ୱିଳ, ଭଜା, ସନ୍ତୋଳା, ରାଇ, ମହୁର, ରାଇତା, ଭର୍ତ୍ତା, ଘଡ଼ଘଡ଼ା, ଖିରିସା ଏପରି ନାନା ଜାତି । ତଦ୍‌ବତ୍‌ ଦକ୍ଷିଣାଦି ସକଳ ଆଖ୍ୟାରେ ଏକା ଆର୍ଥିକ ଖାଦ୍ୟ ସମ୍ଭାଇ ।

 

ମାନୁଷ ଖାଦ୍ୟ ଆନ ଖାଦ୍ୟ ତୁଲ୍ୟ ନୋହଇ । ଆନ ଖାଦ୍ୟ ଖାଇଲେ କ୍ଷୁଧା କ୍ଷୀଣତର ହୋଇ । ମାନୁଷ ଖାଦ୍ୟ ଖାଇଲେ କ୍ଷୁଧା ବୃଦ୍ଧିକୁ ଲଭଇ । ଗୁଣେ ଖାଇଲେ ଦିଗୁଣାକୁ ମନ ବଳଇ; ଦିଗୁଣା ଖାଇଲେ ଚାରିଗୁଣାକୁ ଲାଳସ ହୋଅଇ, ଚାରିଗୁଣା ଖାଇଲେ ଆଠଗୁଣା ଲୋଡ଼ଇ । ଏ ରୂପରେ କ୍ରମବୃଦ୍ଧିରେ କ୍ଷୁଧା ବଢ଼ଇ । ଆନ ଖାଦ୍ୟ ମାତ୍ରା ବୃଦ୍ଧିରେ ଖାଆନ୍ତେ ଅଜୀର୍ଣ୍ଣ ହୋଅଇ, ଅତିସାର ହୋଅଇ । ମନୁଷ୍ୟ ଖାଦ୍ୟ ଯେ ଯେତେ ଖାଇଲେ ନିରାମୟ ହୋଇ । ବୈଦ୍ୟିକ ପରିଭାଷାରେ ଏ ସଂଗ୍ରାହକ, ଏ ସ୍ଥପାକ । ଦେହକୁ ରୋଗଭୂ କହି, ଏ ଯେଣୁ ରୋଗର ଘର, ଏଥି ଆଧି ଅଛି, ବ୍ୟାଧି ଅଛି । ଅଙ୍ଗଜ ଅନଙ୍ଗଜ ଏପରି ଆଧିବ୍ୟାଧି ବିବିଧ । ଅପିଚ ମାନୁଷ ଖାଦ୍ୟ ଯେ ଅର୍ଥ; ତାହା ଖାଇଲେ ଏ ଆଧିବ୍ୟାଧି ସମୂଳେ ନାଶ ଯାଇ । ଅର୍ଥଭୋଜୀ ବୁଦ୍ଦୁ ବିଦ୍ୱାନ ହୋଇ, କୋଢ଼ିଆ କର୍ମଠ ହୋଇ, କୁବ୍‍ଜ କନ୍ଦର୍ପ ହୋଇ, ପ୍ରୌଢ଼ା ପ୍ରମିଳା ହୋଇ, ପୁରିଆ ପୁରୁଷୋତ୍ତମ ହୋଇ । ମାନୁଷ ଖାଦ୍ୟ ଅଭାବରେ ମନୁଷ୍ୟର ଅଧୋଗତି ହୋଇ । ବିଦ୍ୱାନ ବୁଦ୍ଦୁ ହୋଇ, ଏପରି ବିପରୀତ କ୍ରମରେ ଘେନିମ । ମନୁଷ୍ୟ ନିମନ୍ତରେ ସାତ୍ୱିକାଦି ତିନି ଖାଦ୍ୟକୁ ବିକଳ୍ପ ଅଛଇ; ସାତ୍ୱିକ ଅଭାବେ ରାଜସିକ ଗ୍ରାହ୍ୟ, ତାମସିକ ଅଭାବେ ସାତ୍ୱିକ ଗ୍ରାହ୍ୟ, ରାଜସିକ ଅଭାବେ ତାମସିକ ଗ୍ରାହ୍ୟ ଆର୍ଥିକ ଖାଦ୍ୟକୁ ବିକଳ୍ପ ନଥାଇ । ଆନ ଖାଦ୍ୟମାନ ଆର୍ଥିକଖାଦ୍ୟର ଅଧୀନ । ଆର୍ଥିକ ଖାଦ୍ୟ ତ୍ରିଗୁଣେତର ଜାଣି, ତ୍ରିଗୁଣ ଅର୍ଥର ଅଧୀନ ଅଟଇ । ଆର୍ଥିକ ଖାଦ୍ୟ ଆୟତ୍ତ ହୋଇଲେ ଆନ ଖାଦ୍ୟମାନ ଆୟତ୍ତ ହୋଇ, ଯେମନ୍ତକି ରାଣୀଙ୍କ ଚିତ୍ତ ହରିଲେ ଦାସୀ ପରିବାରୀଙ୍କ ସେବା ସୁଲଭ ହୋଇଥାଇ । ଆର୍ଥିକ ଖାଦ୍ୟ ଅଭାବରେ ଆନ ଆନ ଖାଦ୍ୟ ଯେତେ ଖାଇଲେ ଦେହ କ୍ଷୀଣତର ହୋଇ, ଦୁର୍ବଳ ହୋଇ, ନାନା ଆମୟ ସମ୍ଭବଇ, ଆଧି ପୀଡ଼ା କରଇ । ଆର୍ଥିକ ଖାଦ୍ୟ ମାନୁଷ ଖାଦ୍ୟ । ତଦ୍ଧେତୁ ମାନୁଷଖାଦ୍ୟ ଅଭାବରେ ମଣିଷକୁ ମଣିଷରେ ନ ଗଣି, ଅମଣିଷରେ ଗଣି, ପଶୁରେ ଗଣି ।

 

ଯାହାର ଯେ ଅଭାବ, ସେ ସେହି ଖାଦ୍ୟ ଲୋଡ଼ଇ । ମନୁଷ୍ୟ ଅର୍ଥ ଖାଇଲେ ଅର୍ଥର ଅଭାବ ବୃଦ୍ଧିକୁ ଲଭଇ । ଏ ଘେନି ମନୁଷ୍ୟ ଅଧିକରୁ ଅଧିକ ଧନ ଲୋଡ଼ଇ, ସଂଗ୍ରହଣ କରଇ, ସମ୍ପତ୍ତି ରଖଇ, ଚୌର୍ଯ୍ୟବୃତ୍ତି ଆଚରଇ, ଲୁଣ୍ଠଇ, ଯାବନ୍ତ ଦୁଷ୍ଟକର୍ମମାନ କରଇ, ତଥାଚ ମାନୁଷ ଖାଦ୍ୟ ଘେନି ସେ ଲୋକରେ ସୁସ୍ଥସବଳ ହୋଇ, ଓଜଃଶୀଳ ବଚନ ଭାଷଇ, ବଡ଼ଲୋକ ବୋଲାଇ, ଚିତ୍ତ ପ୍ରସନ୍ନ ରଖଇ ଅପରକୁ ଉପଦେଶ ବତାଇ । ଏ ଘେନି କଳିଯୁଗେ ପ୍ରାଣ ଅନ୍ନଗତ ହୋଇ; ମନୁଷ୍ୟ ଅର୍ଥଗତ ।

Image

 

ମୂର୍ଖ କବି

 

କାଳିଦାସେ ସିନା ପରେ ଯାଇ ମହାକବି ହେଲେ, ମୂଳରୁ କିନ୍ତୁ ନିପଟ ମୂର୍ଖ ଥିଲେ । ଏ କଥା ଜଣାଶୁଣା ଯେ ତାଙ୍କର କାଣ୍ଡଜ୍ଞାନ ବୋଲି କିଛି ନ ଥିଲା । କାଣ୍ଡଜ୍ଞାନ ଯଦି ଥାଆନ୍ତା ତେବେକେ କାଣ୍ଡର ଉପର ପଟକୁ ଛିଡ଼ା ହୋଇ ତଳପଟକୁ ହାଣୁ ଥାଆନ୍ତେ କାହିଁକି ? ଦେବୀ ସରସ୍ୱତୀଙ୍କଠାରୁ ବର ଲାଭ କରି ସେ ଆଖି ପିଛଡ଼ାକେ ମହାକବି ପାଲଟି ଗଲେ । ତାଙ୍କ ଲେଖନୀରୁ ଉପମା, ଅନୁପ୍ରାସ, ଯମକ, ବଞ୍ଜନା ଆଦି ସକଳ କଥା ଆପେଆପେ ଝରିଲା । ମହାକାବ୍ୟମାନ ଲେଖା ହୋଇଗଲା । ଏଇଠି ଗୋଟିଏ ସନ୍ଦେହ ମନରେ ଉଠୁଛି, ମୂର୍ଖଗୋଟାକୁ ବର ଦେବାରୁ ତ ଏତେ ଏତେ କଥା ହେଲା, ପଣ୍ଡିତ ଜଣକୁ ବର ଦେଇଥିଲେ କ’ଣ ବା ନ ହୋଇଥାନ୍ତା ! ସନ୍ଦେହଟା କିନ୍ତୁ ସନ୍ଦେହରେ ହିଁ ରହିବ । ପଣ୍ଡିତଙ୍କ ପ୍ରତି ସରସ୍ୱତୀ ସନ୍ତୁଷ୍ଟ ହୋଇଥିବାର ଦୃଷ୍ଟାନ୍ତ ମିଳୁ ନାଇଁ ।

 

ଆମ ଓଡ଼ିଆ ସାହିତ୍ୟ କଥା ଧରାଯାଉ । ଓଡ଼ିଆ ସାହିତ୍ୟକୁ ଯେ ଜନ୍ମ ଦେଲେ ସେଇ ସାରଳାଦାସ ଯେ ମୂର୍ଖ ଥିଲେ, ନିରକ୍ଷର ଥିଲେ ଏ କଥା କିଏ ନ ଜାଣେ ? ମହାଭାରତରେ ମଧ୍ୟ ସେ ନିଜେ ଅତି ସ୍ପଷ୍ଟଭାବରେ ଏ କଥା ମାନି ଯାଇ ଲେଖିଛନ୍ତି: ମୁହିଁ ମୂର୍ଖ ଗୋ ନ ଜାଣଇଁ ଅକ୍ଷର, ପୁଣି ଜନ୍ମହୁଁ ମୂର୍ଖ ମୁଁ ନ ପଢ଼ିଲି ଯେ ବିଦ୍ୟା । ଏଥିରୁ ତାଙ୍କର ପାଠଶାଠ ବୁଦ୍ଧିବିଦ୍ୟା କିଛି ନଥିବା କଥାଟି ପରିଷ୍କାର ଜଣାପଡ଼ିଯାଉଛି । ଏ କଥା ଏ ଯୁଗରେ ସମାଲୋଚକମାନେ ମଧ୍ୟ ମୁକ୍ତକଣ୍ଠରେ ସ୍ୱୀକାର କରୁଛନ୍ତି । ଜଣେ ପ୍ରବୀଣ ଅଧ୍ୟାପକ ଲେଖିଛନ୍ତି, ‘‘ଆନୁଷ୍ଠାନିକଭାବରେ ତାଙ୍କର କିଛି ଶିକ୍ଷା ନାହିଁ, ସେ ତାହା ସ୍ୱୀକାର କରିଛନ୍ତି, କେବଳ ଦେବୀର ଆରାଧନା ଓ ଦୈବୀଶକ୍ତି ବଳରେ ଜଣେ ଶୂଦ୍ର ମୂର୍ଖବ୍ୟକ୍ତି କିପରି ଏକ ପଣ୍ଡିତ, କବି ଓ ମୁନି ଆଖ୍ୟାରେ ବିଭୂଷିତ ହୋଇପାରେ, ସେ ତା’ର ଜ୍ୱଳନ୍ତ ନିଦର୍ଶନ ।’’ [ଏହି କଥାରୁ ରେଭେନ୍‌ସା କଲେଜ ବଡ଼ କି କଟକଚଣ୍ଡୀଙ୍କ ମନ୍ଦିର ବଡ଼ ଏହି ପ୍ରଶ୍ନର ଉତ୍ତର ମିଳିଯିବ] । ଯେଉଁ ଦୈବୀଶକ୍ତି ବିଷୟ ଅଧ୍ୟାପକ ମହାଶୟ କହିଲେ ତାହା ସାରଳାଦାସେ କିପରି ଲାଭ କଲେ ତାହାର ବିସ୍ତୃତ ବର୍ଣ୍ଣନା ମହାଭାରତରେ ହିଁ ଲେଖାରହିଛି । ତାଙ୍କ ଗାଁ ପାଖର ସରଳାଚଣ୍ଡୀ ତାଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କୁ ମହାଭାରତ ଓ ଚଣ୍ଡୀପୁରାଣ ଡାକି ଡାକି ଗଲେ । ଯେ ସାରଳାଚଣ୍ଡୀ ସେ ସରସ୍ୱତୀ । ତାଙ୍କଠାରୁ ଶ୍ରୁତଲିଖନ ପାଇ ଏତେ ବଡ଼ ଗ୍ରନ୍ଥ, ଅଠର ଖଣ୍ଡ ଭାରତ ଲେଖିସାରି ଚଣ୍ଡୀପୁରାଣ ଲେଖିଲେ । ଏହା ଦାସେ ନିଜେ କହିଛନ୍ତି: ‘‘ସେ ଯାହା କହିଲେ ମୁଁ ଲେଖନେ ଲେଖିଲି’’ (ଅରଣ୍ୟକ), ପୁଣି ‘‘ଜନ୍ମେ ଜନ୍ମେ ମୂର୍ଖ ମୁଁ ନ ଜାଣଇ କିଛି । ମୋତେ ଯାହା କହନ୍ତି ମାଏ ମୁଁ ତାହା ଲେଖୁଛି’’ ପୁଣି ‘‘ସେ ମୋତେ ରାତ୍ରେ ପ୍ରକାଶ କରଇ ଯାହା, ସମକ୍ଷେ ପରି ପତ୍ରେ ଲେଖନ କରଇ ତାହା । ମମ ଲେଖନ ଅବିକଳ ହୁଅଇ ଅବା ହେ ସୁଜ୍ଞଜନେ ମୋତେ ପୂରାଇ କହିବା । ।’’ (ଚଣ୍ଡୀପୁରାଣ) । ଶେଷୋକ୍ତ ଉଦ୍ଧୃତିରୁ ଜଣାଯାଉଛି ଯେ ଦେବୀଙ୍କ ବାକ୍ୟ ଅବିକଳ ଲେଖା ହୋଇଛି କି ନାହିଁ ତାହା ବାରିବା ଭଳି ଜ୍ଞାନ ସାରଳାଦାସଙ୍କର ନ ଥିଲା । ସରସ୍ୱତୀ ଭଲା ମୂର୍ଖଗୋଟାକୁ କାହିଁକି ପୁରାଣ ଡାକିଲେ କେଜାଣି, ପଣ୍ଡିତ ଜଣକୁ ଡାକିଥିଲେ ସେ କ’ଣ ଶୁଦ୍ଧାଶୁଦ୍ଧି ଦେଖି ଲେଖି ନ ଥାନ୍ତା ? ସରସ୍ୱତୀ କିନ୍ତୁ ଏହା ଭାବିଚିନ୍ତି କରିଥିଲେ । ପଣ୍ଡିତେ ସବୁ କଥାରେ ଯିମିତି ଦୋଷ ଦେଖନ୍ତି ନା, ସ୍ୱୟଂ ବାକ୍ୟଦେବୀଙ୍କ ବାକ୍ୟକୁ ବାଛିକରି ଥୋଇ ଦିଅନ୍ତେ ।

 

ସରସ୍ୱତୀ ‘ସାରଳା ମହାଭାରତ’କୁ ଡାକି ଦେଲାରୁ ଆମ ଜଗନ୍ନାଥ ଠାକୁରେ ମଧ୍ୟ ଠିକ୍‌ ସିମିତି ରାମାୟଣ ଡାକିଗଲେ । ଜଗନ୍ନାଥେ ବଳରାମ ଦାସଙ୍କୁ ପଦମାନ କହି କହି ଗଲେ, ବଳରାମଦାସେ ଖାଲି ଲେଖିଗଲେ । ଇମିତିରେ ସାତକାଣ୍ଡ ରାମାୟଣ ଲେଖା ହୋଇଗଲା । ଜଗନ୍ନାଥଙ୍କ ନାଁ ଜଗମୋହନ । ସେ ନିଜେ ଏହି ରାମାୟଣର କବି ହୋଇଥିବା ହେତୁ ଗ୍ରନ୍ଥର ନାଁ ହେଲା ‘ଜଗମୋହନ ରାମାୟଣ’, ଯେପରି ବାଲ୍ମୀକି ବିଚରିତ ରାମାୟଣର ନାମ ବାଲ୍ମୀକି ରାମାୟଣ’ । ଏହି କଥା ସେହି ଗ୍ରନ୍ଥରେ ଲେଖାଅଛି:–

 

‘‘ଜଗମୋହନ ରାମାୟଣ ନାମ ଏହୁ ଗ୍ରନ୍ଥ ।

ଏଥିର କବି ତ ଶ୍ରୀ ନୀଳଗିରି ଜଗନ୍ନାଥ ।।

ସେ ହରି ମୋର ହୃଦେ ବିଜେ କରିଥାନ୍ତି ।

ଆପଣାର ଚରିତ ଆପଣେ ବଖାଣନ୍ତି ।।’’

 

ଓଡ଼ିଆମାନଙ୍କ ମଧ୍ୟରେ ପୂର୍ବେ ଯେତେ ସବୁ କବି ଥିଲେ ତାଙ୍କ ଭିତରୁ ଶହକେ ଅଶୀ ଖାଲି ଦେବଦେବୀଙ୍କ କୃପାରୁ ଗ୍ରନ୍ଥମାନ ଲେଖି ଯାଇଛନ୍ତି । ପ୍ରାଚୀନ ଓଡ଼ିଆ ସାହିତ୍ୟର ପ୍ରକୃତ ରଚୟିତା ବିଭିନ୍ନ ଦେବଦେବୀ ବୋଲି ସ୍ଥିର କରି ବିଭିନ୍ନ ଦେବତାଙ୍କ ରଚନାଶୈଳୀର ଉତ୍କର୍ଷାପକର୍ଷ ଆଲୋଚନା କରି ଓଡ଼ିଆ ସାହିତ୍ୟର ଇତିହାସ ରଚନା କରାଯାଇ ପାରେ । କେଉଁ ଦେବତା କେଉଁ ଗ୍ରନ୍ଥ ଡାକିଛନ୍ତି ଆଉ କାହାକୁ ଡାକିଛନ୍ତି ତା’ର ତାଲିକା ଅଦ୍ୟାବଧି ପ୍ରସ୍ତୁତ ହୋଇ ନ ଥିବା ହେତୁରୁ ଏହି ସମ୍ପର୍କରେ ଏକ ପୂର୍ଣ୍ଣାଙ୍ଗ ଆଲୋଚନା ବର୍ତ୍ତମାନ କରି ହେଉ ନାହିଁ । ତେବେ ଅଳ୍ପ କେତୋଟି ଦୃଷ୍ଟାନ୍ତ ଦେଉଛି, ଯାହା ହଠାତ୍‌ ମନେ ପଡ଼ୁଛି ।

 

କହ୍ନେଇ ଦାସ ନାମରେ ଜଣେ ବ୍ୟକ୍ତି ଭଞ୍ଜଙ୍କ ଆଗରୁ ଗଞ୍ଜାମ ଅଞ୍ଚଳରେ ଥିଲେ । ତାଙ୍କୁ ‘ରାମ ରସାମୃତସିନ୍ଧୁ’ ନାମକ ଏକ ବଡ଼ ଗ୍ରନ୍ଥ ସ୍ୱୟଂ ଶ୍ରୀରାମ ଡାକି ଦେଇଥିଲେ । ‘ରାମ ରସାମୃତସିନ୍ଧୁ’ କହେ ।

 

‘‘କେବଳ ଏତେ ମହାଭାଗ୍ୟ । ରାମଙ୍କୁ ଅତି ମୋର ସ୍ରାଗ ।।

ଏଣୁ ମୋ ହୃଦେ ରାମ ବସି । ନିଜ ମହିମା ପରକାଶି ।।’’

 

ମହାଦେବ ଦାସ ନାମରେ ଆଉ ଜଣେ ଲୋକ ଗୁଡ଼ିଏ ଗ୍ରନ୍ଥ ଲେଖିଛନ୍ତି । ‘କାର୍ତ୍ତିକମାହାତ୍ମା’ ‘ବୈଶାଖ ମାହାତ୍ମ୍ୟ’, ‘ମାଘ ମାହାତ୍ମା, ପୁରୁଶଷୋତ୍ତମକ୍ଷେତ୍ର ମାହାତ୍ମ୍ୟ, ‘ବିଷ୍ଣୁକେଶରୀ’, ‘କାଚବୋଲି’ ‘ମାର୍କଣ୍ଡେୟ ପୁରାଣ’, ‘ରୁକ୍ୱାଙ୍ଗଦ’, ‘ଇତିହାସ ପୁରାଣ’ ଆଦି ବହୁ ପୁରାଣ ସେ ଲେଖିଛନ୍ତି । କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ହୁଏ ଯେ ସେ ମଧ୍ୟ ମୂର୍ଖ ଥିଲେ ଓ ମୂର୍ଖ ହୋଇ ଥିବାରୁ ଭଲଲୋକେ ତାଙ୍କୁ ପାଖରେ ବସାଉ ନ ଥିଲେ । ସେ କିନ୍ତୁ କେବଳ ଶ୍ରୀହରିଙ୍କ ଦୟାରୁ ଗ୍ରନ୍ଥମାନ ଲେଖି ପାରିଥିଲେ । ‘ବିଷ୍ଣୁକେଶରୀ’ ଗ୍ରନ୍ଥ ମଧ୍ୟରେ ସେ ଲେଖି ଯାଇଛନ୍ତି:–

 

‘‘ମୁହିଁ ଯେ ମୂର୍ଖ ଶାସ୍ତ୍ରେ ନାହିଁ ମେଳା । ଭବଜଳେ ବାନ୍ଧିଲି ହରିନାମ ଭେଳା ।।

ସଙ୍ଗତକୁ ଲୋଡ଼ଇ ସାଧୁଜନ ପ୍ରୀତି । ଅଜ୍ଞାତ ବୋଲି ମୋତେ ନ କରନ୍ତି କତି ।।’’

 

ସାରଳାଚଣ୍ଡୀ, ଜଗନ୍ନାଥ, ଶ୍ରୀରାମ ଓ ଶ୍ରୀହରିଙ୍କ ଭଳି ଶିବ ମଧ୍ୟ କାବ୍ୟ ଲେଖିବାର ସହାୟ ହୋଇଛନ୍ତି । ‘ବିଲଙ୍କା ରାମାୟଣ’ ନାମକ ଏକ ଗ୍ରନ୍ଥ ରହିଛି, ଯାହାକି ସେହି ନାମର ସାରଳା ଦାସଙ୍କ ନାମରେ ପ୍ରକାଶିତ ଗ୍ରନ୍ଥଠାରୁ ଭିନ୍ନ । ଏହି ବିଲଙ୍କା ରାମାୟଣକୁ ବାରାନିଧି ଦାସେ କିପରି ଲେଖି ପାରିଥିଲେ ତାହା ସେ ନିଜେ ଏହି ଭାଷାରେ ଲିପିବଦ୍ଧ କରିଯାଇଛନ୍ତି:

 

‘‘ତାହାଙ୍କର ଆଜ୍ଞାରେ ମୁଁ ଲେଖିଲି ଏ ଗ୍ରନ୍ଥ ।

ମୋହର କିଛି ଯେ ନୁହଇ ଆୟତ୍ତ ।।

ଗ୍ରନ୍ଥ ବଖାଣିଲି ମୁଁ ସଦାଶିବ ପ୍ରସନ୍ନେ ।’’

 

ପୁଣି ନାରାୟଣ ଶିଶୁ ଈଶ୍ୱର ଦାସଙ୍କ ପ୍ରତି ସଦୟ ହୋଇଥିବା ପ୍ରମାଣ ‘ନଳରାଜା ଚରିତ’ରେ ରହିଅଛି–‘‘ମୋହର ନ ଯାଇ କହଣ । କହିଦିଅନ୍ତି ନାରାୟଣ ।।

 

ଏହାଛଡ଼ା ବିଷ୍ଣୁ ମଧ୍ୟ ‘ଛତିଶ ଗୁପ୍ତ ଗୀତା’ ନାମକ ଏକ ଧର୍ମଗ୍ରନ୍ଥକୁ ଦ୍ୱିତୀୟ ବଳରାମ ଦାସ ଓରଫ୍‌ ଦ୍ୱାରିକା ଦାସଙ୍କୁ କହି ଦେଇଥିବା କଥା ଜଣା ପଡ଼ୁଛି । ‘ଛତିଶ ଗୁପ୍ତଗୀତା’ରେ ଲେଖାଅଛି:–

 

‘‘କଳିଯୁଗେ ବଳରାମ ଦାସଙ୍କୁ କହିଲେକ ଚକ୍ରଧର ।’’

 

‘ରସ ବିନୋଦ’ ଆଦି ବହୁସଂଖ୍ୟକ ଗ୍ରନ୍ଥର ଲେଖକ କୃଷ୍ଣଦାସଙ୍କ ନାମ କିଏ ନ ଜାଣେ । ଓଡ଼ିଆ ଭାଷାରେ ଏତେ ସଂଖ୍ୟାରେ ଗ୍ରନ୍ଥ ଅତି ଅଳ୍ପ ଲୋକେ ଲେଖି ପାରିଛନ୍ତି । ଜଗନ୍ନାଥଙ୍କର ଅପାର କରୁଣାରୁ ସେ ତାହା କରି ପାରିଥିଲେ । ନ ହେଲେ ସେ ମଧ୍ୟ ମୂର୍ଖଥିଲେ; ପାଠଶାଠ ଜମାରୁ ନ ଥିଲା । ‘ଭୂତକେଳି’ରେ ସେ ଏହି କଥା ମାନିଛନ୍ତି:–

 

‘‘ପାଠ ଶାଠ ନ ଜାଣଇ ମୂର୍ଖମତି ସିନା । ଜଗନ୍ନାଥ ଦୟା କଲେ ପୂର୍ବର ବାସନା । ଦୀନବନ୍ଧୁ ଦୟାରୁ ଯେ କରଇ ପ୍ରକାଶ ।’’ ଇତ୍ୟାଦି ।

 

କିନ୍ତୁ ସେହି କୃଷ୍ଣ ଦାସଙ୍କୁ ଶ୍ରୀହରି ‘ରସବିନୋଦ’ ଗ୍ରନ୍ଥଟିକୁ କହିଥିବା କଥା ରସବିନୋଦରେ ଲେଖାଅଛି:–‘‘ଶରଣ ପଞ୍ଜର ଶ୍ରୀହରି । ଆସି ମୋ କଣ୍ଠେ ବିଜେ କରି । ।’’ ତେବେ କୃଷ୍ଣଦାସଙ୍କ ଜଗନ୍ନାଥ ଓ ଶ୍ରୀହରି ଅଭିନ୍ନ କି ଭିନ୍ନ ତାହା ଅଧିକତର ଅନୁସନ୍ଧାନସାପେକ୍ଷ ।

 

‘ରସକଲ୍ଲୋଳ’ ଗ୍ରନ୍ଥଟି ଓଡ଼ିଶାରେ ଘରେ ଘରେ ପରିଚିତ ଏବଂ ଏହାର କବିଙ୍କ ନାମ କୃଷ୍ଣ ଦାସ (ଦୀନକୃଷ୍ଣ ଦାସ) ବୋଲି ମଧ୍ୟ ସମସ୍ତେ ଜାଣନ୍ତି । କିନ୍ତୁ ପ୍ରକୃତ କଥା ହେଉଛି ଏହା ଯେ କୃଷ୍ଣ ଏହି କମନୀୟ ପଦାବଳିମଣ୍ଡିତ କାବ୍ୟଟିକୁ କହିବାରୁ କୃଷ୍ଣଦାସ ତାକୁ ହାତରେ ଲେଖିପକାଇଥିଲେ । ‘ରସକଲ୍ଲୋଳ’ ଶେଷକୁ କୃଷ୍ଣଦାସେ ଗ୍ରନ୍ଥ ରଚନା ବିଷୟ ଲେଖି ଜଣାଇଛନ୍ତି:–‘‘କରିବାକୁ ରସ କଲ୍ଲୋଳ ଗୀତ, କହିଲେ ସେ (କୃଷ୍ଣ) ଯେଣୁ, କରରେ ମାତ୍ର ଲେଖିଲି ମୁଁ ତେଣୁ’’ ।

 

ଏକା ଯେ ଓଡ଼ିଆ ଲୋକଙ୍କୁ ଦେବଦେବୀଗଣ କାବ୍ୟମାନ କହି ଦେଉଥିଲେ, ତାହା ନୁହେଁ । ଗୋପାଳ ନାମକ ଜଣେ ତେଲଙ୍ଗା ଲୋକକୁ ଶ୍ରୀକୃଷ୍ଣ ‘ଅଧ୍ୟାତ୍ମ ରାମାୟଣ’ ଡାକି ଦେବାରୁ ସେ ତାହା ଲେଖିଥିଲେ । ତେଲଙ୍ଗା ଲୋକ ଓଡ଼ିଆ ଲେଖିବା କ’ଣ ସହଜ କଥା ହୋଇଛି ! ଶ୍ରୀକୃଷ୍ଣ ପୁଣି ଚଞ୍ଚଳ ଚଞ୍ଚଳ ଡାକି ଯାଉଥିବେ । ତେଲଙ୍ଗା ଗୋପାଳ ସେଥିରୁ ଯାହା ଯେତିକି ପାରିଲେ ଲେଖିଲେ । ‘ଅଧ୍ୟାତ୍ମ ରାମାୟଣ’ରେ ଲେଖାଅଛି:–

 

‘‘ସୁଜନେ ନ ଧରିବ ଦୋଷ । ଯାହା କହିଲେ ପୀତବାସ ।।

ତେଣୁ ମୁଁ ବାଇ ପ୍ରାୟ ହୋଇ । ଲେଖିଲି ଯେବା ଯାହିତାହି ।।’’

 

ଏଇଠି ଆମର ସନ୍ଦେହ ରହିଗଲା । ଯାହିତାହି କରି ଲେଖିଦେବା ଫଳରେ ଶ୍ରୀକୃଷ୍ଣ ଯାହା ଯାହା ଡାକିଥିଲେ ସେ ସମସ୍ତ କଥା ଲେଖାଗଲା କି ନାହିଁ ଏ କଥା ଶ୍ରୀକୃଷ୍ଣଙ୍କୁ ହିଁ ଗୋଚର । ଏଭଳି ସନ୍ଦେହ ଲାଗି ଅବକାଶ ନ ଦେବା ପାଇଁ ଭଗବାନ ଠାଏଁ ପାଠ-ଶୋଧନ (Draft correction କିମ୍ୱା ବର୍ତ୍ତମାନର Proof-reading) ମଧ୍ୟ କରିଥିବା ଜଣାପଡ଼ୁଛି । ସେ ଚୈତନ୍ୟ ଦାସଙ୍କୁ ଧର୍ମତତ୍ତ୍ୱମୂଳକ ଗ୍ରନ୍ଥ ‘ନିର୍ଗୁଣ ମହାତ୍ମ୍ୟ’ ଡାକିଦେଲେ । ଏତେସବୁ ବଡ଼ ବଡ଼ କଥା ବୁଝିବାକୁ ଚୈତନ୍ୟ ଦାସଙ୍କ ମୁଣ୍ଡରେ ମସଲା କାହିଁ ? ତେଣୁ ଭଗବାନଙ୍କୁ ପୁଣି ଶୁଦ୍ଧାଶୁଦ୍ଧି ଦେଖିବାକୁ ପଡ଼ିଥିଲା ବୋଲି ‘ନିର୍ଗୁଣ ମାହାତ୍ମ୍ୟ’ରେ ସ୍ପଷ୍ଟ ଲେଖାଅଛି:–

 

‘‘ଅନାଦି ପ୍ରଭୁ ଭଗବାନ,

ସେ ମୋତେ ହୋଇଲେ ପ୍ରସନ୍ନ ।।

ଲେଖିଲି କହିଲେ ଅଚ୍ୟୁତ,

ମୋହର ନୁହଁଇ ଆୟତ୍ତ

ମୋହର ନାହିଁ ହେତୁ ବୁଦ୍ଧି,

ସେ ପ୍ରଭୁ ପଦ ଦ୍ୟନ୍ତି ଶୋଧି ।’’

 

ଏହାଫଳରେ କାମଟା ଅଯଥା ବଢ଼ିଗଲା । ଥରେ ଡାକି ଡାକି ଯିବ, ଲେଖାସରିବା ପରେ ତାକୁ ପୁଣି ସଂଶୋଧନ କରିବ, ଏ’କଣ କମ୍‌ ଝିଂଝଟିଆ କାମ ! ଏତେ ହଇରାଣକୁ ନ ଯିବା ଲାଗି ଜଗନ୍ନାଥେ ଗୋଟିଏ ସୁବିଧା ଉପାୟ କଲେ । ପିଣ୍ଡିକ ଦାସଙ୍କ ‘ଆଗତ ଭବିଷ୍ୟତ’ ଗ୍ରନ୍ଥଟିକୁ ସେ ଆମୂଳଚୂଳ ନିଜେ ଲେଖିଦେଲେ । ଜୟଦେବଙ୍କ ସ୍ୱହସ୍ତଲିଖିତ ‘ଗୀତଗୋବିନ୍ଦ’ ପାଣ୍ଡୁଲିପି ପାଇଁ ଲଣ୍ଡନ ପର୍ଯ୍ୟନ୍ତ ଉଣ୍ଡାଳୁ ଥିବା ଓଡ଼ିଆ ଗବେଷକମାନେ ଜଗନ୍ନାଥଙ୍କ ସ୍ୱହସ୍ତଲିଖିତ ‘ଆଗତ ଭବିଷ୍ୟତ୍‌’ ପାଣ୍ଡୁଲିପିର ସନ୍ଧାନ ମଧ୍ୟ ପାଇ ପାରନ୍ତି । ତେବେ ଏହି ଗ୍ରନ୍ଥର ନକଲମାନ ରହିଛି ଏବଂ ସେଥିରେ ଲେଖାଅଛି:–

 

‘‘ଆଗତ ଭବିଷ୍ୟତ ରୀତି

ଶ୍ରୀହସ୍ତେ ଲେଖି ଯଦୁପତି

।’’

ପୁଣି ‘‘ଆପଣେ ନୀଳାଦ୍ରି ଚନ୍ଦ୍ରମା

ଲେଖିଲେ ଏ ଶାସ୍ତ୍ର ମହିମା’’

 

ଏହି ଭାଷାକୁ ଧନ୍ୟ କହିବା । ଶେଷକୁ ସ୍ୱୟଂ ଭଗବାନ ସ୍ୱହସ୍ତରେ ସାହିତ୍ୟ ରଚନା କରି କରି ଗଲେ । ଏହି ଭାଷାର ବହୁ ମୂର୍ଖ ଦୈବୀପ୍ରସାଦ ବଳରେ ରାତାରାତି କବି ହୋଇଗଲେ । ଖୋଦ୍‌ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କୁଲାଡ଼ ବାଘଦେଈଙ୍କ ବର ପାଇ କବି ପାଲଟିଥିବା ଶୁଣାଯାଉଛି-। ତାହା ସତ ହେଉ କି ମିଛ ହେଉ, ଏହା କିନ୍ତୁ ସତ ଯେ ତାଙ୍କର କବିତ୍ୱର ଉଦୟ ହୋଇ ନଥାନ୍ତା, ଯେବେ ସେ ରାମତାରକ ମନ୍ତ୍ର ଲାଭ କରି ନଥାନ୍ତେ । କାରଣ ଉପେନ୍ଦ୍ର ନିଜେ ଲେଖି ଯାଇଛନ୍ତି ଯେ:–

 

‘‘ତାରକ ମନ୍ତ୍ର ପରସାଦେ

ମୋହର କବିପଣ ଉଦେ’’

।।

 

ଠିକ୍‌ ସେହି ବାଗରେ ବରଲାଭ କଲେ କବିସୂର୍ଯ୍ୟ ବଳଦେବ ରଥ ମା’ କାଳୀଙ୍କଠାରୁ ।

 

ପାଠକେ, କବି ହେବା ଆଶାଟି ମନରୁ ପୋଛି ଦିଅନ୍ତୁ । ଯେଉଁଦିନୁ ଚାହାଳି ପିଣ୍ଡା ଚଢ଼ିଲେଣି ସେହି ଦିନୁ କବି ନ ହେବା କଥା ନିଶ୍ଚିତ ହୋଇଗଲାଣି । ‘ବିଦ୍ୟା ପ୍ରମାଣଂ ମୁଖ ଭାଷଣଂ ଚ’ ବୋଲି ତ ଅବଧାନେ, ପଣ୍ଡିତେ କହି ଲାଗିଥାନ୍ତି । ତାଙ୍କ ବୋଲରେ ପଡ଼ି ଆପଣ ଆପଣା ଭାଷାଟିକୁ ବାଗେଇ ନେଲେ, ବାପାମାଙ୍କର ବୋଲ କରି ସୁବୁଦ୍ଧି ଅର୍ଜନ କଲେ । ଆଉ କ’ଣ ଜଗନ୍ନାଥ ଦାସଙ୍କ ପରି:–

 

‘‘ପାମର ବୁଦ୍ଧି ତୁଚ୍ଛ ଭାଷା, କେବଳ କୃଷ୍ଣରେ ଭରସା’’

 

ବୋଲି ଲେଖି ପାରିବେ ଯେ କବି ହେବେ ! ଆପଣମାନଙ୍କ ଦେଇ ଲେଖାଲେଖି କିଛି ହେବ ନାହିଁ । ମୁଁ ମୋ ନିଜ ଅନୁଭୂତିରୁ ଜାଣୁଛି ପରା ।

Image

 

ଆମରଣ ଅନଶନ

(କତିପୟଶଙ୍କା ଓ ତା’ର ସମାଧାନ)

 

ବହୁବାର ଆମରଣ ଅନଶନ କରିଥିବା ଅଭିଜ୍ଞ ଲୋକେ ଥାଉଁ ଥାଉଁ ଏ ବିଷୟ ଚର୍ଚ୍ଚା କରିବାକୁ ମୋର ଅଧିକାର କ’ଣ ? ସତ୍ୟ କଥା, ଉତ୍କଟ ଉଦରାମ୍ଳ ଯୋଗୁଁ ଓଳିଏ ମଧ୍ୟ ଅନଶନ ମୋ ଦେହି ହେବ ନାହିଁ କିନ୍ତୁ ଅଭିଜ୍ଞତା ଜ୍ଞାନାର୍ଜନର ପନ୍ଥା ନୁହେଁ । କେବଳ ସଫସଲୀମାନେ କହିଥାନ୍ତି ଯେ ଏ ବର୍ଷର ରୋଗୀ ଆରବର୍ଷକୁ ବଇଦ । ଏହା ସତ୍ୟ ହୋଇଥିଲେ, ଡାକ୍ତରୀଛାତ୍ରଙ୍କୁ ପାଠ ନ ପଢ଼େଇ ସେମାନଙ୍କଠି ଯାବତୀୟ ରୋଗ-ଜୀବାଣୁ ପ୍ରବେଶ କରାଇବାକୁ ପଡ଼ନ୍ତା । କେତେଜଣ ରୋଗୀ-ବିଶେଷଜ୍ଞ ହେଲେଣି ? ମୋ ଜାଣିବାରେ ୨୦, ୨୫ ବର୍ଷର ବଦ୍ଧ ପାଗଳମାନେ ଅଛନ୍ତି ଅଥଚ ତାହାଙ୍କଠାରୁ ପାଗଳାମି ଚିକିତ୍ସାପାଇଁ କେହି ବ୍ୟବସ୍ଥାପତ୍ର ନିଅନ୍ତି ନାହିଁ-। ଅଭିଜ୍ଞତା ଜ୍ଞାନାର୍ଜ୍ଜନର ଉତ୍ସ ହୋଇଥିଲେ ‘‘ମୃତ୍ୟୁ ପରେ ଜୀବନ’’ ‘‘ଭଗବାନ ପରଶୁରାମ’’ ‘‘ଭାରତରେ ବେଶ୍ୟାବୃତ୍ତି’’ ଭଳି ଉପାଦେୟ ଗ୍ରନ୍ଥମାନ ଲେଖା ହୋଇ ପାରନ୍ତା ନାହିଁ । ଆତ୍ମହତ୍ୟା, ଦ୍ୟୂତକ୍ରୀଡ଼ା, ବେଶ୍ୟାବୃତ୍ତି, ପାଗଳାମି, ମଦ୍ୟପାନ, ଅପରାଧ, ଦେଶଦ୍ରୋହ ଆଦି ବହୁ ବିଷୟ ଅଭିଜ୍ଞତାର ଅଧିଗମ୍ୟ ହେଲେହେଁ ତଦ୍‌ବିଦ୍‌ମାନେ ଏସବୁ ଅଭିଜ୍ଞତା ଅର୍ଜନରେ ଆଗ୍ରହୀ ହୁଅନ୍ତି ନାହିଁ, ପକ୍ଷାନ୍ତରେ ଅବାଙ୍‌ମାନସଗୋଚର ବ୍ରହ୍ମ, ଈଶ୍ୱର, ଆତ୍ମା, ମାୟା, ମୋକ୍ଷ, ସ୍ୱର୍ଗ, ନରକ ଆଦି ଅଭିଜ୍ଞତାର ଅନଧିଗମ୍ୟ ବହୁ ବିଷୟ ରହିଛି କିନ୍ତୁ ସେ ବିଷୟରେ ବିଶେଷଜ୍ଞଙ୍କ ସଂଖ୍ୟା ଅଧିକ ଅଟେ ।

 

ଅଦ୍ୟାବଧି କେହି ଆମରଣ ଅନଶନ ବିଶେଷଜ୍ଞ ନ ଥିଲେ । ଏ ବିଷୟରେ ତାତ୍ତ୍ୱିକ ଗ୍ରନ୍ଥ ମଧ୍ୟ ନାହିଁ । ଏପରି ଅବସ୍ଥାରେ ବିଶେଷଜ୍ଞ ହେବା କି ଦୁଃସାଧ୍ୟ ବ୍ୟାପାର ତାହା ସକଳ ବିଦ୍ୟାର ମୂଳ ପ୍ରବକ୍ତାମାନେହିଁ ଜାଣନ୍ତି । ମୋର ସୌଭାଗ୍ୟ ଯେ ମୋର ବାସଗୃହରୁ କର୍ମସ୍ଥଳ ସଚିବାଳୟକୁ ଯିବାଆସିବା ବାଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସୁରମ୍ୟ ହର୍ମ୍ୟ ପଡ଼େ । ଏହି ହର୍ମ୍ୟ ସମ୍ମୁଖ ସ୍ଥାନ ହେଉଛି ଆମରଣ ଅନଶନର ମୁଖ୍ୟପୀଠ । ଦଳଦଳ ଆମରଣ ଅନଶନକାରୀ ଏଠାରେ ପଲା ଭିଡ଼ିଥାନ୍ତି । ଅବଶ୍ୟ ଶୀତ ଓ ବର୍ଷାଦିନ ଅପେକ୍ଷା ପାଣିପାଗ ଭଲ ଥିଲେ ଏମାନେ ଅଧିକ ସଂଖ୍ୟାରେ ଦେଖା ଦିଅନ୍ତି । ମୁଁ କ୍ରମାଗତ ଏମାନଙ୍କୁ ଓ ଏମାନଙ୍କ ଆୟୋଜନକୁ ଅନୁଧ୍ୟାନ କରିଛି । ଅନେକ ଆମରଣ ଅନଶନକାରୀଙ୍କୁ ଅନଶନ ବେଳେ ଓ ତାହା ପରେ ସାକ୍ଷାତ୍‌କାର କରିଛି । ମୋର ଅଭିଜ୍ଞତା ଓ ଗବେଷଣା ଏହିପ୍ରକାରେ ତଥ୍ୟ-ଭିତ୍ତିକ ଅଟେ ।

 

ସ୍ୱୀକାର କରୁଛି ଦ୍ୱିବିଧ ଆମରଣ ଅନଶନ ମଧ୍ୟରୁ ମୋର ଗବେଷଣା ଏକପ୍ରକାର ସମ୍ପର୍କିତ ଅଟେ । ଏକପ୍ରକାର ଆମରଣ ଅନଶନ ଆପଣା ଘର ଓ ଅନ୍ୟପ୍ରକାର ଆମରଣ ଅନଶନ ପରଦ୍ୱାରରେ । ପ୍ରଥମ ବର୍ଗର ଆମରଣ ଅନଶନ ମହାତ୍ମାଗାନ୍ଧୀ, ମୋରାରଜୀ ଦେଶାଇ ଭଳି ବିଖ୍ୟାତ ଲୋକମାନଙ୍କ ପକ୍ଷରେ ସମ୍ଭବ କିନ୍ତୁ ଶେଷୋକ୍ତ ବର୍ଗର ଆମରଣ ଅନଶନ ଇତର ଲୋକଙ୍କ ଉପଯୋଗୀ ଓ ତାହା ବହୁଜନସମାଦୃତ ଅଟେ । ଯେଉଁମାନଙ୍କ ଭାଷିବା, ରୁଷିବା, ହସିବା, କାଶିବା ଆଦିକୁ ସମ୍ୱାଦପତ୍ରମାନେ ଦେଶବାସୀଙ୍କ ଅବଶ୍ୟ ଜ୍ଞାତବ୍ୟ ବୋଲି ମନେ କରନ୍ତି, ସେହିମାନେହିଁ ପ୍ରଥମବର୍ଗୀ ଆମରଣ ଅନଶନକାରୀ ହୋଇପାରିବେ । ଯେଉଁ ଅବଶିଷ୍ଟ ଜନତା ଆତ୍ମହତ୍ୟା କଲେ ବି ତାହା ସମ୍ୱାଦ ହୋଇପାରିବ ନାହିଁ ସେମାନେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆଦିଙ୍କ ବାସଭବନ ଫାଟକ ମୁହଁରେ ଅନଶନ କରିବାକୁ ବାଧ୍ୟ । ଏହିପ୍ରକାରେ ଅନଶନ ବିଷୟଟି ପ୍ରଧାନମନ୍ତ୍ରୀ ଆଦିଙ୍କ ସମ୍ପର୍କିତ ବିଷୟ ହୋଇ ପଡ଼ିବାରୁ ସମ୍ୱାଦପତ୍ର ମଣ୍ଡନ କରିବା ସମ୍ଭବ ହୁଏ ।

 

ଅଭୀଷ୍ଟ ସାଧନ ପାଇଁ ପନ୍ଥା ଦୁଇଟି: ପୌରୁଷ ଓ ଦୈବ । ପ୍ରାଚୀନକାଳରେ ଲୋକେ ପୌରୁଷ ବଳରେ ଅଭୀଷ୍ଟସିଦ୍ଧି ନ ହେଲେ ଦୈବ ଆଶ୍ରୟ ପାଇଁ ଜଣାଶୁଣା ଠାକୁରଙ୍କ ପୀଠକୁ ଯାଇ ଗୁହାରିଆ ପଡ଼ୁଥିଲେ । ଆଶ୍ରିତ ଲୋକେ ଭୋଗବିଳାସ କରିବା ନିଷିଦ୍ଧ । ଭୋଗ କହିଲେ ଠାକୁରମାନେ ବୁଝନ୍ତି ଭୋଜନକୁ, ତେଣୁ ଗୁଦାରିଆଙ୍କୁ ଭୋଜନ ବର୍ଜନ କରିବାକୁ ପଡ଼ୁଥିଲା । ଏହିପ୍ରକାରେ ନିରାହାର ରହିବାର ନାମ ହେଲା ଉପବାସ । ଉପ ଅର୍ଥାତ୍‍ ନିକଟରେ, ବାସ ଅର୍ଥାତ୍‍ ପଡ଼ିରହିବା । ଅଭୀଷ୍ଟ ସିଦ୍ଧି ପାଇଁ ଅଧିଆ ପଡ଼ିବାଦ୍ୱାରା ସେହି ଠାକୁରଙ୍କ ଖ୍ୟାତି ଚତୁର୍ଦ୍ଦିଗରେ ବିସ୍ତାରିତ ହେଉଥିଲା । ଯେଉଁ ଠାକୁରପୀଠରେ ଗୁହାରିଆଙ୍କ ସଂଖ୍ୟା ଯେତିକି ଅଧିକ, ତାହାଙ୍କର ମହିମା ତେତିକି ଅଧିକ ଥିବା ଜଣା ପଡ଼ୁଥିଲା । ଭାରତରେ ଦେବତାମାନଙ୍କର ସଂଖ୍ୟା ବହୁତ ହୋଇଥିବାରୁ ଖ୍ୟାତି ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସ୍ୱାଭାବିକ । ଠାକୁରେ ଭାବୁଥିଲେ, କେତେ କାଷ୍ଠା କରି ବାପୁଡ଼ାଟି ପଡ଼ି ରହିଛି, ତାହାର ମନୋବାଞ୍ଛା ଏତେବେଳେ ପୂରଣ ନ ହେଲେ ସେ ଯଦି ଅନ୍ୟ ଠାକୁରଙ୍କୁ ଆଶ୍ରୟକରି ସ୍ୱକାର୍ଯ୍ୟ ହାସଲ କରିଯାଏ ତେବେ ଆମ୍ଭଙ୍କୁ ଆଉ ପଚାରିବ କିଏ ? ତେଣୁ ଗୁହାରିଆର ଉପସ୍ଥିତ ଯୋଗୁଁ ଖୁସି ହୋଇ ଠାକୁରମାନେ ତାହାର ମନୋବାଞ୍ଛା ପୂରଣ କରୁଥିଲେ । ଆଜିକାଲି ତ ମଣିଷର ସାଧ୍ୟାତୀତ ହୋଇ କିଛି ନାହିଁ, ତେଣୁ ଅଭୀଷ୍ଟସିଦ୍ଧି ପାଇଁ ଠାକୁରଙ୍କଠାକୁ ଆଉ ଯିବାକୁ ପଡ଼ୁନାହିଁ । ଠାକୁରଙ୍କପାଖରେ ଭିତରନିଷ୍ଠା ଦରକାର । ନିଷ୍ଠାରେ ଅନଶନ ନ କଲେ ଠାକୁରମାନେ ଭିତିରିଆ କଥାସବୁ ଜାଣିଯିବା ଆଶଙ୍କା ରହିଛି । ତାଦୃଶ୍ୟ ଆଶଙ୍କା ମଣିଷ ପାଖରେ ନାହିଁ । ସ୍ୱୀକାର୍ଯ୍ୟ ଯେ ଭାରତର ସାହିତ୍ୟ, କଳା, ନୃତ୍ୟ, ଗୀତ ଆଦି ସବୁ କିଛି ମୂଳରେ ଧର୍ମକୁ ଆଶ୍ରୟ କରିଥିବାପରି ଅନଶନ ମଧ୍ୟ ଧାର୍ମିକ ପରମ୍ପରାରୁ ଆସିଛି । ଅଭୀଷ୍ଟସିଦ୍ଧିର ସାଧନୋପାୟ ରୂପେ ଉପବାସ ଅର୍ଥାତ୍‍ ଠାକୁରଙ୍କ ପାଖ ନ ଛାଡ଼ିବା କର୍ମ ସୁପ୍ରଚଳିତ ହେବା ପରେ ତାହାର ପ୍ରୟୋଗ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ହେଲା । କ୍ରମେ ନିରାହାର ରହିବା ଉପବାସର ଆନୁଷଙ୍ଗିକ ନ ହୋଇ ମୁଖ୍ୟ କ୍ରିୟା ହୋଇପଡ଼ିଲା । ଫଳରେ ପରକାଳରେ ଠାକୁରଙ୍କ ଉଦ୍ଦେଶ୍ୟରେ ଘରେ ନିରାହାର ରହିବା କ୍ରିୟାକୁ କୁହାଗଲା ଉପବାସ । ନାରୀମାନେ ଗୋଡ଼କୁ ନୂପୁର, କାନକୁ ଫୁଲ କି ନାକକୁ ବସଣୀଟିଏ ପାଇଁ ପତିଦେବତାଙ୍କ ପାଖରେ ଅଧିଆ ପଡ଼ିବା ଶିଖିଲେ ଓ ଦେବତା ଆସନରେ ଅଧିରୂଢ଼ ପତିମାନେ ମଧ୍ୟ ସେମାନଙ୍କର ମନସ୍କାମନା ପୂରଣ କରୁଥିଲେ । ପ୍ରାଚୀନ ଓ ମଧ୍ୟଯୁଗୀୟ ଅଧିଆ ପଡ଼ିବା ପରମ୍ପରାରୁ ଉଦ୍ଭୂତ ହେଲେହଁ ‘ଆମରଣ ଅନଶନ’ ପ୍ରକ୍ରିୟାଟି ସର୍ବାଂଶରେ ଆଧୁନିକ । ଏକା ନ ଖାଇବା କଥାର ନାନାପ୍ରକାର ଭେଦ ରହିଛି, ଏହା ଦେବତାଙ୍କ ପୀଠରେ ଅଭୀଷ୍ଟସିଦ୍ଧି ପାଇଁ ହେଲେ ଗୁହାରିଆ ପଡ଼ିବା । ତାହା ଅଭୀଷ୍ଟସିଦ୍ଧି ପର୍ଯ୍ୟନ୍ତ ଚାଲୁ ରହିଲେ ଅଧିଆ ପଡ଼ିବା, ଧର୍ମ ଅର୍ଜନ ପାଇଁ ହେଲେ ଉପାସ, ଘରଲୋକଙ୍କୁ ଜବତ କରିବାପାଇଁ ହେଲେ ରୁଷା ଓ ପରଲୋକଙ୍କୁ ଜବତ କରିବା ପାଇଁ ହେଲେ ଅନଶନ । ଅନଶନ-ଉପବାସ ଭିତରେ ପୁଣି କିସମ ଅଛି: ଲୁଣମିଶା ଲେମ୍ୱୁପାଣି ପିଆ ଚାଲିଥିଲେ ସାଦା ଅନଶନ, ନ ପିଇଲେ ନିଜଳା, ଓଳିକ ପାଇଁ ହେଲେ ହବିଷ, ଦିନକ ପାଇଁ ହେଲେ ଉପାସ, ଜଣେ ନ ଖାଇ କିଛି ସମୟ ବସିବା ପରେ ତାକୁ ଖାଇବାକୁ ସୁବିଧା ଦେବା ପାଇଁ ଆଉ ଜଣେ ତା’ ଜାଗା ମାଡ଼ି ବସିଲେ ତାକୁ କହନ୍ତି ରିଲେ ଅନଶନ ଓ ମରିବି ବୋଲି ଧମକ ଦେବାକୁ କଲେ ଆମରଣ ଅନଶନ ।

 

କର୍ତ୍ତୃପକ୍ଷଙ୍କ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇବା ଲକ୍ଷ୍ୟରେ ଆମରଣ ଅନଶନ କର୍ତ୍ତବ୍ୟ । ଏହା ପରଦ୍ୱାରରେ ହେଲେ ସ୍ଥାନୀୟ ଉଚ୍ଚତମ କର୍ତ୍ତୃପକ୍ଷଙ୍କ ଦ୍ୱାରରେ ହେବା ସମୀଚୀନ । ସବୁ ଶିରାଯାକ ବେକରେ ଲୋଚା ହେଲା ପରି ସବୁ କର୍ତ୍ତୃତ୍ୱ ମୁଖ୍ୟମନ୍ତ୍ରୀଙ୍କଠାରେ ନ୍ୟସ୍ତ । ତେଣୁ ଆମରଣ ଅନଶନ ପାଇଁ ପ୍ରକୃଷ୍ଟକ୍ଷେତ୍ର ତାଙ୍କ ଭବନ ସମ୍ମୁଖ ପ୍ରାନ୍ତର; ଏଠାରେ ଏଥିପାଇଁ ବିସ୍ତର ସ୍ଥାନ ରହିଛି, କାଳିଅନ୍ଧାରରୁ ଗୁରୁଶଙ୍କା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭବନ ପଛପଟେ ଉପଯୁକ୍ତ ଖାଲଢିପ ଅରମା ଜାଗା ପଡ଼ିଛି, ପାଖ ଦେଇ ମୁଖ୍ୟ ରାଜପଥ ଯାଇଥିବାରୁ ଏଠାରେ ଆମରଣ ଅନଶନକାରୀମାନେ ବହୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଅଭୀଷ୍ଟସିଦ୍ଧିର ଉପାୟ ରୂପେ ଆମରଣ ଅନଶନ ଶ୍ରେଷ୍ଠ ବିବେଚିତ ହେବାର ଅନ୍ୟତମ କାରଣ ଏହି ପ୍ରଚାର । ମୁଖ୍ୟମନ୍ତ୍ରୀ ଯେତେବେଳେ ଜାଣନ୍ତି ଯେ, ତାଙ୍କ ଦୁଆରେ ଅଧିଆ ପଡ଼ିବାକୁ ଲୋକ ଆସିଗଲେ ଓ ପ୍ରଜାବର୍ଗ ଏହା ଜାଣିଲେଣି, ସେତେବେଳେ ତାହାଙ୍କ ମନରେ କି ଅପୂର୍ବ ଆନନ୍ଦ ହେଉ ନ ଥିବ ? ଦ୍ୱାରଦେଶରେ ଅଧିଆ ପଡ଼ିବା ପ୍ରଥା ଭାରତରେ ଚିରାଚରିତ ଦେବଯୋଗ୍ୟ ସମ୍ମାନ ରୂପେ ଗୃହୀତ ହୋଇଆସିଛି । ଏତେ ବଡ଼ ସମ୍ମାନଦାତାଙ୍କୁ ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ୱ ଅନୁଗ୍ରହ କରିବେ ନାହିଁ ତେବେ, ଭବିଷ୍ୟତରେ ମୁଖ୍ୟମନ୍ତ୍ରୀଙ୍କୁ ଏପରି ସମ୍ମାନ କେହି ଆଉ ଦେବେକି ? ତେଣୁ ପରଦ୍ୱାରୀ ଆମରଣ-ଅନଶନ ଉଚ୍ଚଙ୍ଗ ତୋଷାମଦ ତୁଲ୍ୟ କାର୍ଯ୍ୟ କରେ ଓ ଅନଶନକାରୀ ଅନ୍ୟମାନଙ୍କ ବିଚାରରେ ମୁଖମନ୍ତ୍ରୀଙ୍କ ବିରୋଧୀ ହେଲେହେଁ ସ୍ୱୟଂ ମୁଖ୍ୟମନ୍ତ୍ରୀଙ୍କ ବିବେଚନାରେ ତାହାଙ୍କର ସ୍ତାବକ ହୋଇପଡ଼ନ୍ତି । ଏହି ପରିସ୍ଥିତି ସବୁ ଶ୍ରେଷ୍ଠ ଖୋସାମଦର ଲକ୍ଷଣ ଅନୁରୂପ ଅଟେ । ଏଣୁ ମୁଖ୍ୟମନ୍ତ୍ରୀ ଆମରଣ ଅନଶନକାରୀଙ୍କ ଅଭୀଷ୍ଟ ସିଦ୍ଧି କରିବାକୁ ଯତ୍‌ପରୋନାସ୍ତି ତତ୍‌ପର ହୋଇଥାନ୍ତି ।

 

ଯଦି ମୁଖ୍ୟମନ୍ତ୍ରୀମାନେ ଦ୍ୱାରଦେଶରେ ଆମରଣ ଅନଶନକାରୀଙ୍କୁ ପାଇଲେ ଆତ୍ମପ୍ରସାଦ ବୋଧ କରନ୍ତି, ତେବେ ସେମାନେ ଅଭୀଷ୍ଟ ସାଧନ କରିବାରେ କାଳକ୍ଷେପଣ କରନ୍ତି କାହିଁକି ? ଏହା ଏକ ଉତ୍ତମ ଜିଜ୍ଞାସା । ଦ୍ୱାରକୁ ଆସୁଥିବା ଭିକାରିର ଗୀତ ଯଦି ଅସୁଖକର ହୁଏ ତେବେ ପିଲେ ତାହାକୁ ଯାହାକିଛି ଦେଇ ତୁରନ୍ତ ବିଦାକରି ଦିଅନ୍ତି ଅଥଚ ଯଦି ଭିକାରିଟି ମିଠା ସୁରରେ ଗୀତ ଗାଉଥାଏ, ତେବେ ପିଲେ ଅଧିକ ସମୟ ଗୀତ ଶୁଣିବା ଲୋଭରେ ଭିକ ଦେବାରେ ବହୁ ବିଳମ୍ୱ କରିଥାନ୍ତି । ପ୍ରୀତିକର ଅବସ୍ଥାକୁ ଚଞ୍ଚଳ ତୁଟାଇ ଦେବାକୁ କେହି ଚାହେଁ ନାହିଁ । ଅତଏବ ଅନେକ ଦିନ ଧରି ଅଧିଆପଡ଼ିବା ପରେହିଁ ଗୁହାରି ଶୁଣାହୁଏ । ଯେତେବେଳେ ଅନୁମାନ ହୁଏ ଯେ, ଆମରଣ ଅନଶନକାରୀଙ୍କ କଥା ଶୁଣିବାରେ ଆଉ ବିଳମ୍ୱ କଲେ ସେ ଆଉ ଆମରଣ ଅନଶନ କରିବେ ନାହିଁ, ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭୀଷ୍ଟ ପୂରଣ କରନ୍ତି ।

 

ବଳବାନ ଦୁର୍ବଳକୁ ଆୟତ୍ତ କରିବା ପାଇଁ ୧ ମାସ, ୨ ଦାନ, ୩ ଦଣ୍ଡ, ୪ ଭେଦ ନୀତି ପ୍ରୟୋଗ କରିପାରେ ବୋଲି କୌଟଲ୍ୟାଦି ନୀତିଶାସ୍ତ୍ର ପ୍ରଣେତାମାନେ କହିଛନ୍ତି କିନ୍ତୁ ଦୁର୍ବଳ ବଳବାନକୁ ବା ବୁଦ୍ଧିହୀନ ବୁଦ୍ଧିମାନକୁ କି ଉପାୟରେ ଆୟତ୍ତ କରିପାରେ ତହା ଗୁହ୍ୟ ରଖିଛନ୍ତି । ବଳିଷ୍ଠ ବା ବୁଦ୍ଧିମାନର ମତକୁ ଦୁର୍ବଳ ବା ବୁଦ୍ଧିହୀନର ସ୍ୱାର୍ଥାନୁକୂଳ କରାଇବାର ଚିରାଚରିତ ସାଧନୋପାୟ ଅନଶନ, ଯାହାର ଆଧୁନିକ ସଂସ୍କରଣ ଆମରଣ ଅନଶନ । ପୂର୍ବେ ଅବଳାମାନଙ୍କର ଓ ଅଦ୍ୟାପି ଶିଶୁମାନଙ୍କର ଆନ୍ଦୋଳନର ପ୍ରଧାନ ଅବଲମ୍ୱନ ଅନଶନ । ମାରଧର, ଧର୍ମଘଟ, ହରତାଳ, ଲୁଟତରାଜ, ଘେରାଉ, ସତ୍ୟାଗ୍ରହ, ଅବରୋଧ ଆଦି ସାମୂହିକ ହୁଲସ୍ତୁଲ କରିବାଭଳି ପୌରୁଷ ଯାହାର ଥାଏ, ସେ ବା କାହିଁକି ଖୋସାମଦ କରିବାକୁ ଯିବ ? ତେଣୁ ପାମ୍ପୁଳିବା, ଅନୁନୟବିନୟ ବିକଳ ହେବା, ଗୁଣକୀର୍ତ୍ତନ କରିବା, ବତୀପେଲିବା ଆଦି କାର୍ପଣ୍ୟ ପରି ସବୁପ୍ରକାର ଅଧିଆପଡ଼ିବା ଦୁର୍ବଳମାନଙ୍କରହିଁ ଆଚରଣୀୟ ଅଟେ । ଏଥିରେ ପରୋକ୍ଷ ସ୍ୱୀକୃତି ଅଛି ଯେ, ଯାହାଦ୍ୱାରରେ ଧାରଣା ଦିଆଯାଇଛି, ସେ ଜଣେ ଦେବୋପମ ବ୍ୟକ୍ତି, ତେଣୁ ଦେବତାଙ୍କ ପରି ଗୁହାରିଆଙ୍କୁ ବରଦେବା ପ୍ରତ୍ୟାଶା ରହିଛି । ଧାରଣା ମଧ୍ୟରେ ଆମରଣ ଅନଶନ ଯେପରି ଶସ୍ତା ଓ ନିରାପଦ ସେପରି ଅବ୍ୟର୍ଥ ମଧ୍ୟ । ଅବଶ୍ୟ ମାମୁଲି ପ୍ରଶଂସାଗାନ, ଟେକପଡ଼, କର୍ଣ୍ଣେଜପତ୍ୱ, ଚାମଚାଗିରି ଆଦି ବହୁ ପରୀକ୍ଷିତ ଖୋସାମଦ ଏହା ଅପେକ୍ଷା ମଧ୍ୟ ଶସ୍ତା ପଡ଼ିପାରେ । ତେବେ ସେଥିରେ ଖୋସାମଦ ସାଧାରଣତଃ ଧରାପଡ଼ିଯାଏ, ଏଥିରେ କିନ୍ତୁ ଧରାପଡ଼େ ନାହିଁ । ଅଭୀଷ୍ଟସିଦ୍ଧି ପାଇଁ କରାଯିବା ଅନ୍ୟାନ୍ୟ ଆନ୍ଦୋଳନ ବ୍ୟୟସାପେକ୍ଷ । ଶିଳ୍ପପତିମାନେ ବଦାନ୍ୟ ହୋଇ କଳାଟଙ୍କା ନ ଦେଲେ କୌଣସି ଆନ୍ଦୋଳନ ତେଜେ ନାହିଁ । ସେଥିରେ ବ୍ୟାଜ୍‌ପିନ୍ଧି ଉତ୍ତେଜିତ ସ୍ୱରରେ ସ୍ଳୋଗାନ ଦେବାକୁ ଗୁଡ଼ିଏ ସ୍ୱେଚ୍ଛାସେବକ ଆବଶ୍ୟକ ପଡ଼ନ୍ତି । ସ୍ୱେଚ୍ଛାସେବକମାନଙ୍କର ଦୈନିକ ମଜୁରି ପ୍ରଚଳିତ ହାରରେ ଚଉଦ ଟଙ୍କା, ସଭା-ଶୋଭାଯାତ୍ରା ପାଇଁ ଲୋକ ବୁହାଇବାକୁ ଟ୍ରକ୍‌ଭଡ଼ା ପଡ଼େ, ପ୍ରଚାର ପାଇଁ ଜିପ ଖର୍ଚ୍ଚ, ଓ ମାଇକ୍‌ ଖର୍ଚ୍ଚ ଫାଷ୍ଟୁନ୍‌, ଲାଇଟ, ମଞ୍ଚସଜ୍ଜା ଆଦି ପାଇଁ ଖର୍ଚ୍ଚ ଓ ସଭା ପାଇଁ ସଭାପତି, ବକ୍ତା ଆଦିଙ୍କ ଖର୍ଚ୍ଚ ପଡ଼େ । ଅଥଚ ଆମରଣ ଅନଶନ ପାଇଁ ସର୍ବାଧିକ ଆବଶ୍ୟକତା ମାତ୍ର ଦିପଟମୂଳି ବାଉଁଶ (ନୂଆ କିଣିଲେ ତିନିଟଙ୍କା କିନ୍ତୁ ପରବର୍ତ୍ତୀ ଅନଶନକାରୀଙ୍କଠାରୁ ଅଧାଦାମରେ କିଣି ପରବର୍ତ୍ତୀ ଅନଶନକାରୀଙ୍କୁ ସେହି ଅଧା ଦାମରେ ବିକାଯାଇ ପାରେ); ବାଉଁଶକୁ ଖୁଣ୍ଟ ଓ ରୁଅ କରି ତାହା ଉପରେ ବିଛାଇବା ପାଇଁ ଗୋଟେ କାର୍ପାଲ (ଭଡ଼ା ଦୈନିକ ୫୦ ପଇସା, ହପ୍ତାକୁ ୩ ଟଙ୍କା ଓ ମାସକୁ ୧୦ ଟଙ୍କା) ପ୍ଲାକାର୍ଡ ପାଇଁ ଦୁଇଟି ବାଉଁଶ ପାତିଆର ଛାଙ୍କ (ଦାମ୍‌ ନୂଆ ଦୁଇଟଙ୍କା କିନ୍ତୁ ଅଧାଦାମରେ ପୁରୁଣା କିଣି ପୁଣି ବିକିଲେ ହାତରୁ ବାଜିବ ନାହିଁ), ଘରୁ ମସିଣା, ତକିଆ ଆଦି ଓ ଆଜେବାଜେ ଫୁଲର ମାଳ, ବାସ୍‌ ଏତିକି । ଫଳତଃ ମାତ୍ର ୧୦।୧୫ ଟଙ୍କାରେ ଦୀର୍ଘ ଏକମାସବ୍ୟାପୀ ଆମରଣ ଅନଶନ କଣ୍ଠରେ ଫୁଲମାଳ ଲମ୍ୱାଇ ଚଳାଯାଇ ପାରେ । ଏପରି ଆମରଣ ଅନଶନ କରାଯାଉ ନ ଥିଲେ ଏକମାସ ମଧ୍ୟରେ ଯିବା ଆସିବା ରିକ୍‌ସାଭଡ଼ାରେ, ନାଟକ ସିନେମା ଦେଖାରେ, ଫାଣ୍ଟାପିଆରେ, ଘରେ ବନ୍ଧୁଚର୍ଚ୍ଚାରେ ଯେତେ ଅର୍ଥ ବ୍ୟୟ ହୋଇଥାନ୍ତା ସେ ସବୁକୁ ହିସାବ କଲେ ଜଣାଯିବ ଯେ, ଆମରଣ ଅନଶନ ଏକ ଉତ୍ତମ ବ୍ୟୟ ସଂକୋଚ ଯୋଜନା । ଅତଏବ କେତେକ ଲୋକ ବାରମ୍ୱାର ଆମରଣ ଅନଶନ କରୁଥିବା ବିଚିତ୍ର ନୁହେଁ ।

 

କେହି କେହି ପ୍ରଶ୍ନ କରନ୍ତି ମୃତ୍ୟୁକୁ ଭ୍ରୂକ୍ଷେପ ନ କରି ଆମରଣ ଅନଶନ କରୁଥିବା ଲୋକେ ଛାର ଖରାବର୍ଷାକୁ ଡରି କାର୍ପାଲ୍‌ ଭିଡ଼ୁଛନ୍ତି କାହିଁକି ? ଜନସାଧାରଣଙ୍କ ମନରେ ଏହି ଅନଶନ ବିଷୟରେ ଭ୍ରମ ଧାରଣା ବଦ୍ଧମୂଳ ଥିବାରୁ ଏପରି ଶଙ୍କା ଜାତ ହେଉଛି । କିନ୍ତୁ ଆମରଣ ଅନଶନ ଆତ୍ମହତ୍ୟା ଉଦ୍ୟମ ନୁହେଁ, ତାହା ହୋଇଥିଲେ ପୁଲିସିବାଲେ ଫିଙ୍ଗଳକୋର୍ଡର ଦଫା ଖଞ୍ଜି ଫାଣ୍ଡିକି ଘୋଷାରି ନିଅନ୍ତେ । ଆମରଣ ଶବ୍ଦର ଅର୍ଥ ମରଣ ଯାଏଁ ବୋଲି ଧରିନିଆଯାଉଥିବାରୁ ଏପରି ଭ୍ରମ ଜନ୍ମୁଛି । ଆମରଣ ଅନଶନ ପ୍ରକ୍ରିୟାଟି ଆଧୁନିକ ମାତ୍ର ୫୦ ବର୍ଷ ପୂର୍ବେ ଏହାର ପ୍ରଚଳନ ନ ଥିଲା । ଅଭିବ୍ୟକ୍ତିଟିର ଅଭିଧାନିକ ଅର୍ଥ ମରଣଯାଏଁ ଅନଶନ ଏକ ବିପରୀତ ପ୍ରକ୍ରିୟା ମନେହେବ । କିନ୍ତୁ ମରଣ ପରେ ଅନଶନର ସମ୍ଭାବନା ନ ଥିବା ଯୋଗେ ମରଣ ଯାଏ ଅନଶନ ଅର୍ଥଟି ଯୁକ୍ତିଯୁକ୍ତ ନୁହେଁ । ସେହି ଅର୍ଥରେ ଦାବି ପୂରଣ, ଆମରଣ ଅନଶନର ଲକ୍ଷ୍ୟ ହେବ ନାହିଁ; କାରଣ ଦାବିପୂରଣ ଲକ୍ଷ୍ୟ ହୋଇଥିଲେ ଅନଶନଟିକୁ ମରଣ ଯାଏଁ ବୋଲି ନକହି ଦାବିପୂରଣ ଯାଏଁ ବୋଲି କୁହାଯାଆନ୍ତା, କିନ୍ତୁ ଆମରଣ ଅନଶନ ଜମାରୁ ମାରାତ୍ମକ ନୁହେଁ । ଦୀର୍ଘ ଅର୍ଦ୍ଧଶତାବ୍ଦୀର ଇତିହାସରେ ଆମରଣ ଅନଶନ କରି ଜଣେ ମାତ୍ର ଲୋକ ମରିଥିବା ଜଣାଯାଏ । ଜୀବନର ପ୍ରତ୍ୟାଶା ସମସ୍ତଙ୍କର ସସୀମ । ଯେତେ ଲୋକ ଆମରଣ ଅନଶନ କରିଛନ୍ତି, ତେତିକି ଲୋକ ପେଟେ ପେଟେ ଠୁଙ୍କି ବସି ରହିଲେ ବି ତନ୍ମଧ୍ୟରୁ ଜଣେ ମରିବା ଅସ୍ୱାଭାବିକ ନୁହେଁ, କାରଣ ମରଣର ସମ୍ଭାବନା କାହାର ନାହିଁ ? ଆମରଣ ଅନଶନଦ୍ୱାରା ଏହି ସମ୍ଭାବନା ବଢ଼ିବା ଜଣାଯାଇ ନାହିଁ । ପୁଣି ମରିଥିବା ଆମରଣ ଅନଶନକାରୀ ପୋଟ୍ଟି ଶ୍ରୀରାମୁଲୁ ପରଦ୍ୱାରରେ ଅନଶନ କରୁନଥିଲେ । ହଜାର ହଜାର ଲୋକ ପରଦ୍ୱାରରେ ଆମରଣ ଅନଶନ କଲେଣି, ସେମାନେ ଅନ୍ୟଥା ଦାବି ହାସଲ ପାଇଁ ଉଦ୍ୟତ ହୋଇଥିଲେ ବେଆଇନ ସଭା-ଶୋଭାଯାତ୍ରାରେ ଯୋଗ ଦିଅନ୍ତେ । ସଭା ଶୋଭାଯାତ୍ରା ପ୍ରତି ପୋଲିସ ମିଲିଟେରୀଙ୍କ ସ୍ୱାଭାବିକ ବୈରତା ଫଳରେ ଶହ ଶହ ଲୋକ ମରିଛନ୍ତି କିନ୍ତୁ ପରଦ୍ୱାରରେ ଆମରଣ ଅନଶନ ବେଶ୍‌ ନିରାପଦ । କେବଳ ‘ଆମରଣ’ ଶବ୍ଦଟି ନ ଜାଣିବା ଲୋକଙ୍କୁ ଅଯଥା ଆତଙ୍କିତ କରେ ।

 

ତେବେ ଏହି ଅନଶନ କାହିଁକି ଆମରଣ ବୋଲାଏ ? ଏ ସମ୍ପର୍କରେ ତ୍ରିବିଧ ମତ ମିଳୁଛି-। ଏକ ମତରେ ଆମରଣ ଏକ ବିଶେଷଣ ପଦ ଓ ଅନେକ ବେଳେ ବିଶେଷଣ ପଦଗୁଡ଼ିକ (ଯଥା:–ଶୁଭ-ବିବାହ, ପାଶବିକ ଅତ୍ୟାଚାର, ଅକାଳ ବିୟୋଗ, ପ୍ରିୟତମ କାନ୍ତା, କାନ୍ତ; ସଭାପତି ମହୋଦୟ, ଧର୍ମପତ୍ନୀ, ଅଣ୍ଡିରିପୁଅ, ମାଈଝିଅ, ଆପଣଙ୍କର ବିଶ୍ୱସ୍ତ ଆଦିର ବିଶେଷଣଗୁଡ଼ିକ) ସାର୍ଥକ ନହେବା ଭଳି ‘ଆମରଣ’ ଶବ୍ଦଟିର ଏଠାରେ ଅର୍ଥ ନାହିଁ । ଅଧିକାଂଶ ଆମରଣ ଅନଶନକାରୀ ଏହି ମତର ପୋଷକ କିନ୍ତୁ ତତ୍ତ୍ୱଜ୍ଞମାନେ ଭିନ୍ନ ମତ ପୋଷଣ କରନ୍ତି । ଅବଶ୍ୟ ଅନୁମେୟ କାରଣବଶତଃ ସେମାନେ ତାଙ୍କ ମତକୁ ପ୍ରଘଟ କରୁନାହାନ୍ତି । ଏହି ମତରେ ଆମରଣ ଶବ୍ଦ ‘ଅମରଣରୁ’ ଜାତ । ମଗଧରୁ ମାଗଧ, ବସୁଦେବରୁ ବାସୁଦେବ ଶବ୍ଦମାନ ନିଷ୍ପନ୍ନ ହେଲା ପରି ଆମରଣ ଅର୍ଥାତ୍‍ ଅମୃତତ୍ୱ ପ୍ରସୂତ ହେବାରୁ ଏହାର ନାମ ଆମରଣ ହୋଇଛି । କିନ୍ତୁ ଏହି ଗୁହ୍ୟମତଠାରୁ ଗୁହ୍ୟତର ଏକମତ ମୁଁ ଜନୈକ ପୋଖତ ଆମରଣ ଅନଶନକାରୀଙ୍କଠାରୁ ପାଇଛି-। ଏହି ମତରେ ଆମରଣ ଅନଶନ ପ୍ରକୃତରେ ତିନୋଟି ଶବ୍ଦର ସାମହାର: ୧-ଆମ, ୨-ରଣ, ୩-ଅନଶନ । ନଶନର ଅର୍ଥ ନାଶଶୀଳତା; ତେଣୁ ଅନଶନର ଅର୍ଥ ଯାହାର ବିନାଶ ନାହିଁ । ‘ଆମରଣ ଅନଶନ’ର ଅର୍ଥ ହେଲା ଆମର ସଂଗ୍ରାମ ଶାଶ୍ୱତ, ଇନକ୍ୱିଲାବ୍‌ ଜିନ୍ଦାବାଦ୍‍ ଏହି ଅର୍ଥରେ ଆମରଣ ଅନଶନକାରୀ ନିରାହାର ରହିବା ଅନାବଶ୍ୟକ । ଉପବାସୀମାନେ ଯଦି ଛେନା, ପାଳୁଅ, ଦହି, ସୁପକ୍ୱ ଫଳ, ଚୂଡ଼ାଘଷା ଆଦି ଗ୍ରାସକଲେ ଚଳୁଛି ଅନଶନକାରୀମାନେ କାହିଁକି ନିରାହାର ରହିବେ-? ପୋଖତ ଅନଶନକାରୀମାନେ ନିରାହାର ନରହିବା ପ୍ରମାଣ ମିଳୁଛି । ଜନୈକ ପ୍ରସିଦ୍ଧ ଧର୍ମଗୁରୁ ଆମରଣ ଅନଶନ ଆରମ୍ଭ କରିବାର ପଚାଶ ଦିନ ପରେ ମଧ୍ୟ ପ୍ରତ୍ୟହ ଝାଡ଼ା ଯାଉଥିବା ଖବର ପ୍ରକାଶ ପାଉଥିଲା । ଅତଏବ ପୋଖତ ମତରେ ଆମରଣ ଅନଶନ; ଆମରଣ ତ ନୁହେଁ ଅନଶନ ମଧ୍ୟ ନୁହେଁ ।

 

ଆମରଣ ଅନଶନକାରୀଙ୍କ ଦାବିଗୁଡ଼ିକର ଗଣ ଯୋଗାଯୋଗ ପ୍ରକ୍ରିୟା ସ୍ୱତନ୍ତ୍ର ଆଲୋଚନା ଦାବି କରେ । ଦେବତାଙ୍କ ଆଗରେ ଅଧିଆ ବେଳର ଗୁହାରିଗୁଡ଼ିକୁ ପ୍ଲାକାର୍ଡରେ ନାଲି ନୀଳ କାଳିରେ ଲେଖିବା ପ୍ରୟୋଜନ ନ ଥିଲା, କାରଣ ଦେବତାମାନେ ଅନ୍ତର୍ଯ୍ୟାମୀ ଓ ଭାବଗ୍ରାହୀ ଥିବା ଯୋଗେ ଅନ୍ତଃକରଣର ଭାବକୁ ଗ୍ରହଣକରୁଥିଲେ । ମଣିଷ ଆଗରେ ଧାରଣା ଦିଆ ଯାଉଥିବାରୁ ପ୍ଲାକାର୍ଡର ପ୍ରୟୋଜନୀୟତା ରହିଛି ଓ ଯେଉଁ ବ୍ୟକ୍ତିଙ୍କ ଦୁଆରେ ଅନଶନ ଅନୁଷ୍ଠିତ ହୁଏ, ତାହାଙ୍କୁ ପ୍ରାର୍ଥନା ଜଣାଇବା ଲକ୍ଷ୍ୟରେ ପ୍ଲାକାର୍ଡରେ ଲେଖା ହେଉଛି ବୋଲି ଏକ ସାର୍ବଜନୀନ ବିଶ୍ୱାସ ରହିଛି । କିନ୍ତୁ ଏ ବିଶ୍ୱାସ ଅମୂଳକ । ଧରାଯାଉ, ମୁଖ୍ୟମନ୍ତ୍ରୀଙ୍କ ନିବାସ ସମ୍ମୁଖ ଅନଶନ କଥା । ଅନଶନକାରୀଙ୍କ ଲକ୍ଷ୍ୟ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପ୍ରାର୍ଥନା (ପ୍ରଚଳିତ ଭାଷାରେ ଦାବି) ଜଣାଇବା କଥା ହୋଇଥିଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିବାସ ଆଡ଼କୁ ମୁହଁ କରି ବସନ୍ତେ । ଦାବି ଉଲ୍ଲେଖ କରିବା ପ୍ଲାକାର୍ଡଗୁଡ଼ିକୁ ସେହି ଆଡ଼କୁ ମୁହାଇଁ ରଖନ୍ତେ । କିନ୍ତୁ କେହି ସେପରି କରିବା ଏପର୍ଯ୍ୟନ୍ତ ଜଣାନାହିଁ । ସମସ୍ତେ ଦୂରକୁ ରାସ୍ତାକୁ ଦିଶିଲାଭଳି ପୂର୍ବମୁହାଁ ବସନ୍ତି ଓ ପ୍ଲାକାର୍ଡଗୁଡ଼ିକୁ ମୁଖମନ୍ତ୍ରୀଙ୍କ ନିବାସକୁ ପିଠିକରି ରାଜପଥକୁ ମୁହାଇଁ ରଖନ୍ତି । ପୁଣି ଦେଖାଯାଏ ଯେ, ପ୍ଲାକାର୍ଡଗୁଡ଼ିକ ଦୁଇଟି ଭାଷାରେ ଲେଖାହୁଏ, ଗୋଟିକରେ ଇଂରାଜୀରେ ଓ ଅନ୍ୟଟିରେ ଓଡ଼ିଆରେ, ଉଭୟରେ ଏକାକଥା ଲେଖାଥାଏ । ଏକମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବା କଥା ହେଲେ ଦୁଇଟି ଭାଷାରେ ପ୍ଲାକାର୍ଡ ଲେଖିବା ଆବଶ୍ୟକ ହୁଅନ୍ତା ନାହିଁ । ଅତଏବ ଅବଧାରଣୀୟ ଯେ, ପ୍ଲାକାର୍ଡ ଘୋଷିତ ଦାବିଗୁଡ଼ିକ ପଥଚାରୀ ଇତର ଲୋକଙ୍କ ପାଇଁ ହିଁ ଅଭିପ୍ରେତ । ଦେବତାମାନେ ଗୁହାରିଆଙ୍କ ମନକଥା ବୁଝିବା ପରି ମୁଖ୍ୟମନ୍ତ୍ରୀ ମଧ୍ୟ କିଛି ନ ଜାଣିଲେବି ସବୁ ବୁଝିବେ ଏପରି ସମ୍ମାନ ସୂଚାଇବା ଲକ୍ଷ୍ୟରେ ପ୍ଲାକାର୍ଡଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କୁ ଆଡ଼କୁ ମୁହାଇଁ ରଖାଯାଏ ନାହିଁ ।

 

ଦାବି ସହିତ ଅସମ୍ପୃକ୍ତ ଜନତାକୁ ଏସବୁ ଜଣାଇବାର ଉଦ୍ଦେଶ୍ୟ କ’ଣ ? ପ୍ଲାକାର୍ଡ ମାଧ୍ୟମରେ ଦାବି ପ୍ରଚାରର ଦୁଇଟି ମତଲବ; ଗୋଟିଏ ଗୂଢ଼ ଓ ଅନ୍ୟଟି ଗୂଢ଼ତର । ପରଦ୍ୱାରରେ ଆମରଣ ଅନଶନକାରୀମାନେ ପ୍ରାୟଶଃ ସଂକୀର୍ଣ୍ଣ ସ୍ୱାର୍ଥସିଦ୍ଧି ଲକ୍ଷ୍ୟରେ ଅନଶନ ଚଳାଇଥାନ୍ତି । ଭାଷାସୂତ୍ରରେ ପ୍ରଦେଶ ଗଠନ, ପଞ୍ଜାବୀ ସୁବା, ଗୋବଧ ନିବାରଣ, ସାମ୍ପ୍ରଦାୟିକ ଏକତା, ଗୁଜରାଟ ନିର୍ବାଚନ ଆଦି ବହୁଜନଙ୍କ ଆକାଂକ୍ଷାର ପୂରଣ ପାଇଁ ପରଦ୍ୱାରୀ ଅନଶନକାରୀମାନେ ଆଗ୍ରହୀ ହୋଇନଥାନ୍ତି । ସେମାନେ ଆଗ୍ରହୀ ହୁଅନ୍ତି ଅମୁକ ସ୍ଥାନରେ କଲେଜ ଖୋଲିବାପାଇଁ, କଲେଜ ଖୋଲାଗଲେ ସିଟ୍‌ ବଢ଼ାଇବା ପାଇଁ, ସିଟ୍‌ସଂଖ୍ୟା ବଢ଼ିଲେ ଅଧିକ ପିଲାଙ୍କୁ ଫେଲ୍‌ନକରିବା ପାଇଁ, ଫେଲ୍‌ ନକଲେ ଶିକ୍ଷିତ ବେକାରଙ୍କପାଇଁ ଚାକିରି ସୃଷ୍ଟିପାଇଁ ଚାକିରି ସୃଷ୍ଟିହେଲେ ତାହା ସ୍ଥାନୀୟ ଲୋକଙ୍କୁ ଦେବାପାଇଁ, ଦିଆଗଲେ ଚାକିରିରୁ ବଦଳି ନକରିବା ପାଇଁ ଇତ୍ୟାଦି ଇତ୍ୟାଦି ସୀମିତ ସ୍ୱାର୍ଥାନୁକୂଳ ବିଷୟରେ; ଭିତିରିଆ ମତଲବ ଥାଏ । ଆମରଣ ଅନଶନ ପରେ ତାଙ୍କ ପ୍ରତିଦ୍ୱିନ୍ଦ୍ୱୀଙ୍କୁ କିସ୍ତିମାତ କରି କଳେଜ କମିଟିର ସଭାପତି ହୋଇ ଚାନ୍ଦା ସଂଗ୍ରହ, କରିବା ନିଜର ବାଳୁଙ୍ଗା ପୁଅ ପୁତୁରାଙ୍କୁ ସିଟ୍‌ ଦେଇ ଅଧ୍ୟାପକମାନଙ୍କ ଜରିଆରେ କପି ଯୋଗାଇ ପାସ୍ କରାଇ ସେଇଠାରେ ଚାକିରି ଯୋଗାଇ ଦେବା, ଅନଶନକାରୀଙ୍କ ଦାବିଗୁଡ଼ିକ ତାହାଙ୍କର ବ୍ୟକ୍ତିଗତ ମୁନାଫା ହାସଲପାଇଁ ଉଦ୍ଦିଷ୍ଟ ନୁହେଁ, ଏହି ବିଷୟରେ ଜନସାଧାରଣଙ୍କର ଆଗ୍ରହ ରହିଛି, ଏପରି ଏକ ମିଥ୍ୟା ଆବହାଓ୍ୱା ସୃଷ୍ଟି କରାଯାଇ ପାରିଲେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷେ ଦାବି ପୂରଣ କାର୍ଯ୍ୟଟି ସହଜ ହୋଇପାରିବ । ଏହି ଲକ୍ଷ୍ୟରେ ଜନସାଧାରଣଙ୍କ ମଧ୍ୟରେ ଦାବିଗୁଡ଼ିକର ପ୍ରଚାର ହୁଏ । ଉଦାସୀନ ଜନତାଙ୍କୁ ଦାବି ଅବହିତ କରାଇବା କି ସହଜସାଧ୍ୟ ! ଆଜିକାଲିକା ସାମ୍ୱାଦିକମାନେ ଆଉ ବରାପକୋଡ଼ି ସ୍ତରରେ ନାହାନ୍ତି; ପୂରାପୂରି ମାର୍କିନମାର୍କା ହେଲେଣି । ସେମାନଙ୍କୁ କୁହାବୋଲା କରି ଛାପାଖାନାକୁ ଦୌଡ଼ାଦୌଡ଼ି କଲେ ମଧ୍ୟ ଆମରଣ ଅନଶନକାରୀଙ୍କ ଦାବି ପ୍ରକାଶଯୋଗ୍ୟ ବିବେଚିତ ହୁଏ ନାହିଁ । ଅନ୍ୟଥା ଖବରକାଗଜ ବଣ୍ଡିଲ ପୋଡ଼ାହେବା ଧମକ ଯୁକ୍ତ ହେଲେହେଁ ଜୋର ଜବରଦସ୍ତି–ଦଙ୍ଗାହାଙ୍ଗାମା–ଧୁରନ୍ଧର ଯୁବନେତାମାନଙ୍କର ଦୀର୍ଘ ବିବୃତି ଖବରକାଗଜର କଲମ କଲମ ମାଡ଼ିବସେ । ତେଣୁ ଅନ୍ୟୋପାୟ ଆମରଣ ଅନଶନକାରୀ ପ୍ଲାକାର୍ଡ ମାଧ୍ୟମରେ ଜନସାଧାରଣଙ୍କୁ ଦାବି ଜଣାଇଥାଏ । ଏହା ହେଲା ପ୍ଲାକାର୍ଡ ଲେଖାର ଗୂଢ଼ ମତଲବ; ଗୂଢ଼ତର ମତଲବଟି ଅନଶନକାରୀଙ୍କର ବ୍ୟକ୍ତିଗତ ଆଗ୍ରହ । ଜନତା ଏ ଦାବିଗୁଡ଼ିକୁ ପଢ଼ନ୍ତୁ କି ନ ପଢ଼ନ୍ତୁ, ଏହି ପ୍ଲାକାର୍ଡଗୁଡ଼ିକ କିନ୍ତୁ ଆବଶ୍ୟକ । କାହିଁକି ନା, ଅନଶନକାରୀମାନେ ଅନଶନ ବେଳର ଫଟୋ ଉଠାଇଥାନ୍ତି । ଫଟୋ ଉଠିଲା ବେଳେ ଅନଶନକାରୀଙ୍କ ଦୁଇପଟେ ଦୁଇଟି ପ୍ଲାକାର୍ଡରେ ଦାବିଗୁଡ଼ିକ ଲେଖାଥିଲେ ତାହା ଫଟୋକୁ ଆସିଥାଏ । ଏତଦ୍ଦ୍ୱାରା ଅନଶନକାରୀଙ୍କର ବଂଶଧରମାନେ ଫଟୋ ଦେଖି ତାହାଙ୍କର ପୂର୍ବପୁରୁଷ କେଉଁ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ ତାହା ଅକ୍ଳେଶରେ ଜାଣିପାରିବେ । ସୁଦୂର ଭବିଷ୍ୟତକୁ ଓଡ଼ିଶା ଭାଷା ନ ଥିବା ଆଶଙ୍କାରେ ଇଂରାଜୀରେ ମଧ୍ୟ ଦାବି ଲେଖାଯାଏ । ଆଉମଧ୍ୟ ଅନେକ ଆମରଣ ଅନଶନକାରୀ ଅନେକବାର ତାହା କରୁଥିବାରୁ ଦାବିଲେଖା ପ୍ଲାକାର୍ଡ ଫଟୋରେ ନ ଥିଲେ ସେ କି ଉଦ୍ଦେଶ୍ୟରେ ଆମରଣ ଅନଶନ କରୁଥିଲେ, ନିଜେ ମଧ୍ୟ ଜାଣିବା କଷ୍ଟକର ହେବ ।

 

ଉପସଂହାରରେ ବକ୍ତବ୍ୟ ଏହି ଯେ, ଆମରଣ ଅନଶନ ଗଣତନ୍ତ୍ରର ନାଡ଼ି ସ୍ୱରୂପ ଅଟେ-। ପ୍ରଜାବିଶେଷଙ୍କ ଆବେଦନ ପ୍ରତି କର୍ତ୍ତୃପକ୍ଷ କେତେଦୂର ସଚେତନ, ତାହା ଏହାର ବିଦ୍ୟମାନତାରୁ ଜଣାପଡ଼େ । ମୁଖ୍ୟମନ୍ତ୍ରୀଙ୍କ ଭବନ ଆଗରେ ଆମରଣ ଅନଶନକାରୀଙ୍କ ଉପସ୍ଥିତି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ବଢ଼ାଇବାରେ ସହାୟକ ହୋଇଥାଏ, ଅଧିକନ୍ତୁ ଏହା ମୁଖ୍ୟମନ୍ତ୍ରୀଙ୍କୁ ଦେବତ୍ୱବୋଧ ଦେଇଥାଏ । ଅତଏବ ଭବିଷ୍ୟତର ସରକାରୀ କଳର କର୍ମକର୍ତ୍ତାମାନେ ତାଙ୍କ ନେତାଙ୍କ ବାସଭବନ ଆଗରେ ଆମରଣ ଅନଶନକାରୀଙ୍କୁ ଅଧିକ ସଂଖ୍ୟାରେ ମୁତୟନ କରିବାକୁ ଯିବେ, ଏପରି ଆଶା କରାଯାଇ ପାରେ । ଜଣେ ଆମରଣ ଅନଶନକାରୀ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ସ୍ଫୀତ କରାଉଥିବାରୁ ସେ ବିରୋଧୀ ଦଳର ସମର୍ଥକ ହେବା ସମ୍ଭାବନା ନାହିଁ, ବର୍ତ୍ତମାନ ପାଇଁ ଏତିକି କୁହାଯାଇ ପାରେ ।

Image

 

ସମସ୍ୟା ବିଧାୟକ ସଂସଦ

 

(ମତାମତ ପାଇଁ ଲେଖକ ଦାୟୀ ନୁହନ୍ତି, ପାଠକ ନିଜ ଦାୟିତ୍ୱରେ ପଢ଼ିବେ)

 

ଆମ ଓଡ଼ିଶାର ସାମ୍ୱାଦିକତା ଯେ ତଥାପି ଅପରିପକ୍ୱ ଅବସ୍ଥାରେ ରହିଛି ତାହାର ଏକ ବଡ଼ ଦୃଷ୍ଟାନ୍ତ ଏବେ ନିକଟରେ ମିଳିଛି । ଇତି ମଧ୍ୟରେ ଓଡ଼ିଶାର ନୂଆ ରାଜଧାନୀ ନୂଆ ରାଜଧାନୀ (ଏଠାରେ ମୁଦ୍ରଣ ଦୋଷ କି ପୁନରୁକ୍ତି ଦୋଷ ଘଟିବା ସନ୍ଦେହ କରନ୍ତୁ ନାହିଁ ପ୍ରଥମ ନୂଆ ରାଜଧାନୀଟି ବିଶେଷଣ ପଦ ଏବଂ ଶେଷୋକ୍ତ ନୂଆ ରାଜଧାନୀଟି ନାମବାଚକ ବିଶେଷ୍ୟ ପଦ ମାତ୍ର) ଠାରେ ‘ସମସ୍ୟା ବିଧାୟକ ସଂସଦ’ର ଆନୁଷ୍ଠାନିକ ପ୍ରତିଷ୍ଠା ଉତ୍ସବ ଯଥାବିଧି ପାଳିତ ହୋଇଗଲା । ସଂସଦର ଉଦ୍‌ଘାଟକଙ୍କର ଉକ୍ତିକୁ ଉଦ୍ଧାର କରି କହିବାକୁ ଗଲେ ଏହି ନବଗଠିତ ଅନୁଷ୍ଠାନଟିର ଉଦ୍‌ଘାଟନ ସହ ଏ ଦେଶରେ ଏକ ନୂତନ ଯୁଗର ଉଦ୍‌ଘାଟନ ହୋଇଛି । ଏହି ଘାଟଣାଟି ଅନ୍ୟ କୌଣସି ଦେଶରେ ଘଟିଥିଲେ ସେ ଦେଶର ସମ୍ୱାଦପତ୍ରମାନେ ଖବରଟିକୁ ସର୍ବବୃହତ୍‌ ଲିପିରେ ପ୍ରଥମ ପୃଷ୍ଠାରେ ପ୍ରକାଶ କରି ନିଜକୁ ଶ୍ଳାଘ୍ୟ ମନେକରନ୍ତେ ଏବଂ ଅନୁକୃତି-ପ୍ରୀତିବଶରୁ ଆମ ଦେଶର ସମ୍ୱାଦପତ୍ରଗୁଡ଼ା ମଧ୍ୟ ସେହିଭଳି ଶିରୋନାମା ଦେବାକୁ ପଛାନ୍ତେ ନାହିଁ କି ଏହି ଘଟଣା ସମ୍ପର୍କରେ ସମାଜ ମଡେଲର ସାତକଲମିଆ ସମ୍ପାଦକୀୟକୁ କ୍ରମଶଃ ଛାପି ଲାଗିବାକୁ କୁଣ୍ଠିତ ହୁଅନ୍ତେ ନାହିଁ । ଅଥଚ, ଦୁର୍ଭାଗ୍ୟର କଥା, ସଂସଦର ପ୍ରତିଷ୍ଠା ସମ୍ୱାଦ କୌଣସି ଗୋଟିଏ ହେଲେ ସମ୍ୱାଦପତ୍ରରେ, ହେଉପଛେ ବିଜ୍ଞାପନ ସନ୍ଧିରେ, ଶିରୋନାମା ବିବର୍ଜିତ ଦୁଇଧାଡ଼ି ସ୍ଥାନ ପାଇଲା ନାହିଁ । ଏହାକୁ ସାମ୍ୱାଦିକତାର ଅଧୋଗତି କହିବା ନାହିଁ ତ କ’ଣ ଆଉ କହିବା ? ଏବଂ କାହାକୁ ଆଉ କହିବା ?

 

‘ସମସ୍ୟା ବିଧାୟକ ସଂସଦ’ ରାଜନୀତିକ ଗଡ଼ିଆକୁ ଗୋଳିଆ କରି ମାଛ ମାରିନେବାକୁ କାଛାଭିଡ଼ି ବାହାରି ପଡ଼ିଥିବା ଦଳତ୍ୟାଗୀଙ୍କ ଦଳ ନୁହେଁ ଏବଂ ଏହା କୌଣସି ବ୍ୟକ୍ତିବିଶେଷଙ୍କର ଖିଆଲରୁ ଜନ୍ମି ନାହିଁ । ଦେଶରେ ଗଣତନ୍ତ୍ରର ସୁରକ୍ଷା ଲାଗି ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି-। ଏହା ସର୍ବବାଦସମ୍ମତ ଯେ ଯୋଜନାର କରାଳ କବଳରେ ଦେଶରୁ ଯାବତୀୟ ସମସ୍ୟା କ୍ରମେ ଦୂର ହୋଇଯାଉଛି । ଏ ପ୍ରକ୍ରିୟା ଅଧିକକାଳ ଚାଲିଲେ ଦେଶରୁ ସମସ୍ତ ସସମ୍ୟା ବିଲ୍‌କୁଲ୍‌ ମୂଳପୋଛ ହୋଇଯିବା କିଛି ବିଚିତ୍ର ନୁହେଁ । ତାହାହେଲେ ପରିଣାମଟି ବାସ୍ତବରେ କି ଭୟାବହ ହେବ ଅବଧାରଣା କରିହେଉ ନାହିଁ । ଏବହୁଁ ସେଥିଲାଗି ସଜାଗ ନ ରହିଲେ ଶେଷକୁ ନେଡ଼ିଗୁଡ଼ କହୁଣିକୁ ବୋହିଯାଇ ଆବସ୍ଥା ଅଣଆୟତ୍ତ ହୋଇପଡ଼ିବ । କହିଲେ ବାହୁଲ୍ୟ ହେବ ଯେ ଦେଶରେ ସମସ୍ୟା ହୋଇ କିଛି ନ ରହିଲେ ରାଜନୀତିକ ଦଳମାନଙ୍କର ଆବଶ୍ୟକତା ଆଉ ରହିବ ନାହିଁ । ଯେବେ ଦେଶରେ ରାଜନୀତିକ ଦଳମାନ ନ ରହିବେ ତେବେ ଗଣତନ୍ତ୍ର ଅଚଳ ହୋଇଯିବ, ଅରାଜକତା ଗ୍ରାସ କରିବ । ଏହି ପରିସ୍ଥିତିରେ ଯୋଜନାକୁ ରୁଗ୍‌ଣ ଛୁଟି ଦେଇ ସମସ୍ୟାମାନଙ୍କୁ ପୁନରୁଜ୍ଜୀବିତ କରିବାକୁ ରାଜାଜୀଙ୍କ ପରି କେହି କେହି ମତ ଦେଇ ପାରନ୍ତି । କିନ୍ତୁ ସେ ସ୍ଥଳେ ଦି ଓଳି ଚୁଲି ଜାଳିବାକୁ କି ଦି ଚାଖଣ୍ଡ ଭଲକରି ପିନ୍ଧିବାକୁ ତ ଆମେ ପାରିବା ନାହିଁ, ଫମ୍ପା ଗଣତନ୍ତ୍ରଟାକୁ ସୁରକ୍ଷିତ କରି ଆମେ ଚୋପାଟା ଲାଭ ପାଇବା ? ଗଣତନ୍ତ୍ର ପଛେ ଚୁଲିକି ଯାଉ, ଆମ ଚୁଲି ଜଳୁ । ତେଣୁ ଯୋଜନାକୁ ରୋକି ହେବ ନାହିଁ କି ସମସ୍ୟା ସଂସାରରେ ତାହାର କଳକୀ ଅବତାର ଭୂମିକାକୁ ବଦଳାଇ ହେବ ନାହିଁ । ତାକୁ ଅପରିହାର୍ଯ୍ୟ ବୋଲି ଗ୍ରହଣ କରିବାକୁ ହିଁ ହେବ-। ସେପରି ସ୍ଥଳେ କି ଉପାୟରେ ସମସ୍ୟାକୁ ରକ୍ଷା କରାଯାଇ ପାରେ ଏହା ନେଇ ବୈଜ୍ଞାନିକ ପ୍ରଣାଳୀରେ ଅନୁସନ୍ଧାନ କରାଯିବାରୁ ଦେଖାଯାଇଛି ଯେ ନୂତନ ନୂତନ ସମସ୍ୟାମାନ ସୃଷ୍ଟି କରିବା ହିଁ ଉପସ୍ଥିତ ଅବସ୍ଥାରେ ଆମ୍ଭର କର୍ତ୍ତବ୍ୟ । ଏହି ମହାନ୍‌ ଦାୟିତ୍ୱ ‘ସମସ୍ୟା ବିଧାୟକ ସଂସଦ’ ଗ୍ରହଣ କରିଛି ।

 

ଯୋଜନା-ଟ୍ରାକ୍ଟର ଚାଲନ୍ତେ ସମସ୍ୟା-ହିଡ଼ିମାନ ଉଭାନ ହୋଇଯିବାରୁ ବନ୍ଦୋବସ୍ତ ବାବୁମାନେ ମୁଣ୍ଡରେ ହାତ ଦେଇ ବସିଲେଣି । ଉଦାହରଣ ସ୍ୱରୂପ ଗୋଟିଏ କଥା କୁହାଯାଉ । ୧୯୪୭ ଆଗେ ବିଦେଶୀ ଶାସନ ଏକ ବଡ଼ ସମସ୍ୟ ଥିଲା । ତାହା ନେଇ ସଭାସମିତି, ବକ୍ତୃତା, ସତ୍ୟାଗ୍ରହ ଆଦି ପାଇଁ ନେତାମାନଙ୍କୁ ବେଳ ଅଣ୍ଟୁ ନ ଥିଲା । ହନୁମାନଠାରୁ ଗୁଣ୍ଡୁଚି ମୂଷା ଯାଏଁ ସମସ୍ତେ ସେ ସମସ୍ୟା ସାଗରରେ ସେତୁ ବାନ୍ଧିଲେ । ଦେଖୁଦେଖୁ ପରାଧୀନତା ସମସ୍ୟା ତୁଟିଗଲା-। ସମସ୍ୟା ତୁଟିଯିବାରୁ ଲୋକଙ୍କ ମନର ଉତ୍ସାହ ଗଲା । ଆଗେ ଯେଉଁଠି ସଭା ହେଲେ ନେତା ଖାଲିପାଟିରେ କହୁ କହୁ ଲୋକେ ଉଦ୍‌ଗ୍ରୀବ ହୋଇ ଶୁଣୁଥିଲେ ଏବେ ସେଠି ସଭା କଲାବେଳକୁ ସଭା ଶେଷକୁ ନାଟତାମସା, ଗାନାବାଜନା ଇତ୍ୟାଦି ଆୟୋଜନ କଲେ ସୁଦ୍ଧା, ସଭା ଆରମ୍ଭରେ ମାଳେ ମାଳେ ଫୁଲ କି ପାଟିଏ କରି ଚନ୍ଦନ ଦେଲେ ସୁଦ୍ଧା, ଖବର କାଗଜରେ ତୁହାଇ ତୁହାଇ ନିବେଦନ ଛାପିଲେ ସୁଦ୍ଧା, ମାଇକ୍‌ ଖଞ୍ଜି ଲୋକଙ୍କ କାନ ଅତଡ଼ା ପକାଇ ଦେଲେ ସୁଦ୍ଧା ଶ୍ରୋତା ଗଣ୍ଡେ ଛଅଟା ଦୁର୍ଘଟ ହେଉଛନ୍ତି । ଯେଉଁ କେତେଟା ଲୋକ ବସି ରହୁଛନ୍ତି ସେତକ ସଭାପତିଙ୍କ ମୁହଁକୁ ଚାହିଁ । ଉଦ୍ୟୋକ୍ତାଙ୍କ ବାଟଓଗଳାକୁ ଦେଖି ରହିଯାଉଛନ୍ତି ସିନା, କର୍ଣ୍ଣମନ ଦେଇ ଶୁଣିବା ଦେଖାଯାଉ ନାହିଁ । ଲୋକେ ଶୁଣିବାକୁ ଆଗ୍ରହୀ ନ ହେବା ଅନୁଭବ କରି ବକ୍ତା ହତୋତ୍ସାହ ହୋଇ ପୂର୍ବର ଭଳି ବକ୍ତବ୍ୟ ବକ୍ତୃତାଟିଏ ଦେଇ ପାରୁନାହାନ୍ତି । ବକ୍ତା ବକ୍ତୃତାକୁ ଆଉ ପାରୁନାହାନ୍ତି ଜାଣି ଆରଥରକୁ ସେ ବକ୍ତୃତା ଦେବାକୁ ଯାଉଛନ୍ତି ବୋଲି ଶୁଣିଲେ ଶ୍ରୋତା ଜମା ଘରୁ ବାହାରୁନାହାନ୍ତି । ଶ୍ରୋତାଙ୍କୁ ସଭାସ୍ଥଳକୁ ଆଡ଼େଇ ନେବାକୁ ଆମ ଦେଶରକ୍ଷା ବାହିନୀଟାକୁ ନିଯୁକ୍ତ କରିଦେଲେ ସୁଦ୍ଧା ବକ୍ତାଙ୍କ ବକ୍ତୃତା ଆଉ ଯଥାପୂର୍ବଂ ନ ହୁଏ । ସମସ୍ୟାମାନ ଯେତେବେଳେ ଚାଲି ଯାଉଛନ୍ତି ବକ୍ତା କିଂକର୍ତ୍ତବ୍ୟବିମୂଢ଼ ହୋଇ ତାହାର ଗଲାବାଟକୁ ହତାଶ ହୋଇ ଅନାଇ ରହିବା ଛଡ଼ା ଅନ୍ୟ କିଛି ଚିନ୍ତା କରିପାରୁନାହାନ୍ତି । ଉଷାଗମନରେ ଗୋଟି ଗୋଟି ତାରକା ଉଭେଇଯିବା ଦେଖିଲେ ରାତ୍ରିଚର ଯେଉଁ ମାନସିକ କ୍ଳାନ୍ତି ଭୋଗ କରେ, ବକ୍ତାଠାରେ ତାହାହିଁ ଦେଖାଯାଉଛି । ସ୍ୱାଧୀନତା ମିଳିଗଲା, ରାଜାରାଜୁଡ଼ା ଗଲେ, ଜମିଦାରୀ ଉଚ୍ଛେଦ ହୋଇଗଲା, ଓଡ଼ିଶାର ରାଜଧାନୀ ଚଉଦୁଆରରେ ହେବ କି ରଙ୍ଗେଇଲୁଣ୍ଡାରେ ହେବ ଏହା ନେଇ ବିବାଦ ଘନେଇ ଆସିଲା ବେଳକୁ ଭୁବନେଶ୍ୱରରେ ହୋଇଗଲା, ରାଜ୍ୟଗୁଡ଼ିକର ଭାଷାଭିତ୍ତିରେ ପୁନର୍ଗଠନ ହୋଇଗଲା, ଭାରତର ଖାଦ୍ୟ ଉତ୍ପାଦନ ବଢ଼ିଗଲା, ତେଲେଙ୍ଗାନା, ପଞ୍ଜାବୀ ସୁବା ଆଦି ସମସ୍ୟା ଗଲା, କାଶ୍ମୀରରୁ ସଦର-ଇ-ରିମସତ୍ ପଦ ଉଠିଲା, ଶେକ ଅବ୍‌ଦୁଲା ଫେର୍‌ ଗାଦିନସିନ୍‌ ହୋଇଗଲେ–ଏଭଳି ଶତଶତ ସମସ୍ୟା ଇତିହାସ ଗର୍ଭକୁ ଚାଲିଗଲା । ସେହିପରି ପାକିସ୍ଥାନ ସହ ଆମର ଗୋଟିଏ ଚିରାଚରିତ ସମସ୍ୟା ରହିଥିଲା ଯେ ଇନ୍ଦିରାଗାନ୍ଧୀଙ୍କ ଏକା ଚୋଟରେ ତାହା ଦିଗଡ଼ ହୋଇଗଲା । ଆଉ ଏବେ ଚୀନର ଶାସକଦଳ ତାଙ୍କ ରଙ୍ଗ ହଠାତ୍‌ ବଦଳାଇ ଦେଲେଣି ବୋଲି ଜ୍ୟୋତିଷୀମାନେ ଚୀନ-ଭାରତ ଯୁଦ୍ଧ ପୁଣି ଲାଗିବା କଥା ଆଉ ଲେଖୁନାହାନ୍ତି । ଆମ ସମ୍ୱିଧାନଟା ଏପରି ହୋଇଛି ଯେ ରାଷ୍ଟ୍ରପତି ନିର୍ବାଚନ ଭଳି ସମସ୍ୟାଗୁଡ଼ିକୁ ଛ’ମାସରୁ ଅଧିକ କାଳ ଗଡ଼େଇ ହେଉନାହିଁ । ଆଉ ଏବେ ପୁଣି ଉଠିଥିବା ମିଜୋ ସମସ୍ୟା (ଏହାକୁ ଫେଣେଇ ଦେଖିଲେ ଦେଶ ପକ୍ଷରେ ଏକ ଶୁଭଲକ୍ଷଣ ବୋଲିବାକୁ ହେବ, କାରଣ ଏପରି ସମସ୍ୟା ସର୍ବଭାରତୀୟ ସ୍ତରରେ ଉଠିବାର ଉଜ୍ଜ୍ୱଳ ସମ୍ଭାବନା ରହିଛି) ପାଇଁ ପୋଟ୍ଟି ଶ୍ରୀରାମୁଲୁ ଜଣେ ମିଳିଗଲେ ସମସ୍ୟା ଉଭେଇ ଯିବ । ତେଣିକି ତାହା ଯଦି ଚାଲିଯାଏ ଆମ ରାଜନୀତିର ରଥୀମାନେ କ’ଣ ଚର୍ଚ୍ଚା କରି ଆଉ ବକ୍ତୃତା ଦେବେ ? ସମସ୍ୟା କାହିଁ-? ତେଣୁ ବକ୍ତାଙ୍କୁ ‘ବାନ୍ଧ୍ ବାନ୍ଧ୍ ଦଉଡ଼ି ପିଟ୍‌ ପିଟ୍‌ ଠେଙ୍ଗା’ର ନବସଂସ୍କରଣ ଘେରାଉ କରିବା ଭୟ ଦେଖାଇ ବକ୍ତୃତା ଦାବି କଲେ ବି ତାଙ୍କ ତୁଣ୍ଡ ଆଉ ମୁଖର ନ ହୁଏ । ବକ୍ତାଙ୍କର, ଏବଂ ଯେହେତୁ ସବୁ ରାଜନୀତିକ ନେତା ଜଣେ ଜଣେ ବାଗୀଶ, ତେଣୁ ସେ ସମସ୍ତଙ୍କର ମାନସିକ ଜଡ଼ତା ଆସିଗଲାଣି । ଏହା ଦେଶ ପକ୍ଷରେ ଏକ ମସ୍ତବଡ଼ ଅଶୁଭ ଶକୁନ । ଅଳ୍ପ କଥାରେ କହିବାକୁ ଗଲେ ସମସ୍ୟାମାନଙ୍କର ହ୍ରାସ ହିଁ ଆଜିର ସର୍ବ-ବୃହତ୍ ସମସ୍ୟା ।

 

ଆମର ନେତାମାନେ ସ୍ୱାଧୀନତା ସଂଗ୍ରାମରେ ଝାସଦେଇ ନିଜ ଜୀବନକୁ ତ ବିପନ୍ନ କରିଥିଲେ, ବହୁତ ତ୍ୟାଗ କରିଥିଳେ ମଧ୍ୟ । ସେମାନେ ସମସ୍ତେ ଏକନିଷ୍ଠ ସାଧକ ହେତୁ ରାଜନୀତି ଛଡ଼ା ଆଉ କୌଣସି ଜୀବିକାର୍ଜନର ପନ୍ଥା କେହି ସାଧନ କରି ନାହାନ୍ତି । ବର୍ତ୍ତମାନ ଯେଭଳି ସମସ୍ୟାମାନ ଉଭେଇ ଯାଉଛନ୍ତି ଏପରି ଚାଲିଲେ ବର୍ଷ କେତେଟାରେ ରାଜନୀତି ସହଜେ ଉଭେଇ ଯିବ ଏବଂ ଟୋକାମାନେ ଦଳପାଇଁ କେବଳ ଗଡ଼ିଆ ପୋଖରୀ ଖୋଜି ବୁଲିବେ । ସେତେବେଳକୁ ଆମର ନେତୃସ୍ଥାନୀୟ ପୁରୁଖା ଲୋକ ସମ୍ପୂର୍ଣ୍ଣ ବେକାର ହୋଇପଡ଼ିବେ, ଏହା ନିଃସନ୍ଦେହ । କାରଣ ତାଙ୍କୁ ଅନ୍ୟ ପନ୍ଥା ମାଲୁମ୍‌ ନାହିଁ । ଏ ପରିଣତ ବୟସରେ ତାଙ୍କୁ ଏଭଳି ହଟହଟାରେ ପକାଇଲେ ଏ ଦେଶର କୃତଘ୍ନତା ହିଁ ପ୍ରକାଶିତ ହେବ । ତେଣୁ ରାଜନୀତି ଚାଲୁରଖିବା ଦରକାର, ତେଣୁ ରାଜନୀତିକ ଦଳମାନଙ୍କୁ ବଞ୍ଚାଇବା ଦରକାର, ତେଣୁ ସମସ୍ୟାମାନ ଯୋଗାଇବା ଦରକାର । ଅନ୍ୟାନ୍ୟ ବହୁ କାରଣରୁ ମଧ୍ୟ ସମସ୍ୟାମାନଙ୍କୁ ବଞ୍ଚାଇ ରଖିବାକୁ ହେବ । ସମ୍ୱାଦପତ୍ରମାନ ସମସ୍ୟା ବିନା ମୁଦ୍ରଣଯୋଗ୍ୟ ବିଷୟ ପାଇବେ ନାହିଁ (ନାନାବତୀ ମାମଲା, ବା ଚୌହାନଙ୍କ ଚଟିମାଡ଼କୁ ନେଇ ସମ୍ୱାଦପତ୍ରମାନେ ସ୍ତମ୍ଭ ପୂର୍ଣ୍ଣ କରିବା ଅଥବା ଭଞ୍ଜଜୟନ୍ତୀ ଉତ୍ସବରେ ଭାଗ ନେଇଥିବା ସମସ୍ତଙ୍କର ନାମ ପ୍ରକାଶ କରିବା ପଛରେ ଏହି କାରଣଟି ରହିଛି) । ପୁଣି, ସମସ୍ୟା ବିନା ତାହା ବିକ୍ରିତ ହେବ ନାହିଁ । ବିକ୍ରିତ ନହେଲେ ଉତ୍କଳ ପ୍ରସଙ୍ଗ ଭିନ୍ନ ଅନ୍ୟଗୁଡ଼ିକ ମୁଦ୍ରିତ ହେବେ ନାହିଁ, ତହୁଁ ସାମ୍ୱାଦିକଙ୍କ ଅବସ୍ଥା ଦିଅଣ୍ଡା ଦିକଡ଼ା । ସ୍ମରଣଥାଉ ଯେ ସମ୍ୱାଦପତ୍ର ବିନା ଗଣତନ୍ତ୍ର ଅଚଳ ।

 

ଏ ତ ଗଲା ରାଜନୀତିକ ସମସ୍ୟାମାନଙ୍କର ବିଚାର । ଅନ୍ୟାନ୍ୟ ସକଳ ସ୍ତରରେ ମଧ୍ୟ ସମସ୍ୟାର ଦୂରୀକରଣ ବ୍ୟବସ୍ଥା ଚାଲିଛି । ସରକାରୀ ପ୍ରୋତ୍ସାହରେ ଯେପରି ସାହିତ୍ୟିକ ସମ୍ମେଳନ ମାନ ଅନୁଷ୍ଠିତ ହେଉଛି, କୌଣସି ପ୍ରକାଶକ ଛାପୁନଥିବା ଗ୍ରନ୍ଥକୁ ସାହିତ୍ୟ ଏକାଡେମୀ ଯେପରି ଛାପୁଛନ୍ତି, ସେଥିରେ ସାହିତ୍ୟିକ ସମସ୍ୟାମାନ ଅଚିରେ ଦୂର ହୋଇଯିବା ଆଶ୍ଚର୍ଯ୍ୟ ନୁହେଁ । ତହୁଁ ଲେଖକମାନେ କି ବିଷୟ ନେଇ ଲେଖିବେ କେଜାଣି ! ଲେଖକମାନେ ଲେଖା ନ ଲେଖିଲେ ଓଡ଼ିଶାର ଦୁଇ ଦୁଇଟା କାଗଜ କଳର ସିଂହଦରଜାରେ ତାଲା ଝୁଲିବ ।

 

ଏହି ପୃଷ୍ଠଭୂମିରେ ସମସ୍ୟା ବିଧାୟକ ସଂସଦର ଆବିର୍ଭାବକୁ ଏ ଯୁଗର ସର୍ବପ୍ରଧାନ ଘଟଣା ବୋଲିବାକୁ ହେବ । ସଂସଦଟି ବର୍ତ୍ତମାନ ପାଇଁ ଏକ କ୍ଷୁଦ୍ର ଅନୁଷ୍ଠାନ ହେଲେ ହେଁ ଏହାର ସଭ୍ୟମଧ୍ୟରେ ରାଜନୀତିକ, ସାହିତ୍ୟିକ, ଆର୍ଥନୀତିକ, ବୈଜ୍ଞାନିକ ଆଦି ସବୁ ଶ୍ରେଣୀର ଅଭିଜ୍ଞ ବ୍ୟକ୍ତି ଥିବାରୁ ବିଭିନ୍ନ ବିଷୟରେ ନୂତନ ନୂତନ ସମସ୍ୟାମାନ ସୃଷ୍ଟି କରିବାରେ ସଂସଦ ଉଲ୍ଲେଖଯୋଗ୍ୟ ପଦକ୍ଷେପ ଗ୍ରହଣ କରିବ, ଏଥିରେ ସନ୍ଦେହ ପାଇଁ ଅବକାଶ ନାହିଁ । ଏ ଦିଗରେ ସମସ୍ତ ସଭ୍ୟଙ୍କର ପ୍ରଗାଢ଼ ନିଷ୍ଠା ରହିଛି । ସଂସଦର ଉଦ୍‌ଘାଟନ ବେଳେ ସମସ୍ୟାମାନ କିଭଳି ସୃଷ୍ଟି କରାଯାଇପାରେ ତା’ନେଇ ପ୍ରାରମ୍ଭିକ ଆଲୋଚନା ହୋଇଯାଇଛି । ସେହି ଆଲୋଚନାରୁ ସ୍ପଷ୍ଟ ହୋଇଛି ଯେ ସମସ୍ୟାର ଅଭାବ ନେଇ ଆମର ନୈରାଶ୍ୟର କାରଣ ନାହିଁ । ସମସ୍ୟା ସୃଷ୍ଟିର କ୍ଷେତ୍ର ବିସ୍ତୃତ ରହିଛି ଏବଂ ତା’ର ବିନିଯୋଗ ଆଜିସୁଦ୍ଧା ଜମାରୁ ହୋଇନାହିଁ କହିଲେ ଚଳେ (ଯେପରି ଆମର ଖନିଜ ସମ୍ପଦର ହୋଇନାହିଁ) ।

 

ବିଭିନ୍ନ ସ୍ତରରେ ସସମ୍ୟା ସୃଷ୍ଟି କରାଯାଇପାରେ । ଧରାଯାଉ, ଆମ ଭାରତୀୟ ଏକତା-। ଭାରତୀୟ ଐକ୍ୟ ଭାଙ୍ଗିଯାଉଛି ଭାଙ୍ଗିଯାଉଛି ବୋଲି ହୈ ଚୈ କଲେ, ସଭା ଯୋଗାଡ଼ର ଅସୁବିଧା ସ୍ଥଳେ ମାଇକ୍‌ ଲଗାଇ ଜିପରେ ବସି ବୁଲିବୁଲି ବକ୍ତୃତା ଦେଲେ, କାନ୍ଥବାଡ଼ରେ ଲୁଚି ଲୁଚି ପୋଷ୍ଟରମାରି ତା’ର ଫଟୋ ବ୍ଲକ ସମ୍ବାଦପତ୍ରରେ ଛାପିଲେ ନିଜେ ତିନିଟା ନାଁରେ ପାଞ୍ଚଟା ‘ପ୍ରାପ୍ତପତ୍ର’ ଲେଖିଲେ, ଅଶୋକଙ୍କ ଦ୍ୱାହି ସହ ଆକବରଙ୍କ କସମ୍‌ ପକାଇ ଏକହୁଅ ଏକହୁଅ ବୋଲି ଡାକୁଥିବା କବିତାମାନ କବିତା ପାଠୋତ୍ସବରେ ଜବରଦସ୍ତ ପଢ଼ିଲେ, ସମସ୍ୟାଟା ଛାଏଁ ଛାଏଁ ଆସିଯିବ । ସେହିପରି ଧରାଯାଉ, ଆମ ଖାଦ୍ୟ ସମସ୍ୟା । ତାକୁ ସୃଷ୍ଟି କରିବା ତ ଏକବାରେ ସୋଜା । ଜଣେ ନାମବଡ଼ା ଅର୍ଥନୀତିବେତ୍ତା ଭବିଷ୍ୟତବାଣୀ ଶୁଣାଇଦେବା ଦରକାର ଯେ ବଜାରର ଅବସ୍ଥା ଯମିତି ଭିଡ଼, ସେତିରେ ମାସ କେତୋଟାରେ ଦରଦାମ୍‌ ଦୁଇଗୁଣ ହୋଇଯିବା ଆଶଙ୍କା ରହିଛି । ତହୁଁ ଖାଉଟିର ଲୋଭ ଓ ବେପାରୀର ଲୋଭ ଦ୍ୱିଗୁଣିତ ହେବ । ଖାଉଟି ନିଜ ପାଖେ ଦିଗୁଣା ରଖିବାକୁ ଚାହିଁବ, ବେପାରୀ ଗୋଦାମରେ ଦିଗୁଣା ରଖିବାକୁ ଚାହିଁବ, ତେଣୁ ଦରଦାମ୍‌ ଆପେ ଆପେ ଦିଗୁଣା ହୋଇଯିବ ! ବଜାରର ଦର ଥରେ ଉଠିଲେ ଆଉ ପଡ଼େ ନାହିଁ (ତା’ ମଣିଷ ଦେହରେ ତାପମାତ୍ରା ନୁହେଁ ଯେ ନାଲିଗାର ପାଖେ ସବୁବେଳେ ଲାଖି ରହିବ), ଗୋଟିଏ ଜିନିଷର ଦର ବଢ଼ିଲେ ଅନ୍ୟ ନିଜିଷର ଦର ମଧ୍ୟ ବଢ଼େ । ବଢ଼ୁ ବଢ଼ୁ ସକଳ କଥାର ମୂଲ୍ୟ ବଢ଼ିଯିବ । ତେଣିକି ଏକ ବିରାଟତର ସମସ୍ୟା ମୁଦ୍ରାସ୍ଫୀତ ରୂପରେ ଦେଖାଦେବ । ଆଉ ରାଜନୀତିରେ ମଧ୍ୟ ସମସ୍ୟା ସୃଷ୍ଟି କିଛି ବଡ଼କଥା ନୁହେଁ । ଧରାଯାଉ ରାଜନୀତିକ ଭୁରୁଡ଼ିଆ ଗୋଟେ ଦି’ଟାକୁ ଦିନାକେତେ ରାଜ୍ୟପାଳ କରିଦେବ, କରିଦେଇ ତେଣିକି ବେକାର କରି ଛାଡ଼ିଦେବ । ଅକର୍ମା ମୁଣ୍ଡତ ଭୂତ କାରଖାନା, ତହୁଁ ସେ ଦେଶକୁ ବିରାଟ ବିରାଟ ସମସ୍ୟାମାନ ଦେଇ ନିଜେ ଜଣେ ସମସ୍ୟା ହେବେ । ଏସବୁ ସମସ୍ୟା ସୃଷ୍ଟିକୁ କିନ୍ତୁ ବିଧିବଦ୍ଧ ଯୋଜନା ଅନୁଯାୟୀ କରିବାକୁ ପଡ଼ିବ, ଲୋକେ ସମସ୍ୟା ସୃଷ୍ଟି ହେଉଛି ବୋଲି ସନ୍ଦେହ କରିବାକୁ ଜମାରୁ ଅବକାଶ ଦିଆଯିବ ନାହିଁ ।

 

ଆମ ଓଡ଼ିଆ ସାହିତ୍ୟ ସ୍ତରରେ ସେହିଭଳି ବହୁତ ସମସ୍ୟା ସୃଷ୍ଟି କରାଯାଇପାରେ । ଆମ ମାସିକ ପତ୍ରର ପରିଚାଳକମାନେ ଅନେକବେଳେ ଅର୍ଥାଭାବରୁ ଯଥା ସମୟରେ ପତ୍ରିକା ପ୍ରକାଶ କରିବାକୁ ଅକ୍ଷମ ହୁଅନ୍ତି । ସେ ସ୍ଥଳେ ଆପଣା ଖାଲି ପକେଟଗୁଡ଼ିକୁ ଦାଣ୍ଡରେ ନ ଦେଖାଇ ଉପଯୁକ୍ତ ଲେଖା ନ ମିଳିବାରୁ ପତ୍ରିକା ପ୍ରକାଶ ସ୍ଥଗିତ ରହିଲା ବୋଲି ଜଣାଇଲେ ହେଲା । ତେଣିକି ସାହିତ୍ୟିକ ଗୋଷ୍ଠୀରେ ଭାଳେଣି ପଡ଼ିବ, ସାହିତ୍ୟର ଏ ଅଧୋଗତି କିମିତି ହେଲା ବୋଲି । କିମିତି ହେଲା ? ଏସଂଶୟ ଜନ୍ମିଲେ ସାହିତ୍ୟରେ ସମସ୍ୟା ସୃଷ୍ଟି ହୋଇଗଲା । ଆଉ ଗୋଟିଏ ଦୃଷ୍ଟାନ୍ତ ନିଆଯାଉ । ସାରଳା ଦାସେ ଜାତିରେ କରଣ ଥିଲେ ବୋଲି, ଏପରିକି ସେ ପୂର୍ବଜନ୍ମରେ ସଂସ୍କାରବନ୍ତ ଥିଲେ ବୋଲି, ଜଣେ ବଡ଼ ଜାତିଆ ଗବେଷକ ଡଃ ଆର୍ତ୍ତବଲ୍ଲଭ ମହାନ୍ତି ଠିକଣା କରିଛନ୍ତି । ସମସ୍ୟା ସୃଷ୍ଟିଦିଗରୁ ଦେଖିଲେ ଏପରି ଗବେଷଣା ସବୁ ବଡ଼ ଉପାଦେୟ । କାରଣ ଇତର ଅନ୍ୟମାନଙ୍କ ଆଗରେ ଏହି ଗବେଷଣାଟିକୁ ଏବଂ ଗବେଷକଙ୍କ ସଂଜ୍ଞାଟିକୁ ଜଣାଇଦେଲେ ସାରଳାଦାସଙ୍କ ଜାତିନେଇ ପ୍ରତିବାଦମାନ ବାହାରିବ । ତାଙ୍କ ଜାତିଟା ଏକ ସମସ୍ୟା ହେବ । ସେହିପରି, ଜୟଦେବଙ୍କ ହାତଲେଖା ‘ଗୀତଗୋବିନ୍ଦ’ ତାଳପତ୍ର ପୋଥିଟି ଜଗନ୍ନାଥ ଦାସଙ୍କ କୌପୁନୀରେ ଗୁଡ଼ିଆ ହୋଇ ଲଣ୍ଡନରୁ ଚୋରାରେ ମସ୍କୋ ଚାଲିଯିବା ଖବର ପ୍ରକାଶିତ ହେଲେ କୌପୁନୀରେ ରକ୍ତର ଛିଟା ଲାଗିଥିବା ନେଇ ଗବେଷକମାନେ ତଥ୍ୟ ସଂଗ୍ରହରେ ଲାଗିଯିବେ ଏବଂ ମହମ୍ମଦଙ୍କ କେଶ ପରି ଜଗନ୍ନାଥ ଦାସଙ୍କ କୌପୁନୀ ଏକ ବିରାଟ ସମସ୍ୟା ସୃଷ୍ଟି କରିବ । ସେହିଭଳି ଅନେକାନେକ ସମସ୍ୟା ସୃଷ୍ଟି କରାଯାଇ ପାରେ । ଉପେନ୍ଦ୍ରଭଞ୍ଜଙ୍କ ଛାମୁଦାନ୍ତ ପଡ଼ିଯାଇଥିବା କଥା ତାଙ୍କ ସାହିତ୍ୟରୁ ବାହାରୁଛି ବୋଲି ଗବେଷଣା ପ୍ରକାଶ କଲେ ତାହା କଠିଣଶବ୍ଦ ରୂପକ ଟାଣଚଣା ଚୋବାଉ ଚୋବାଉ ଭାଙ୍ଗିଲା କି ଘନଭଞ୍ଜେ ଭାଙ୍ଗିଲେ ଏହା ନେଇ ବିତଣ୍ଡାର ସୀମା ରହିବ ନାହିଁ । ଅଥବା ଅଭିମନ୍ୟୁ ସାମନ୍ତସିଂହାରଙ୍କ ଦେହର ବର୍ଣ୍ଣଟି ଅଙ୍ଗାର ପରି କଳା ଥିଲା ବୋଲି ସେ ‘ବିଦଗ୍‌ଧ’ ପଦକୁ ଆଗରେ ରଖି ‘କୃଷ୍ଣ’ କାବ୍ୟକୁ ବିଦଗ୍‌ଧ ଚିନ୍ତାମଣି ନାମକରଣ କଲେ ବୋଲି ନିର୍ଣ୍ଣୀତ ହେଲେ ଅନ୍ୟାନ୍ୟ କବିମାନଙ୍କର ଦେହର ବର୍ଣ୍ଣନେଇ ସମସ୍ୟା ଉପୁଜିବ ।

 

ଭଗବାନ କରନ୍ତୁ, ସମସ୍ୟା ବିଧାୟକ ସଂସଦ ନୂତନ ନୂତନ ସମସ୍ୟମାନ ସୃଷ୍ଟିକରି ଦେଶରେ ଉତ୍ତେଜନା ସୃଷ୍ଟି କରୁ, ବାଦ-ବିସମ୍ୱାଦ ସୃଷ୍ଟି କରୁ, ଗଣତନ୍ତ୍ରର ସୁରକ୍ଷା ହେଉ । ଆପରମାନଙ୍କର ପ୍ରତ୍ୟେକଙ୍କର ସହାୟ ବିନା ସଂସଦ ଏହି ଗୁରୁ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇ ପାରିବା ସମ୍ଭବପର ନୁହେଁ । ତେଣୁ ଏହି ଅବସରରେ ସଂସଦ ତରପରୁ ନିବେଦନ କରାଯାଉଛି କି ଆପଣମାନେ ସଂସଦର ସଭ୍ୟ ଶ୍ରେଣୀଭୁକ୍ତ ହୁଅନ୍ତୁ କି ନ ହୁଅନ୍ତୁ ସମସ୍ୟାମାନ ଯେଝା ସାଧ୍ୟମତେ ଆଜହୁଁ ସୃଷ୍ଟି କରନ୍ତୁ ।

Image

 

ତାଙ୍କ ନାମ, ଆପଣଙ୍କ ମୁହଁ ଏବଂ ମୋର ସ୍କୃତିଶକ୍ତି

 

ନଶ୍ୱର ଜୀବନରେ ମଣିଷର ସବୁଠାରୁ ପ୍ରିୟ, ସବୁଠାରୁ ଶ୍ରେୟ ପଦ ହେଉଛି ନାମ । ସେହି ନାମ ପୁଣି ଆପଣାର ନାମ–ଖାଣ୍ଟି ଉତ୍ତମ ପୁରୁଷ ଏକ ବଚନର ନାମ (ସାବଧାନ, ପୁରୁଷୋତ୍ତମଙ୍କ ନାମ ବୋଲି ଭ୍ରମରେ ପଡ଼ିବେ ନାହିଁ), ‘ମୁଁ’ ସର୍ବନାମର ସେହି ନାମଟି ସର୍ବନାମ ମଧ୍ୟରେ ବଛା ନିଶ୍ଚୟ । ସେହି ନାମଟିକୁ ଶୁଣିବାକୁ ଶୁଣାଇବାକୁ, କହିବାକୁ କୁହାଇବାକୁ ଲେଖିବାକୁ ଲେଖାଇବାକୁ, ଜାଣିବାକୁ ଜଣାଇବାକୁ ସଚରାଚର ତୀବ୍ର ପ୍ରତିଯୋଗିତା ଚାଲିଛି ଏବଂ ଚାଲୁଥିଲା ଏବଂ ଚାଲୁଥିବ । ନିଜେ ଜଣେ ପ୍ରତିଯୋଗୀ ହେଲେ ମଧ୍ୟ ମୋତେ ଏ ଅବସ୍ଥା କସ୍ମିନ୍‌ କାଳେ ସୁଖୀ କରାଉ ନାହିଁ । ନାମ ଉପରେ ଏଭଳି ଗୁରୁତ୍ୱ ରୋପଣ ମୋ ଭଳି ମଣିଷଙ୍କ ପକ୍ଷେ ଅବଶ୍ୟ କ୍ଷୋଭର କଥା । ତାହା କିନ୍ତୁ ‘ନାମ କଳ୍ପିତ’, ‘ନାମ ମିଥ୍ୟା’ ଏ ରୂପ ଆର୍ଶବାକ୍ୟ କି ଆପ୍ତବଚନ ସକାଶରୁ ନୁହେଁ । ମୋ ନିଜ ନାମର ବାସ୍ତବତା ସିନା ବୁଝି ହୁଏ କିନ୍ତୁ ତାଙ୍କ ନାମ, ତାଙ୍କ ପଡ଼ିଶାଘର ବାବୁଙ୍କ ନାମ, ଆପଣଙ୍କ ନାମ କିମ୍ୱା ଆପଣଙ୍କ ଶଳାଙ୍କ ନାମ ପରି ମିଥ୍ୟା ଆଉ କିଛି ନାହିଁ । ଭାଷାନ୍ତରେ ମୁଁ ଇତର ଲୋକମାନଙ୍କ ନାମାବଳୀକୁ ମନେ ରଖିବାର ସର୍ବତୋଭାବେ ସମର୍ଥ ନୁହେଁ । ଆଉ ଯାହା ଯେତିକି ସାମର୍ଥ୍ୟ ସେ ଦିଗରେ ଅର୍ଜ୍ଜନ କରିଛି ତାହାପୁଣି ଭ୍ରମପ୍ରମାଦବିହୀନ ବୋଲି ଗ୍ୟାରେଣ୍ଟି ଦେଇ ପାରିବି ନାହିଁ । ଏ ହେଲା ଗୋଟିଏ କଥା ।

 

ଆଉ ଗୋଟିଏ କଥା ହେଉଛି ମୁହଁ । ଆମ ଘରେ ଦୁଇଟି ଦର୍ପଣ ଅଛି । ଆପଣଙ୍କ ଘରେ କେତୋଟି ଅଛି ? ମୁଁ ଗଲା ବହୁ ବର୍ଷ ଧରି ଦର୍ପଣଟିଏ ନ ଥିବା ଘର ଖୋଜୁଛି, ପାଇ ନାହିଁ । ଆପଣ ବି ଖୋଜନ୍ତୁ, ପାଇବେ ନାହିଁ (ବରଂ ବୋଧିସତ୍ତ୍ୱ ନିର୍ଦ୍ଦେଶିତ କେହି ମରି ନ ଥିବା ଘରୁ ଶସ୍ୟ ମୁଠିଏ ହୁଏତ ପାଇବେ) । ନିଜର ନାମ ପରି ନିଜର ମୁହଁ ଗୋଟିକ ଏକ ଦୁର୍ଲ୍ଲଭ ପଦାର୍ଥ । ସେହି ପ୍ରିୟ ପଦାର୍ଥଟିକୁ ବାରମ୍ୱାର ଦେଖିବାରେ ତଥା ଦେଖାଇବାରେ (ସତେ କି ତାହା ଘଡ଼ିକୁ ଘଡ଼ି ଭିନ୍ନ ଭିନ୍ନ ରୂପ ଧାରଣ କରୁଛି !) ଯେଉଁ ପରମ ଆହ୍ଲାଦ ଲାଭ ହୁଏ ସେଥିରୁ କାଣିଚାଏ ସୁଦ୍ଧା ବିଶ୍ୱସୁନ୍ଦରୀ ପ୍ରତିଯୋଗିତା କି କେବଳ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଚଳଚ୍ଚିତ୍ର କି ଜଗନ୍ନାଥଙ୍କ ନବ କଳେବରରେ ଅଲଭ୍ୟ । ସେଥିପାଇଁ ଦର୍ପଣର ଦର୍ପ ଘରେ ଘରେ । ନାମ ଭଳି ମୁହଁ ପାସୋରିବା ଦୋଷରେ ମଧ୍ୟ ମୁଁ ଦୁଷ୍ଟ । ଯେତେଟା ମୁହଁ ଏବଂ ଯେତେଟା ନାମ ମୋର ମନେ ଅଛି ବା ମନେ ଥିବାଭଳି ମନେ ହେଉଛି ତା’ ଭିତରେ ପୁଣି ଓଲଟ ପାଲଟ ହୋଇ ଠିକ୍‌ ମୁହଁ ସାଙ୍ଗକୁ ବା ଭୁଲ ନାମଟି ବା ଭୁଲ ମୁହଁ ସାଙ୍ଗକୁ ଭୁଲ ନାମଟି ଭୁଲ ମୁହଁ ସାଙ୍ଗକୁ ଠିକ୍ ନାମଟି ବରାବର ଲାଖି ହୋଇ ରହୁଛି । ଏଭଳି ଅସଙ୍ଗତ ଯୋଡ଼ ହେବା ଏତେ ସ୍ୱାଭାବିକ ହୋଇଗଲାଣି ଯେ ଯଦିବା କଦବା କିମିତି ଠିକ୍‌ ମୁହଁ ସାଙ୍ଗକୁ ଠିକ୍‌ ନାମଟି ମୋର ମନେପଡ଼ିଯାଏ ତେବେ ବି ନାମ ଓ ମୁହଁ ଏହି ଦୁଇ ମଧ୍ୟରୁ କେଉଁଟି ଭୁଲ ହେବା ସମ୍ଭାବନା ଅଧିକ ତାହା ନିର୍ଣ୍ଣୟ କରିବା ମୋ ପକ୍ଷେ ବିଷମ ସମସ୍ୟା ହୁଏ ।

 

ପାଦ୍ରୀଙ୍କ ପରି ନିଜର ଦୋଷଗୁଡ଼ିକୁ ମାନି ଯାଇ ମୁଁ ମୁକ୍ତ ହେବି ନାହିଁକି ଆପଣଙ୍କୁ କରାଇ ଦେବି ନାହିଁ । ଆପଣମାନେ ମୋ ପ୍ରତି ଯେରୂପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତା’ର ପ୍ରତିକାର ବିଧାନ କ’ଣ ଆମର ଅତିକାୟ ସମ୍ବିଧାନରେ ନାହିଁ ? ଏଇ ସେଦିନ ମାଛି ଅନ୍ଧାର ବେଳକୁ ମୁଁ ଏଣୁ ଯାଉଥିଲି–ମନଟା ବେଶ୍‌ ଫୂର୍ତ୍ତି ଥିଲା । ଆପଣ ତେଣୁ ଆସୁଥିଲେ–ଆପଣ ବି ଖୁସିରେ ଆସୁଥିଲେ । ଆପଣଙ୍କୁ ଦେଖିଲା ମାତ୍ରେ ମୋର କୋଡ଼ିଏ ବର୍ଷ ତଳର କଥା ମନେପଡ଼ିଗଲା । ହଷ୍ଟେଲର ଏକା ରୁମରେ ଥିଲେ ଆମେ ଦୁହେଁ–ଦିହିଙ୍କ ଭିତରେ ପାଣି ଗଳୁ ନ ଥିଲା । ଆପଣଙ୍କୁ ଦେଖି, ଏତେଗୁଡ଼ିଏ ବର୍ଷ ପରେ ଅପ୍ରତ୍ୟାଶିତ ଭାବେ ଦେଖି, ମୋ ମନ ଯାହା ହେଲା ମୋର ନମସ୍କାର କରିବାରୁ ଆପଣ ଜାଣିଥିବେ; କାରଣ ଆମ ଭିତରେ ସମ୍ପର୍କଟା ଏପରି ଖୀରନୀର ନ୍ୟାୟର ଥିଲା ଯେ ନମସ୍କାର ଦେଣନେଣଟାକୁ ଆମେ ପସନ୍ଦ କରୁନଥିଲେ । କିନ୍ତୁ ସେ ଦିନ ଆପଣଙ୍କୁ ଭେଟିବାରୁ ମୁଁ ଅପ୍ରକୃତିସ୍ଥ ହେଲାପରି ନମସ୍କାର ହେଲି । ଅନେକ ବର୍ଷ ପରେ ଭେଟାଭେଟି ହେବାରୁ ଉଚ୍ଛସିତ ଆନନ୍ଦ ପ୍ରକାଶ କଲି । ଆପଣ କେଉଁଠି ଅଛନ୍ତି, କି କାମ କରୁଛନ୍ତି, ଚାକିରିର ମହତ୍ତ୍ୱ, ସ୍ଥାୟିତ୍ୱ, ଗୁଣ ଆଦି ସକଳ ତଥ୍ୟ ପଚାରି ବୁଝିଲି । କେଉଁଠି ବିବାହ କରିଛନ୍ତି, ଆପଣ ଦୁହିଁଙ୍କ ଉପରେ ଏ ପରିବାର ନିୟନ୍ତ୍ରଣବାଲାଙ୍କର ପ୍ରଭାବର ଫଳ କେତୋଟି, ତା’ ଭିତରୁ ପଢ଼ୁଆ ପିଲାଙ୍କର ପ୍ରୋଗ୍ରେସ୍‌ ରିପୋର୍ଟ, ବାପାଙ୍କ ସ୍ୱାସ୍ଥ୍ୟ ଯାବତ୍‌ ବିଷୟ ମୁଁ ବୁଝିଲି । ଆପଣ ବି ବୁଝାଇଲେ । ଆଉ ପରିଶେଷରେ ଯେତେବେଳେ ସେହି ସ୍ମୃତିମଧୁର ହଷ୍ଟେଲ ଜୀବନ କଥା ପକାଇଲି ଆଉ ଆପଣଙ୍କ ସେହି ତନୁପାତଳୀ ସହଛାତ୍ରୀ ବାନ୍ଧବୀ କଥା ଉତ୍‌ଥାପିତ କଲି, ଆପଣ ତେତେବେଳେ ଯାଇ କହିଲେ ‘‘ଆଜ୍ଞା, ଆପଣ ଅନ୍ୟ କାହାକଥା କହୁଛନ୍ତି । ମୁଁ ହଷ୍ଟେଲରେ କସ୍ମିନ୍‌ କାଳେ ରହି ନାହିଁ । ମୁଁ ପରା ପ୍ରାଇମେରୀଠାରୁ ବି.ଏ. ଯାଏଁ ମାମୁଁ ଘରେ ରହି ପଢ଼ିଛି । ଆଉ ସେଭଳି କୌଣସି ଝିଅକୁ ମଧ୍ୟ ମୁଁ ଜାଣେ ନାହିଁ ।’’ ମୁହଁଟାକୁ ଆମ୍ୱିଳେଇ ଦେଲେ–ସତେ ଯମିତି କେତେ କେତେ ଭଳି ଝିଅକୁ ଜାଣିବା ସ୍ଥଳେ ସେଭଳି ଝିଅକୁ ନ ଜାଣିବା ଏକ ଶୋଚନୀୟ କଥା ! ଆଚ୍ଛା, ଏ କିମିତିକା କଥା । ଆପଣ ଯଦି ଆପଣ ନୁହନ୍ତି, ତାହା ମୂଳରୁ ନ ହେବା କଥା । ପହରେ କାଳ ଆପଣ ଭୂମିକାରେ ନିଖୁଣ ଅଭିନୟ କରି ହଠାତ୍ ଅନ୍ୟ ଭୂମିକାରେ ଅବତୀର୍ଣ୍ଣ ହେବା ଏକା ଆପଣଙ୍କୁ ସାଜେ । ଆପଣ ମାମୁଁ ଘରେ ରହି ଶିକ୍ଷାଲାଭ କରିଛନ୍ତି, ଭବିଷ୍ୟତରେ ଶିକ୍ଷାଲାଭ କରି ମାମୁଁଘରେ ରହିବା ଉଚିତ । ଆପଣଙ୍କ କାଟର ଲୋକେ ଯଦି ଏହି ଜନପଥରେ ଅବାଧରେ ଚଲାବୁଲା କରନ୍ତି ତେବେ ଆମ ଭଳି ଲୋକେ ଘରୁ ବାହାରିବାକୁ ସାହସ କରି ପାରିବେ କି ?

 

ଆପଣ ଏକା ଏକା ନୁହନ୍ତି; ଆପଣ ଓ ଆପଣଙ୍କ ପରି ଅନେକେ ମୋତେ ଓ ମୋ ପରି ଅନେକଙ୍କୁ ବାଟ ଘାଟରେ, ହାଟ ବଜାରରେ, ଗାଡ଼ି ମୋଟରରେ, ସଭା ସମିତି, ନାଟ ତାମସା, ଭୋଜିଭାତ ସକଳ ସ୍ଥାନରେ ଅନେକ ସମୟରେ ଅପଦସ୍ଥ କରୁଛନ୍ତି । ମୁହଁଟି ଚିହ୍ନା ଚିହ୍ନା ଜଣାପଡ଼େ, ପୂର୍ବସ୍ମୃତି ଉଁକିମାରି ଉଠେ, ଘଡ଼ିକ ଭିତରେ ଖୁସି ଗପ ଜମିଯାଏ, ପାନଖିଲ ସିଗାରେଟ୍‍ ଯଚା ଯଚି ହୁଏ । ଶେଷକୁ ପରିଣାମଟା ହୁଏ ଏତିକି ଆପଣ ଯେପରି ଆପଣ ନୁହନ୍ତି, ସେ ସେପରି ସେ ନୁହନ୍ତି । ଆଚ୍ଛା କହନ୍ତୁତ, ଏଇଟା କ’ଣ ଭବ୍ୟ କଥା ? ଅତି ପରିଚିତଙ୍କୁ ମୁଁ ଦଣ୍ଡେ ଖଣ୍ଡେ (ହୁଏତ ଶେଷ ପର୍ଯ୍ୟନ୍ତ) ଚିହ୍ନି ପାରେ ନାହିଁ । ଏହି ଦୋଷର ପ୍ରାୟଶ୍ଚିତ ଲାଗି ଅବା ନିହାତି ଅପରିଚିତଙ୍କୁ ମୁଁ ହଠାତ୍‌ ଚିହ୍ନି ପକାଏ । ଜଗତର ଏତେ ଏତେ ମୁହଁ ଏତେ ଏତେ ନାମ ଭିତରେ ପରିଚିତ ଅପରିଚିତ କରି ଦୁଇ ଦୁଇ ଭାଗ କରୁ କରୁ ଗୋଟାଏ ଦୁଇଟା ଏପଟ ସେପଟ ହୋଇଯିବା କ’ଣ ସ୍ୱାଭାବିକ ନୁହେଁ । ଏଇଟା କ’ଣ ମୋର ଭୁଲ ? ଏ ପ୍ରଶ୍ନଟା ଅବଶ୍ୟ ମୁଁ ଆପଣଙ୍କଠାରୁ ଉତ୍ତର ପାଇବା ପାଇଁ ପଚାରୁ ନାହିଁ । ଆପଣ ତ ଗୁଡ଼କୁ ପିମ୍ପୁଡ଼ି ସାକ୍ଷୀ ଭଳି ହେବେ–ପଚାରୁଛି ଖୋଦ୍‌ ନିଜକୁ ।

 

ଭୁଲଟା ହେଉଛି ଏଇ ନାମର ଆଉ ଭେକର । ମୋର ଜଣେ ଆତ୍ମୀୟ ହେଲେ ପ୍ରଫୁଲ୍ଲବାବୁ । ଏହି ନାମଟି ପ୍ରମୋଦ, ପ୍ରସନ୍ନ, ପ୍ରଫୁଲ୍ଲ, ପ୍ରଶାନ୍ତ ଆଦି ବିବିଧ ଭୁଲ୍ୟାର୍ଥକ ଶବ୍ଦରୂପେ ପ୍ରଥମେ ପ୍ରଥମେ ମୋର ମନେହେଉଥିଲା ଏବଂ ଯେତେବେଳେ ବା ମୁଁ ମୋ ନାରୀରତ୍ନଙ୍କ ଆଗେ ସଢ଼ୁଙ୍କ ନାମଟି ଉଚ୍ଚାରଣ କରେ ସହସା ତାଙ୍କର କୁନ୍ଦଦନ୍ତପନ୍ତି ମୋ ନେତ୍ରପଥାରୂଢ଼ ହେଉଥିଲା । ସଢ଼ୁ ନାମଟି ଭୁଲିବା ପରି ଅକ୍ଷମଣୀୟ ଅପରାଧ କୁଆଡ଼େ ଆଉ ନାହିଁ (ଏହା ଏକ ବିବାଦୀୟ ପ୍ରଶ୍ନ, ଯେଉଁ ସଢ଼ୁମାନେ ଭଗବାନଙ୍କ ନାମ ନେଉନାହାନ୍ତି ସେମାନଙ୍କ ନାମକୁ ଭୁଲିଯିବା ଅଧିକାର ଆମ୍ଭମାନଙ୍କର ରହିବା ଉଚିତ ବୋଲି ମୋର ଅନ୍ତରର ମତ, ତେବେ ଆପଣମାନଙ୍କଠାରୁ ସାହସ ପାଇଲେ ସିନା ପ୍ରଶ୍ନଟା ମୁଁ ଉଠାଇ ପାରନ୍ତି) । ଅନେକ ଥର ଏପରି ଫୁଲ୍‌ (Fool) ହେବା ପରେ ପ୍ର ଉପସର୍ଗ ସଂଯୋଗରେ ଆଜିକାଲି ନାମଟି ବରାବର ଠିକ୍‌ କରୁଛି । କିନ୍ତୁ ସେ ପ୍ରଫୁଲ୍ଲ କୁମାର କି ପ୍ରଫୁଲ୍ଲ ଚନ୍ଦ୍ର କି ପ୍ରଫୁଲ୍ଲ କିଶୋର ଏହା ନେଇ ମୁଣ୍ଡ ଖେଳାଇବାକୁ ମୋର ଅବସର କାହିଁ ? ଏଣୁ ସଢ଼ୁଙ୍କ ନିକଟକୁ ଚିଠି ଦେଲାବେଳକୁ ‘ମାଇପବୋଲକରା’ ହେବାକୁ ହୁଏ–ଆଉ ସେତିକିବେଳେ ପ୍ରଫୁଲ୍ଲଚନ୍ଦ୍ର, ବା ପ୍ରଫୁଲ୍ଲ କୁମାର ଯାହାବା ନାମ ସେ ଠିକଣା କରି ଦିଅନ୍ତି, ତାହା ହୁଏ ସଢ଼ୁଙ୍କ ନାମ-। ଏହି ଘଟଣାଟିରୁ ଆପଣଙ୍କୁ ଶିକ୍ଷଣୀୟ କଥାଟିକୁ ଆଉ ଛାଣି ଦେଖାଇବା ଆବଶ୍ୟକ ହେବ ନାହିଁ-। ଏହା ସଫା ସଫା କଥା ଯେ ନାମ ମନେରହିବା ଭଳି ଶକ୍ତି ନାମରେ ହିଁ ରହିବା ଉଚିତ । ଅନ୍ୟଥା ମୁଁ ଆପଣଙ୍କ ନାମ ଓ ଆପଣଙ୍କ ପରି ପଣ ପଣଙ୍କ ନାମ ଭିତରେ ଭୁଆଁ ବୁଲିବାକୁ ସଶ୍ରଦ୍ଧ ନୁହେଁ ।

 

ପୁନଶ୍ଚ ଯେକେହି ନିଜର ସ୍ଥିତି ଘୋଷଣା କରିବା ସମୟରେ ନିଜର ସ୍ୱାଭାବିକ ପରିବେଶ ମଧ୍ୟରେ ରହିବା ବିଧେୟ । ଏଇ ଧରନ୍ତୁ ଚନ୍ଦ୍ରକାନ୍ତ କଥା । ଆପଣତ ସେଦିନ କହିଲେ ଯେ ଆପଣ ଚନ୍ଦ୍ରକାନ୍ତ ନୁହନ୍ତି । ମାସେ ତଳେ ସେ ହଠାତ୍‌ ମୋତେ ହନୁମାନ ବଜାର ମଝିରେ ପଛରୁ ଟାଣିଲା ପରି ଧରିନେଲା । ତା’ର ବଳିଷ୍ଠ ବପୁ ଓ ବିସ୍ତୃତ ନିଶକୁ ଦେଖି ମୁଁ ଶଙ୍କି ଯାଇ ନ ଥିଲେ ଆଚ୍ଛା ଚଟକଣାଟିଏ ଥୋଇଥାନ୍ତି । ସେ ମୋତେ ଧରିନେଇ ଖୁସିଗପ କରିବାକୁ ଲାଗିଲା । ଜବରଦସ୍ତ ଜଳଖିଆ ଖୁଆଇଲା, ଚାହା ଦେଲା, ସିଗାରେଟ୍‍ ଧରାଇଲା; ଭଲା କହନ୍ତା, ନାମଟା, ପରିଚୟଟା । ତା’ ଯଦି କହିବାକୁ ଅଡ଼ୁଆ ଲାଗିଲା ନିତାନ୍ତ ପକ୍ଷେ ପୂର୍ବ ସ୍ମୃତିରୁ କିଛି । ନା, ସେ ଆଉ ଅତୀତ କଥା ନ କହେ କି ନ ପଚାରେ । ଖାଲି ଏବେ ସେ କେଉଁଠି ଅଛି, କିମିତି ଅଛି କି ମୁଁ କାହିଁରେ ଅଛି, କାହିଁକି ଅଛି ଏଇ କଥାଭାଷା ଚାଲିଲା (ପ୍ରକୃତ ପକ୍ଷେ, ଚଳାଇଲା ସେ) । ବିଦାୟକାଳ ସୁଦ୍ଧା ମୁଁ ତାହାର ପରିଚୟ ନେଇ ସମ୍ଭାବ୍ୟ ସକଳ ମୁହଁ ସାଙ୍ଗକୁ ସମ୍ଭାବ୍ୟ ସକଳ ନାମ ଖଞ୍ଜିବାରେ ଏତେ ମାତ୍ରରେ ନିମଜ୍ଜି ଯାଇଥିଲି ଯେ ମୁଁ ଯଥାର୍ଥରେ ଚେତନାହୀନ ଥିଲି । ଗଲାବେଳେ ମୋ ଠିକଣା ନେଲା, ମୁଁ ତା’ ଠିକଣା ମାଗିଲି । ସେ କାଳେ ତା’ ନାମଟି ଲେଖିବ ନାହିଁ ବୋଲି ମୁଁ ଆଗତୁରା ମୋ ନାମ ସହ ଠିକଣାଟି ଲେଖିଦେଲି । ତଥାପି ସେ ତା’ ନାମଟିକୁ ଜଣାଇଲା ନାହିଁ–ଦେଲା ଠିକଣାଟି ମାତ୍ର । ଆଜି ସେ ଚିଠି ଦେଇଛି, ଭାଗ୍ୟକୁ ଦସ୍ତଖତ୍ କରିଛି–ଚନ୍ଦ୍ରକାନ୍ତ । ସେଇ ଚନ୍ଦ୍ରକାନ୍ତ । ଆପଣଙ୍କ ପରି ସରୁ ସରୁ ଗୋଡ଼ ହାତ ଆଉ ନିର୍ଲୋମ ମସୃଣ ଗାଲ ଓ ଓଠ ଯାହାର, ସେହି ଚନ୍ଦ୍ରକାନ୍ତ ଯଦି ବାଘୁଆ ନିଶ ଓ ସବଳ ମାଂସଳ ଶରୀରରେ ଦେଖାଦିଏ, ଆପଣ ତ ଆପଣ, ଆପରଙ୍କ ବାପା ଅଜା ଚଉଦ ପୁରୁଷ କେହି ତାକୁ ଚିହ୍ନି ପାରିବେ ତ ? ଯଦି ବା ଚିହ୍ନିବେ ତାହାର ଠିକ୍‌ ନାମଟି ଠଉରେଇବା କ’ଣ କମ୍‌ କାଠିକର ପାଠ ? ତେଣୁ ମୁଁ କହେ, ଆପଣ ଆପଣଙ୍କ ପରିବେଶ ମଧ୍ୟରେ ରହି ସ୍ଥିତି ଘୋଷଣା କରନ୍ତୁ । ନୂଆ ନୂଆ ଭେକ ଗ୍ରହଣ କରନ୍ତୁ ନାହିଁ-। ଦାଢ଼ି ଯେବେ ନାହିଁ ନାହିଁ–ଦାଢ଼ି ରଖନ୍ତୁ ନାହିଁ । ନିଶ ଯଦି ନାହିଁ, କିଛି ଯାଏ ଆସେ ନାହିଁ । ଦାଢ଼ି ରଖି ନିଶରଖି ମୋତେ ବିବ୍ରତ କରାନ୍ତୁ ନାହିଁ । ଦାଢ଼ିଆ ମୁହଁରୁ ଦାଢ଼ି ଉଠେଇଦେଲେ, ନିଶୁଆର ନିଶ ଉପାଡ଼ିଦେଲେ ଅଥବା ଲଣ୍ଡାମୁଣ୍ଡରେ କେଶ ସଜାଇଲେ କିମିତି ଦେଖାଯିବ ସେ କଳ୍ପନା କରିବାକୁ ମୁଁ ଶିଖିନାହିଁ । ଶିଖିବାକୁ ଆଗ୍ରହୀ ମଧ୍ୟ ନୁହେଁ । କାରଣ ସେ ସବୁ ନରାଣାଂ ଧୂର୍ତ୍ତଙ୍କ ବ୍ୟାପାର ।

 

ଖାଲି ଦାଢ଼ି ନିଶର ସମ୍ୟା ଏହା ନୁହେଁ । ସେଦିନ ପଣ୍ଡିତ ନେହୁରୁ ସେ ଯେଉଁ ମୋଟରରେ ପେରିବା କଥା ତାକୁ ବଦଳାଇ ଅନ୍ୟ ଏକ ଯାନରେ ଗଲେ ବୋଲି ବାଟ ଜଗୁଆଳି ପୋଲିସମାନେ ସାଲୁଟ୍‌ ମଧ୍ୟ ଦେଲେ ନାହିଁ । ଅବସରପ୍ରାପ୍ତ ଡେପୁଟି ଶ୍ରୀ ଭାରତ ଚନ୍ଦ୍ରନାୟକ ଜଣେ ଦେଶୀୟ ରାଜ୍ୟର ହର୍ତ୍ତା-କର୍ତ୍ତା-ବିଧାତାଙ୍କୁ ଡ୍ରାଇଭର ଆସନ ଅଳଂକୃତ କରିଥିବା ଦେଖି ଡ୍ରାଇଭର ବୋଲି ସମ୍ୱୋଧନ କରି ଗାଡ଼ି ଚଳାଇବାକୁ ଆଦେଶ ଦେଇଥିଲେ । ଅର୍ଦ୍ଧଶତାବ୍ଦୀରୁ ଅଧିକ ବର୍ଷ ପୂର୍ବେ ଭାରତର ବଛା ବଛା ରାଜନ୍ୟବର୍ଗଙ୍କର ଏକ ସମ୍ମେଳନରେ ଗଞ୍ଜାମର ଜମିଦାରମାନଙ୍କ ପ୍ରତିନିଧିତ୍ୱ କରିବା ପାଇଁ ଜଣେ ରାଜା ଯାଇଥିଲେ । ଏ ପ୍ରକାର ପ୍ରତିନିଧିତ୍ୱ ଗୌରବ ପାଇବା ପାଇଁ ଏବଂ ସମ୍ମେଳନରେ ଏକ ମୁଖ୍ୟ ଆସନ ଲାଭ କରିବା ପାଇଁ ରାଜାଙ୍କ ବ୍ୟବହର୍ତ୍ତାଙ୍କୁ ବହୁ ଅର୍ଥବ୍ୟୟ କରିବାକୁ ହୋଇଥିଲା । ରାଜା ସମ୍ମେଳନକୁ ଯାଇ ତାଙ୍କ ପାଇଁ ଉଦ୍ଦିଷ୍ଟ ଆସନର ବାମ ପାର୍ଶ୍ୱରେ ଜଣେ ପୁଲିସି ବସିଥିବା ଦେଖି କ୍ଷୁଣ୍ଣହୋଇ ସଭା ତ୍ୟାଗ କରି ବସାକୁ ଫେରିଥିଲେ ଏବଂ ଏପରି ଅପମାନଜନକ ସ୍ଥାନ ବାଛିଥିବା କାରଣରୁ ବ୍ୟବହର୍ତ୍ତାଙ୍କୁ ଭର୍ତ୍ସନା କରିଥିଲେ । ବିଚାରା ବ୍ୟବହର୍ତ୍ତା ଶତ ଚେଷ୍ଟା ସତ୍ତ୍ୱେ ରାଜାଙ୍କୁ ବୁଝାଇବାକୁ କ୍ଷମ ହେଲେ ନାହିଁ ଯେ ସ୍ୱୟଂ ମହୀଶୂର ମହାରାଜା ମିଲିଟେରୀ ପରିଚ୍ଛଦ ପିନ୍ଧି ସେଠାରେ ଉପବିଷ୍ଟ ଥିଲେ । ଏଭଳି ଦୃଷ୍ଟାନ୍ତର ଅନ୍ତ ନାହିଁ । ଏଥିପାଇଁ କବି ଗାଇଛନ୍ତି ‘‘ବଡ଼ ସାନ ସବୁ ଭେକର ଭିଆଣ, ଭେକ ତଳେ କେହି ନାହିଁ ବଡ଼ ସାନ ।’’ ଭେକହିଁ ବୈଷମ୍ୟସୃଷ୍ଟିର କାରଣ । କାରଣ, ଇତରର ଭେକ ନେଇ ନିଜତ୍ୱ ଜାହିର କଲେ ଅପଦସ୍ଥ ହିଁ ହେବେ । ନର୍ସ ପୋଷାକ ତ ଦେଖିଛନ୍ତି । ସେହି ପୋଷାକ ଭିତରେ ଗୋଟିଏ ନର୍ସଠାରୁ ଆଉ ଗୋଟିଏ କେତେ ଏବଂ କେଉଁଠି ତଫାତ୍‌ କହନ୍ତୁ ତ । ଆଉ ସେ ଦିନ ଜଣେ ଆଧୁନିକା ଟେରଲିନ ଶାଢ଼ି ହାଇହିଲ ଜୋତା ପିନ୍ଧି ରେଳଗାଡ଼ିର ବଗି ଭିତରେ ଯେତେବେଳେ ମୋତେ ସସ୍ମିତ ସମ୍ବୋଧନ କଲେ, ମୋତେ ସଙ୍କଟ ପଡ଼ିଲା ଜାଣ । ସେ ମୋର ଅତି ଆପଣାର ପରି କହିଲେ, ଆପଣ କୁଆଡ଼େ ଚାଲିଛନ୍ତି ? ଥାଥାମାମା ହୋଇ କହିଲି ଇମିତି, ଟିକିଏ କାମରେ, ଆଉ ଆପଣ ? ପ୍ରଶ୍ନଟିରେ ସେ ସୁଖୀ ହେଲେ ନିଶ୍ଚୟ । କହିଲେ, ‘ଆପଣ ତା’ହେଲେ ମନେରଖିଛନ୍ତି, ଅନେକେ ଆମକୁ ଭୁଲି ଯାଆନ୍ତି ।’ ହାୟ ! ଏହି ତନୁଶ୍ରୀକୁ ମୁଁ ଯାହା ଭୁଲିଲି । ଏ ପୁଣି ନିଜକୁ ବହୁବଚନରେ ପ୍ରକାଶ କରି ବହୁଲୋକଙ୍କ ସ୍ମୃତିଦୌର୍ବଲ୍ୟ ପ୍ରତି ଅଭିମାନ କରି ପାରନ୍ତି । ଏହାପରେ ମୁଁ ତାଙ୍କୁ ତାଙ୍କ ପରିଚୟ ପଚାରିବା ସମ୍ଭବଟି କି ? ବଙ୍କେଇ ଟଙ୍କେଇ ଅନେକ ସାର୍ବଜନୀନ ପ୍ରଶ୍ନକଲି । ଶେଷକୁ ତାଙ୍କ ପାର୍ବତ୍ୟ-ଜଳବେଣୀ-ନିଭ-ସ୍ୱଚ୍ଛ ପରିଧେୟର ପ୍ରଶଂସା ଗାଇବାରେ ଯାଇ ତାଙ୍କ ପରିଚୟ ପାଇଲି । ନର୍ସ ପୋଷାକରେ ବନ୍ଦିନୀ ହୋଇ ସାଧାରଣ ଶାଢ଼ି ପ୍ରତି ତାଙ୍କର ଲୋଭ ବଢ଼ିଛି ବୋଲି ସେ ପ୍ରକାଶ କଲେ । ତେବେ ଯାଇ ବୁଝିଲି ଯେ ଦୁଇବର୍ଷ ପୂର୍ବେ ଏହି ସୁଶ୍ରୀ ହିଁ ହସ୍‌ପିଟାଲରେ ଛ’ସପ୍ତାହ ଖଣ୍ଡେ ମୋର ସେବା ଶୁଶ୍ରୂଷା ଭାରରେ ଥିଲେ । କିନ୍ତୁ କହନ୍ତୁ ତ, ତାଙ୍କୁ ସେଭଳି ପୋଷାକରେ ନିକଟରେ ଦେଖି ଆଗରୁ କିଛି ନ ଦେଖିଥିବା ପରି ଧାରଣା ହେବା ମୋ ଆଖିର ଦୋଷ ନା ତାଙ୍କ ଭେକର ?

 

ସଙ୍ଗତ ଅସଙ୍ଗତ ସବୁ କିସମର ବେଶଭୂଷାରେ ଆବୃତ ହୋଇ କି ଅନାବୃତ ହୋଇ ଏବଂ ଅସମ୍ଭବ ସବୁ ସ୍ଥାନରେ ଦେଖାଦେଇ ବା ସମ୍ଭବ ସବୁ ସ୍ଥାନରେ ଦେଖା ନଦେଇ ଆପଣ କ’ଣ ଭୁଲ କରୁ ନାହାନ୍ତି ? ତଥାପି ଆପଣ କାହିଁକି ଆଶା କରୁଛନ୍ତି ଯେ ଏତେ ଏତେ ମୁହଁ ଭିତରେ ମୁଁ ଆପଣଙ୍କ ମୁହଁଟିକୁ ବିଲ୍‌କୁଲ୍‌ ଠଉରାଇ ନେବି ? ସେଥିରେ କ’ଣ ଦ୍ୱିତୀୟ ମହାଯୁଦ୍ଧର କମାଣ ଦାଗ ଅଛି ନା ଆଗ୍‍ମାର୍କ ମରା ହୋଇଛି ? ଆପଣଙ୍କ ମୁହଁଟା କ’ଣ କେଉଁ ରେଜିଷ୍ଟ୍ରୀକୃତ ପେଟେଣ୍ଟ ମାର୍କା ମୁହଁଟାଏ ? ପେଟେଣ୍ଟରେ ପୁଣିତ ଜାଲ୍‌ ନକଲି କେତେ କ’ଣ ରହିଛି । ଏଇ ଦେଖନ୍ତୁ, ତାଙ୍କୁ ଭେଟିଲି ପ୍ରଦର୍ଶନୀରେ । ସତ୍ୟ କହିଲେ, ସେ ମୋତେ ଭେଟିଲେ । ଭିଡ଼ରୁ ନିକିଲି ମୋ ଉପରକୁ ଝାମ୍ପ ଦେଲା ପରି ମାଡ଼ି ଆସି ଓଳଗିଟାଏ ହେଲେ । ସେ ସାଶ୍ଚର୍ଯ୍ୟ କହିଲେ, ‘ଆପଣ ଯେ ! ବହୁଦିନ ପରେ ଭେଟ ହେଲା’ । ଏପରି ଅଜଣା ଅଶୁଣା ଲୋକଙ୍କର ଜଣାଶୁଣା ସମ୍ୱୋଧନର କାମଚଳା ଉତ୍ତର ଦେବାରେ ମୁଁ ଏକପ୍ରକାର ନୈପୁଣ୍ୟ ଅର୍ଜନ କରିଛି । ମୁହଁରେ ହସର ସ୍ୱାଭାବିକ ପୁଟ ଦେଇ କହିଲି ‘ଦିନ ନୁହେଁ, ବର୍ଷ କହ, ଆଉ....ସବୁ କିମିତି ?’ ଓଳଗି କରିଥିବାରୁ ତୁ କହିବି କି ତମେ କହିବି ଏଇ ଚିନ୍ତାରେ ଥିଲା ବେଳକୁ ସେ କହିଲେ ‘ମୋତେ ଏଠି ହଠାତ୍‌ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିବେ’ । ତାଙ୍କର ଏ ଅନୁମାନ କିନ୍ତୁ ନିତାନ୍ତ ଅମୂଳକ ଥିଲା । ସେ ଯେମିତି ଆକାର ପ୍ରକାରର ସେଥିରେ ତାଙ୍କୁ ପ୍ରଦର୍ଶନୀ ତ ପ୍ରଦର୍ଶନୀ, ଚିଡ଼ିଆଖାନାରେ ଦେଖିଲେ ବି ଜମାରୁ ଆଶ୍ଚର୍ଯ୍ୟ ହୋଇ ନ ଯୋଗାଏ । ତେବେ ମୁଁ ପ୍ରକାଶ୍ୟେ କହିଲି ‘ଏ ଭଳି ଭେଟ ଦୈବାତ୍ ହୁଏ । ନୁହେଁ ?’ ଅନନ୍ତର ସେ ତାଙ୍କ ଚଳିତ ଇତିହାସ ବୟାନ କଲେ । ତାଙ୍କ ସ୍ୱାମୀଙ୍କ ବଦଳି ଏଇ ନିକଟରେ ଏଠିକି ହେଲା । ଗଙ୍ଗନଗରରେ ସାନ ଘରଟିଏ ମିଳିଛି, ଫଲଣା ଟାଇପ୍‌, ଅମୁକ ନମ୍ବର, ରାଜଭବନର କିଛି ଆଗରୁ ଦକ୍ଷିଣକୁ ପିଚୁରାସ୍ତାରେ ଗଡ଼ି ଚତୁର୍ଥ ଛକରେ ବାମପଟ ରାସ୍ତାରେ ଗଲେ ସେହି ବାମପଟର ପ୍ରଥମ ଘରଟା ତାଙ୍କର । ହଠାତ୍‌ ପଚାରିଲେ ‘‘ନାନୀ କିମିତି ଅଛନ୍ତି ?’’ ନାନୀ ! ନାନୀ ? କାହା ନାନୀ ? ମୋର ହେବ ନିଶ୍ଚୟ । ତାଙ୍କ ନାନୀ କଥା ଭଲା ସେ କାହିଁକି ମୋତେ ପଚାରନ୍ତେ ? ଏଇ ସନ୍ଧ୍ୟାଭାଷା ବେବଚ୍ଛେଦୀ ଚିନ୍ତା ମଧ୍ୟରେ ମୁଁ କହିଲି ‘ହଁ, ଏକପ୍ରକାର ଅଛନ୍ତି, ଆଉ କ’ଣ, ଯଥାପୂର୍ବଂ’ । କାର୍ଯ୍ୟ ଉପଲକ୍ଷ୍ୟେ ମୁଁ ବିଦାୟ ଚାହିଁଲି । ଗଲାବେଳେ ସେ କହିଲେ, ‘ମୁଁ ବହୁତ ବଦଳି ଯାଇଛି ନା ? ଆପଣ ସଙ୍ଗେ ସଙ୍ଗେ ଚିହ୍ନି ପାରିଲେ ?’ ତାଙ୍କ ଗାଲ ତଳର କଳାଜାଇଟା ଉପରେ ଦୃଷ୍ଟି ରଖି କହିଲି, ‘ତା’ ଆଉ ପଚାରିବାକୁ ଅଛି ? ଦେହଟା କିଛି କିଛି ବଦଳି ଯାଇଛି ସତ କିନ୍ତୁ ମୁହଁର କଳାଜାଇଟା ବରାବର ଚିହ୍ନାଇ ଦିଏ ।’ ସେ ଗଲେ, ମୁଁ ଭିଡ଼ରେ ମିଳେଇ ଗଲି ଏବଂ ପ୍ରଦର୍ଶନୀକୁ ମୋର ଆସିବାର ଆବଶ୍ୟକତା ନ ଥିବା ଉପଲବ୍‌ଧି କଲି । ଏହି ଘଟଣାର ଆଠ ଦଶ ଦିନ ପରେ ମୁଁ ମୋ ସ୍ତ୍ରୀ ସହ ରିକ୍‌ସାରେ ବସି ଷ୍ଟେସନ ଅଭିମୁଖେ ଯାଉଥିଲି-। ବିପରୀତ ଦିଗରୁ ଆସୁଥିଲେ ସେ–ସେ କିନ୍ତୁ ପୂରାପୂରି ସେ ନଥିଲେ । ତାଙ୍କ ମୁହଁର ସେହି କଳାଜାଇଟା ଜମାରୁ ନ ଥିଲା । ମୋ ସ୍ତ୍ରୀ କହିଲେ, ‘ଦେଖିଲଣି, ଏଇଟା ତ ଉଷା ନା କ’ଣ । ହଁ ତ ଉଷା ! କେଡ଼େ ଗଣ୍ଡି କଲାଣି !’ ମୁଁ ତାଙ୍କୁ କହିଲି, ‘ଗାଡ଼ି ବେଳ ଗଡ଼ି ଗଲାଣି । ତୁମେ ତାକୁ ଆଉ ପରିଚୟ ଦେବା କଥା ନ କରି ଏପଟେ ମୁହଁ ବୁଲେଇ ଦିଅ’ । ଏହି ଉଷା ହେଉଛି ମୋ ଶାଳୀର ବାଲ୍ୟବନ୍ଧୁ, ଆମେ ସିଧା ଚାଲିଗଲୁ । ଉଷା ମଧ୍ୟ ଆମକୁ ନ ଦେଖିଲା ପରି ଚାଲିଗଲା । ମୁଁ ମୋ ସ୍ତ୍ରୀର ସ୍ମୃତିଶକ୍ତିର ତାରିଫ କରି କହିଲି, ‘ତମେ ଏତେଗୁଡ଼େ ବର୍ଷ ପରେ ଜଣଙ୍କର ନାଁ ପର୍ଯ୍ୟନ୍ତ କିମିତି ମନେରଖିପାର ?’ ସେ କହିଲେ, ତା’ ନାଁଟା ମନେଅଛି, କାହିଁକି ନା ସେ ପିଲାଦିନେ କହୁଥାଏ ଯେ ତା’ ନାମରେ ସିଲେଇ କଳ ପଙ୍ଖା ଆଦି ତା’ ବାପା ତିଆରି କରୁଛନ୍ତି । ଆମ ନନା ଆମ ନାଁରେ କ’ଣ ସବୁ କରୁଛନ୍ତି ବୋଲି ସେ ପଚାରୁଥାଏ’ ।

 

ପୁଣି ସେହି ପୂର୍ବ କଥାକୁ ସ୍ମରଣ କରାଇ ଦିଏ । ନାମକୁ ମନେ ରଖାଇବା ଭଳି ଶକ୍ତି ନାମର ହିଁ ରହିବା ଉଚିତ । ଏ ଶକ୍ତି ଅସ୍ତିବାଚକ, ନାସ୍ତିବାଚକ ଯାହାହେଉ ପଛକେ । ଆପଣଙ୍କ ଓଠଟି ଯଦି ସାରା ମୁହଁଟା ଭିତରେ ବାରି ହୋଇଯିବା ଭଳି ବସ୍ତୁ ତେବେ ଆପଣ କିଛି ଗୋଟେ ଅଧର କିଧର ହୁଅନ୍ତୁ–ଧରଣୀଧର, ବେଣୁଧର, ମୁରଲୀଧର, ବଂଶୀଧର, ଚକ୍ରଧର, ଶ୍ରୀଧର, ରଙ୍ଗାଧର, ଗଙ୍ଗାଧର, ଲକ୍ଷ୍ମୀଧର ଇତ୍ୟାଦି ଇତ୍ୟାଦି । ଆପଣଙ୍କ ଆଖିଟି ଯଦି ଚିଲା, ଟେରା, କଣା ବା ବିକୃତ ତେବେ ବି ଆପଣ ବିରୂପାକ୍ଷ, ପଦ୍ମଲୋଚନ, ତ୍ରିଲୋଚନ ଆଦି ଯାହା କିଛି ହୋଇପାରନ୍ତି-। କିନ୍ତୁ ଆପଣଙ୍କ ଗୋଡ଼ଟି କେମ୍ପା ବୋଲି ଆପଣଙ୍କୁ କରୁଣାକର, ଲମ୍ୱୋଦର, ହୟଗ୍ରୀବ, ନୀଳକଣ୍ଠ, ପଦ୍ମଲାଭ ଆଦି ନାମରେ କେହି ଚିହ୍ନିପାରିବେ କି ? ନାମ ନେବେ ତ ନିଅନ୍ତୁ ବାମାଚରଣ, ଶ୍ୟାମାପଦ, ତ୍ରିଭଙ୍ଗସୁନ୍ଦର । ନିପଟ କୃଷ୍ଣବର୍ଣ୍ଣା ହୋଇ ମଧ୍ୟ ଯଦି କନକଲତା ନାମ ଗ୍ରହଣ କରନ୍ତି ତେବେ ଆପଣ ବିସ୍ମୃତ ହେବେ ନାହିଁ । ରାମକୃଷ୍ଣ ପରମହଂସଙ୍କର ପିଲାଦିନର ନାମ କ’ଣ ଥିଲା କହିଲେ ? ମୁହେଁ ମୁହେଁ କହନ୍ତୁ, ପୋଥିପତ୍ର ଘାଣ୍ଟନ୍ତୁ ନାହିଁ । ନାମଟି ଭୁଲି ଯିବା ଭଳି କଥା ବୋଲି ସେଥିରେ ଲିପିବଦ୍ଧ ହୋଇରହିଥାଏ । ସେହିପରି ଶଙ୍କର, ଚୈତନ୍ୟ ଆଦି ମହାପୁରୁଷଙ୍କ ନାମ ମୋର ହେତୁ ନାହିଁ । ବିବେକାନନ୍ଦ, ବିବେକାନନ୍ଦ ହେବା ଆଗରୁ ତ ଅନେକ ଗୁଡ଼ିଏ ନାମରେ ପରିଚିତ ଥିଲେ–ସେ ସବୁ ନାମ ପୋଥିରେ ବି ପାଇ ପାରିବେ ନାହିଁ । ଚିରକାଳ ପାଇଁ ସେ ସବୁ ହଜିଗଲା, ଏହି ସକଳ ମହାପୁରୁଷ ଆପଣାର ବାଲ୍ୟନାମକୁ ତ୍ୟାଗ କରି ଏକ ଅନ୍ତର୍ନିହିତ ଶକ୍ତିବିଶିଷ୍ଟ ନୂଆ ନାମ ଗ୍ରହଣ କରି ପ୍ରାତଃସ୍ମରଣୀୟ ରହିଛନ୍ତି । ଆଉ ଆମ ଯୁଗର ମହାତ୍ମାଗାନ୍ଧୀ ସେତକ କରି ନାହାନ୍ତି ବୋଲି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ତାଙ୍କ ନାମ ଲେଖା ରହିଲା ମୋହନଲାଲ କରମଚାନ୍ଦ ଗାନ୍ଧି ।

 

କିନ୍ତୁ ମୋ ନାମଟି ! ଆଉ ମୁହଁଟି ? ତାହା ଆପର ଭୁଲି ପାରିବେ ନାହିଁ–ଚେଷ୍ଟାକଲେ ବି ପାରିବେ ନାହିଁ । ମୋ ମୁହଁର ଡାହାଣ ହନୁହାଡ଼ ଉପରର ସଚ୍ଚା କଳାବୁନ୍ଦାଟି ଆଉ କାହା ମୁହଁରେ ଅଛି, କହିଲେ ? ଏ କ’ଣ ଉଷାର ରୋପିତ ଶୋଭାବିନ୍ଦୁ ହୋଇଛି ? ସଚ୍ଚା କଳାବୁନ୍ଦା ସାଙ୍ଗକୁ ସଚ୍ଚି ବାତ୍‌ କରେ, ଆନନ୍ଦ ପାଏ, ନ ପାଏ ମଧ୍ୟ । ସବୁ ମିଶିବାରୁ ମୋ ନାଁଟି, ତଥାପି ଭୁଲିଯିବେ ? ସତରେ ଭୁଲିଯିବେ ! ଆଉ ଆପଣଙ୍କୁ ପାରିହେବ ନାହିଁ । ମୋତେ ବଳି ପଡ଼ିଲେ ।

Image

 

Unknown

ଡେଙ୍ଗାଙ୍କ ପକ୍ଷ ସମର୍ଥନ

 

ମୂଳରୁ ଏହା ଜାଣି ରଖିବା ଉଚିତ ଯେ ଡେଙ୍ଗା ଶବ୍ଦଟି ଏକ ଆପେକ୍ଷିକ ଶବ୍ଦ, ଯାହା ଯଥାର୍ଥରେ ତୁଳନାତ୍ମକ ଭାବେ ବ୍ୟବହୃତ ହେବା ଲାଗି ଉଦ୍ଦିଷ୍ଟ ହୋଇଥିଲେ ହେଁ, ଭ୍ରମବଶତଃ ବ୍ୟାପକ ଭାବରେ ମଣିଷର ଉଚ୍ଚତାର ପରିମାପକରୂପେ ବ୍ୟବହୃତ ହେଉଅଛି । ପୁଣି, ଏହା ମଧ୍ୟ ଜାରି ରଖିବା ଉଚିତ ଯେ ଆମେ ଯେତେ ସବୁ ଲୋକଙ୍କୁ ଡେଙ୍ଗା ବୋଲି କହିଥାଉ ସେ ସମସ୍ତ ଲୋକେ ପ୍ରକୃତରେ ଡେଙ୍ଗା କି ନୁହନ୍ତି ତାହା ନିର୍ଣ୍ଣୟ କରିବା ଲାଗି ଆମକୁ ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତ ମଧ୍ୟରେ ଏହି ବିଶ୍ୱବ୍ରହ୍ମାଣ୍ଡର ସମସ୍ତ ମଣିଷଙ୍କର ଉଚ୍ଚତା ମାପି ସ୍କୁଲ୍‍ଛାତ୍ର-ସୁଲଭ-ଧୈର୍ଯ୍ୟ ଘେନି ମଣିଷର ହାରାହାରି ଉଚ୍ଚତା ପ୍ରକୃତରେ କେତେ, ତାହା ସ୍ଥିର କରିବାକୁ ହେବ ।

 

ଯେକୌଣସି କଥାର ବ୍ୟାପକତା ତାହାର ଅନ୍ତର୍ନିହିତ ଦୋଷ ଦୁର୍ବଳତାକୁ ଛପାଇ ରଖିବା ହେତୁରୁ ଡେଙ୍ଗା ଶବ୍ଦର ବ୍ୟବହାରଗତ ଦୋଷକୁ ତାହାର ବ୍ୟାପକ ପ୍ରୟୋଗ ଆବୃତ କରିଛି-। ତେଣୁ ଦେଶକେ ଫାଙ୍କ୍‌ ନଈକେ ବାଙ୍କ୍‌ ନ୍ୟାୟରେ ଡେଙ୍ଗା ଶବ୍ଦର ଅର୍ଥ ବୁଝିବା ବେଳକୁ ଆମ ମନ ନିତାନ୍ତ ଭାବେ ସୀମିତ ହୋଇ ଆପଣା ଦେଶ ମଧ୍ୟରେ, ଆପଣା ରାଜ୍ୟ ମଧ୍ୟରେ, ଆପଣା ଗ୍ରାମ ମଧ୍ୟରେ ଆବଦ୍ଧ ରହି ଶେଷକୁ ଆପଣା ଦମ୍ପତି ମଧ୍ୟରେ ଲାଖି ରହେ ଏବଂ ଏରଣ୍ଡୋପି ଦ୍ରୂମାୟତେ ନ୍ୟାୟ ଅର୍ଥାତ୍‍ ଦୂବଗଛ ମଧ୍ୟରେ ଗବଗଛ ମହାଦ୍ରୂମ ବୋଲାଇବା ଅବସ୍ଥା ଘଟେ । ଏପରି ସ୍ଥଳେ ନିରୀହ ଲେଖକ ବାସ୍ତୋରି ହାତ ଉଞ୍ଚା ଲଙ୍କାର ଅସୁରକୁ ଡେଙ୍ଗା କହିବ କି ଗେଡ଼ା କହିବ ସମଝି ନ ପାରି ତାହାର ସମାଧାନ ଭାର ବିଜ୍ଞ ପାଠକଙ୍କ ଉପରେ ଳଦି ଦେବାକୁ ବାଧ୍ୟ ହେଉଛି [ଯେଉଁମାନଙ୍କୁ ପୁରାଣ ବୋଇଲେ ଗନ୍ଧାଏ ସେମାନେ ଲିଲିପୁଟିଆନମାନଙ୍କ ମଧ୍ୟରେ ମୁଠୁଣିଏ ଉଞ୍ଚା ଲୋକଟିର ପ୍ରଶ୍ନର ସମାଧାନ କରନ୍ତୁ] ।

 

ସୁଖର କଥା । ଆଜିସୁଦ୍ଧା ଅଧିକ ଉଚ୍ଚତା ବିଶିଷ୍ଟ ବ୍ୟକ୍ତିଙ୍କୁ ଡେଙ୍ଗା ଭିନ୍ନ ଅନ୍ୟ କିଛି କୁହାଯାଉ ନାହିଁ, ଅଥଚ ସେମାନଙ୍କର ବିପରୀତ ଅବସ୍ଥାପନ୍ନ ଲୋକଙ୍କୁ ଗେଡ଼ା ଓ ବାମନ ଦୁଇଟି ନାମରେ ଅଭିହିତ କରି ସମାଜ ସେମାନଙ୍କ ମଧ୍ୟରେ ବିଭେଦ କଳ୍ପନା କରିଛି । ଅମରସିଂହ ଆଦି ଆମର ପୂର୍ବାଚାର୍ଯ୍ୟ ଅଭିଧାନକାରମାନେ ଯେ ନିଃସନ୍ଦେହରେ ଡେଙ୍ଗା ଥିଲେ, ଏହା ଏହି ତଥ୍ୟରୁ ସହଜରେ ଅନୁମାନ କରିହୁଏ–ଅବଶ୍ୟ ଅଡେଙ୍ଗାମାନେ ଏହି ଅନୁମାନ କଲାବେଳେ କଷ୍ଟ ଅନୁଭବ କରିପାରନ୍ତି । ପାଞ୍ଚଫୁଟ ଏଗାର ଇଞ୍ଚ ଉଚ୍ଚତାବିଶିଷ୍ଟ, ଲୋକରେ ଡେଙ୍ଗା ବୋଲି ପରିଚିତ, ଏହି ଲେଖକ, ଅଭିଧାନକାରମାନେ ଡେଙ୍ଗା ଲୋକେ ଏକତାବଦ୍ଧ ହେବା ଲାଗି ଯଥେଷ୍ଟ କ୍ଷେତ୍ର ପ୍ରସ୍ତୁତ କରି ଯାଇଥିବା ସତ୍ତ୍ୱେ, ସେମାନଙ୍କ ମଧ୍ୟରେ ଭାବଗତ ଐକ୍ୟ ପ୍ରତିଷ୍ଠା ପାଇଁ କୌଣସି ପ୍ରଚେଷ୍ଟା ହେୁ ନଥିବା ଦେଖି ବିଶେଷ ମର୍ମାହତ ଏବଂ ଏ ସମ୍ପର୍କରେ ତାହାର ଯଥେଷ୍ଟ କର୍ତ୍ତବ୍ୟ ରହିଛି ବୋଲି ସଚେତ । ଆଧୁନିକ ଯୁଗରେ ଏକତାର ନିଦର୍ଶନ ରୂପେ ସମାଜମାନ ଗଠିତ ହେଉଥିବା ଦୃଷ୍ଟିରୁ ଏକ ଡେଙ୍ଗା-ସଙ୍ଗଠନ ତୁରନ୍ତ ଗଠନ କରିବା ଏକାନ୍ତ ଆବଶ୍ୟକ ଏବଂ ଏହାର ଗଠନ ଏକ ଜାତୀୟ କର୍ତ୍ତବ୍ୟ ବୋଲି ବୁଝିବାକୁ ହେବ । ନିକଟରେ ଭାରତ ପାର୍ଲାମେଣ୍ଟ ପରି ସର୍ବଶ୍ରେଷ୍ଠ ପ୍ରତିନିଧିମୂଳକ ସଂସ୍ଥାର ବିଜ୍ଞ ସଦସ୍ୟ-ମଣ୍ଡଳୀ ମଧ୍ୟରେ ମୋଟାଲୋକଙ୍କର ଏକ ସଂସ୍ଥା ଗଠିତ ହୋଇ ସାରିଥିବାରୁ ଡେଙ୍ଗା ସଙ୍ଗଠନର ଆବଶ୍ୟକତା ଅହୁରି ବେଶି ଜରୁରି ହୋଇଅଛି । ଡେଙ୍ଗାଲୋକଙ୍କୁ ସେ ଦିଗରେ ଯତ୍‌କିଞ୍ଚିତ ପ୍ରେରଣା ଏହି ଲେଖା ଦେଇପାରିଲେ ଲେଖକ ନିଜକୁ କୃତ୍ୟ କୃତ୍ୟ ମନେକରିବ ।

 

ଯାତ୍ରାରେ, ସଭାରେ, ନାଟ୍ୟଶାଳାରେ, ସିନେମାହଲରେ ତଥା ଗଛରୁ ଫଳ ତୋଳିବା ବେଳକୁ ଡେଙ୍ଗା ହେବାର ସୁବିଧା ସମସ୍ତେ ଅବଶ୍ୟ ହୃଦୟଙ୍ଗମ କରନ୍ତି । ଭାରତୀୟ ସମ୍ବିଧାନ ଜାତି, ଧର୍ମ ଓ ଲିଙ୍ଗ ଭେଦରେ କୌଣସି ପାତ୍ର ଅନ୍ତର ନୀତି ଗ୍ରହଣ କରିବା ବିରୁଦ୍ଧରେ କଡ଼ା ନିର୍ଦ୍ଦେଶ ଦେଇଥିଲେ ହେଁ ପ୍ରକୃତି ଡେଙ୍ଗାଲୋକଙ୍କୁ ଯେଉଁ ଯେଉଁ ଅଧିକା ସବୁ ସୁବିଧା ଦେଇଛି ତାହାର ପ୍ରତିକାର କଳ୍ପେ ପ୍ରତ୍ୟେକ ଅଡେଙ୍ଗା ଲୋକଙ୍କୁ ନିରନ୍ତର ଷ୍ଟୁଲ୍‌ଟିଏ ଧରି ଚଳପ୍ରଚଳ ହେବାକୁ ହେବ, ଅନ୍ତତଃପକ୍ଷେ ଚାଲିବା କିମ୍ୱା ଛିଡ଼ାହେବା କାଳରେ ସେତିକି ସୁବିଧା ଲାଭ କରିବା ପାଇଁ ସେମାନଙ୍କୁ ରଣପା ବ୍ୟବହାରର ଜଟିଳ ବିଦ୍ୟା ସାଧନ କରିବାକୁ ହେବ । ତାହା ନ କରି ଡେଙ୍ଗାଲୋକଙ୍କ ପ୍ରକୃତି ପ୍ରଦତ୍ତ ଅଧିକାର ଦେଖି ପରଶ୍ରୀକାତରତା ହେତୁରୁ ରବେଇଖବେଇ ହୋଇ କେତେକେ ଯେଉଁଭଳି ଭାବେ ଡେଙ୍ଗାଙ୍କୁ ଅକାରଣ ନିନ୍ଦା କରନ୍ତି ତାହା ସର୍ବଥା ନିନ୍ଦନୀୟ । ‘ଡେଙ୍ଗା ମୁଣ୍ଡରେ ଠେଙ୍ଗା’ ଏଭଳି ନିନ୍ଦାର ଏକ ଦୃଷ୍ଟାନ୍ତ । ସ୍କୁଲ୍‍ ପାଠ୍ୟବହିରେ ସୁଦ୍ଧା ଏହି ଉକ୍ତିଟି ପୁନଃପୁନଃ ଘୋଷିତ ହୋଇ ଅଡେଙ୍ଗା ଲୋକଙ୍କ ବିକୃତ ହୀନମନ୍ୟତା (Inferiority complex)କୁ ଯେପରି ବ୍ୟକ୍ତ କରେ ତାହା କୌଣସିମତେ ସ୍ପୃହଣୀୟ ନୁହେଁ । ପୁଣି ଏପରି ଉକ୍ତିଗୁଡ଼ିକ ଜାତୀୟ ଚରିତ୍ର ଗଠନ ଦିଗରେ କିପରି ଧ୍ୱଂସାତ୍ମକ କାର୍ଯ୍ୟ କରେ, ତାହା ଏବର ଜାତୀୟ ସଂକଟ କାଳେ ଆଗେଡ଼ାଡେଙ୍ଗା ସମସ୍ତଙ୍କ ବୁଝିବା ଉଚିତ ।

 

ଯେକୌଣସି ଜାତିର ହାରାହାରି ଉଚ୍ଚତା ତାହାର ସଭ୍ୟତାର ମାନଭାବେ ଧରି ନିଆଯାଇ ପାରେ । ଏହି ଉକ୍ତିଟିର ସତ୍ୟତା ସ୍ୱୟଂସିଦ୍ଧ । ଆଫ୍ରିକାର ପିଗ୍‌ମି, କି ନିଗ୍ରୋ, କି ଏସ୍‌କିମୋ, କି କନ୍ଧ, କି ବଣ୍ଡା ପରଜା ଆଦି ଜାତିମାନଙ୍କର ଉଚ୍ଚତା ପ୍ରସଙ୍ଗ ଚିନ୍ତା କଲେ ଅଧିକ କହିବା ଅନାବଶ୍ୟକ ବିବେଚିତ ହେବ । ସେହିପରି ହିନ୍ଦୁମାତ୍ରେ ଅବଶ୍ୟ ବିଶ୍ୱାସ କରୁଥିବେ ଯେ ମଣିଷର ଉଚ୍ଚତା ଯୁଗକ୍ରମରେ ହ୍ରାସ ପ୍ରାପ୍ତ ହେଉଅଛି । ସତ୍ୟ ଯୁଗର ଏକୋଇଶି ହାତର ମଣିଷ ଏକପା’ସତ୍ୟ ହରାଇ ତ୍ରେତାରେ ଚଉଦହାତର ହେଲା ଏବଂ ପୁଣି ପାଏ ହରାଇ ଦ୍ୱାପର ଯୁଗରେ ସାତହାତର ହେଲା । ଏବେ କଳିଯୁଗ ହେବାରୁ ସେହି ମଣିଷ ତିନି ହାତ ଚାଖଣ୍ଡେ । ହିନ୍ଦୁ ବିଚାରରେ ଯୁଗକ୍ରମରେ ମଣିଷର ସଂସ୍କୃତିର ଅଧୋଗତି ହେବା ହେତୁ ତାହାର ଉଚ୍ଚତାର ହ୍ରାସ ହେଉଅଛି । ତେଣୁ ଏହି ବିନୀତ ଲେଖକ ଦୃଢ଼ଭାବେ କହେ କି ଉଚ୍ଚତାହିଁ ମଣିଷର ସଭ୍ୟତାର ସୂଚକ । ଏପରି ସ୍ଥଳେ ଲୋକଙ୍କ ମନରେ ଡେଙ୍ଗାହେବା ବିରୁଦ୍ଧରେ ଧାରଣା ସୃଷ୍ଟି କରୁଥିବା ‘ଡେଙ୍ଗା ମୁଣ୍ଡରେ ଠେଙ୍ଗା’ ଭଳି ଆକ୍ଷେପମୂଳକ ଓ ଅମୂଳକ ଉକ୍ତି ଯେତେ ଶୀଘ୍ର ଏ ଜାତି ଭୁଲିଛି ସେତିକି ମଙ୍ଗଳ । ଭାଗବତକାରଙ୍କ ‘ଏ ମନ ଚିନ୍ତୁଥାଇ ଯାହା, କାଳେ ପ୍ରାପତ ହୁଏ ତାହା’ ମତ ଅଭ୍ରାନ୍ତ ବୋଲି ତ ଡାରବିନ ଆଦି ଗବେଷକମାନେ ପ୍ରମାଣ କରି ସାରିଛନ୍ତି । ଆମର ତଥା ସମସ୍ତ ପ୍ରାଣୀ ଜଗତର ଶରୀରଗଠନ ପଛରେ ଏହି ଏକାନ୍ତ ଚିନ୍ତାହିଁ କାର୍ଯ୍ୟ କରିଛି । ଚୀନାଝିଅର ଛୋଟପାଦ ତାହାକୁ ଲୁହାଜୋତାରେ ଚିପି ରଖିବା ହେତୁରୁ ନୁହେଁ, ଛୋଟ ପାଦ ପାଇଁ ଚୀନାନାରୀମାନଙ୍କର ଏକାନ୍ତ ଅଭିଳାଷ ହିଁ ତାହାର ହେତୁ । ଏହି କାରଣରୁ ଲୋକମନରେ ଡେଙ୍ଗା ନହେବା ପାଇଁ ବ୍ୟାପକ ଇଚ୍ଛା ଜନ୍ମିଲେ ଆଗାମୀ ବଂଶଧରଗଣ ସ୍ୱତଃ ଡେଙ୍ଗା ହେବେ ନାହିଁ ଏବଂ ଫଳର ଅଧିକ ଅସଭ୍ୟ ହୋଇଯିବେ । ସରକାରଙ୍କ ପ୍ରଚାର ବିଭାଗ ଲୋକଙ୍କ ମନରେ ଡେଙ୍ଗା ହେବା ଲାଗି ପ୍ରବଳ ଇଚ୍ଛା ଜନ୍ମାଇବା ଲାଗି ବ୍ୟାପକ ପ୍ରଚାର କରିବା ଲାଗି କି ବିସ୍ତୃତ କ୍ଷେତ୍ର ରହିଛି ଏବଂ ଆବଶ୍ୟକତା ରହିଛି ତାହା ଆଉ କେହି ବୁଝୁ ନ ବୁଝୁ ଡେଙ୍ଗା ମୁଖ୍ୟମନ୍ତ୍ରୀ ଡଃ ମହତାବ ଓ ଡେଙ୍ଗା ପ୍ରଚାରମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଅଚିରେ ବୁଝିବେ ବୋଲି ଏହି ଲେଖକ ଆଶା ପୋଷଣ କରୁଛି-

 

ସାଧାରଣ ଭାବେ ଡେଙ୍ଗା ଜାତିହିଁ ସଭ୍ୟହେବାର କାରଣ ଅନୁସନ୍ଧାନ ଲାଗି ପାଠକଙ୍କ ମନରେ କୌତୂହଳ ଜାତ ହେଉଥିବ । ପ୍ରାସଙ୍ଗିକ ସମସ୍ତ ବୈଜ୍ଞାନିକ ତଥ୍ୟର ଆଲୋଚନା ପ୍ରବନ୍ଧର ସୀମିତ ପରିସର ମଧ୍ୟରେ ସମ୍ଭବ ନୁହେଁ, ତଥାପି ସେ ସମ୍ପର୍କରେ ସାମାନ୍ୟ ସୂଚନା ଦିଆଯାଉଛି । ଯେକୌଣସି ପ୍ରାକୃତିକ ଭୂଗୋଳ ପୋଥିରୁ ପାଠକେ ବୁଝିପାରିବେ ଯେ ଯେତେ ଉପରକୁ ଉଠିବ, କ୍ରମେ ଉତ୍ତାପର ମାତ୍ରା ତେତିକି କମିବ । ଏଥିପାଇଁ ଗିରିନିବାସଗୁଡ଼ିକ ତଳଦେଶ ଅପେକ୍ଷା ଅଧିକତର ଶୀତଳ । ଏହି ବୈଜ୍ଞାନିକ ତଥ୍ୟଟିକୁ ମନେ ରଖି ଉତ୍ତାପ ସହ ମଣିଷର ମସ୍ତିଷ୍କର ସମ୍ପର୍କ କଥା ବିଚାର୍ଯ୍ୟ । ଏବେ ଏବେ ଏଭେରେଷ୍ଟ ଆରୋହୀ ବ୍ରିଟିଶ ଅଭିଯାତ୍ରୀଙ୍କ ଯାତ୍ରା ବିବରଣ ପ୍ରକାଶ ପାଇବାରୁ ଜଣାପଡ଼ୁଛି ଯେ ମଣିଷ ଯେତିକି ଯେତିକି ଉପରକୁ ଉଠେ ତାହାର ମନ ତେତିକି ତେତିକି ଦର୍ଶନ, ବିଜ୍ଞାନ, ସାଧନା ଆଦି ଗୁରୁ ବିଷୟ ପ୍ରତି ଆକୃଷ୍ଟ ହୋଇ ପ୍ରେମ ସଙ୍ଗୀତ ଆଦି ଲଘୁ ବିଷୟଠାରୁ ଦୂରେଇ ଯାଏ । ଖୁବ୍‌ ସମ୍ଭବ, ଏହି ସତ୍ୟଟିକୁ ଉପଲବ୍‌ଧି କରି ଆମର ପୂର୍ବସୂରୀଗଣ ହିମାଳୟରେ ତପସ୍ୟା କରିବା ପ୍ରଥା ଚଳାଇଥିଲେ । ମସ୍ତିଷ୍କକୁ ଥଣ୍ଡା ରଖିବାର ସୁଫଳ କେବଳ ଆଧ୍ୟାତ୍ମିକ ବିଚାରରୁ ନୁହେଁ, ସ୍ୱାସ୍ଥ୍ୟ ବିଚାରରୁ ମଧ୍ୟ ଏହାର ଉପାଦେୟତା ଆମର ଖନାବଚନ ‘ମୁଣ୍ଡରେ ଠେକା, ପାଦରେ ତେଲ, ବଇଦ ସାଙ୍ଗରେ କରିବ ଗେଲ’ କହେ । ଏବେ ଗୋବରଲିପା ତଳ ଛାଡ଼ି ସେମେଣ୍ଟର ମସୃଣ ଚଟାଣକୁ ଆଶ୍ରା କରିଥିବା ହେତୁ ପାଦରେ ତେଲ ଦେବା ବିପଜ୍ଜନକ ମନେକରି ‘ପାଦରେ ଜୋତା ମୁଣ୍ଡରେ ତେଲ’ ଭଳି ଏକ ବିପରୀତ ଚଳଣିକୁ ଅନୁସରଣ କରି ଦଇବ ସାଙ୍ଗରେ ଗେଲ କରିବାକୁ ବସିବା ମଣିଷର ନିଛକ ନିର୍ବୋଧତା ମାତ୍ର । ତଥାପି ମସ୍ତିଷ୍କକୁ ଶୀତଳ ରଖିବା ଉପକାରିତା ମଣିଷ ବୁଝି ଉତ୍ତମ ବିଚାରକୁ ଥଣ୍ଡାବିଚାର ବା Cool thinking କହୁଛି । ଲେଖକକୁ ଗରିବଦ୍ୱେଷୀ ବୋଲି ଭୁଲ ନ ବୁଝିଲେ ଏହା ସେ କହିବ ଯେ ଖାସ୍‌ ଦ୍ୱିତଳ ତ୍ରିତଳ ଆଦି ଉଚ୍ଚସ୍ଥାନରେ ରହିବା ସୁଯୋଗ ପାଇବାରୁ ଧନୀଘର ପିଲାମାନେ ଅଧିକ ସଂଖ୍ୟାରେ କଲେଜରେ ଭର୍ତ୍ତି ହେଉଛନ୍ତି । ଏହି ସବୁ ତଥ୍ୟ ପରିପ୍ରେକ୍ଷୀରେ ବିଚାର କଲେ, ଗେଡ଼ା ଲୋକଙ୍କ ମୁଣ୍ଡ ଅପେକ୍ଷା ଡେଙ୍ଗାଙ୍କ ମୁଣ୍ଡକୁ ଅଧିକତର ଶୀତଳ ବାୟୁମଣ୍ଡଳରେ ରଖିଥିବା ହେତୁରୁ ଡେଙ୍ଗା ଲୋକେ ପ୍ରକୃତି ନିକଟରେ କୃତଜ୍ଞ ରହିବେ । ଦାରିଦ୍ର୍ୟ ଭିତରେ ଉଚ୍ଚଚିନ୍ତା କରାଯାଏ (Plain living and high thinking) ବୋଲି ଯେଉଁ କଥା ଅଛି, ତାହା କେବଳ ଡେଙ୍ଗା ଲୋକଙ୍କଠାରେ ସତ୍ୟ ।

 

ଶୀତଳ ମସ୍ତିଷ୍କଜନିତ ସୁବିଧା ଛଡ଼ା ଡେଙ୍ଗା ଲୋକଙ୍କର ଆଉ ଏକ ସୁବିଧା ରହିଛି, ଯାହା ଡେଙ୍ଗା ଭିନ୍ନ ଆଉ କେହି ହୃଦୟଙ୍ଗମ କରି ପାରିବେ ନାହିଁ । ନିରନ୍ତର ସମସ୍ତଙ୍କୁ ଉପରୁ ତଳେଇ ଚାହିଁବା ଫଳରେ ଡେଙ୍ଗାଲୋକେ ସ୍ୱଭାବତଃ ନିଜକୁ ଅନ୍ୟଠାରୁ ଅଧିକ ଉନ୍ନତ ମନେକରନ୍ତି । କେବଳମାତ୍ର ଏହି ଭାବ ସେମାନେ ପୋଷଣ କରୁଥିଲେ ସେମାନଙ୍କ ଚରିତ୍ର ଅବଶ୍ୟ ଘୃଣାର ପାତ୍ର ହୁଅନ୍ତା, କିନ୍ତୁ ଚାଳ, ଦୁଆରବନ୍ଧ, ଗଛଡାଳ ଆଦି ମୁଣ୍ଡରେ ବାଜିବା ଭୟରେ ସେମାନେ ବାରମ୍ୱାର ମୁଣ୍ଡ ନୁଆଁଇବା ଫଳରେ ଏବଂ ଅନ୍ୟସହ କଥାଭାଷା ବେଳେ ମୁହଁ ତଳକୁ କରି ରହିବା ଫଳରେ ସେମାନେ ବିନୟ ସ୍ୱଭାବଶୀଳ ହୁଅନ୍ତି । ଉନ୍ନତିର ଚେତନା ଏବଂ ଅନ୍ୟ ସମକ୍ଷରେ ନମ୍ରତା ଡେଙ୍ଗାଲୋକଙ୍କର ଚରିତ୍ରକୁ ଆଦର୍ଶସ୍ଥାନୀୟ କରେ, ଏଥିରେ ଦ୍ୱିମତ ନ ଥାଇ ପାରେ । ସବୁ ଲୋକେ ଡେଙ୍ଗା ହୋଇଥିଲେ ମଣିଷକୁ କି ସୁଶୀଳଙ୍କ ସହ ଚଳିବାକୁ ନ ହୁଅନ୍ତା !

 

ଏତେ ସବୁ ଦୈବୀପ୍ରସାଦ ବଳରେ ବଳୀୟାନ ହେଲେ ହେଁ ରାଷ୍ଟ୍ରର ପାତ୍ର ଅନ୍ତର ନୀତି ଡେଙ୍ଗା ଲୋକଙ୍କୁ ବିଶେଷ ଦୁଃଖ ଦେଉଛି । ସମାଜବାଦୀ ଢାଞ୍ଚାକୁ ମାନି ନେବା ପରେ ସମାନ ପରିଶ୍ରମ ପାଇଁ ପ୍ରତ୍ୟେକଙ୍କୁ ସମାନ ସୁଯୋଗ ଦେବା ରାଷ୍ଟ୍ରର କର୍ତ୍ତବ୍ୟ । କିନ୍ତୁ ନିତାନ୍ତ ବ୍ୟବହାର୍ଯ୍ୟ ପରିଚ୍ଛଦଲାଗି ମଧ୍ୟ ଡେଙ୍ଗାଲୋକକୁ ଗେଡ଼ାଲୋକର ଅନ୍ୟୂନ ଦେଢ଼ଗୁଣା ଧନ ବ୍ୟୟ କରିବାକୁ ପଡ଼ୁଥିବାରୁ ସମାଜରେ ଅବାଞ୍ଛିତ ଆର୍ଥନୀତିକ ବୈଷମ୍ୟ ଦେଖାଦେଉଛି । ଏହାର ପ୍ରତିକାର କଳ୍ପେ ରାଷ୍ଟ୍ର ତୁରନ୍ତ ଡେଙ୍ଗାଲୋକଙ୍କୁ ଶସ୍ତାରେ କନା ନ ବିକିଲେ ସମାଜବାଦୀ ଢାଞ୍ଚା ଏକ ପ୍ରହସନ ହୋଇଯିବ ସିନା ! ରାଷ୍ଟ୍ର ତଥା ଧନୀ ଲୁଗାକଳ ମାଲିକଙ୍କର ଏହି ଡେଙ୍ଗା ଶୋଷଣ ନୀତି ସହ ଦରଜୀ, ଭଣ୍ଡାରୀ ଆଦିଙ୍କ ବ୍ୟବହାର ତୁଳନୀୟ । ଦରଜୀ ଯଥାର୍ଥ ସାମ୍ୟବରଦୀଭାବେ ଗେଡ଼ାଡେଙ୍ଗା ସମସ୍ତଙ୍କଠାରୁ ଏକ ସିଲେଇ ମୂଲ ଦାବି କରେ । ଭଣ୍ଡାରୀ ସେହିପରି ବାଳ କାଟିବା ଲାଗି ଗେଡ଼ା ଓ ଡେଙ୍ଗା ସମସ୍ତଙ୍କଠାରୁ ସମାନ ମୂଲ ନିଏ । ଆମର କହିବାର କଥା, ଅପ୍ରଶସ୍ତ ବୁଦ୍ଧିକୁ କେତେକ ଜାତିଆଣ ମନୋଭାବାପନ୍ନ ଲୋକେ ଭଣ୍ଡାରୀ ବୁଦ୍ଧି କହୁଥିବା ସତ୍ତ୍ୱେ ଆମ୍ଭମାନଙ୍କର ଏ ଦିଗରେ ଭଣ୍ଡାରୀଠାରୁ ଶିକ୍ଷଣୀୟ ବିଶେଷ କିଛି ରହିଛି ।

 

ରାଷ୍ଟ୍ରର ଡେଙ୍ଗାଙ୍କ ପ୍ରତି ବିଷଦୃଷ୍ଟି ଅନ୍ୟ ଏକ କଥାରେ ମଧ୍ୟ ପ୍ରକାଶିତ ହୁଏ । କେବଳ ମିଲିଟେରୀ ଓ ପୋଲିସ ଚାକିରି ଭିନ୍ନ ଅନ୍ୟ ଚାକିରିରେ ନିଯୁକ୍ତି ପାଇଁ ମଣିଷର ଉଚ୍ଚତାକୁ ଯୋଗ୍ୟତା ରୂପେ ଧରାଯାଏ ନାହିଁ । ଗେଡ଼ା ଓ ବାମନ ପୋଲିସ ଓ ମିଲିଟେରୀ ସଂସ୍ଥାରୁ ପୂରାପୂରି ବାଦ୍‌ ଯାଇଛନ୍ତି । ଏହାକୁ ଉପରଠାଉରିଆମାନେ ଗେଡ଼ାଙ୍କ ପ୍ରତି ପକ୍ଷପାତ ବିଚାର ବୋଲି କହିପାରନ୍ତି କିନ୍ତୁ ନିଠେଇ ଦେଖିଲେ ଡେଙ୍ଗାମାନେ ଏଥିରେ କ୍ଷୁବ୍‌ଧ ହେବା କଥା । କୁହାଯାଇଛି, ଡେଙ୍ଗାମାନେ ସ୍ୱଭାବତଃ ଚିନ୍ତାଶୀଳ ବ୍ୟକ୍ତି । ଏହା ସର୍ବସମ୍ମତ ଯେ ପୋଲିସ କି ମିଲିଟେରୀର ବ୍ୟକ୍ତିର ଚିନ୍ତା କିମ୍ୱା ସିଦ୍ଧାନ୍ତ ଲାଗି କ୍ଷେତ୍ର ନାହିଁ । ଉପର ହାକିମଙ୍କର ହୁକୁମ ପାଳିବା ହିଁ ସେଠାରେ ଅନନ୍ୟକର୍ତ୍ତବ୍ୟ । ତେଣୁ ଆମ୍ଭ ବିଚାରରେ ପୋଲିସ ଓ ମିଲିଟେରୀ ହେବାକୁ ଗେଡ଼ାମାନେ ଅଧିକ ଉପଯୁକ୍ତ । ଏହି ପ୍ରାକୃତିକ ନିୟମର ଉଲ୍ଲଂଘନ କ୍ରମେ ଏହି ସାମରିକ ବିଭାଗଦ୍ୱୟରେ କେବଳ ହେଙ୍ଗାଙ୍କୁ ନେବା ହେତୁ ଉଭୟ ସଂସ୍ଥାର କାର୍ଯ୍ୟକାରିତା ଆଶାନୁରୂପ ହେଉ ନାହିଁ । ତହିଁରେ ଯୋଗଦେଇଥିବା ସ୍ୱଭାବତଃ ଚିନ୍ତାଶୀଳ ବ୍ୟକ୍ତିମାନେ ଗଠନମୂଳକ ଚିନ୍ତା ପାଇଁ ସୁବିଧା ପାଉନାହାନ୍ତି । ଏ ଏକ ବଡ଼ ସମସ୍ୟା । ଗେଡ଼ାଙ୍କୁ ନେଇ ପୋଲିସ ବିଭାଗ ଓ ବାମନଙ୍କୁ ନେଇ ଆମର ମିଲିଟେରୀ ଯେ ଯାଏଁ ଗଢ଼ା ହୋଇନାହିଁ, ସେ ଯାଏଁ ଉଭୟର ଅପତୁଟ ଦୂରୀଭୂତ ହେବ ନାହିଁ । ଅଚିରେ ଯୋଜନାମୂଳକ ସରକାର ଅନୁରୂପ ନିୟମ ପ୍ରଣୟନ ଏବଂ ପାଞ୍ଚଫୁଟ ଏଗାର ଇଞ୍ଚ ଉଚ୍ଚତା ବିଶିଷ୍ଟ ହେଲେ ହିଁ ଏମ୍‌.ଏଲ୍‌.ଏ. କିମ୍ୱା ଏମ୍‌.ପି. ହୋଇପାରିବେ ବୋଲି ସମ୍ବିଧାନରେ ଆବଶ୍ୟକ ସଂଶୋଧନ କରିବା ଦିଗରେ ଧ୍ୟାନ ଦେବେ ବୋଲି ଆଶା ।

 

ଡେଙ୍ଗାମାନେ ଯେତେ ଯେତେ ରୂପରେ ନିର୍ଯ୍ୟାତିତ ହେଉଛନ୍ତି ସେ ସବୁକୁ ଜଣେ ମାତ୍ର ଡେଙ୍ଗା, ଏହି ଲେଖକ, ବାରିବା ସମ୍ଭବ ନୁହେଁ । ଏ ସମ୍ପର୍କରେ ଏକ ଡେଙ୍ଗା ମହାସଭା ହେଲେ ସବୁକଥା ଆଲୋଚିତ ହୋଇପାରେ । ପୁଣି କେତେକ ଛୋଟ ଛୋଟ କଥାରେ ଡେଙ୍ଗାଙ୍କ ପ୍ରତି ଯେଉଁ ଈର୍ଷାଭାବ ପ୍ରକଟିତ ହୁଏ ତାହା ଲିପିବଦ୍ଧ କରିବାକୁ ଆମ୍ଭେ ସଙ୍କୋଚବୋଧ କରୁଛୁ । ଶଶୁରଘର ଯୌତୁକଖଟ ଜ୍ୱାଇଁର ଉଚ୍ଚତା ତୁଳନାରେ କମ୍‌ ଲମ୍ବା ଥିବା ଅଳ୍ପ ବହୁତେ ଡେଙ୍ଗାମାନେ ଅନୁଭବ କରିଥିବେ । ପରିଧେୟ ଆଦିରେ ତତ୍ସମ ଘଟଣା ଘଟେ । ଡେଙ୍ଗାଙ୍କୁ ସବୁଠାରୁ ବେଶି ବାଧିବାର କଥା, ଆଜିର ନାରୀ ଲେଡ଼ି-ସୁ ପିନ୍ଧି ଡେଙ୍ଗୀ ବୋଲି ଦେଖାଇ ହେବାର ଅପଚେଷ୍ଟା । ଭାରତୀୟା ନାରୀ କବି-ମନ-ଲୋଭା ହଂସଗତିକୁ ଛାଡ଼ି ତେଣୁ ବଗର ଗତିକୁ ଆଶ୍ରା କରିବା ପ୍ରଗତି ନାଁରେ ଖାଲି ଏକ ଅଧୋଗତି ତ ନୁହେଁ, ତାହା ଡେଙ୍ଗାଙ୍କ ଅପକୃତି । କେବଳ ଖତେଇ ହେବା ଛଡ଼ା ଲେଡ଼ି-ସୁ ପିନ୍ଧିବାର ଅନ୍ୟ ଯାଥାର୍ଥ୍ୟ ଥିବା ମନେହେଉ ନାହିଁ । ଯାହାହେଉ, ଏ ସମ୍ପର୍କରେ ଅଧିକ କିଛି କହିବା ନାରୀ-ଗୁଣକୀର୍ତ୍ତନକାରୀ ଆମ ଲୋକଙ୍କୁ ରୁଚିକର ଲାଗିବ ନାହିଁ ବୋଲି କ୍ଷାନ୍ତ ହେଲୁ । ଏପରିକି ଲେଡ଼ି-ସୁ-ପ୍ରିୟା କୌଣସି ରମଣୀ ତାଙ୍କର ଚାଲି ନେଇ ଆମ୍ଭର କଟୁ ମନ୍ତବ୍ୟ ପଢ଼ି ଲୋକ ସମାଗମ ସ୍ଥାନରେ ତାହା ପିନ୍ଧି ଚାଲିବାକୁ ଅଡ଼ୁଆ ଅଡ଼ୁଆ ବୋଧକଲେ, ଏ ବିଷୟ ଆମକୁ ଜଣାଇବା ମାତ୍ରେ, ଆମେ ଏ ସମସ୍ତ ମନ୍ତବ୍ୟ ପ୍ରତ୍ୟାହାର କରିନେଇ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ ପ୍ରସ୍ତୁତ ଅଛୁ ।

 

ଉଚ୍ଚତା ବଢ଼ାଇବା ଳାଗି ଯେଉଁ ସମସ୍ତ ଔଷଧ, ଟନିକ ଓ ଯନ୍ତ୍ର ଆଦିର ବିଜ୍ଞାପନ ସତ ପତ୍ର ପତ୍ରିକାରେ ପ୍ରକାଶିତ ହୁଏ ତାହାର ବିଜ୍ଞାପନ କାରୀମାନେ ନିଜ ନିଜର ବ୍ୟବସାୟ ବୃଦ୍ଧି ଦୃଷ୍ଟିରୁ, ଏହି ଲେଖା ହେତୁ କ୍ଷତି ସହିବାକୁ ଯାଉଥିବା ଏହି ଲେଡ଼ି-ସୁ ପ୍ରସ୍ତୁତକାରୀଙ୍କୁ ଯଥୋଚିତ କ୍ଷତିପୂରଣ ଦେଇ ଲେଖକ ପ୍ରତି ନ୍ୟାୟବିଚାର କରିବେ । ଅନ୍ୟଥା ଏହି ଲେଖକ ଗେଡ଼ାମାନଙ୍କ ପକ୍ଷ ସମର୍ଥନ କରିବାକୁ ବାଧ୍ୟ ହେବ ।

Image

 

ଅଙ୍ଗେ ନିଭେଇବା କଥା

 

ଆମର ଏ ନୂଆ ଯୁଗଟା ଅନେକ ପୁରୁଣା କଥା ପାଇଁ ଆଉ ଉପଯୁକ୍ତ ନୁହେଁ । ମୋର ଏପରି ଏକ ଇଚ୍ଛା ଜନ୍ମିଲାଣି ଯେ ମୁଁ ଅନ୍ତତଃ ଘଣ୍ଟାକ ପାଇଁ ସେହି ପୁରୁଣା ଯୁଗକୁ ଫେରିଯାଇ ମୋର ଗୋଟିଏ ମୂଲ୍ୟବାନ ଅନୁଭୂତିକୁ କହନ୍ତି । ଅନୁଭୂତିଟି ଆମ ପାଲଲହଡ଼ା ଗସ୍ତ ସମ୍ପର୍କିତ । ଅତୀତକୁ ଫେରିଯିବା ଲାଗି ମୋର ନିଜର ସାମର୍ଥ୍ୟ ଥାଉ କି ନ ଥାଉ ମୋର ଶ୍ରୋତାମାନେ କିନ୍ତୁ ହେଉପଛେ ଅଳ୍ପକାଳ ପାଇଁ, କାଳଚକ୍ରକୁ ପଛେଇ ଦେବା ପାଇଁ ନିତାନ୍ତ ପଛଉଛନ୍ତି । ତେଣୁ ମୋର ପାଲଲହଡ଼ା ଗସ୍ତର ଉପାଦେୟ ଅନୁଭୂତିଟିକୁ ଜାଣିବା ପାଇଁ କେହି କର୍ଣ୍ଣମନ ଦେଉନାହାନ୍ତି । ପୁରୁଣା ଯୁଗରେ ଏହିପରି ପ୍ରତ୍ୟକ୍ଷ ଅନୁଭୂତି ସବୁ ଶ୍ରୋତାମାନଙ୍କର ଆଗ୍ରହର ଉତ୍ସ ହୁଅନ୍ତା । ସେ ଯୁଗରେ କୁହାଯାଉଥିଲା–‘‘ସୁଖ କହିବି କି ଦୁଃଖ କହିବି, କି ଅଙ୍ଗେ ନିଭେଇବା କଥା କହିବି ?’’ ଏ ପଦ ଆଜିକାଲି ଆୁ ଶୁଭୁ ନାହିଁ । ସୁଖର କାହାଣୀଠାରୁ ଦୁଃଖର କାହାଣୀ ଅଧିକ ହୃଦୟସ୍ପର୍ଶୀ ଏବଂ ଉଭୟ ପ୍ରକାର କାହାଣୀଠାରୁ ଯଥାକ୍ରମେ ଅଧିକ ମାର୍ମିକ ହେଲା ଅଙ୍ଗେ ନିଭେଇବା କଥା । କାହିଁକି ନା, ଜୀବନରେ ‘ଚକ୍ରବତ୍ ପରିବର୍ତ୍ତନ୍ତେ ସୁଖାନି ଚ ଦୁଃଖାନି ଚ’ । କିନ୍ତୁ ଅସଲ ଅନୁଭୂତି ହେଉଛି ମେରୁ ପରି ଦୃଢ଼ କଥା । ଅଥଚ, ପରିତାପର କଥା, ମୋର ପାଲଲହଡ଼ା ଗସ୍ତ ସଂକ୍ରାନ୍ତ ସୁନ୍ଦର ଅନୁଭୂତିଟିକୁ କହିବି ବୋଲି ବସିଲେ ଜଣେ ବୋଲି ‘ବୋଲେ ହୁଁ ଟି’ କାଟର ଶ୍ରୋତା ଜୁଟୁ ନାହାନ୍ତି । ଗପ କହିବା ତ ମାମୁଲି କଥା, ଗପ ଣୁଣିବା ଏକ ବିଶିଷ୍ଟ କଳା–ଆମର ଏହି ପାରମ୍ପରିକ କଳାକୁ କେହି ହାସଲ ନ କରିବା କ୍ଷୋଭର କଥା ।

 

ମୋର ଏହି ପାଲଲହଡ଼ା ଯାତ୍ରାର ଅନୁଭୂତି ଭଳି ଶିକ୍ଷଣୀୟ, ହାସ୍ୟରସାତ୍ମକ ଆଉ କିଛି ଥାଇପାରେ ବୋଲି ବିଶ୍ୱାସ ହେଉନାହିଁ । ତେଣୁ ମୁଁ ଓର ଉଣ୍ଡି ଘଟଣାଗୁଡ଼ିକୁ ବନେଇଚୁନେଇ କହିବାକୁ ବସେ । କିନ୍ତୁ କଥାଟି ଠିକ୍ ଜମି ଆସିଳାବେଳକୁ ନାନା ଅଘଟନ ଘଟେ । କାଚ ଗ୍ଲାସ୍‌ଟି ଥାଏ ଥାଏ ହଠାତ୍‌ ଟେବୁଲ୍‌ର ଚଟାଣ ଉପରକୁ ମାଙ୍କଡ଼ଚିତ୍‌ ମାରେ ଏବଂ ତା’ପରେ ଶ୍ରୋତାମାନେ କାଚ ଖଣ୍ଡଗୁଡ଼ିକୁ ସାବଧାନତା ସହକାରେ ଉଠାଇ ହାତ କାଟନ୍ତି, ଇତ୍ୟାଦି ଇତ୍ୟାଦି । କିମ୍ୱା ବୁଲୁବୋଉ ନାକରେ କନାପୋଡ଼ା ଗନ୍ଧ ବାଜେ ଏବଂ ଶ୍ରୋତାମାନେ ମୋ ନାକକୁ ବିଶ୍ୱାସ ନ କରି ବୃଥାରେ ସଚରାଚର ଉଣ୍ଡାଳିବାରେ ବ୍ୟସ୍ତ ରହନ୍ତି, ଇତ୍ୟାଦି ଇତ୍ୟାଦି କିମ୍ୱା ଦୁଆରେ କରାଘାତ ହୁଏ ଏବଂ ଶ୍ରୋତାମାନଙ୍କୁ ଆଗନ୍ତୁକଙ୍କୁ ଅତିଶୟ ଆଦର ଅଭ୍ୟର୍ଥନା କରି ତାହାଙ୍କର ଖବର ଅନ୍ତର ଟିକିନିଖି ବୁଝିବାକୁ ପଡ଼େ, ଇତ୍ୟାଦି, ଇତ୍ୟାଦି । କିମ୍ୱା ମୋ ସ୍ୱରରେ କ’ଣ ଅଛି କେଜାଣି ଶୋଇଲା ଶିଶୁଟି ନିଦରୁ ଚିହିଁକି ଉଠି ରାହା ଧରି କାନ୍ଦେ ଏବଂ ଶ୍ରୋତାମାନେ ପିଲାଟିର ସ୍ୱାସ୍ଥ୍ୟନେଇ ବିଶେଷ ଆତଙ୍କିତ ହୋଇ ପାର୍ଥ ରାଓଙ୍କ ସପକ୍ଷରେ ପ୍ରଚାର କରନ୍ତି, ଇତ୍ୟାଦି, ଇତ୍ୟାଦି । କିମ୍ୱା ଶ୍ରୋତା ମଧ୍ୟରୁ ଜଣେ ଅଧେ ମୋ ଆଖିର ଆଢ଼ୁଆଳରେ କହୁଣୀ, ଆଙ୍ଗୁଠି ଖେଞ୍ଚା ଖାଇବା ଆରମ୍ଭ କରନ୍ତି ତେଣିକି ଫୁସ୍‌ ଫାସ୍‌ କଥା ଚାଲେ । ନା, ଆଉ ବସି ହେବନି, ରହନା, ଭଦ୍ରଲୋକ ଭାବିବେ କ’ଣ, ଇତ୍ୟାଦି, ଇତ୍ୟାଦି । କିମ୍ୱା ଏତିକିବେଳକୁ ବନ୍ଧୁଙ୍କର ସହଚର କୁକୁରଟି ଚେନ୍‌ରୁ ଫିଟି ମୋ ଗୋଡ଼ ଚାଟେ ଏବଂ ସକାଳେ କୁକୁରକୁ ପ୍ରୋତ୍ସାହିତ କରୁଥିବା ଭଳି ତା’ର କ୍ରିୟାକଳାପ ଉପରେ ଦୃଷ୍ଟି ଦିଅନ୍ତି, ଇତ୍ୟାଦି, ଇତ୍ୟାଦି । କିମ୍ୱା ରାସ୍ତାରେ ଦୁଇଟି ଭୀମକାୟ ଲରିର ଯୁଗପତ୍‌ ବ୍ରେକ୍‌ ଶବ୍ଦ ହୁଏ ଏବଂ ଗୋଟି ଗୋଟି ହୋଇ ସବୁ ଶ୍ରୋତା ଝରକା ପାକକୁ ଦୌଡ଼ିଯାଇ କିଛି ଗୋଟେ ବଡ଼ ଧରଣର ଦୁର୍ଘଟନା ଦେଖିବା ବାହାନା କରୁ କରୁ ମଝିରେ ମଝିରେ ମୋତେ ହାତ ଠାରି ଡାକନ୍ତି, ଇତ୍ୟାଦି, ଇତ୍ୟାଦି (ଅଥଚ ଅନ୍ୟବେଳେ ଏହାଠାରୁ ବଳି ଶବ୍ଦଗୁଡ଼ିକୁ କେହି ନିଘା ଦିଅନ୍ତି ନାହିଁ ।)

 

କିମ୍ବା ମୁଁ ଯାହା ବା କହେ ସେଥିରୁ ଅନ୍ୟମାନଙ୍କର ସ୍ୱ ସ୍ୱ ଅନୁଭୂତି ହଠାତ୍‌ ମନେପଡ଼ିଯାଏ, ଯାହାକୁ କହିବାକୁ ସେମାନେ ଏକପ୍ରକାର ଜିଦ୍‌ କରନ୍ତି (କିନ୍ତୁ ସେ ସବୁ ମୋତେ ଶୁଣାଇବାର ମୂଲ୍ୟ କିଛି ନାହିଁ–ଏପରି ଅନୁଭୂତିମାନ ମୁଁ କେତେ ନାହିଁ କେତେ ଶୁଣି ଶୁଣି ଚିଟା ।) ଦରନ୍ତୁ, ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶ ସହ ମୋ ସ୍ୱର ଯନ୍ତ୍ରଟିକୁ ମିଳାଇବା ଲାଗି ଖଣ୍ଡେ ଅଧେ ଖଣ୍ଡିକାଶ ଦେଇ ମୁଁ ଆରମ୍ଭ କଲି–‘‘ଆମେ ଯେତେବେଳେ ତାଳଚେରରୁ ପାଲଲହଡ଼ା ଯାଇଥିଲୁ ସେତେବେଳର ଅଦ୍ଭୁତ ଅନୁଭୂତିଟି ମୋ ମନରୁ ଚିରକାଳ ନିଭିବ ନାହିଁ ।’’ ଏତିକି କହୁ କହୁ ଜଣେ ଶ୍ରୋତା ଉତ୍ସାହିତ ହୋଇ କହି ପକାନ୍ତି, ‘‘ତାଳଚେର କହିଲାରୁ ମନେପଡ଼ିଲା, ତାଳଚେର ପାଖ ନଦୀ ସେପାରି ସରାଙ୍ଗକୁ ଆପଣ ଅବଶ୍ୟ ଯାଇଥିବେ–ସେ ଯେଉଁ ବିଶାଳ ଅନନ୍ତଶୟନ ମୂର୍ତ୍ତି ନଦୀଶଯ୍ୟାରେ ଖୋଦିତ ହୋଇଛି ! ଆଃ !!’’ ଏତିକିରେ ଦ୍ୱିତୀୟ ଶ୍ରୋତାଙ୍କର ହଠାତ୍‌ ମନେପଡ଼ିଯାଏ ସରାଙ୍ଗ ପାଖ ବ୍ରାହ୍ମଣୀ ନଦୀ ଗର୍ଭର ରଙ୍ଗବେରଙ୍ଗ ଉପଳଖଣ୍ଡମାନ ! କି ଶୁଭ୍ର, କି ମନୋରମ ଦିଶେ ପାଣି ଭିତରେ ! ସେଗୁଡ଼ିକ ବଢ଼ିଆ ପେପରଓ୍ୱେଟ୍‌ ହୋଇପାରିବ–ଖାଲି ବୁଜୁଳେ ବୁଜୁଳେ ଆଣିଲେ ହେଲା । ପଥର କଥାରୁ ତୃତୀୟ ଶ୍ରୋତାଙ୍କର ହଠାତ୍ ସ୍ମରଣ ହୁଏ ଜବଲପୁର ପାଖ ଧଳା ମାର୍ବଲ ପଥରର ଖଣି କଥା–ତହୁଁ ଶ୍ରୋତାଙ୍କର ମନେପଡ଼େ କାଡ଼ପ୍‌ପା–ତେଣିକି ଆନ୍ଧ୍ରଭାଷା–ସେଠୁ ତାମିଳନାଡ଼ୁ–ସେଠୁ ତାମିଲ ହୋଟେଲ–ସେଠୁ ଦୋସା, ଇଡ୍‍ଲି, ଚଟନି, ଆଉ ମୋର ପାଲଲହଡ଼ା ଯାତ୍ରାର ମନୋରମ ଅନୁଭୂତିଟି ନିହାତି ଅଲଣା କଥା ହୋଇଯାଏ ।

 

ଯେପରି ଜଣାଯାନ୍ତି ନାରୀ ମାତ୍ରେ ହିଁ ମୋ ଗପର ସ୍ୱଭାବତଃ ଶତ୍ରୁ । ମୁଁ ଆତ୍ମହରା ହୋଇ ଗପ କହିଲା ବେଳକୁ ସାକୁଲେଇ ପଚାରନ୍ତି ‘‘ଆପଣଙ୍କର ବସିବାରେ କିଛି ଅସୁବିଧା ହେଉ ନାହିଁ ତ ?’’ ଏବଂ ଗପର ମଞ୍ଜ ଆଡ଼କୁ ଗଲାବେଳକୁ ଦାନ୍ତନିକୁଟି ପଚାରନ୍ତି ‘‘ପାଣି ଦେବି କି ?’’ ଏବଂ ଗଳ୍ପର ଠିକ୍ ମଝାମଝି କିଏ ଜଣେ ମିସେସ୍‍ ଦଳେଇ ଭାରି ଆଡ଼ମ୍ୱରରେ ଘରେ ପଦାର୍ପଣ କରନ୍ତି ଏବଂ ଅନ୍ୟମାନେ ତାଙ୍କୁ ପାଛୋଟି ଆଣି କହନ୍ତି ‘‘ଆସନ୍ତୁ, ଆସନ୍ତୁ ମିସେସ୍ ଦଳାଇ । ଆପଣ ଏକଦମ୍‌ ଠିକଣାବେଳେ ପହଞ୍ଚିଗଲେ । ମିଷ୍ଟର ମିଶ୍ର ତାଙ୍କର ଗୋଟିଏ ଅନୁଭୂତି କହିବାକୁ ବସିଛନ୍ତି । ଆପଣ ତାହା ଶୁଣିବାକୁ ଆଗ୍ରହୀ ହୋଇପାରନ୍ତି । ମିଷ୍ଟର ମିଶ୍ର, ଆଉଥରେ ମୂଳରୁ କହନ୍ତୁ ତ, ମିସେସ୍ ଦଳେଇ ଶୁଣିବେ । ମିସେସ୍‌ ଦଳେଇ ନ ଥିଲେ କି କୌଣସି ଆସର କେବେ ଜମିପାରେ ?’’

 

ଚିହିଙ୍କା ଶ୍ରୋତା ବି ତହୁଁ ବଳି ଦୁଃଖଦାୟକ । ସେମାନଙ୍କୁ ଉପର ମହଲାରେ କାହାର ପଦଶବ୍ଦ ଶୁଭେ–ଖୋଲା ପାଇପ୍ ଶବ୍ଦ ଶୁଭେ–ହଠାତ୍‌ ଉହୁଙ୍କି ପଡ଼ି ମୋ ହାତଟାକୁ ନାଯକୀୟ ଛଟାରେ ଭିଡ଼ି ଧରିନେଇ ଦବିଲା ଦବିଲା କଣ୍ଠରେ କହନ୍ତି ‘‘ଷ୍‌....ଶୁଣିଲେ’’ ଶୁଣିଲା ବେଳକୁ ଝିଟିପିଟି ସତ୍‌ ସତ୍‌ କରୁଥାଏ ଏବଂ ସମସ୍ତେ ଫେଁ କିନି ହସି ପକାନ୍ତି ଅତଚ ଗପର ଖିଅ ଛିଣ୍ଡାଇବା ଲୋକଟି ଉପରେ ଚିଡ଼ନ୍ତି ନାହିଁ ।

 

ପୋଖତ ଖିଅଛିଣ୍ଡାଳିଙ୍କୁ ପାଟି ଫିଟାଇବାକୁ ପଡ଼େ ନାହିଁ–ବଡ଼ ସମ୍ଭ୍ରମରେ ଆବିର୍ଭୂତ ହୁଅନ୍ତି ଗପ ମଝିରେ–ଭଦ୍ରତା ଦେଖିବ କ’ଣ ! କାଳେ ଶବ୍ଦହେବ ବୋଲି ଟିପେଇ ଟିପେଇ ଖୁରା ବାଢ଼ନ୍ତି । ଢଳି ଢଳି ମୁଣ୍ଡ ନାଡ଼ି ନାଡ଼ି ଅଭିନନ୍ଦନ ଜଣାନ୍ତି ଓ ଗ୍ରହଣ କରନ୍ତି–ସତେକି ଇନ୍ଦିରାଗାନ୍ଧୀ ତାଙ୍କ ପ୍ରିଭିପର୍ସ କଥା ସମ୍ପୂର୍ଣ୍ଣ ଭୁଲି ସାରିଛନ୍ତି–ଧୀରେ ଧୀରେ ଛଟାରେ ବସନ୍ତି–ଗପଟା ପୂର୍ବବତ୍‌ ଚାଲୁବୋଲି ମୁଣ୍ଡ ହଲାଇ ଜଣାନ୍ତି–ନିବିଷ୍ଟଚିତ୍ତରେ ଟିକିଏ ବସି ଶୁଣନ୍ତି–ଜୋତା ଖୋଲନ୍ତି, ମୋଜା ବି–ପୁଣି ଆଣ୍ଠୁରେ କହୁଣି ଢିରା ଦେଇ ଥୋଡ଼ିଟାକୁ ଦି ହାତରେ ଗୋଇଠିରେ ଥୋଇ ଆଙ୍ଗୁଠିଗୁଡ଼ିକୁ ସତତ ସଞ୍ଚାଳିତ କରୁ କରୁ ଶୁଣନ୍ତି ଏବଂ ତାଙ୍କ କାରସାଦିରେ ଅନ୍ୟମାନଙ୍କ ସହାୟତା ପାଇବା ସମ୍ଭାବନା ସର୍ଭେ କରିବା ଲାଗି ସମସ୍ତଙ୍କୁ କଣେଇ କଣେଇ ଅନାନ୍ତି ଏବଂ ଅନ୍ୟ ଶ୍ରୋତାମାନେ ବି ତାଙ୍କୁ ଚାହୁଁଥାନ୍ତି–ତଥାପି ଯଦି ଗପକୁ ଅବ୍ୟାହତ ରଖାଯାଏ, ଆସ୍ତେ ଆସ୍ତେ ପକେଟ ଅଣ୍ଡାଳି ସିଗାରେଟ୍‌ କେସ୍‌ଟି ବାହାର କରନ୍ତି–ଗୋଟିଏ ସିଗାରେଟ୍‌ କାଢ଼ି ଓଠ କୋଣରେ ଲଟକାଇ ଦିଅନ୍ତି–କେସ୍‌ଟିକୁ ଯଥାସ୍ଥାନରେ ଅତି ସନ୍ତର୍ପଣରେ ରଖନ୍ତି–ଦିଆସିଲି ପାଇଁ ପୁଣି ପକେଟରେ ହାତ ପୂରାନ୍ତି–ଏ ପକେଟରେ ନାହିଁ, ସେ ପକେଟରେ ବି ନାହିଁ–ଏଥର ଦୁଇ ହାତରେ ଦରାଣ୍ଡି ହୁଅନ୍ତି–ଛିଡ଼ା ହୋଇ ପୁଣି ଥରେ ପେଣ୍ଟ ପକେଟ୍‌, ଛାତି ପକେଟ୍‌ ସବୁକୁ ଛୁଇଁ ଛୁଇଁ ଲାଗନ୍ତି–ନା, ଦିଆସିଲି ନାହିଁ ଭଙ୍ଗିରେ ଭଙ୍ଗିରେ ଦିଆସିଲି ଖୋଳରେ କାଠି ଘଷିବାର ଅଭିନୟ କରି ପ୍ରଶ୍ନବାଚୀ ଆଖିରେ ଅନ୍ୟମାନଙ୍କୁ ଚାହାଁନ୍ତି–ତାଙ୍କ ମୁହଁରେ ନିଆଁ ଦେଇ କୃତ୍ୟକୃତ୍ୟ ହେବା ସୁଯୋଗକୁ ପୂର୍ବଜନ୍ମରୁ ତକେଇଥିବା ଭଳି ଏକାବେଳେ ସକଳେ ଆଗଭର ହୁଅନ୍ତି । ଜଣକର ନିଆଁରେ ସିଗାରେଟ୍ ଜଳେ; ଅନ୍ୟଗୁଡ଼ିକ ଗପକୁ ଜାଳେ ।

 

ଯେଉଁ ବନ୍ଧୁଙ୍କର ଟେଲିଫୋନ୍‌ ଅଛି ତାଙ୍କୁ ମୋର ପାଲଲହଡ଼ା ଅଭିଜ୍ଞତା ଶୁଣାଇ ହୁଏ ନାହିଁ । କଥାଟା କହିଲେ ହିଁ ଟେଲିଫୋନ୍‌ ବାଜେ, ପୂର୍ବାଭାସରେ, ଭୂମିକାରେ, ଆରମ୍ଭରେ ମଝିରେ, ସବୁବେଳେ । ପହିଲେ ସହକାରୀ ପୂର୍ଣ୍ଣବାବୁ ବି ଷ୍ଟେନୋ ଦୟାବାବୁ ଡାକନ୍ତି । ଦୟାବାବୁଙ୍କ ପଛେ ପଛେ ଟ୍ରଙ୍କକଲ୍‌ ଆସେ ଠିକ୍‌ ଗପଟା ଜମିଲା ବେଳକୁ । ଟ୍ରଙ୍କକଲ୍‌ ପଛେ ପୂର୍ଣ୍ଣବାବୁଙ୍କୁ ଡାକିବାକୁ ପଡ଼େ କିନ୍ତୁ ଲାଇନ୍‌ ମିଳେ ନାହିଁ ବୋଲି ଗପର ପ୍ରତିବାକ୍ୟ ଅନ୍ତରରେ ବନ୍ଧୁ ବାରମ୍ୱାର ଲାଇନ୍‌ ମାଗନ୍ତି । ତାହାହେଲେ ବନ୍ଧୁ କ’ଣ ଗପଟା ଶୁଣି ପାରିବେ ନାହିଁ ? ଫୋନ୍‌ଟା ପୁଣି ବାଜେ, ଏଥର କିନ୍ତୁ ରଙ୍ଗ୍‌ ନମ୍ୱର ! ଧୈର୍ଯ୍ୟର ତ ସୀମା ଅଛି, ଅର୍ଥାତ୍‍ ବନ୍ଧୁଙ୍କର ଧୈର୍ଯ୍ୟର । ବନ୍ଧୁ କହନ୍ତି ‘ହଉ, ଆଜି ଏତିକିରେ ରହୁ, ଆଉ କେବେ ପରଅଂଶଟା ଶୁଣାଇବେ । ଏତିକି ବେଳକୁ ମୁଁ ଭାବୁଥାଏ ଆଉ କେଉଁଠୁ ଫୋନ୍‍କରି ବନ୍ଧୁଙ୍କୁ ଗପଟି କହିଲେ ହୁଅନ୍ତା ପରା ବୋଲି କିନ୍ତୁ ସେଥିରେ ବି ଅଡ଼ୁଆ ଅଛି, ଟ୍ରଙ୍କକଲ୍‌ ଆସିବ ତ ।

 

କହିଲାବେଳକୁ ପଦେ ପଦେ ସ୍ପଷ୍ଟୀକରଣ ଦେବା ଲୋକ ପାଖରେ ଥିଲେ ମୁସ୍କିଲ୍‌ । ଉଦାହରଣ ବୁଲୁବୋଉ । ସେ ମୋତେ ଭଲପାଇବାର ପ୍ରମାଣ ରୂପେ ମୁଁ ଭଲପାଇବା କଥାଗୁଡ଼ିକୁ ସେ ଅତି ଭଲପାଇବା କଥା ପ୍ରକାଶିତ କରେ । ଚାରିପାଞ୍ଚ ଏକାଠି ହେବା ଦେଖିଲେ ସମସ୍ତଙ୍କ ପ୍ରତି ଅନୁଗ୍ରହ କଲାଭଳି ମୋତେ ଅନୁରୋଧ କରେ, ‘‘ଆମର ସେ ପାଲଲହାଡ଼ା ଯିବା କଥାଟା ଟିକେ ଶୁଣାନ୍ତ କି’’ ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ସାବଧାନ ହେବାକୁ ଜଣାଏ, ‘‘ସମସ୍ତେ ଶୁଣ, ହସି ହସି ପେଟ ଫାଟିଯିବ,’’ ଏବଂ ମୋତେ ଲକ୍ଷ୍ୟ କରି ଷ୍ଟାର୍ଟ ଦେବାକୁ କହେ, ‘‘ହୁଁ, ଆରମ୍ଭ କର ।’’

 

ଜଣେ ଅଧେ ଅନାଗତବିଧାତା ନିଜ ନିଜ ବେଲ୍‌ଟକୁ ହୁଗୁଳା କଲାବେଳେ ନତୁବା ଗର୍ଭବତୀମାନେ କିଛି ଗୋଟେ ଆଳକରି ନିଷ୍କ୍ରାନ୍ତ ହେବା ବେଳେ ମୁଁ କହେ, ‘‘ଆଚ୍ଛା, କହୁଛି, ଗଲାସନ ବୈଶାଖ ମାସଟାରେ ଆମେ ବାହାରିଲୁ ।’’

 

ବୁଲୁବୋଉ: ‘‘ସେଇଟା ଆଉ ବୈଶାଖ ହେଲା କିମିତି ଯେ ଆମେ ପରା ସେଠା ବାହୁଡ଼ାଣି ରୁକୁଣାରଥକୁ ଗଲେ ।’’

 

ମୁଁ: ‘‘ତେବେ ସେ ଯାହାହେଉ, କଥା ହେଉଛି ଗତସନ ଖରାଦିନଟାରେ ଆମେ ବାହାରିଲୁ !’’

 

ସ୍ପଷ୍ଟୀକଣର ଦେଇ ବୁଲୁବୋଉ: ‘ଆମେ ବୋଇଲେ ଆମେ ଦୁହେଁ, ବୁଲୁ ତ ଆଗରୁ ଥାଏ ତା’ ମାମୁଁଘରେ ।’

 

ମୁଁ: ‘‘ହୁଁ, ମୁଁ ତ ସେଇୟା କହୁଥିଲି, ଆମେ ଦୁହେଁ ଗତବର୍ଷ ଖରାଦିନଟାରେ ବାହାରିଲୁ ବୁଲୁ ମାମୁଁଘରକୁ–ପାଲଲହଡ଼ା ।’’

 

ବନ୍ଧୁ କହନ୍ତି, ଆମର ବି ପାଳଳହଡ଼ାରେ ଜଣେ ବନ୍ଧୁ ଥିଲେ–‘‘ଆପଣ କାମିନୀକାନ୍ତ ବେହେରାଙ୍କୁ ଜାଣିବେ ?’’

 

ବନ୍ଧୁପତ୍ନୀ ବନ୍ଧୁଙ୍କୁ ସଂଶୋଧିତ କରନ୍ତି ‘‘ଯାଃ, ୟାଙ୍କର ସବୁବେଳେ ସେଇ ବହଲଦା ପାଲଲହଡ଼ା ଭିତରେ ଗୋଳମାଳ । ଆମ ବନ୍ଧୁଥିଲେ ବହଲଦାରେ–ତାଙ୍କ ନାଁଟା କାମିନୀକାନ୍ତ ବେହୁରା ।’’

 

ବୁଲୁବୋଉ ମୋତେ ତାଗିଦ୍‌ କଲାପରି ଟାଆଁସା ଗଳାରେ କହେ ‘‘ତୁମେ କହିଚାଲନା ମଝିରେ ମଝିରେ ଯଦି ଇମିତି ଅଟକିଯିବ ତେବେ ତ କଥାର ସୁରୁତା ଯିବ ।’

 

ମୁଁ ପୁଣି କହେ; ‘‘ହୁଁ ଗଲାବର୍ଷ ଆମେ ଦି’ପ୍ରାଣୀ ଖରାଦିନଟାରେ ବୁଲୁ ମାମୁଁଘର ପାଲଲହଡ଼ାକୁ ବାହାରିଲୁ ।’’

 

ପୁଣି ବୁଲୁବୋଉ: ‘କିନ୍ତୁ କଥା କହିଲାବେଳେ ପାଲଲହଡ଼ିଆଙ୍କ ବୋଲିଟିକୁ ବ୍ୟବହାର କରୁଥିବଟି ! ଭୁଲି ନଯାଅ ଯେମିତି–ଅସଲ ମଜାତ ସେଇଠି !’’

 

ଏତିକିରେ ବନ୍ଧୁପତ୍ନୀ କହନ୍ତି ‘‘ମିଷ୍ଟର ମିଶ୍ର, ଚାଲନ୍ତୁ ଆଗେ ଭୋଜନରେ ବସିବେ । ଭୋକ ପେଟରେ ଆପଣ ବି ମଜେଇ ପାରୁନାହାନ୍ତି; ଆମ ମନ ବି ଲାଖୁ ନାହିଁ; ହେଁ ହେଁ ।’’

 

ଏହା ମିଥ୍ୟା ଅଭିଯୋଗ । ପାଲଲହଡ଼ା ଅଭିଜ୍ଞତା କଥା କହିଲାବେଳେ ମୁଁ ବରାବର ଭୋକଶୋଷ ଭୁଲିଯାଏ । ଆପଣ ଏକଥା ପରୀକ୍ଷା କରି ପାରନ୍ତି । ଯେକୌଣସି ଦିନ ଆପଣ ମୋର ଭୁବନେଶ୍ୱର ବସାକୁ ଆସି ପାରନ୍ତି । ହେଲେ, ଆସିବେ ଯେ ଦିନକାଳ ଜଣାଇ ଆସିବେ । ସେ ଦିନଟି ଗୁରୁବାର ନ ହେଲେ ହେଲା । ତାହାହେଲେ ବୁଲୁବୋଉକୁ ଶାଢ଼ି କିଣିବାକୁ ମାର୍କେଟକୁ ପଠାଇଦେବି । କିନ୍ତୁ ଅଲବତ୍‌ ଆସିବେ । ଆସିବି ବୋଲି ନ ଆସିବାର କରିବେ ନାହିଁ । ଏ ଭୁବନେଶ୍ୱର ମାର୍କେଟରେ ଶାଢ଼ିଟିଏ ବୋଇଲେ କେତେ ବୁଝୁଥିବେ ।

Image

 

ସାହିତ୍ୟିକ ନିରୁଦ୍ଦିଷ୍ଟ

 

କିଛିଦିନ ହେଲା ଜଣେ ଓଡ଼ିଆ କବି ନିରୁଦ୍ଦିଷ୍ଟ ଅଛନ୍ତି । ତାଙ୍କର ସାହିତ୍ୟିକ ନାମରେ ଆଞ୍ଚ ଆସିବା ଆଶଙ୍କାରେ ନାମଟିକୁ ପ୍ରକାଶ କରାଯାଇ ପାରୁନାହିଁ । ତେବେ ଆଶା କରାଯାଉଛି କି ତାଙ୍କୁ ଠଉର କରିବା ପାଇଁ ତଳଲିଖିତ ବିବରଣ ଯଥେଷ୍ଟ ହେବ । ଏଠାରେ ତାଙ୍କର ବାସ୍ତବ ବୟସ ଜଣାଇବା ଅକାରଣ, କାହିଁକି ନା ସେ ନିଜ ଅପେକ୍ଷା ଢେର ବୟସ୍କ ଦେଖାଯାନ୍ତି । ତାଙ୍କର ଦେହରେ ହୁଏତ କେଉଁଠି କେଉଁଠି ଜାଇମନ୍ଦା ଥିବ, କିନ୍ତୁ ଶ୍ୟାମଳ ବର୍ଣ୍ଣରେ ତାହା ସବୁ ବାରି ହେବନାହିଁ । ତାଙ୍କର ଗୋଟିଏ ବିଶିଷ୍ଟ ସ୍ୱଭାବ ଯେ, ଭୁଲରେ ସୁଦ୍ଧା ରାସ୍ତାର ଡାହାଣ ପାଖେ ଚାଲନ୍ତି ନାହିଁ, ତେଣୁ ପଛରୁ ଡାକିଲେ ସେ ଫେରିବା ମୁସ୍କିଲ । ଏହି ଅସୁବିଧା ହେତୁ ସେ ପଛପଟର ଆହ୍ୱାନକୁ ନ ଶୁଣିଲା ପରି ଆଗକୁ ମାଡ଼ିଯାନ୍ତି । ତାଙ୍କର ହାବଭାବ ବିଷୟରେ ଏହାଠାରୁ ଅଧିକ କିଛି କହି ହେଉନାହିଁ । ହୁଏତ ଏଇ ମୁହୂର୍ତ୍ତରେ ସେ ଏକମୁହାଁ ଧପାଲି ଛୁଟିଥିବେ ସତେ ବା ଶେଷ ବସ୍‌ଟି ଫିଟିଯିବ ନତୁବା ପର ମୁହୂର୍ତ୍ତରେ ଛାତି ଡେରି ଚତୁର୍ଦ୍ଦିଗକୁ ତନ୍ନତନ୍ନ ଦେଖି ଦେଖି ଅଳସେଇ ଚାଲିଥିବେ–ସତେ ବା ସେ ଗୋଟିଏ ଜାଦୁଘର ପରିଦର୍ଶନ କରି ଚାଲିଛନ୍ତି । ଏଠାରେ ଗୋଟିଏ କଥା ସ୍ପଷ୍ଟତଃ କୁହାଯିବା ଆବଶ୍ୟକ ଯେ, କବି କହିଲେ ମନରେ ଯେଉଁ ରସରସିଆ ସୌମ୍ୟ ଚେହେରାର ଉଦୟ ହୋଇପାରେ, ତାହାଙ୍କ ଚେହେରାଟି ସେପରି ନୁହେଁ । ତାହାଙ୍କ ମୁହଁର ଅଧିକ ଭାଗ କପାଳ ମାଡ଼ି ବସିଛି ଏବଂ ଗୁଡ଼ାଏ ବିଡ଼ି ଟାଣିବା ଫଳରେ ଶୁଖିଲା ମାଂସ ରଙ୍ଗର ଦିଶୁଥିବା ଓଠକୁ ଠେଲି ବାହାରକୁ ଫୁଟି ଦିଶିବାକୁ ଛାମୁଦାନ୍ତ ଦି’ଧାଡ଼ି ସର୍ବଦା ବ୍ୟଗ୍ର ଥିବାଭଳି ଜଣାପଡ଼େ । ସେଥିରେ ତାଙ୍କର ହସ ଦେଖିଲେ ତାଙ୍କୁ ସହଜରେ ଚିହ୍ନି ହୋଇଯିବ । ମନେହେବ, ସେ ନ ହସିଲେ କାଳେ କିଏ ତାଙ୍କ ମନର ସରସତାର ଅଭାବ ଜାଣିଯିବ ବୋଲି ସେ ଅଗତ୍ୟା ହସୁଛନ୍ତି ଏବଂ କାଳେ ଅନ୍ୟ କିଏ ସେ ମିଛଟାରେ ହସୁଛନ୍ତି ବୋଲି ଭାବିବ, ଏହି ଆଶଙ୍କାରେ ସେ ହଠାତ୍‌ ଗମ୍ଭୀର ବି ହୋଇଯାଆନ୍ତି । ସଂକ୍ଷେପରେ କହିଲେ ତାଙ୍କ ସମ୍ପର୍କରେ ଅନ୍ୟମାନଙ୍କର ଧାରଣା ବିଷୟରେ ସେ ଖୁବ୍‌ ସଚେତନ ।

 

ଏଠାରେ ତାଙ୍କ ରଚନାବଳୀର ପରିଚୟ ଦେବା ଅପ୍ରାସଙ୍ଗିକ ହେବ–କାରଣ ସେଥିରୁ ତାଙ୍କୁ ଧରିବା ଅସମ୍ଭବ । ତହିଁରୁ ତାଙ୍କ ବୟସ, ରୂପ, ଗୁଣ, ଲିଙ୍ଗ, ଜାତି, ଧର୍ମବିଶ୍ୱାସ, ଚାଲିଚଳଣ, ଆଥକ ଅବସ୍ଥା, ରୁଚି, ଶିକ୍ଷା, ଆଧିବ୍ୟାଧି ଆଦି କୌଣସି କଥା କିଛି ବାରି ହେବ ନାହିଁ । ପ୍ରକାଶ ପାଇବା ସମ୍ଭାବନା ଥିଲେ ସେ ଯେକୌଣସି ଭାବଧାରାର କବିତା ଲେଖିପାରନ୍ତି (ଆକାଶବାଣୀ ପାଇଁ ଜଣାଣ, ନବଗଠିତ ସାହିତ୍ୟିକ ଗୋଷ୍ଠୀର ମୁଖପତ୍ରିକା ପାଇଁ ଅଶ୍ଳୀଳ କବିତା, ଶାସ୍ତ୍ରୀଜୀଙ୍କ ଜନ୍ମଦିବସ ଉପଲକ୍ଷେ ସଶସ୍ତ୍ର ଜବାନର ଜୟଗୀତି ଏବଂ ଗାନ୍ଧୀଜୟନ୍ତୀ ସଂଖ୍ୟା ପାଇଁ ନିରସ୍ତ୍ର ଜନତାର ପ୍ରଶଂସା ଆଦି ସବୁ କିଛି ।) ପହିଲୁ ପହିଲୁ ସେ ମଧ୍ୟ କୁଆଡ଼େ ବୁଝିବା ଭଳି କବିତା ସବୁ ଲେଖୁଥିଲେ ଏବଂ ସମ୍ପାଦକମାନଙ୍କ ସହ ବନ୍ଧୁତା ସ୍ଥାପନ ନ କଲେ କୌଣସି ଲେଖା ପ୍ରକାଶଯୋଗ୍ୟ ହୁଏ ନାହିଁ ବୋଲି ଜାଣି ସେମାନେ ତାଙ୍କ ପତ୍ନୀଙ୍କର ନିଜ ଭାଇ ବୋଲି ସେ ମିଛରେ ଆଶା କରୁଥିଲେ । ପରେ ସେ ଯେତେବେଳେ ବୁଝିଗଲେ ଯେ ଅବୁଝା କି ଦରବୁଝା କବିତା ପାଇଲେ ସମ୍ପାଦକମାନେ ଆପଣା ଅଜ୍ଞତାକୁ ଲୁଚାଇବା ଲକ୍ଷ୍ୟରେ ନିଜେ ନ ବୁଝି ମଧ୍ୟ ଯାହା କିଛି ଛାପନ୍ତି, ତାହାପରେ ସେ ଜଣେ ସିଦ୍ଧହସ୍ତ କବି ହୋଇଗଲେ । ସେ ଏପରି ସବୁ କବିତା ଲେଖିପାରନ୍ତି, ଯାହାକୁ ସେ ନିଜେ ବି ବୁଝିପାରନ୍ତି ନାହିଁ, ତେଣୁ ତାକୁ ବୁଝାଇବା ଦାୟିତ୍ୱ ଆଧୁନିକ କବିତାର ସମାଲୋଚକମାନଙ୍କର ବୋଲି ସେ ସ୍ୱୀକାର କରନ୍ତି । ଯଦି ଉଲ୍ଲଖିତ ସ୍ୱଭାବର କେହି ବ୍ୟକ୍ତି ଚଉଠବୁଝା, ଦରବୁଝା କିମ୍ୱା ଖାଣ୍ଟି ଅବୁଝା କବିତାକୁ ବଜ୍ରନିର୍ଘୋଷ କଣ୍ଠରେ କବିତା ପାଠୋତ୍ସବରେ ବୋଲି ଲାଗିଥିବେ, ନତୁବା ଦାଢ଼ି ବଢ଼ିଥିଲେ ହେଁ ବ୍ଲେଡ଼ ନ କିଣି ଡାକଟିକଟ କିଣୁଥିବେ, ନତୁବା କେହି ପ୍ରକାଶକଙ୍କ ପିଛା ଭାଗରୁ ଦୁର୍ବାୟୁ ଆସୁଥିଲେ ହେଁ ପିଛା ଛାଡ଼ୁନଥିବେ, ନତୁବା କେହି ଆଧୁନିକ କବିତାର ସମାଲୋଚକଙ୍କ ଗୃହସ୍ଥ (ଦ୍ୱାରସ୍ଥ ହେବା ଅବସ୍ଥାକୁ ଅତିକ୍ରମ କରି) ହେବାକୁ ଯାଉଥିବେ, ତେବେ ସେହି ଆମ୍ଭର ନିରୁଦ୍ଦିଷ୍ଟ କବି ବୋଲି ସନ୍ଦେହ କରାଯାଇପାରେ-। ସେ ବଡ଼ ମେଳାପୀ ଲୋକ, ଆପଣଙ୍କୁ ପାଇବା ମାତ୍ରେ ତାଙ୍କ କବିତା ଆବୃତ୍ତି କରିଯିବେ । ଦୟାକରି କେହି ତାଙ୍କ ଆଗରେ ତାଙ୍କ କବିତାର ନିନ୍ଦା କରନ୍ତୁ ନାହିଁ–କାରଣ ଆପଣଙ୍କଠାରେ ସାହିତ୍ୟିକ-ପ୍ରାଣ ନାହିଁ ବୋଲି ସେ ଜାଣିଯିବେ । ସାହିତ୍ୟିକ ଗୋଷ୍ଠୀର ଆଗରେ ନିନ୍ଦା କି ପଛରେ ପ୍ରଶଂସା କରାଯାଏ ନାହିଁ । ଯେ କେହି ବ୍ୟକ୍ତି ତାଙ୍କର ଖୋଜଖବର ପାଇଲେ ନିମ୍ନ ଠିକଣାରେ ଆମ୍ଭଙ୍କୁ ଜଣାଇଲେ ଆମ୍ଭେ ଚିରୋପକୃତ ରହିବୁ ।

 

ବନ୍ଧୁ,

 

ତୁମେ ଆଧୁନିକ ସମାଲୋଚକଙ୍କ କଥାରେ ପଡ଼ି ମିଛରେ ବିଶ୍ୱାସ କଲ ଯେ, ଯାହା ସମାଜରେ ରହିଛି, ତାକୁ ଅନୁସରଣ କରିବା ଆଧୁନିକ କବିର ଉଚିତ । ସମାଜରେ ଭାଗବତ ଅନୈକ୍ୟ ଅଛି ବୋଲି ତୁମେ ପରସ୍ପର ପ୍ରତିକୂଳ ଭାବକୁ ମନରେ ଆଶ୍ରୟ ଦେଲ । ସମାଜରେ ସବୁ କିଛି ଅବୋଧ୍ୟତା ରହିଛି ବୋଲି ତୁମେ ଅବୋଧ୍ୟ ହେଲ । ସମାଜରେ ଆଶ୍ଳୀଳତା ଦେଖି ତୁମେ ଅଶ୍ଳୀଳ ହେଲ । ପରିଶେଷକୁ ବାଳକମାନେ, ବୃଦ୍ଧମାନେ, ଯୁବକ-ଯୁବତୀମାନେ ଅର୍ଥାତ୍‍ ଆବାଳବୃଦ୍ଧବନିତା ନିରୁଦ୍ଦିଷ୍ଟ ହେବା ସମ୍ୱାଦ ପ୍ରତିଦିନ କାଗଜରୁ ପଢ଼ି ଓ ରେଡ଼ିଓରୁ ଶୁଣି ନିଜେ ନିରୁଦ୍ଦିଷ୍ଟ ହୋଇଗଲ । ସମାଜର ସମସ୍ତ ଦୁର୍ବଳତାକୁ ତୁମେ ଜଣେ ଲୋକ କେତେ ବା ଆଶ୍ରୟ କରିପାରିବ ? ଯାହା ହେବାର ହୋଇଛି, ଏଥର ଫେରି ଆସ, ଆବଶ୍ୟକ ହେଲେ ରାସ୍ତାର ଡାହାଣ କଡ଼େ ଚାଲି । ରାସ୍ତାରେ ଗତାଗତ କରିବା ଲୋକେ ସମୟେ ସମୟେ ଡାହାଣ କଡ଼େ ବି ଚାଲୁଛନ୍ତି-। ଆମେ ‘ଚୈତକ’ରେ ତୁମ ଫେରନ୍ତା ବାଟକୁ ଅନାଇଁ ରହିଛୁ । ଇତି ।

 

ସଚ୍ଚିଦାନନ୍ଦ ମିଶ୍ର

ଟାଇପ୍‌ ୪ ଆର, ୨୭୯

ୟୁନିଟ୍‌-୬, ଭୁବନେଶ୍ୱର

ଚୈତକ, ୧୯

Image

 

ବାଲୁଙ୍କି ଦାଶଙ୍କ ପ୍ରବଚନ ଗବେଷଣା

 

ପଣ୍ଡିତ ବାଲୁଙ୍କି ଶରଣ ଦାଶ ଶର୍ମ୍ମାଙ୍କ ଗବେଷଣା ପ୍ରସଙ୍ଗରେ ତାହାଙ୍କ ସାମାନ୍ୟ ପରିଚୟ ଦିଆଯାଇ ପାରେ । ଦାଶେ ମୋର ସ୍କୁଲ୍‍ପଢ଼ା ବେଳର ଗୁରୁ, ଟୋଲ୍‌ପଢ଼ା ବିରିମୁଠିଆ ପଣ୍ଡିତ । ସେ ଆଧୁନିକ ବିଜ୍ଞାନବିବର୍ଜିତ ଇଂରାଜୀ ବିଦ୍ୟା ବିହୀନ କିନ୍ତୁ ସଂସ୍କୃତ ଅଭିଧାନ ବ୍ୟାକରଣ, କାବ୍ୟଶାସ୍ତ୍ରରେ ଧୂରୀଣ । ତାଙ୍କ ମୁଖରୁ ଶ୍ଳୋକ ଅନର୍ଗଳ ବାହାରେ । ଆମ ହେଡ଼୍‌ ମାଷ୍ଟରଙ୍କ ମତରେ ସ୍କୁଲ୍‍ର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଦାଶେ ଅନ୍ୟତମ । କଥା ହେଉଛି ଦାଶଙ୍କ ସର୍ବଜନବିଦିତ ନାମ ଥିଲା ‘ବାଙ୍ଗର ପଣ୍ଡିତ’, ଯାହାର ଏକ ଇତିହାସ ଅଛି । ବାଲୁଙ୍କି ଦାଶେ ପଣ୍ଡିତ ଭାବରେ ପ୍ରଥମେ ଜଏନ୍‌ କଲା ବେଳକୁ ସ୍କୁଲରେ ଜଣେ ଅତି ଡେଙ୍ଗା ପଣ୍ଡିତ ଥିଲେ ଯାହାଙ୍କର ଲୋକପ୍ରିୟ ନାମ ଥିଲା ଡେଙ୍ଗାପଣ୍ଡିତ । ଦାଶେ ଜଏନ୍‌ କରୁ କରୁ ତୁଳନାତ୍ମକ ଭାବରେ ତାଙ୍କର ନାମ ହୋଇଗଲା ବାଙ୍ଗର ପଣ୍ଡିତ, ଯଦିଚ ସେ ପ୍ରକୃତରେ ବାଙ୍ଗର ନୁହନ୍ତି । ଗଞ୍ଜାମରେ ବାଙ୍ଗର ଅର୍ଥ ଗେଡ଼ା । ଏହାର ଅଳ୍ପକାଳ ପରେ ଡେଙ୍ଗା ପଣ୍ଡିତ ଅବସର ନେଲେ କିନ୍ତୁ ବାଙ୍ଗର ପଣ୍ଡିତ ଆଖ୍ୟାଟି ଦାଶଙ୍କଠାରେ ସ୍ଥାୟୀଭାବରେ ଲାଖି ରହିଗଲା । ଏପରିକି ପରେ ଅର୍ଜୁନ ପାଠୀ ଓ ବାମଦେବ ରଥେ ଆମ ସ୍କୁଲ୍‍ର ପଣ୍ଡିତ ହେଲେ ଓ ଏହି ଉଭୟେ, ବିଶେଷକରି ରଥେ ବାଲୁଙ୍କି ଦାଶଙ୍କଠାରୁ ଢେର୍‌ ଗେଡ଼ା ଥିଲେ କିନ୍ତୁ ସମସ୍ତେ ବାଙ୍ଗର ପଣ୍ଡିତ କହିଲେ ଦାଶଙ୍କୁହିଁ ବୁଝୁଥିଲେ । ନାମକରଣର ଇତିହାସ ନ ଜାଣିଲା ଲୋକ ପଣ୍ଡିତଙ୍କ ମଧ୍ୟରେ ଯେ ଡେଙ୍ଗା ତାହାକୁ ବାଙ୍ଗର କୁହାଯାଉଥିବା ଶୁଣି ଆଚମ୍ୱିତ ହୁଅନ୍ତି । ତେଣୁ ବାଙ୍ଗର ପଣ୍ଡିତ ଆମ ସ୍କୁଲ୍‍ର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ ଆଶ୍ଚର୍ଯ୍ୟ । ନାମଟିକୁ ଦାଶେ ପସନ୍ଦ କରୁନଥିଲେ ସୁଦ୍ଧା ତାଙ୍କର ଅନ୍ୟ ନାମ ଥିବା କଥା ଅଳ୍ପଲୋକେ ଜାଣିଥିଲେ । କେବଳ ସମ୍ମାନ ଦେବା ଲକ୍ଷ୍ୟ ଥିଲେ ତାଙ୍କ ସମାସ୍କନ୍ଧମାନେ ତାଙ୍କୁ ବାଲୁଙ୍କି ଦାଶ କହୁଥିଲେ କିନ୍ତୁ ପିତୃଦତ୍ତ ବାଲୁଙ୍କିଶରଣ ଦାଶ ଓ ସ୍ୱାର୍ଜିତ ଶର୍ମ୍ମା ପଦ କେବଳ ସରକାରୀ ରେକର୍ଡ଼ପତ୍ରରେ ରହିଥିଲା ।

 

ବାଲୁଙ୍କି ଦାଶଙ୍କ ହାବଭାବ ପୁରୁଣାକାଳିଆ ହେଲେ ମଧ୍ୟ ତାହାଙ୍କପରି ଛାତ୍ରବତ୍ସଳତା ଓ ପଢ଼ାଇବାରେ ନିଷ୍ଠା କ୍ୱଚିତ୍‌ ପଣ୍ଡିତଙ୍କଠାରେ ଦୃଷ୍ଟିଗୋଚର ହୁଏ । ପାଠ, ବିଶେଷତଃ ଶବ୍ଦାର୍ଥ ବୁଝାଇଲା ବେଳେ ସେ ଖୁବ୍‌ ପ୍ରାଞ୍ଜଳ । ତାଙ୍କର ନୀଳଗାଈର ବ୍ୟାଖ୍ୟା ମୋର ଅପାସୋର ରହିଛି । ସେ ନୀଳଗାଈର ଅର୍ଥ ବୁଝାଇଥିଲେ ‘‘ନୀଳଗାଈର ନାମଧେଇ ଜୀବବିଶେଷ ବିଶେଷତଃ ଗାଈ ନୁହେଁ । ପୁନଶ୍ଚ ଏହା ଯଦ୍ୟପି ଖର୍ବକାୟ ଘୋଟକ ସଦୃଶ ତଥାପି ଏକ ଅତିକାୟ ହରିଣ ଅଟେ’’ । ତାହାଙ୍କର ବ୍ୟାଖ୍ୟା ସର୍ବଦା ଏହିପରି ସୁସ୍ପଷ୍ଟ ।

 

ବାଲୁଙ୍କି ଦାଶେ ଉତ୍ତମ ଛାନ୍ଦାର୍ଥୀ । ଭଞ୍ଜଙ୍କ ରଚନାବଳୀରୁ ବହୁତ ବହୁତ ଅର୍ଥ ବାହାର କରିବାରେ ସେ ଅଦ୍ୱିତୀୟ ଓ ଅଦ୍ୱିତୀୟ ବୋଲି ସେ ନିଜେ ଖୁବ୍‌ ସଚେତନ । ମୋର ମନେଅଛି, ଥରେ ଖବର ବାହାରିଲା ଯେ ଗୌରୀକୁମାର ବ୍ରହ୍ମା ଭଞ୍ଜଙ୍କ ଗୋଟିଏ ଛାନ୍ଦର ସତର ପ୍ରକାର ଅର୍ଥ କରିଥିଲେ । ଏହାପରେ ବାଙ୍ଗର ପଣ୍ଡିତେ ସ୍କୁଲ୍‍କୁ ଆସିଲେ ନାହିଁ, ଛୁଟି ନେଇ ତିନି ଦିନ ତିନି ରାତି ଲାଗିପଡ଼ି ସେହି ଛାନ୍ଦରୁ ଊଣେଇଶି ପ୍ରକାର ଅର୍ଥ ବାହାର କଲେ । ତେବେ ଯାଇ ସ୍କୁଲ୍‍କୁ ଆସିଲେ-। ଅଦ୍ୱିତୀୟ ଛାନ୍ଦାର୍ଥୀ ହେବାର ନିଶା ତାହାଙ୍କର ଏହିପରି ।

 

ମୁଁ ସ୍କୁଲ୍‍ ଛାଡ଼ିବା ପରେ ଓ ବିଶେଷତଃ ବାଙ୍ଗରା ପଣ୍ଡିତେ ଅବସର ଗ୍ରହଣ କରି ପୁଅ ପାଖରେ ଏହି ଭୁବନେଶ୍ୱରରେ ରହିବା ପରେ ତାଙ୍କ ସହ ମୋର ସମ୍ପର୍କ ଶିଥିଳ ହେବା ପରିବର୍ତ୍ତେ ଘନିଷ୍ଠତର ହେଲା । ତାହାଙ୍କର ଓ ମୋର ପ୍ରାଚୀନ ଓଡ଼ିଆ ସାହିତ୍ୟ ପ୍ରତି ସମାନ ଅନୁରାଗ ଏହି ଘନିଷ୍ଠତାର କାରଣ ଅଟେ । ଯେତେବେଳେ ବା ସୁବିଧାସୁଯୋଗ ମିଳୁଥିଲା ସେ ଛାନ୍ଦ ଅର୍ଥ କରିବାରେ ତାଙ୍କର ପାରଦର୍ଶିତା ପ୍ରଦର୍ଶିତ କରନ୍ତି । କାବ୍ୟାମୋଦଦ୍ୱାରା ମୋ ସହ ସମୟ ବିତାଇବା ତାଙ୍କ ଜୀବନର ଶ୍ରେଷ୍ଠତମ ବିଳାସ ବୋଲି ମୁଁ ବିଚାର କରେ ଓ ଏପରି ବିଳାସ ତାଙ୍କୁ ଦେଇ ପାରୁ ଥିବାରୁ ମୁଁ ନିଜକୁ ଧନ୍ୟ ମନେକରେ ।

 

ଥରେ ଆମେ ଏପରି କାବ୍ୟଶାସ୍ତ୍ର ବିନୋଦନରେ ଥିଲା ବେଳେ ମୋର ସାନପୁଅ ସିଦ୍ଧାର୍ଥ ଆସି ପଚାରିଲା, ନନା, ‘ଜଳିଲା ଦୀପ ତଳ ଅନ୍ଧାର’ର ଅର୍ଥ କ’ଣ ? ମୁଁ ଅର୍ଥ ବୁଝାଇଲି, ହେଲେ ହେଁ ପିଲାଟି ପୂରା ହୃଦୟଙ୍ଗମ କରିପାରୁନଥାଏ । ସିଦ୍ଧାର୍ଥର ଏହି ମାମୁଲି କଥା ବୁଝିବାରେ ବିଳମ୍ୱ ଯୋଗେ ବାଙ୍ଗରା ପଣ୍ଡିତେ ଆଶ୍ଚର୍ଯ୍ୟ ହେଲେ । ମୁଁ ତାଙ୍କୁ କହିଲି, ପୂର୍ବକାଳର ଦୀପର ତଳ ଅନ୍ଧାର ହେଉଥିଲା କିନ୍ତୁ ଆଜିକାଲିର ଦୀପର ତଳ ଖୁବ୍‌ ଆଲୋକିତ ବରଂ କଚିତ୍‌ ଉପର ଅନ୍ଧାର । ସିଦ୍ଧାର୍ଥ ତା’ ଜୀବନରେ ଚଳିଛି ଇଲେକ୍‍ଟ୍ରିକ୍‌ ଲାଇଟରେ, ସେ ପୁରୁଣାକାଳିଆ ଦୀପ ଦେଖିଥିଲେ ସିନା ପ୍ରବଚନର ତାତ୍ପର୍ଯ୍ୟ ବୁଝନ୍ତା ! ସମସ୍ୟାଟି ପଣ୍ଡିତଙ୍କୁ ଗୁରୁତର ମନେହେଲା । ସେ ଭାବିଲେ, ଯଦି ବିଜ୍ଞାନର ଅଗ୍ରଗତି ଫଳରେ ପ୍ରବଚନଗୁଡ଼ିକ ଏପରି ଅବୋଧ୍ୟ ଓ ଅର୍ଥହୀନ ହାଇପଡ଼ିବେ ତେବେ ପିଲେ ଅର୍ଥ ସଂପ୍ରସାରଣ କରି ରଚନା ଲେଖିବେ କିପରି ?

 

ଏହାପରେ ବାଲୁଙ୍କି ଦାଶେ ଓଡ଼ିଆ ପ୍ରବଚନକୁ ରକ୍ଷା କରିବା ଲକ୍ଷ୍ୟରେ ଗବେଷଣା ଚଳାଇଲେ । ଅବଶ୍ୟ ମୋର ଅଜ୍ଞାତସାରରେ । କେତେ ମାସ ମଧ୍ୟରେ ସେ ବହୁ ଓଡ଼ିଆ ପ୍ରବଚନର ଏପରି ଅର୍ଥ ସବୁ ବାହାର କରିଛନ୍ତି, ଯାହା ଆଧୁନିକ ଚିନ୍ତା ଓ ଚେତନାର ଅନୁକୂଳ ଅଟେ । ସେ ପ୍ରାୟ ଦୁଇଶହ ପ୍ରବଚନକୁ ନେଇ ‘ଓଡ଼ିଆ ପ୍ରବଚନ ବୋଧିନୀ’ ନାମକ ଗ୍ରନ୍ଥ ଲେଖି ମୋତେ ଦେଖାଇଲେ ଓ ତାହାର ମୁଖବନ୍ଧ ମୁଁ ଲେଖିବି ବୋଲି କହିଲେ ।

 

କୌତୂହଳବଶତଃ ମୁଁ ପ୍ରଥମେ ‘ଜଳିଲା ଦୀପ ତଳ ଅନ୍ଧାର’ର ବ୍ୟାଖ୍ୟା ପଢ଼ିଲି । ଏହାର ବ୍ୟାଖ୍ୟା ହେଲା, ସନ୍ଧ୍ୟା ହେଲେ ଇଲେକ୍‌ଟ୍ରିକ୍‌ ବଲ୍‌ବ ଜଳେ ତଥାପି ଭୂତଳରୁ ଅନ୍ଧକାର ଅଟେ । ଦୈବ ପ୍ରଭାବକୁ ସମ୍ପୂର୍ଣ୍ଣ ଅତିକ୍ରମ କରିବା ପୌରୁଷ ପକ୍ଷେ ସମ୍ଭବପର ନୁହେଁ, ଏହା ହେଉଛି ପ୍ରବଚନଟିର ମର୍ମ । ଜଗନ୍ନାଥଙ୍କ ଦେଶର ସମନ୍ୱୟ ଦର୍ଶନର ପ୍ରଭାବ ଏହି ପ୍ରବଚନରେ ପ୍ରତିଫଳିତ ହୋଇ ଦୈବ ଓ ପୌରୁଷର (ଅର୍ଥାତ୍‍ ଦୀପ ଓ ଅନ୍ଧାରର) ଯୁଗପତ୍‌ ବିଦ୍ୟମାନତା ପ୍ରତିପାଦନ କରାଯାଇଛି । ଏଥିରେ ପୌରୁଷର ପ୍ରତୀକରୂପେ ଦୀପକୁ ଓ ଦୈବର ପ୍ରତୀକରୂପେ ଅନ୍ଧକାରକୁ ନେବାଦ୍ୱାରା ଦର୍ଶାଇ ଦିଆଯାଉଛି ଯେ ପ୍ରକୃତିର ପ୍ରତିକୂଳ ପ୍ରଭାବକୁ ଏଡ଼ିବା ବିଜ୍ଞାନର ମୌଳିକ ଲକ୍ଷ୍ୟ ଅଟେ । ପୌରୁଷ ତାହାର ଜ୍ଞାନାଲୋକଦ୍ୱାରା ଦୈବ ପ୍ରଭାବକୁ ସମ୍ପୂର୍ଣ୍ଣ ଅତିକ୍ରମ କରିନପାରିଲେ ମଧ୍ୟ ନିଜେ ସୀମିତ ପରିସର ମଧ୍ୟରେ ତାହାକୁ ପ୍ରତିହତ କରିପାରେ । ଇତ୍ୟାଦି ଇତ୍ୟାଦି ଦାର୍ଶନିକତତ୍ତ୍ୱ ଏହି ପ୍ରବଚନରେ ନିହିତ ଥିବା ବାଲୁଙ୍କି ଦାଶେ ଦର୍ଶାଇଛନ୍ତି । ପ୍ରବଚନଟି ଆଉ ସିଦ୍ଧାର୍ଥର ଅଷ୍ଟମ ଶ୍ରେଣୀ ସ୍ତରରେ ନାହିଁ । ସିଧା ଏମ୍‌.ଏ. ପିଲାଙ୍କ ସ୍ତରକୁ ଉନ୍ନୀତ ହୋଇଛି ।

 

ଆଉ ଗୋଟିଏ ପ୍ରବଚନ ହେଖିଲି–‘‘ଛି ଲୋ ଛତୁ, ମେଘବରଷିଲେ କେତେ ତୁ ମାତୁ ।’’ ଏହା ଏକ ନବୋଢ଼ା ବଧୂ ବାରିରେ ଫୁଟିଥିବା ଛତୁକୁ କହୁଛି । ସେ କହୁଛି, ଏକେ ମେଘକାଳ, ତହିଁରେ ପୁଣି ବର ଅର୍ଥାତ୍‍ ଯୁବକ ପତି ଲିଭରେ ଅର୍ଥାତ୍‍ ଅଫିସ୍‌କୁ ନ ଯାଇ ଛୁଟି ନେଇଅଛନ୍ତି । ଛତୁ ଫୁଟିଲେ ସ୍ୱାମୀ ଖାଇବା ଲୋଭରେ ଏକେତ ସ୍ତ୍ରୀକୁ ଛତୁ ତୋଳିବାକୁ କହିବ ଅଥବା ନିଜେ ତୋଳିବାକୁ ଯିବ । ଅତଏବ ମେଘକାଳରେ ସ୍ୱାମୀ ସଙ୍ଗେ ଗେଲ ହେବାର ସୁଯୋଗ ଆଉ ମିଳିବ ନାହିଁ । ତେଣୁ ରସିକାବଧୂଟି ଛତୁର ଫୁଟିବା କାର୍ଯ୍ୟକୁ ନିନ୍ଦା କରୁଅଛି । ପ୍ରବଚନରେ ଓଡ଼ିଆ ସମାଜରେ ସ୍ୱକୀୟା ପ୍ରେମର ପରାକାଷ୍ଠା ପ୍ରତିଷ୍ଠିତ ହେଉଛି ଓ ତତ୍‌ସହ ଓଡ଼ିଆଣୀମାନେ ଅଧିକତର ରସମୁଗ୍‌ଧା ବୋଲି ପ୍ରତିପାଦିତ ହେଉଛି । ଯେକୌଣସି କଳାପ୍ରିୟ ଜାତି ଅର୍ଥାଗମ ଅପେକ୍ଷା ରସିକତାକୁ ଉଚ୍ଚସ୍ଥାନ ଦେଇଛନ୍ତି । ଉତ୍କଳ ଉତ୍କୃଷ୍ଟ କଳାର ଦେଶ । ତଦନୁରୂପେ ଏଠାରେ ଅର୍ଥାଗମ (ଛତୁତୋଳା) ଅପେକ୍ଷା ପ୍ରେମକୁ ଅଧିକତର ପ୍ରାଧାନ୍ୟ ଦିଆଯାଉଛି, ଇତ୍ୟାଦି ଇତ୍ୟାଦି ।

 

ଏହା ପଢ଼ିବା ପରେ ମୁଁ କହିଲି, ‘‘ଯଦିଚ ଏପରି ଅର୍ଥ ଅସାମଞ୍ଜସ ନୁହେଁ ଓ ଅବଶ୍ୟ ଉଚ୍ଚତର ଭାବର ଦ୍ୟୋତକ, ତଥାପି ପୂର୍ବରୁ ଏହାର ଅନ୍ୟ ଅର୍ଥ ଥିଲା, ତାହାକୁ ଲୋପ କରି ନୂତନ ଅର୍ଥ କରାଯାଉଛି । ଏହା ଗୋଦରୀ କୋଡ଼େ ଯେତେ ମାଡ଼େ ସେତେ ଭଳି ହେଉଛି ।’’ ବାଙ୍ଗର ପଣ୍ଡିତେ ଏହାର ପ୍ରତିବାଦରେ କହିଲେ, ପୁରୁଣା ଅର୍ଥସବୁ ଏ ଯୁଗକୁ କିପରି ନିରର୍ଥକ ତାହା ସିଦ୍ଧାର୍ଥର ଅର୍ଥ ଜିଜ୍ଞାସାରୁ ପ୍ରତିପନ୍ନ ହେଉଛି । ପରାର୍ଥରର ମୂଲ୍ୟାଙ୍କନ ଯୁଗେ ଯୁଗେ ନୂଆ ନୂଆ ପ୍ରକାରେ ହୋଇଆସିଛି । ପ୍ରବଚନଗୁଡ଼ିକ ପରମ୍ପରା; ନୂତନ ଅର୍ଥ ଲଗାଣ ନ କଲେ ସେଗୁଡ଼ିକ ନିରର୍ଥକ ହୋଇଯିବ ଓ ତଦ୍ଦ୍ୱାରା ଜାତୀୟ ସାହିତ୍ୟର ଘୋର କ୍ଷତି ଘଟିବ । ପୂର୍ବେ ସରକାରୀ ଚାକିରିଆ ନ ଥିଲେ ବୋଲି ‘ସିଲ’ ନ ଥିଲା, ତେଣୁ ଭିନ୍ନ ପ୍ରକାରେ ଅର୍ଥକରାଯାଉଥିଲା । ବର୍ତ୍ତମାନ ସିଲ ମିଳିବା ବେଳେ ଅଧିକ ଉପଯୁକ୍ତ ଅର୍ଥ ହେବ ଏହି ନୂତନ ଅର୍ଥ ।’’

 

ଏହା କହି ପଣ୍ଡିତେ ‘ଗୋଦରୀ କୋଡ଼େ ଯେତେ ମାଡ଼େ ସେତେ’ ପ୍ରବଚନର ବ୍ୟାଖ୍ୟା ମୋତେ ଦେଖାଇଲେ । ସେ ଏହାର ବ୍ୟାଖ୍ୟା କରିଛନ୍ତି–ଗୋଦରୀ ଏକ ଅସୁନ୍ଦରୀ ନାରୀର ସୂଚକ-। ଅସୁନ୍ଦରୀ ନାରୀକୁ କୋଡ଼େ ଅର୍ଥାତ୍‍ କୋଳରେ ଧରି ବଶ କରାଯାଇପାରେ ଓ ମାଡ଼ଦେଇ ମଧ୍ୟ ବଶ କରାଯାଇପାରେ । କାରଣ ସେ ଅସୁନ୍ଦରୀ ହେବା ହେତୁ ସ୍ୱାମୀକୁ ଛାଡ଼ିକରି ଅନ୍ୟ ପାଖକୁ ଯିବା ସମ୍ଭାବନା ରହେନାହିଁ । ଏହି ପ୍ରବଚନର ତାତ୍ପର୍ଯ୍ୟ ହେଉଛି, ନାରୀ ନିର୍ଯାତନାରୁ ରକ୍ଷା ପାଇବାକୁ ହେଲେ ନିଜ ଅଙ୍ଗସୌଷ୍ଠବକୁ ବଢ଼ାଇବାକୁ ପଡ଼ିବ । ଆଧୁନିକ ସ୍ୱାଧୀନଚେତା ମହିଳାମାନେ ଦେହର ସୌନ୍ଦର୍ଯ୍ୟ ରକ୍ଷା ପାଇଁ ଅଧିକ ଯତ୍ନ ନେବାଦ୍ୱାରା ସ୍ୱାମୀଙ୍କଠାରୁ କେବଳ ଗେଲ ପାଆନ୍ତି, ମାଡ଼ ପାଆନ୍ତି ନାହିଁ ।’’ ଇତ୍ୟାଦି ଇତ୍ୟାଦି । ମୁଁ ଲଜ୍ଜିତ ହେଲି ଯେ ପ୍ରବଚନଟିର ଏତାଦୃଶ ଆଧୁନିକତାବ୍ୟଞ୍ଜକ ଅର୍ଥ ଥାଉଁ ଥାଉଁ ମୁଁ ତାହାକୁ ପୁରୁଣା ଅର୍ଥରେ ପ୍ରୟୋଗ କରିଥିଲି ।

 

ଏହିପରି ଆଧୁନିକ ଅର୍ଥର ବହୁ ପ୍ରବଚନ ସେ ଦେଇଛନ୍ତି, ଯଥା:–ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଠୁଣୁଠୁଣୁ । ବୁଣିବାର ଅର୍ଥ ବୀଜବପନ ଅର୍ଥାତ୍‍ ଗର୍ଭାଧାନ । ଆଗେ ବୁଣୁର ଅର୍ଥ ସଅଳ ବା କମ୍‌ ବୟସରେ ଗର୍ଭାଧାନ କର ଓ ପଛେ ବୁଣୁର ଅର୍ଥ ବିଳମ୍ୱରେ ବା ବୁଢ଼ୀ ବୟସରେ ଗର୍ଭାଧାନ କର । ଯୁବତୀ ବେଳେ ଗର୍ଭବତୀ ହେଲେ ପ୍ରସବ ଓ ଶିଶୁପାଳନ ଯୋଗେ ଶୀଘ୍ର ସ୍ୱାସ୍ଥ୍ୟଭଙ୍ଗ ହେବା ଆଶଙ୍କା ଥାଏ । ପୁଣି ଶିଶୁର ଜଞ୍ଜାଳ ହେତୁ ପିତାମାତା ଯୌବନକୁ ଉପଭୋଗ କରିପାରନ୍ତି ନାହିଁ । ବିଳମ୍ୱରେ ଗର୍ଭାଧାନ ହେଲେ ଶିଶୁକୁ ମଣିଷ କରିବା ପାଇଁ ପିତାମାତାଙ୍କର ଆଉ ବୟସ ନ ଥାଏ । ତେଣୁ ଗର୍ଭାଧାନ ହେବା ମାତ୍ରେ ଯୁବତୀ ଓ ବୃଦ୍ଧାମାନେ ଔଷଧ ପ୍ରୟୋଗଦ୍ୱାରା ଗର୍ଭପାତ କରାଇବା ଉଚିତ । ପ୍ରବଚନରେ କୁହାଯାଇଛି ଗର୍ଭକୁ ଅର୍ଥାତ୍‍ ଗର୍ଭ ହେଲେ ଠୁଣୁଠୁଣୁ ଅର୍ଥାତ୍‍ ଠୁଣୁଠୁଣୁକିଆ ବା ଚେରମୂଳି ଔଷଧ ପ୍ରୟୋଗ କର୍ତ୍ତବ୍ୟ । ଶିଶୁ ଉତ୍ପାଦନ କମ୍‌ ବୟସରେ କରିବା ଯେପରି ଅନୁଚିତ ବେଶି ବୟସରେ କରିବା ସେଇପରି । ଏଥିରୁ ଜଣାପଡ଼େ ଯେ ପୂର୍ବେ ମଧ୍ୟ ଟୋକୀ ଓ ବୁଢ଼ୀମାନେ ପରିବାର ନିୟନ୍ତ୍ରଣ ଅର୍ଥାତ୍‍ ଗର୍ଭପାତ କରାଉଥିଲେ କିନ୍ତୁ ତାହା ପ୍ରକାଶ୍ୟରେ ନ କରି ଗୋପନରେ କରୁଥିବାରୁ ଅର୍ଥଟି ଗୋପନ ଥିଲା । ବର୍ତ୍ତମାନ ପ୍ରକାଶ୍ୟରେ କରାଯିବାରୁ ଅର୍ଥଟି ପ୍ରକାଶିତ ହୋଇପାରିଲା, ଇତ୍ୟାଦି ଇତ୍ୟାଦି ।

 

ପଣ୍ଡିତ ବାଲୁଙ୍କିଶରଣ ଦାସଶର୍ମାଙ୍କ ଗବେଷଣାପ୍ରସୂତ ‘ଓଡ଼ିଆ ପ୍ରବଚନ ବୋଧିନୀ’ର କି ମୁଖବନ୍ଧ ଲେଖିବି ? ତାହାଙ୍କ ନୂତନ ବ୍ୟାଖ୍ୟାକୁ ପାଣି ବୋଲି ଫିଙ୍ଗି ପାରୁନାହିଁ କି ପଣା ବୋଲି ପିଇପାରୁନାହିଁ । ପଣ୍ଡିତେ ଦି’ ଚାରି ଦିନ ଛଡ଼ାରେ ମୋତେ ପଚାରି ଲାଗିଥାନ୍ତି ମୁଖବନ୍ଧ ଲେଖା ସରିଲାଣିକି ବୋଲି । ଏପରି ବ୍ୟାଖ୍ୟାର ଯଥାର୍ଥତା ନେଇ ମୋର ଘୋର ସଂଶୟ ତାଙ୍କ ଆଗରେ ପ୍ରକାଶ କରିନପାରି ମୁଁ ଲେଖିବି ଲେଖିବି କହି କାଳକ୍ଷେପଣ କରୁଥାଏ । ଶେଷକୁ ସେ ଅତିଶୟ ବ୍ୟସ୍ତ କରିବାରୁ ମୁଁ କହିଲି ଯେ ସେ ଆଗେ ଜଣେ ପ୍ରକାଶକ ଯୋଗାଡ଼ କରନ୍ତୁ, ବହିଅଂଶ ମୁଦ୍ରିତ ହେଉ ହେଉ ମୁଁ ମୁଖବନ୍ଧ ଲେଖିଦେବି । ପଣ୍ଡିତେ ପାଣ୍ଡୁଲେଖ ଧରି ପ୍ରକାଶକମାନଙ୍କର ଦ୍ୱାରସ୍ଥ ହେଲେ । ଏଣିକି ମୁଁ ମଝିରେ ମଝିରେ ପ୍ରକାଶକ ମିଳିଲେ କି ନାହିଁ ବୋଲି ପଣ୍ଡିତ ମହାଶୟଙ୍କୁ ପଚାରେ ଓ ସେ ମିଳିବେ ମିଳିବେ ବୋଲି କହନ୍ତି । କଥା ଏପରି ହେଲା ଯେ ମୁଁ କାଳେ ପ୍ରକାଶକ ମିଳିବା କଥା ପଚାରି ଦେବି ଭାବି ସେ କେତେ ଦିନହେବ ଆଉ ମୋ ପାଖକୁ ଆସୁନାହାନ୍ତି । ତଥାପି ମୋର ଆଶଙ୍କା ଯେ ପଣ୍ଡିତେ ହୁଏତ ଜଣେ ପ୍ରକାଶକ ପାଇଯିବେ ଓ ମୋତେ ମୁଖବନ୍ଧ ମାଗିବେ । ବାଙ୍ଗରା ପଣ୍ଡିତଙ୍କର ମୁଁ ଜଣେ ଆଦର୍ଶ ଅର୍ଥାତ୍‍ ଆଜ୍ଞାଧୀନ ଛାତ୍ର ରହି ଆସିଥିଲି, ଯଦିଚ ସେ ଆଜି ଆଉ ଶିକ୍ଷକ ନୁହନ୍ତି କି ମୁଁ ଏବେ ଛାତ୍ର ନୁହେଁ ତଥାପି ସେ ମୋର ବାଙ୍ଗରା ପଣ୍ଡିତ ଓ ମୁଁ ତାଙ୍କର ଛାତ୍ର । ମୁଁ ଜାଣେ, ତାଙ୍କର ପୁତ୍ରକନ୍ୟା ତାଙ୍କର ଅବାଧ୍ୟ ହେଲେ ସେ ଯେଉଁ ମାନସିକ ଆଘାତ ପାଇବେ ମୁଁ ଅବାଧ୍ୟ ହେଲେ ତଦପେକ୍ଷା ବହୁଗୁଣ ଆଘାତ ସେ ପାଇବେ । ପ୍ରକାଶକ ମିଳୁନାହାନ୍ତି ବୋଲି ସେ ମୋ ପାଖକୁ ଆସୁନାହାନ୍ତି । ଏଥିପାଇଁ ସେ ମର୍ମାନ୍ତିକ ବେଦନା ଅନୁଭବ କରୁଥିବେ । ମୁଁ ମୁଖବନ୍ଧ ଲେଖିବାକୁ ମନାକରିଦେଲେ ଏହାଠାରୁ ଅଧିକ ବେଦନା ତାଙ୍କୁ ଦେବି ।

 

କିନ୍ତୁ ମୋର ଗତ୍ୟନ୍ତର ନାହିଁ ।

Image

 

କୁମାର ସଂଘ

 

କୁମାର ସଂଘର ଗୌରବୋଜ୍ଜ୍ୱଳ ପ୍ରଥମ ବର୍ଷର ସମାପ୍ତି ପରେ ବାର୍ଷିକ ସାଧାରଣ ସଭାରେ ସ୍ଥିର ହେଲା ଯେ ସଂଘର ଆର୍ଥିକ ସାହାଯ୍ୟ ନେଇ ପ୍ରତି ବର୍ଷ ଦଳେ ଦଳେ ସଭ୍ୟ ଦେଶଭ୍ରମଣରେ ଯିବେ । ପ୍ରଥମ ବର୍ଷ ଗୋଟିକ ମଧ୍ୟରେ ତିନି ତିନିଟା ସଫଳ ନାଟକ ଓ ଗୋଟିଏ ଭେରାଇଟି ସୋ ପ୍ରଦର୍ଶନ ହୋଇପାରିଥିବାରୁ ତହିଁରୁ ଉଦ୍‌ବୃତ୍ତ ଧନରେ ସଂଘର ପାଣ୍ଠି ଦୁଇ ହଜାରରୁ ଊର୍ଦ୍ଧ୍ୱ ହୋଇଥିଲା । ସଂଘର ସଭାପତି ଗୌରାଙ୍ଗ ବାବୁ, ଯେ ବଡ଼ ପ୍ରଫୁଲ୍ଲ ଦେଖାଯାଉଥିଲେ ହେଁ ତାଙ୍କ ଶରୀର ଅସୁସ୍ଥଥିବା କଥା ପରେ ଜଣାପଡ଼ିଲା, ପାଣ୍ଠିରୁ ୧୬ ଶହ ଟଙ୍କା ଏଥିପାଇଁ ଦିଆଯାଉ ବୋଲି ପ୍ରସ୍ତାବ କଲେ ଓ ତାହା ବିପୁଳ କରତାଳି ମଧ୍ୟରେ ଗୃହୀତ ହେଲା । ଏହାପରେ ସମ୍ପାଦକ ଫଣୀ ମିଶ୍ରେ ଆଗାମୀ ଗ୍ରୀଷ୍ମକାଳକୁ ଚାହିଁ କାଶ୍ମୀର ଯାତ୍ରା ସମୟୋପଯୋଗୀ ହେବ ବୋଲି ପ୍ରସ୍ତାବ କଲେ ଓ ତାହା ବିପୁଳତର କରତାଳିଦ୍ୱାରା ଗୃହୀତ ହେଲା । ପରେ ପରେ ଦଳର ଯାତ୍ରୀସଂଖ୍ୟା ନିରୂପଣରେ ମତଭେଦ ଉପୁଜିବା ସତ୍ତ୍ୱେ (ଫଣୀ) ମିଶ୍ରେ ଆଠଜଣ ଯିବେ ବୋଲି ମତ ଦେଲେ କିନ୍ତୁ ସଂଘର ବଡ଼ପାଟିଆ ରାମହରି ବାବୁ ଷୋହଳ ଜଣ ପାଇଁ ଜିଗର କଲେ । ସଭାପତିଙ୍କ ସମୟୋଚିତ ହସ୍ତକ୍ଷେପ ଫଳରେ ସଂଖ୍ୟାଟି ବାର ହେବ ବୋଲି ସ୍ଥିର ହେଲା । ସଂଘର ଧନ ସାହାଯ୍ୟ ବାଦ୍‌ ଅଧିକା ଖର୍ଚ୍ଚ ଯାତ୍ରୀମାନେ ବହନ କରିବେ ବୋଲି ମଧ୍ୟ ପ୍ରସ୍ତାବ ଧାର୍ଯ୍ୟ ହେଲା–ଅବଶ୍ୟ କରତାଳି ଦିଆଯାଇ ନ ଥିଲା ।

 

ଯାତ୍ରୀ ନିର୍ବାଚନ ଭୋଟଦ୍ୱାରା ହେଲେ ଗୋଷ୍ଠୀବିବାଦ ତେଜିବା ଆଶଙ୍କାରେ ଗୌରାଙ୍ଗ ବାବୁ ଧର୍ମଗୁଳାଦ୍ୱାରା ନିର୍ବାଚନ ହେବ ବୋଲି ଅଚାନକ ଘୋଷଣା କଲେ । ଉତ୍କଣ୍ଠା ଓ ଆଶଙ୍କା ମଧ୍ୟରେ ସଂଘର ଜଣେ ଅଣସଭ୍ୟ ହିତୈଷୀ ମନ୍ମଥ ପତିଙ୍କର ଆଖିରେ ଅନ୍ଧପୁଟୁଳି କସିକରି ବାନ୍ଧି ଦିଆଗଲା (ମନ୍ନଥ ବାବୁଙ୍କର ପାରିବାରିକ ଅଶାନ୍ତି ଯୋଗୁଁ ସେ ସଂଘର ହିତୈଷୀ ପାଲଟିଛନ୍ତି ବୋଲି ଯେଉଁ ଗୁଜବ ଉଠିଥିଲା ଆଜିକାଲି ସରକାର ଗୁଜବ ବିରୁଦ୍ଧରେ ଖଡ୍‍ଗହସ୍ତ ହୋଇଥିବାରୁ ଏଠାରେ ତାହା ଉଲ୍ଲେଖ କରାଯାଉ ନାହିଁ) । ଯେଉଁ ବାର ଜଣଙ୍କ ନାମ ଲେଖା ଗୁଳା ମନ୍ମଥ ବାବୁ ଉଠେଇଲେ ଓ ଯେଉଁମାନଙ୍କର ନାମ ଘୋଷଣା ବେଳେ ହର୍ଷୋଲ୍ଲାସ ଓ କରତାଳିରେ ସଭାଗୃହ ଫାଟିପଡ଼ୁଥିଲା ସେହିମାନଙ୍କ ମଧ୍ୟରେ ଫଣୀ ମିଶ୍ରେ, ପୂର୍ବକଥିତ ରାମହରି ବାବୁ, ଜଣେ ଖାଣ୍ଟି ନାରୀଦ୍ୱେଷୀ ଶ୍ରୀକାନ୍ତ ରଥ, କୁମାର କବି ବାମାଚରଣ ଦାସ (ଯେ ସ୍ତ୍ରୀ ଜାତିକୁ ଆକ୍ଷେପ କରି ଯେଚ୍ଛାତା ଲେଖନ୍ତି ଓ ନିଜ ନାମଟି ଲାଗି ଲଜ୍ଜିତ ହୁଅନ୍ତି) ଓ ସୁବିଧାବାଦୀ ଅଶୋକ ବିଶିଷ୍ଟ ବ୍ୟକ୍ତି । ଦ୍ୱାଦଶ ଥର ତାଳିମାଡ଼ ହୁଲର ପରେ ଜଣାଗଲା ଯେ ଗୌରାଙ୍ଗ ବାବୁଙ୍କ ନାମ ଉଠି ନାହିଁ ।

 

ଗୌରାଙ୍ଗ ବାବୁଙ୍କର ନାମ ନ ଉଠିବାରୁ ସଭାଗୃହରେ ବିଷାଦର ଛାୟା ଖେଳିଗଲା । ଯାହାହେଉ, ଗୌରାଙ୍ଗ ବାବୁ ଯେତେବେଳେ ସିଠୁଆ ମୁହଁରେ ବୁଝାଇ ଦେଲେ ଯେ ଅସୁସ୍ଥତା ଯୋଗୁଁ ନାମ ଉଠିଥିଲେ ବି ସେ ଯାଆନ୍ତେ ନାହିଁ, ସେତେବେଳେ ଭାବୀ ଯାତ୍ରୀଙ୍କ ମନରୁ ଦୁଃଖ ସମ୍ପୂର୍ଣ୍ଣ ଉଭେଇଗଲା ଓ ପୂର୍ବର ହର୍ଷୋଲ୍ଲାସ ଦେଖାଗଲା ।

 

ନିର୍ଦ୍ଧାରିତ ସମୟରେ ସମସ୍ତେ ଷ୍ଟେସନରେ ହାଜର ହେଲେ । ଯାତ୍ରୀଙ୍କୁ ବିଦାୟ ଦେବା ଲାଗି ପ୍ଲାଟ୍‌ଫର୍ମରେ ଜଳଯୋଗର ବ୍ୟବସ୍ଥା ଥାଏ ଓ ବିଦାୟ ଦେବା ଲାଗି ସଂଘର ସବୁ ସଭ୍ୟ ଉପସ୍ଥିତ ଆଥାନ୍ତି । ବିଦାୟ ପୂର୍ବରୁ ସେମାନଙ୍କର ସ୍ୱଳ୍ପତା ଯୋଗୁଁ କୌଣସି କମ୍ପାର୍ଟମେଣ୍ଟ ରିଜର୍ଭ କରିବା ସୁବିଧା କର୍ତ୍ତୃପକ୍ଷ କରିପାରିଲେ ନାହିଁ ବୋଲି ଗୌରାଙ୍ଗବାବୁ ଦୁଃଖର ସହ ଜଣାଇଲେ ଓ ତତ୍‌ ସଙ୍ଗେ ସଙ୍ଗେ ଆନନ୍ଦ ସହକାରେ ଜଣାଇଲେ ଯେ ଗାର୍ଡ଼ଙ୍କ ଅନୁମତି ନେଇ କୌଣସି ଏକ ବାରଜଣିଆ ବଖରାକୁ ଅଧିକାର କରିବାକୁ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।

 

ଗାଡ଼ି ଷ୍ଟେସନରେ ଲାଗିବା ମାତ୍ରେ ଗୌରାଙ୍ଗ ବାବୁ ଓ ଫଣୀ ମିଶ୍ରେ ଗାର୍ଡ଼ଙ୍କୁ ଭେଟିଲେ-। ଗାର୍ଡ଼ ସାହେବ ବାରଜଣିଆ ବଖରାଟିଏ ଖାଲି କରାଯାଇ ପାରିବା ନେଇ ସନ୍ଦେହ ପ୍ରକାଶ କଲେ-। କିନ୍ତୁ ଧନ କାର୍ପଣ୍ୟ-ସେବା ବଳେ ଗୋଟିଏ ସେଭଳି ବଖରାର ଯାତ୍ରୀଙ୍କୁ ଅନ୍ୟତ୍ର ବସିବାକୁ ଅନୁରୋଧ କରିବା ଲାଗି କୁନ୍ଥେଇ କୁନ୍ଥେଇ ବାହାରିଲେ । ଲେଖିବା ଅନାବଶ୍ୟକ ଯେ କିୟତ୍‌କାଳ କୁମାରଯାତ୍ରୀ ଗହଣରେ ହାଲୋହଳି ପଡ଼ିଗଲା । କିନ୍ତୁ ସୌଭାଗ୍ୟକୁ ଗାର୍ଡ଼ ସାହେବଙ୍କ ଅନୁରୋଧ କ୍ରମେ ଗୋଟିଏ ବାରଜଣିଆ ବଖରାର ଯାତ୍ରୀମାନେ (ସେମାନେ ସମସ୍ତେ ଓଡ଼ିଆ ଥିବାରୁ) ରାଜି ହେବାରୁ କୁମାରମାନେ ସେମାନଙ୍କ ଜିନିଷପତ୍ର ଅନ୍ୟ ବଖରାକୁ ନେବାରେ ସାହାଯ୍ୟ କଲେ ଓ କୁମାରଯାତ୍ରୀମାନେ ଯେଝା ପେଡ଼ିପୁଟା ଗାଡ଼ିକୁ ଉଠାଇଲେ । ମାଲ୍‌ମତା ରଖାଥୁଆ ପରେ ଗୌରାଙ୍ଗ ବାବୁ ନିଜେ ବଖରାଟିକୁ ଓ ସଂଲଗ୍ନ ପାଇଖାନାଟିକୁ ପରୀକ୍ଷା କରି ନିର୍ମଳତା ସମ୍ପର୍କରେ ଦୁଇପଦ କହିଲେ । ଏହି ବଖରାସହ ସଂଲଗ୍ନ ବଖରାର ଯୋଗଦ୍ୱାରକୁ ଏପଟୁ ବନ୍ଦ କରିବାକୁ ଗଲାବେଳେ ଉତ୍କଣ୍ଠାବଶତଃ ଦ୍ୱାରଟିକୁ ଆଡ଼ମେଲା କରି ଅନ୍ୟ ବଖରାରେ କ୍ଷଣେ ଆଖି ବୁଲାଇ ନେଲେ । କ’ଣ ସେ ଦେଖିଲେ କେଜାଣି ତଡ଼ିତ୍‌ ବେଗରେ ଜୋର କରି ଦ୍ୱାରକୁ ବନ୍ଦ କରି ଦୁଇ ତିନିଟି ବଡ଼ ବାକ୍‌ସକୁ ଦ୍ୱାରଦେଶକୁ ଆଣି ଏପରି ରଖିଦେଲେଯେ ଦ୍ୱାରଟି ଖୋଲିବାର ଆଉ ସମ୍ଭାବନା ରହିଲା ନାହିଁ । ସେହି ମୁହୂର୍ତ୍ତରୁ ଗୌରାଙ୍ଗବାବୁ ଖାଲି ଇତସ୍ତତଃ ହେଲେ । ଗାଡ଼ି ହୁଇସିଲ୍‌ ଦେଲା । ଗୌରାଙ୍ଗବାବୁ ତରତର ହୋଇ ‘‘ଫଣୀବାବୁ, ଆପଣଙ୍କୁ ସବୁ ଲାଗିଲା । ଆମ ସଂଘର ନାରୀ ଅସହଯୋଗ ସଂକଳ୍ପ ଯେପରି ଅକ୍ଷୁଣ୍ଣ ରହେ, ଦେଖିବେ’’ କହୁ କହୁ ସଂଯୋଗ ଦ୍ୱାରରେ ବଡ଼ ବଡ଼ ଅକ୍ଷରରେ ଚକ୍‌ଖଡ଼ିରେ ଲେଖିଲେ ‘ନାରୀ ନାରକୀ ସାବଧାନ ।’’ ଚଳନ୍ତା ଗାଡ଼ିରୁ ଓହ୍ଲାଇଲାବେଳେ ସଂଘର ଅନ୍ୟ ସଭ୍ୟମାନେ ତାଙ୍କୁ ଧରି ପକାଇ ନ ଥିଲେ ଗୌରାଙ୍ଗ ବାବୁ ନିଶ୍ଚୟ ପ୍ଲାଟଫର୍ମରେ ତିନି ଗଡ଼ାଣି ଖାଇଥାନ୍ତେ । ଏହି ଅବସ୍ଥାରେ ଗୌରାଙ୍ଗବାବୁ ଯାତ୍ରୀମାନଙ୍କୁ ପ୍ରତି-ନମସ୍କାର ଦେଇପାରିନଥିଲେ ।

 

ଏଠାରେ ସଂଘର ଲକ୍ଷ୍ୟ ଓ ନିୟମାବଳୀ ସମ୍ପର୍କରେ କିଛି ଲେଖିବା ଆବଶ୍ୟକ ବୋଲି ମନେକରାଯାଉ ନାହିଁ । କାହିଁକି ନା, ଜ୍ଞତବ୍ୟ ସବୁ ବିଷୟ ପାଠକେ ନିଜର ପ୍ରଖର ଅନୁମାନ ଶକ୍ତିଦ୍ୱାରା ଠଉରାଇ ସାରିବେଣି । କୁମାର ସଂଘ ସେହିମାନଙ୍କର ସଂଗଠନ ଯେଉଁମାନେ ପୂର୍ବ ଜୀବନରେ ଅବିବାହିତ ଥାଇ ପଶ୍ଚିମ ଜୀବନରେ ବିବାହ ନ କରିବାକୁ କୃତ ସଂକଳ୍ପ । ପୌରୁଷମୟ କଳା-ସାହିତ୍ୟ ଜ୍ଞାନର ପ୍ରସାର ଆଦି ସଂଘର ମହତ୍‌ ଲକ୍ଷ୍ୟମାନ ମଧ୍ୟରେ ପ୍ରଧାନ ଲକ୍ଷ୍ୟ ହେଲା ନାରୀଙ୍କୁ ହେୟଜ୍ଞାନ କରିବା । ଗୌରାଙ୍ଗ ବାବୁଙ୍କ ଓଜନିଆ ଭାଷାରେ, ‘‘ପୌରୁଷର ଅର୍ଥ ସାମର୍ଥ୍ୟ ଓ ନାରୀତ୍ୱର ଅର୍ଥ ଅବଳାତ୍ୱ ଅର୍ଥାତ୍‍ ଦୁର୍ବଳତା । ସାମର୍ଥ୍ୟକୁ ଦୁର୍ବଳତାଠାରୁ ଦୂରରେ ରଖିଲେ ହିଁ ମାନବର ସର୍ବବିଧ ଉତ୍କର୍ଷ ସାଧିତ ହେବ ।’’ ଏହି ଲକ୍ଷ୍ୟ ସାଧନ ପାଇଁ ପୌରୁଷ-ସାହିତ୍ୟ (କୁମାର କବି ବାମାଚରଣ ଯାହାର ଜନକ), ପୌରୁଷ-କଳା (କୁମାର ଶିଳ୍ପୀ ମଦନ ମୋହନଙ୍କର ପ୍ରଦତ୍ତ ସଂଜ୍ଞାନୁସାରେ ଯେଉଁ କଳା ନାରୀକୁ ଅସ୍ୱୀକାର କରେ), ପୌରୁଷ ନୃତ୍ୟଗୀତ ଆଦିର ପ୍ରଚାର ମଧ୍ୟ ସଙ୍ଘର ଲକ୍ଷ୍ୟର ଅନ୍ତର୍ଭୁକ୍ତ । କେତେକ ଅଭିନବ ସ୍ଳୋଗାନ୍‌ ସୃଷ୍ଟି କରିବାରେ ବି ସଙ୍ଘ ପଛେଇ ନାହିଁ କାହିଁକି ନା ଏ ଯୁଗରେ ଲୋକପ୍ରିୟତା ଅର୍ଜନର ସରଳ ଉପାୟ ହେଲା ସ୍ଳୋଗାନ୍‌ ସୃଷ୍ଟି । ତନ୍ମଧ୍ୟରେ Be were of Dogs ଢଙ୍ଗର ‘‘ନାରୀ-ନାରକୀ: ସାବଧାନ’’ ସ୍ଳୋଗାନ୍‍ଟି ଅନ୍ୟତମ ।

 

‘‘ନାରୀ-ନାରକୀ: ସାବଧାନ’’ ଲେଖାଟି ଉପରେ କମ୍ପାର୍ଟମେଣ୍ଟର ସମସ୍ତଙ୍କର ନଜର ପଡ଼ିଲା; କିନ୍ତୁ ଏକା ଫଣୀ ମିଶ୍ରଙ୍କୁ ଛାଡ଼ିଲେ ଅନ୍ୟ ସମସ୍ତେ ଏହାକୁ ମାମୁଲି କଥା ଭାବରେ ଗ୍ରହଣ କଲେ । ଶିଳ୍ପୀ ମଦନବାବୁ ଚକ୍‍ ଖଣ୍ଡେ ଧରି ଲେଖାଟିକୁ ଚିତ୍ରିତ ଓ ନେତ୍ରରଞ୍ଜକ କରିବାକୁ ଲାଗିଲେ-। ଫଣୀ ମିଶ୍ରେ ଗୁମ୍‌ମାରି ଘଟଣାଗୁଡ଼ିକୁ ମନ ଭିତରେ ଖଞ୍ଜି ଲାଗିଲେ ଓ ଏକ ମୀମାଂସାରେ ଉପନୀତହୋଇ ଝରକା ବାହାରକୁ ମୁଣ୍ଡ ବାହାରକରି ପାଖ ବଖରାର ଅଧିବାସୀଙ୍କୁ ଦେଖିବାକୁ ଚେଷ୍ଟା କରିବା ମାତ୍ରେ ପୁଣି କଳେ ତାଙ୍କ ମୁହଁରେ ପଡ଼ିଲା । ଫଣୀ ମିଶ୍ରେ ଅପ୍ରତିଭ ହେଲେ । ଶୁଖିଲା ପାଳଗଦାରେ ନିଆଁ ଭଳି କଥା ବ୍ୟାପିଗଲା ।

 

ଅନେକ ସତ୍ୟ ଘଟଣା ଯେ ଉପନ୍ୟାସ ଅପେକ୍ଷା ଅଧିକ ଚମକପ୍ରଦ ଏ କଥା ପାଠକମାନେ ଅଳ୍ପେ ବହୁତେ ଅନୁଭବ କରିଥିବେ । ନିଖିଳ ଭାରତ ମହିଳା ସମ୍ମେଳନରେ ଯୋଗଦେବା ଉଦ୍ଦେଶ୍ୟରେ ଉତ୍କଳ କୁମାରୀ ସମିତି ଓଡ଼ିଶାର ତେର ଜିଲାକୁ ପ୍ରତିନିଧିତ୍ୱ କରିବାଲାଗି ତେରଜଣ ପ୍ରତିନିଧିଙ୍କୁ ଦିଲ୍ଲୀ ପଠାଉଛି ଆମର ଏହି ପାଖ ବଖରାଟିରେ । ପ୍ରତିନିଧି ଦଳଟି ଯେପରି ସୁନିର୍ବାଚିତ ହୁଏ ସେଥିପ୍ରତି ସଙ୍ଘର ସଭାନେତ୍ରୀ କୁମାରୀ ଲାବଣ୍ୟମୟୀ ଓ ସମ୍ପାଦିକା କୁମାରୀ ସୁରବାଳା ସବୁ ପ୍ରକାର ଦୃଷ୍ଟି ଦେଇଛନ୍ତି । ନାରୀକବି ପ୍ରେମଲତା, ନାରୀଶିଳ୍ପୀ ରେଖା, ବାକ୍‌ପଟୁ ସୁକାନ୍ତି ଓ ଅତ୍ୟାଧୁନିକା କନକପ୍ରଭା (ଯେ ନିଜ ପୂର୍ବ ନାମ ଶ୍ୟାମଳୀକୁ ଆପଣା ରୂପ ଅନୁରୂପେ ବଦଳାଇଥିଲେ ମଧ୍ୟ କେହି କେହି, ହୁଏତ ଚିଡ଼ାଇବା ପାଇଁ, ବେଳେବେଳେ ଶ୍ୟାମଳୀ ବୋଲି ଡାକି ଦିଅନ୍ତି) ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ଛାଡ଼ିଲେ ଦଳଟି ମଧ୍ୟରେ ଉଲ୍ଲେଖନୀୟା । କୁମାରୀ ସମିତିର ଲକ୍ଷ୍ୟ ଓ ନିୟମାବଳୀକୁ ଗୋଟି ଗୋଟି ନ କହି ଏତିକି କହିଲେ ଯଥେଷ୍ଟ ହେବ ଯେ ଏହା କୁମାର ସଂଘର ସମ୍ପୂର୍ଣ୍ଣ ବିପରୀତ ଏକ ସଂସ୍ଥା, ଯାହା ନିୟମାବଳୀରେ କୁମାର ସଂଘ ଅପେକ୍ଷା ସ୍ଥଳ ବିଶେଷରେ କଠୋରତର । ପାଠକମାନେ ଏଥିରୁ କୁମାରୀ ସମିତିର କ୍ରିୟାକଳାପ ସହଜରେ ଜାଣିପାରିବେ ।

 

ଲାଲ୍‌ ପଡ଼ିଯାଇଥିବା ମୁହଁରୁ ଫଣୀ ବାବୁ ଟୁଆଲରେ ପାଣି ପୋଛି ପୋଛି ଲାଗିଥାନ୍ତି । ସେ ଏତେ ନିଠେଇ ପୋଛୁଥାନ୍ତି ଯେ ମୁହଁରୁ ପୁଳାଏ ପୁଳାଏ ପୋଛି ବାହାର କରିଦେବା ତାଙ୍କ ଉଦ୍ଦେଶ୍ୟ ଭଳି ଜଣାଯାଉଥାଏ । ଘଟଣାଟିକୁ ସମସ୍ତେ ଗୁରୁତ୍ୱ ଦେଲେ । ନ ଦେବେ ବା କିପରି ? ପାଣି ପକାଇଥିବା ଲୋକଟି ଏକେ ତ ନାରୀ ତହିଁରେ ପୁଣି ଯୁବତୀ । ଶ୍ରୀକାନ୍ତ ଚଢ଼ା ଗଳାରେ ରଡ଼ିଲେ ‘‘ପୁରୁଷ ଜାତି ପକ୍ଷେ ଏ କ’ଣ କମ୍‌ ଅପମାନ ? ଆସ ଏହାର ଉଚିତ ଜବାବ୍‌ ଦେବାକୁ ସମସ୍ତେ ଭୀଷ୍ମ ଶପଥ ନେବା ।’’ କିଛି କାଳ ଏ ପ୍ରକାର ହୁରିଡାକ ପରେ ଫଣୀ ମିଶ୍ରେ କହିଲେ ‘‘ଅପମାନକାରୀ ନାରୀ ବୋଲି ଆମେ ଏ କଥାକୁ ଗୁରୁତ୍ୱ ଦେଉଛେ [ଅନ୍ୟମାନେ: ‘ଓ ଦେବା’] କିନ୍ତୁ ଏହା ହୁଏ ତ ସେ ନାରୀ ଜାଣିଜାଣି କରିନଥିବେ ।’’ କିନ୍ତୁ ବାମାଚରଣ ଓ ଶ୍ରୀକାନ୍ତ ଏଥିରେ ଏକମତ ହେଲେ ନାହିଁ ।

 

ଘଟଣାଟି ଇଚ୍ଛାକୃତ କି ନୁହେଁ ଏହା ନେଇ କୁମାର ଦଳ ତୁମୁଳ ଯୁକ୍ତିତର୍କରେ ମଜ୍ଜି ଥିବା ବେଳେ ଗାଡ଼ି ଏକ ଷ୍ଟେସନରେ କିଛି ସମୟ ଅଟକିବା ଭିତରେ କୁମାରୀ ଲାବଣ୍ୟମୟୀ ବଖରା ମଧ୍ୟକୁ ଉଠି ଆସି ଫଣୀ ମିଶ୍ରଙ୍କ ହାତକୁ ଧରି ପକାଇ କହିଲେ, ‘‘ମୁଁ ଜଣାଇବାକୁ ଆସିଛି ଯେ ମୁଁ ଏହା ଜାଣି ଜାଣି କରି ନାହିଁ । ଗାଡ଼ି ଜୋରରେ ଚାଲିବା ବେଳେ ଆପଣ ମୁହଁ କାଢ଼ିଥିଲେ, ମୁଁ ଜଳଖିଆ ସାରି କୁଳି କଲାବେଳେ ଆପଣଙ୍କ ମୁହଁରେ ପଡ଼ିଲା ।’’ ତାହା ପାଣି ନୁହେଁ ଚର୍ବିତ ଜଳଖିଆମିଶା କୁଳି ବୋଲି ପ୍ରଘଟ ହୋଇଯିବାରୁ ଫଣୀ ମିଶ୍ରେ ଅଧିକ ଲଜ୍ଜିତ ହୋଇପାରିଲେ ନାହିଁ କାରଣ ଲାବଣ୍ୟମୟୀଙ୍କ ହାତର ଶୀତଳତା ପାଇ ସେ ଲଜ୍ଜାର ତୁଙ୍ଗଦେଶରେ ପହଞ୍ଚି ସାରିଥିଲେ । ଫଣୀ ମିଶ୍ରଙ୍କ ପାଟି ବାନ୍ଧି ହୋଇଗଲା । ସମସ୍ତେ ତୃଷ୍ଣୀଭୂତ ହେବାରୁ ଅଶୋକ ନୀରବତାକୁ ଭାଙ୍ଗିବାକୁ କହିଲେ: ‘‘ଇମିତି ବି ହୁଏ’’ ଯହିଁରୁ ଲାବଣ୍ୟମୟୀଙ୍କ ଉକ୍ତିର ସମର୍ଥନ ପ୍ରକାଶ ପାଉଥିଲେ ହେଁ ଫଣୀ ମିଶ୍ରଙ୍କ ସୁଯୋଗଲାଭ ପ୍ରତି ଈର୍ଷାହିଁ ଅଶୋକ ପ୍ରକାଶ କରିଥିଲେ ।

 

ଶ୍ରୀକାନ୍ତ ଲାବଣ୍ୟମୟୀଙ୍କୁ ପିଠି କରିଥିଲେ କିନ୍ତୁ ତାଙ୍କ ଉଦ୍ଦେଶ୍ୟରେ ଉଚ୍ଚ ଡାକରା ଦେଲେ, ‘‘କୃତାଞ୍ଜଳିପୁଟ ହୋଇ କ୍ଷମା ପ୍ରାର୍ଥନା କର ।’’ ହାତ ଧରିବା କୁମାରୀ ଲାବଣ୍ୟମୟୀଙ୍କୁ ମଧ୍ୟ ଅଡ଼ୁଆ ଅଡ଼ୁଆ ଲାଗୁଥିଲା, ସେ ଫଣୀ ମିଶ୍ରଙ୍କ ହାତ ଛାଡ଼ି ଦେଲେ । ବାମାଚରଣ ନାଟକୀୟ ଛଟାରେ କହିଲେ, ‘ସମସ୍ତଙ୍କଠାରୁ କ୍ଷମା ପ୍ରାର୍ଥନା କର ।’

 

ଏତିକିରେ ଲାବଣ୍ୟମୟୀ ତାତିଗଲେ । ଗାଡ଼ି ଚାଲିବା ଆରମ୍ଭ କରିସାରିଥାଏ । ସେ ଗର୍ଜିଲେ, ‘‘ଆପଣମାନେ କାହା ସହ କଥା ହେଉଛନ୍ତି ଜାଣିଥିଲେ ଏ ଆସ୍ପର୍ଦ୍ଧା କରନ୍ତେ ନାହିଁ (କୁମାର ଦଳ ସତରେ ଦବିଗଲେ) । ମୁଁ ଉତ୍କଳ କୁମାରୀ ସମିତିର ସଭାନେତ୍ରୀ । ଆନ୍ତର୍ଜାତିକ ମହିଳା ସଂବତ୍ସର ପରେ ଆପଣମାନେ ମୋ’ଠାରୁ କ୍ଷମାପ୍ରାର୍ଥନାର ଦୁରାଶା ପୋଷଣ କରୁଛନ୍ତି ! ପୁରୁଷଙ୍କଠାରେ କୌଣସି ପ୍ରକାର ସ୍ୱୀକୃତି ସମ୍ମାନକର ନୁହେଁ ବୋଲି ଆମେ ସମସ୍ତେ କହିଲେ କିନ୍ତୁ ମୋର ଛେପ ଖଙ୍କାର ତାଙ୍କ ମୁହଁରେ ପଡ଼ିବାରୁ ମୋର ବିବେକ ଦଂଶନ କଲା । ଏଣୁ ମୋର ବ୍ୟକ୍ତିଗତ ଅନୁରୋଧକ୍ରମେ ସମସ୍ତେ ରାଜି ହେଲେ ଯେ ମୁଁ ଏହି ବାବୁଙ୍କୁ ମୋର କର୍ମ ଅନିଚ୍ଛାକୃତ ବୋଲି ଜଣାଇ ଦେବି । କେବଳ ଜଣାଇ ଦେବି । ବୁଝିଲେ ?’’

 

ଅସଲ ସ୍ୱରୂପ ପ୍ରକାଶ ପାଇବା ମାତ୍ରେ କୁମାର ଦଳ ଦ୍ୱିଗୁଣ ଉତ୍ତେଜିତ ହୋଇପଡ଼ିଲେ-। ରାମହରି ବାବୁ ଭୀମ ଗର୍ଜନ କଲେ ‘‘ନାରକୀ ନାରୀ–ନାରକୀ ନାରୀ ।’’

 

ଏଗାରଟି ଜବାବ୍‌ ଏକାବେଳେକେ ମିଳିଲା, ‘‘ମୁର୍ଦାବାଦ୍‌, ମୁର୍ଦାବାଦ୍‍ ।’’

 

ଆହୁରି ତୋଟି ଫଟାଇ ରାମହରି ବାବୁ ଚିତ୍କାର କଲେ ‘‘ପୁରୁଷ ତେଜ–ପୁରୁଷ ତେଜ’’ । ହଠାତ୍‌ ସଂଯୋଗ ଦ୍ୱାରରେ ଠକ୍‌ ଠକ୍‌ ଶବ୍ଦ ହେବାରୁ ତେଣିକି ନିଘା ଦେବାରୁ ‘‘ହେଜରେ ହେଜ, ହେଜରେ ହେଜ’’ ଜବାବ ଜଣେ ଅଧେ କ୍ଷୀଣକଣ୍ଠରେ ଦେବା ଶୁଭିଲା । ପୁଣି ଦ୍ୱାରରେ ଠକ୍‌ ଠକ୍‌ ହେଲା ‘‘ଖୋଲନ୍ତୁ, ଖୋଲନ୍ତୁ’’ ।

 

ରାମହରି ବାବୁ ପୂର୍ବ ଉତ୍ତେଜନା ରଖି କହିଲେ ‘‘ନହିଁ ଖୋଲେଙ୍ଗେ, ନହିଁ ଖୋଲେଙ୍ଗେ’’-। ତେଣୁ ଜୋରଦାର୍‌ ଡାକ ଆସିଲା ‘‘ଖୋଲ, ଶୀଘ୍ର ଖୋଲ’’ ।

 

ଫଣୀ ମିଶ୍ରେ ଉଦ୍ଭାବନ କଲେ ଯେ ଏହା ପୁରୁଷକଣ୍ଠ, ତେଣୁ ପଚାରିଲେ, ‘‘କିଏ ?’’

 

‘‘ଟିକଟ୍‌, ଟିକଟ୍‌’’ ।

 

ଆଜ୍ଞାଧୀନ ଛାତ୍ର ପରି ସମସ୍ତେ ଟ୍ରଙ୍କ୍‌ ଓଟାରି ନେଲେ । ଦ୍ୱାରଟାକୁ ପୂରା ମେଲି ଟିକଟ୍‌ ଇନ୍‌ସପେକ୍ଟର ଏପଟକୁ ଆସିଲେ ଓ ଲାବଣ୍ୟମୟୀ ତାଙ୍କ ବଖରାକୁ ଫେରିଗଲେ । ଏହାପରେ ଘଟନାର ସୁଅ ପ୍ରଖରତର ହେଲା । କୁମାର ଦଳ ପ୍ରତିଜ୍ଞାବଦ୍ଧ ହେଲେ ଯେ କୁମାରୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନିଆଯିବ । କୁମାରୀଦଳ ସଂଯୋଗ ଦ୍ୱାରର ତାଙ୍କ ପଟେ ‘‘ପୁରୁଷ-ବିପଦ’’ ଲେଖି ତା’ ଉପରକୁ ଗୋଟିଏ ମଣିଷ ମୁଣ୍ଡ ଓ ଛକ କାଟିବା ପରି ଦି’ଖଣ୍ଡ ଡାଡ଼ର ଚିତ୍ର ଆଙ୍କିଥିବା ଶ୍ରୀକାନ୍ତ ଦେଖିଲେ । ପର ଷ୍ଟେସନରେ ଟିକଟ ଇନ୍‌ସପେକ୍ଟର ଓହ୍ଲାଇ ଯିବା ପରେ ଗାଡ଼ି ଚାଲିବା ମାତ୍ରେ ସେ ଏହି ଅପମାନଜନକ ଲେଖା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କଲେ । ପୁରୁଷ କୁଳକୁ ଏତେବଡ଼ ଅପମାନ ସହ୍ୟ କରାଯାଇ ନପାରେ । କୁମାର ଦଳ ବାହାରିଲେ ‘‘ପୁରୁଷ-ବିପଦ’’କୁ ନିଭାଇବା ଲାଗି । ଏମାନଙ୍କର ଗତିବିଧି ଉପରେ କୁମାରୀ ଦଳର କଡ଼ା ନଜର ଥାଏ । କୁମାରୀ ଦଳର ସ୍ଳୋଗାନକୁ ନିଭାଇଦେବାକୁ କୁମାର ଦଳ ବାହାରିବା ମାତ୍ରେ ଶତ୍ରୁକୁ ଛକି ରହି ଚଢ଼ାଉ କଲା ପରି କୁମାରୀମାନେ ଅଚାନକ ମାଡ଼ି ଆସିଲେ ।

 

‘‘ନା ନା, ଏହାକୁ କେହି ଛୁଇଁବେ ନାହିଁ’’ କୁମାରୀ ଦଳ ଗର୍ଜିଲେ ।

 

‘‘ଅଲ୍‌ବତ୍‌ ନିଭାଇବୁ’’ କୁମାର ଦଳ ଆଗେଇଲେ ।

 

ଚାହୁଁ ଚାହୁଁ ଏକ ଖଣ୍ଡଯୁଦ୍ଧ ସୁର୍‌ ହୋଇଗଲା । ଗଡ଼କୁ ଜଗିବା ବାଗରେ କୁମାରୀମାନେ ଲେଖାକୁ ଜଗିଲେ । ପ୍ରତ୍ୟେକ କୁମାରକୁ ଜଣେ ଜଣେ କୁମାରୀ ରୋକିଲେ ଓ ନାରୀର ଅବଳା ଅପଖ୍ୟାତି କଟାଇ ଦେବାକୁ ସବୁ ପ୍ରକାର ଚେଷ୍ଟା କଲେ । ପୁରୁଷ କିନ୍ତୁ ପୁରୁଷ । ସେମାନେ କୁମାରୀମାନଙ୍କୁ ଠେଲି ଅଗ୍ରସର ହେଲେ । ଏତିକିବେଳେ କନକପ୍ରଭା ଅତ୍ୟାଚାରିତ ହେଲାପରି ଚିତ୍କାର କଲେ ‘ଚେନ୍‌ ଟାଣ’ ଓ ସମସ୍ତଙ୍କର ଲକ୍ଷ୍ୟ ଦ୍ୱାରଦେଶରୁ ଚେନ୍‌ଉପରକୁ ଘୁଞ୍ଚିଗଲା । ଏ ଯାବତ୍‌ କୁମାରୀମାନେ କୁମାରଙ୍କୁ ଅଟକାଉ ଥିଲେ, ହଠାତ୍‌ କୁମାରମାନେ କୁମାରୀଙ୍କୁ ଅଟକାଇଲେ-। କୌଣସି କୁମାରୀ ଯେପରି ଚେନ୍‌ ଟାଣିବା ସୁଯୋଗ ନ ପାଏ ସେଥିପାଇଁ ପ୍ରତ୍ୟେକ କୁମାର ଜଣେ ଜଣେ କୁମାରୀଙ୍କୁ କସିକରି ପୋଟାଳି ଧଇଲେ । କିନ୍ତୁ ଭଗବାନଙ୍କର ଦୁର୍ବଳାମାନଙ୍କ ପ୍ରତି ଦୁର୍ବଳତା ରହିଛି । କୁମାରୀ ଦଳର ଜଣେ ବଳକା ରହିଗଲେ ଓ ସେ ଚେନରେ ହାତ ଦିଅନ୍ତେ ଫଣୀ ମିଶ୍ରେ ଡାକ ଦେଲେ ‘‘କୁମାରଗଣ, ପ୍ରତିରୋଧରୁ କ୍ଷାନ୍ତ ହୁଅ । ଅନ୍ୟଥା ଅବାଞ୍ଛିତ ପରିସ୍ଥିତିର ସମ୍ମୁଖୀନ ହେବା ।’’ କୁମାର ଦଳ ବିନା ସର୍ତ୍ତରେ ଏବଂବିଧ ଆତ୍ମସମର୍ପଣ କଲେ ଓ ମୁହଁ ଫଣ ଫଣ କରି ବସିଲେ । ତେଣେ ବିଜେତ୍ରୀ ଦଳ ନିରତିଶୟ ଆନନ୍ଦୋଚ୍ଛ୍ୱାସରେ ଆକ୍ଷେପୋକ୍ତିଦ୍ୱାରା ପୁରୁଷ କୁଳକୁ ବେଇଜ୍ଜତ କରି ଲାଗିଲେ ।

 

ଏତେବେଳେ କୁମାରୀ ସୁରବାଳାଙ୍କୁ ଗୁରୁ ଶଙ୍କା ମାଡ଼ିଲା । ସେ ପାଇଖାନାରେ ପଶି ଦେଖିଲେ ଯେ ସେମାନଙ୍କ ପାଇଖାନାର ପାଇପ୍‌ଟି ଅଚଳ । ଏ ପ୍ରକାର ଜରୁରୀ ଅବସ୍ଥାରେ ସେ ସଭାନେତ୍ରୀଙ୍କ ପରାମର୍ଶ ଲୋଡ଼ିଲେ ଓ ଲାବଣ୍ୟମୟୀ ସୁଚିନ୍ତିତ ମତ ଦେଲେ ‘‘ଅବସ୍ଥା ଦୃଷ୍ଟେ ଆମକୁ ସେମାନଙ୍କ ପାଇଖାନାଟି ବ୍ୟବହାର କରିବାକୁ ପଡ଼ିବ ।’’ ସୁରବାଳା କାଳକ୍ଷେପଣ ନ କରି ନାଟକର ବାଙ୍କିରାଣୀ ଶୁକଦେଈଙ୍କ ପରି କ୍ଷୀପ୍ରତା ସହକାରେ କୁମାର ପଟ ପାଇଖାନାରେ ପଶିଲେ-

 

ଅନନ୍ତର ଅଶୋକ ଉଠି ଜଣାଇଲେ ‘‘ଫଣୀବାବୁ, ପ୍ରସା ମାଡ଼ୁଛି, ଜରୁରୀ’’ ।

 

ସମସ୍ୟାର ସମାଧାନ କରିବାକୁ ଫଣୀବାବୁଙ୍କୁ ବୁଦ୍ଧିବାଟ ଦିଶିଲା ନାହିଁ । କିନ୍ତୁ ରାମହରି ବାବୁ କହିଲେ, ‘ତମେ ତାଙ୍କ ପାଇଖାନାରେ ପଶୁନାହଁ ।’’ ଅଶୋକ ତାହାହିଁ କଲେ ।

 

ପାଇଖାନାରେ ପଶିବା ଆଗରୁ ତାଙ୍କର ଆକୃତି ଓ ଚାଲି ନେଇ କେତେକ ଚୁଗୁଲିଆ କଥା ଅଶୋକଙ୍କର ଶ୍ରୁତିଗୋଚର ହୋଇଥିଲା । ତେଣୁ ପାଇଖାନାରେ ରହି ଅଧିକ କିଛି ଶୁଣିବାକୁ ଚେଷ୍ଟା କଲେ । ଫଳରେ ସେ ବାହାରିଲା ବେଳକୁ ଟିକିଏ ବିଳମ୍ୱ ହେଲା । ଏହାରି ଉପରେ କନକପ୍ରଭା ପ୍ରତିକ୍ରିୟା ପ୍ରକାଶ କଲେ, ‘‘ରେଖା ଅପା ମ, ମୋଟରେ ଦୁଇ ମିନିଟ୍‌ ସତେଇଶ ସେକେଣ୍ଡ ଲାଗିଲା । ଏହା ନିଶ୍ଚୟ ଏକ ନୁହେଁ ଦୁଇ । ପାଣି ନ ଥିଲେ ବି କେତେକଙ୍କର ଚଳେ ।’’

 

ଅଶୋକଙ୍କର ମୁହଁ ନାଲ ପଡ଼ିଗଲା ‘‘ନା, ନା ମୁଁ ଝାଡ଼ା ଯାଇନାହିଁ, ମିଛ ।’’

 

କୁମାର ଦଳ ସମର୍ଥନ ଜଣାଇଲେ, ‘‘ଏ ମିଥ୍ୟା ଅଭିଯୋଗ ପ୍ରତ୍ୟାହାର କର ।’’

 

କୁମାରୀଦଳ ଅଭିଯୋଗ ସତ୍ୟ ହେବାର ସମ୍ଭାବନା ରହିଛି ବୋଲି ଚିଲେଇଲେ । ଶ୍ରୀକାନ୍ତ ପାଟି କଲେ ‘‘ଦେଖୁଛ କ’ଣ, ଏବେ ତ ଆମକୁ ବଳିବେ ନାହିଁ । ଆମେ ବାରକୁ ସେମାନେ ବାର’’ । କୁମାରୀ ଲାବଣ୍ୟମୟୀ ଭୟ ପାଇ କହିଲେ ‘‘ଆମେ ପ୍ରତ୍ୟାହାର କରୁଛୁ ।’’

 

ଝାଡ଼ାରୁ ଫେରି ସୁରବାଳା କହିଲେ ‘‘ଇତି ମଧ୍ୟରେ ମୁଁ ଏକ ପରିକଳ୍ପନା କରିଛି । ଅବସ୍ଥା ଦୃଷ୍ଟିରୁ ଆମେ ସେ ପାଇଖାନାଟି ବ୍ୟବହାର କରିବାକୁ ବାଧ୍ୟ, ତେଣୁ ସେଇଟା ସମସ୍ତଙ୍କ ଝାଡ଼ା ଯିବା ପାଇଁ ଓ ଏଇଟା ପରିସ୍ରା ପାଇଁ ନିର୍ଦ୍ଦିଷ୍ଟ ରଖାଯାଉ ।’’ କିୟତକାଳ ଟୁପୁରୁ ଟାପୁରୁ ପରେ ଉଭୟ ଦଳ ଏ ପ୍ରସ୍ତାବରେ ରାଜି ହେଲେ । ଏଣିକି କୁମାର କୁମାରୀ ଘନ ଘନ ଏପଟ ସେପଟ ହେଲେ ଝାଡ଼ା ପରିସ୍ରା (ଓ ତା’ର ବାହାନା) କରି । ସତେ ଯେପରି କି ହଠାତ୍‌ କୁମାରମାନଙ୍କୁ ବହୁମୂତ୍ର ଓ କୁମାରୀମାନଙ୍କୁ ଅତିସାର ରୋଗ ଧରିଲା ।

 

ଅବିଳମ୍ୱେ ଗୋଟିଏ ଦୁଇଟା ଉଲ୍ଲେଖନୀୟ ଘଟନା ଘଟିଲା । କୁମାର କବି ବାମାଚରଣ ପରିସ୍ରାରୁ ଫେରିବା ବେଳକୁ କୁମାରୀ ପ୍ରେମଲତା କବିତା ରାମ୍ପୁଥାନ୍ତି:–

 

କଣ୍ଠେ ତୋହର ବିହଗ କୂଜନ, ସଖି ଗୋ

ଅଧରେ ମଧୁର ପିଆଲା ତୁ ଅଛୁ ରଖି ଗୋ ।

ଇତ୍ୟାଦି ଇତ୍ୟାଦି ।

 

ଏଥିରେ ଦୃଷ୍ଟି ପଡ଼ିବା ମାତ୍ରେ କୁମାର କବି ନିଜକୁ ସମ୍ୱରଣ କରିନପାରି କହି ପକାଇଲେ ‘‘ବିହଗ କୂଜନ ପୁନରୁକ୍ତିଦୁଷ୍ଟ । କୂଜନ ତ ପକ୍ଷୀସ୍ୱର, ବିହଗର ପ୍ରୟୋଜନ କ’ଣ ?’’

 

ପ୍ରେମଲତା କପାଳ କୁଞ୍ଚିତ କରି ଉପରକୁ ଚାହିଁ କହିଲେ, ‘‘ଆପଣ ହୁଏତ ଠିକ୍‌; କିନ୍ତୁ ପୁରୁଷ’’ ।

 

ବାମାଚରଣ ଛାତି ସମେତ ମୁଣ୍ଡକୁ ଦୋହଲାଇ କହିଲେ ‘‘ସେଥିପାଇଁ ଆମେ ଗର୍ବିତ ।’’

 

ପ୍ରେମଲତା ଯୋଗ କଲେ, ‘‘ତେଣୁ ଘୃଣ୍ୟ । ପୁରୁଷ ଯେତେ ସତ୍ୟ କହିଲେ ମଧ୍ୟ ତାହା ଅଗ୍ରାହ୍ୟ ।’’

 

ହଠାତ୍‌ ଲାବଣ୍ୟମୟୀ ଗୋଟିଏ ପୁସ୍ତକ ଓଲଟାଇ କହିଲେ, ‘‘ନା, ପ୍ରେମ, ଆମର କନ୍‌ଷ୍ଟିଚ୍ୟୁସନ ଲେଖୁଛି–ପୁରୁଷ ସତ୍ୟ କହିଲେ ବି ସନ୍ଦେହ କର୍ତ୍ତବ୍ୟ ।’’

 

ଇଦାନୀଂ ବାମାଚରଣ କୁମାରମାନଙ୍କୁ ନିବେଦନ କଲେ, ‘‘ବନ୍ଧୁଗଣ, ମୁଁ ପୌରୁଷ ସାହିତ୍ୟର ସ୍ରଷ୍ଟା । ପୌରୁଷ ସାହିତ୍ୟର ଉନ୍ନତି ପାଇଁ କୁମାରୀ କବିଙ୍କ ପ୍ରତିଦ୍ୱନ୍ଦ୍ୱୀ ସାହିତ୍ୟ ଅଧ୍ୟୟନ କରିବାକୁ ଚାହେଁ । ସେମାନଙ୍କ ସାହିତ୍ୟ କ’ଣ ଜାଣିଲେ ସିନା ତାହାର ମୂଳୋତ୍ପାଟନ କରିବାକୁ ସମର୍ଥ ହେବି ।’’

 

ତର୍କ ବିତର୍କ ପରେ ବାମାବାବୁଙ୍କ ସପକ୍ଷରେ ପ୍ରସ୍ତାବ ଅଧିକ ଭୋଟରେ ଗୃହୀତ ହୋଇଗଲା । ପରେ ପରେ ବାମାଚରଣ ଓ ପ୍ରେମଲତା ଗୋଟିଏ କୋଣରେ ବସି ସାହିତ୍ୟଚର୍ଚ୍ଚାରେ ମଜ୍ଜିଗଲେ ।

 

ଇତିମଧ୍ୟରେ ରାମହରି ବାବୁ ଆବିଷ୍କାର କଲେ ଯେ ସୁରବାଳାଙ୍କ ବ୍ୟାଗରେ ‘କେ.ଏମ୍‌.ଦାସ, ବ୍ରହ୍ମପୁର’ ଲେଖାଅଛି । ବ୍ରହ୍ମପୁରର କିଶୋରୀ ମୋହନ ଦାସ ତାଙ୍କର ଦୂରସମ୍ପର୍କ ହେବେ । ପୁଣି ତାଙ୍କରି ଝିଅ ପାଇଁ ନିକଟରେ ପ୍ରସ୍ତାବ ଆସିଥିଲା ।

ରାମହରି ବାବୁ ଭଦ୍ରଭାବରେ ପ୍ରଶ୍ନ କଲେ, ‘‘ଆପଣ କିଶୋରୀ ମୋହନ ଦାସଙ୍କ... ?’’

‘‘ଝିଅ’’

‘‘ତାହାହେଲେ ତ.....’’ କଥାର ଫୁକାର ଖୋଲିଗଲା ।

ଏହା ଦେଖି କୁମାରଦଳଙ୍କର ଏକ ଜରୁରୀକାଳୀନ ବୈଠକ ଆହୂତ ହେଲା । ରାମହରି ବାବୁ କାହିଁକି ଅସହଯୋଗ ସଙ୍କଳ୍ପକୁ ଭଙ୍ଗ କଲେ ତାହାର କାରଣ ଦର୍ଶାଇବାକୁ ତାଙ୍କୁ କୁହାଗଲା, କିନ୍ତୁ ରାମହରି ଆତ୍ମପକ୍ଷ ସମର୍ଥନ କରି ବାଗାଡ଼ମ୍ୱର କଲେ, ‘‘କୌମାର୍ଯ୍ୟ ସମ୍ୱନ୍ଧେ ଆପଣମାନଙ୍କ ଧାରଣା ପ୍ରାମାଦିକ । କୁମାର ହେଲେ ପତ୍ନୀବିରକ୍ତ ହେବା ବିଧେୟ କିନ୍ତୁ ଜନନୀ କିମ୍ୱା ଭଗିନୀ ତାହାର ତ୍ୟାଜ୍ୟ ନୁହେଁ । ସୁରବାଳା ମୋର ସମ୍ପର୍କୀୟା ଭଗିନୀ ।’’

ସମସ୍ତଙ୍କ ମୁହଁ ବାନ୍ଧି ହୋଇଗଲା । ଏକା ଶ୍ରୀକାନ୍ତ କହିଲେ, ‘‘ନା, ଏଥିର କିଛି ଗୋଟେ ମୀମାଂସା ହେଉ । ଆମର ମିଳାମିଶା କେତେଦୂର ନ୍ୟାଯ୍ୟ, ତାହା ଠିକ୍‌ କରାଯାଉ ।’’

କୁମାରୀ ଦଳ ଭିତରେ ଅନୁରୂପ ପ୍ରଶ୍ନ ଉଠିଥିଲା, ତେଣୁ ଆପୋଷରେ ସ୍ଥିର ହେଲା ଯେ ଫଣୀ ମିଶ୍ରେ ଓ କୁମାରୀ ଲାବଣ୍ୟମୟୀ ଆଲୋଚନା କରି କର୍ତ୍ତବ୍ୟାକର୍ତ୍ତବ୍ୟ ନିରୂପଣ କରିବେ ।

ଫଣୀ ମିଶ୍ରେ ଲାବଣ୍ୟମୟୀଙ୍କୁ କହିଲେ, ‘‘ଏ ହୈ ଚୈ ମଧ୍ୟରେ କିଛି କରି ହେବ ?’’

 

ଲାବଣ୍ୟମୟୀ ଅସ୍ୱାଭାବିକ ଗାମ୍ଭୀର୍ଯ୍ୟ ସହକାରେ କହିଲେ, ‘‘ମୁଁ ମଧ୍ୟ ତାହାହିଁ ଭାବୁଛି ।’’

 

ଘଟଣାର ଗୁରୁତ୍ୱ ଦୃଷ୍ଟେ ଦୁଇଟା ଟିକଟକୁ ଫାଷ୍ଟକ୍ଲାସ୍‍ଙ୍କୁ ବଢ଼ାଇ ଦିଆଗଲା । ଫଣୀ ମିଶ୍ରେ ଓ ଲାବଣ୍ୟମୟୀ ନିରୋଳା ଫାଷ୍ଟକ୍ଲାସ୍‍ ବଖରାକୁ ଉଠିଲେ ଭବିଷ୍ୟତ୍‌ କର୍ମପନ୍ଥା ନିର୍ଦ୍ଧାରଣ ପାଇଁ ।

 

ସେମାନେ ଯିବା ପରେ କନକପ୍ରଭା ଏକ ପ୍ରଶ୍ନ ଉଠାଇଲେ ‘‘ଫାଷ୍ଟାକ୍ଲାସ୍‍ ଟିକଟ୍‌ଟି କ’ଣ ଏକା ସେମାନେ ଭୋଗ କରିବେ ? ଆମର ବି ହକ୍‌ ଦାବି ଅଛି ସେଥିରେ ।’’ ଏହା କୁମାରଦଳ ମଧ୍ୟ ଅନୁଭବ କଲେ । ତେଣୁ ଉଭୟ ଦଳ ସ୍ଥିର କଲେ ଯେ ପ୍ରତ୍ୟେକ ସଭ୍ୟ ଦୁଇ ଦୁଇଟା ଷ୍ଟେସନ୍‌ ପାଇଁ ଫାଷ୍ଟକ୍ଲାସ୍‌ ଟିକଟ୍‍ଟିକୁ ବ୍ୟବହାର କରିବେ । ଫଣୀ ମିଶ୍ରେ ଓ ଲାବଣ୍ୟମୟୀ ଫେରିବା ପରେ ସ୍ୱ ସ୍ୱ ଦଳର ନିର୍ଦ୍ଧାରଣ ଶୁଣିଲେ ।

 

ଉଭୟେ ସହାସ୍ୟ ବଦନରେ ପ୍ରକାଶ କଲେ ଯେ ନିଜର ଅଧିକାର ସମ୍ପର୍କରେ ଚେତନା ସର୍ବଦା ପ୍ରଶଂସାର କଥା ।

 

କୁମାର ଦଳ ଏହି କ୍ରମରେ ଫାଷ୍ଟକ୍ଲାସ୍‌କୁ ଲୋକ ପଠାଇଲେ:–ଅଶୋକ, ରାମହରି, ବାମାଚରଣ, ମଦନ, ଶ୍ରୀକାନ୍ତ ଆଦି । କୁମାରୀଦଳ ଏହି କ୍ରମରେ ପଠାଇଲେ:–କନକପ୍ରଭା, ସୁରବାଳା, ପ୍ରେମଲତା, ରେଖା, ସୁକାନ୍ତି ଆଦି । ଏଭଳି ଯାତ୍ରା ପରେ ଅସହଯୋଗର ପ୍ରଶ୍ନ ଆଉ କେହି ଉଠାଇଲେ ନାହିଁ ।

 

କୁମାର ଦଳ ଦିଲ୍ଲୀ ଡେଇଁ କାଶ୍ମୀର ଗଲେ ନାହିଁ । ଦିଲ୍ଲୀରେ ପ୍ରସ୍ତାବ ଧାର୍ଯ୍ୟ କଲେ, ‘‘ଆମ୍ଭେମାନେ ସର୍ବସମ୍ମତିକ୍ରମେ କାଶ୍ମୀରର ରାଜନୀତିକ ପରିସ୍ଥିତି ଦୃଷ୍ଟେ କାଶ୍ମୀର ଯାତ୍ରା ବନ୍ଦ ରଖୁଛୁ ।’’ ଫେରିବା ବେଳେ ବି ଉଭୟ ଦଳ ଏକତ୍ର ଫେରିଲେ । କିନ୍ତୁ ଜଣେ କେହି କୁମାରୀ ବ୍ୟକ୍ତିଗତ କାରଣବଶତଃ କୁମାରୀ ସମିତିରୁ ଇସ୍ତଫା ଦେଇ ଥିବାରୁ ସେ ଏମାନଙ୍କ ସାଙ୍ଗରେ ଫେରି ନ ଥିଲେ । କିନ୍ତୁ କୌଣସି କୁମାର ତାଙ୍କ ପରିଚୟ ପାଇ ନ ଥିବା ହେତୁରୁ ତାଙ୍କ ଅନୁପସ୍ଥିତି ଅନୁଭୂତ ହେଲା ନାହିଁ ।

 

ଯାତ୍ରୀଦଳ ଫେରିବା ପରେ କୁମାର ସଙ୍ଘର ଉତ୍ସାହ ଉଦ୍ଦୀପନା କମିବାରେ ଲାଗିଲା । ସଂଘର ପରବର୍ତ୍ତୀ ନିର୍ବାଚନରେ ଗୌରାଙ୍ଗ ବାବୁ ଆଉ ସଭାପତି ହୋଇପାରିଲେ ନାହିଁ । ସବୁ ଯାତ୍ରୀ ସେମାନଙ୍କ ସାଙ୍ଗସାଥୀ ସହ ଅଶୋକ ବାବୁଙ୍କୁ ଭୋଟ ଦେଲେ । ଭିତିରିଆ ଶୁଣିବାକୁ ମିଳିଲା ଯେ ଅଶୋକବାବୁ ଯାତ୍ରୀମାନଙ୍କ ଆଚରଣକୁ ପ୍ରକାଶ କରିଦେବା ଧମକ ଦେଇଥିଲେ ।

 

ଅଶୋକ ବାବୁଙ୍କ ସଭାପତିତ୍ୱରେ ବାମାଚରଣଙ୍କ ନବଲିଖିତ ତଥା ନାରୀମାନଙ୍କ ପ୍ରତି କଠୋର ସମାଲୋଚନାପୂର୍ଣ୍ଣ ନାଟକଟିଏ ଅଭିନୀତ ହେଲା । ତାହାପରେ ଉଲ୍ଲେଖନୀୟ ଆଉ କିଛି ଘଟିଲା ନାହିଁ । ମାସ ଛଅଟାରେ କୁମାର ସଂଘର ସତ୍ତା ଲୋପ ପାଇଗଲା ।

 

ପୂର୍ବର ଉତ୍ସାହର ପୂର୍ବ ନିଷ୍ଠା କାହିଁକି ଉଭେଇଗଲା ଏହା ସମସ୍ତେ ବୁଝିପାରିଲେ ନାହିଁ । କିନ୍ତୁ ଯାତ୍ରୀଦଳର ଦୁଇ ତିନି ଜଣ ଯଦି ନିଭୃତରେ ଭେଟନ୍ତି ତେବେ ସେମାନେ ପ୍ରତ୍ୟେକେ କହିଥାନ୍ତି ।

 

‘‘ମୁଁ ମଧ୍ୟ ତାଙ୍କୁ ଏକଦମ୍‌ ବୁଝାଇ ଦେଲି ଯେ ନାରୀଜାତିଟା ପୁରୁଷର ଅଧସ୍ତନ ହେବା ଉତ୍ତମ ।’’ ଅଥବା:

 

‘‘ମୁଁ ଚୁଗୁଲି କରି ତାଙ୍କୁ କହିଲି, କୁମାରୀମାନେ ପୂର୍ବେ ବଡ଼ ତନ୍ତ୍ରସାଧିକା ଥିବା ପରମ୍ପରା ରହିଛି । ସେମାନେ ଭେଣ୍ଡାକୁ ମେଣ୍ଢା କରୁଥିଲେ କିନ୍ତୁ ସେମାନେ ସଂଖ୍ୟାରେ ଥିଲେ ସାତ ।’’ ଅଥବା:

 

‘‘ମୁଁ ବି ତାଙ୍କୁ କ’ଣ କମ୍‌ ବେଇଜ୍ଜତ୍‌ କରିଛି ।’’ ଅଥବା:

 

‘‘ମୁଁ ମଧ୍ୟ ତାଙ୍କୁ ପଚାରିଛି କୁମାରର ଏକ ଅର୍ଥ ମଦନ ବୋଲି ସେ ଜାଣନ୍ତି କି ନାହିଁ ।’’ ଇତ୍ୟାଦି, ଇତ୍ୟାଦି ।

Image

 

ତାଳପଡ଼ାର ଶେଷ ଜୟନ୍ତୀ

 

ଶ୍ରୀ ସଦାନନ୍ଦ ନନ୍ଦ ବି.ଏ., ବି.ଏଡ଼୍‌., ପ୍ରଧାନ ଶିକ୍ଷକ, ମଧ୍ୟଇଂରାଜୀ ବିଦ୍ୟାଳୟ, ଅଲଡ଼ିଗାଁ, ଅପ୍ରତ୍ୟାଶିତ ବଦଳି ଆଦେଶପତ୍ରଟିକୁ ପାଇ ଆପଣାକୁ ନିରତିଶୟ ଭାଗ୍ୟବାନ ମନେକଲେ । ଅଭିଶପ୍ତ ଅଲଡ଼ିଗାଁରୁ ବିପୁଳା ପୃଥ୍ୱୀର ଅନ୍ୟ ଯେକୌଣସି ଠାକୁ ବଦଳି ହେଲେ ଯେକେହି ଆହ୍ଲାଦିତ ହେବା କଥା । ଅଲଡ଼ିଗାଁରେ ଗୋଟିଏ ସୁସ୍ଥ ସାଂସ୍କୃତିକ ବାତାବରଣ ସୃଷ୍ଟି କରିବା ପାଇଁ ନନ୍ଦେ କମ୍‌ ମେହନତ କରି ନାହାନ୍ତି କିନ୍ତୁ ଥରକୁ ଥର ଉଦ୍ୟମ କରି କରି ଶେଷକୁ ଆପେ ହାଲିଆ ହେଲେ ସିନା, ଅଲଡ଼ିଗାଁ ଯଥା ପୂର୍ବଂ ତଥା ପରଂ ରହିଲା । ଜଣେ ସୁବକ୍ତା ଓ ଲେଖକ ଭାବରେ ସେ ଭବିଷ୍ୟତ୍‌କୁ ନାଁ କମାଇବେ ବୋଲି କଲେଜ ଜୀବନରୁ ହିଁ ଜଣା ପଡ଼ୁଥିବାରୁ ସାଙ୍ଗମାନେ ତାଙ୍କୁ କହୁଥିଲେ ଦୁତୀଗୌରୀ ବ୍ରହ୍ମା । କିନ୍ତୁ ସେଥିପାଇଁ ସୁଯୋଗ କାହିଁ ? ଅଲଡ଼ିଗାଁରେ କୃଷ୍ଟି ବୋଇଲେ କୃଷିକର୍ମ, ରସ ବୋଇଲେ ଆଲୁମିନିୟମ୍‌, ସାର ବିଷୟ ବୋଇଲେ ସୁଫଳା, ଗ୍ରୋମୋର ଆଦି ଓ ଗବେଷଣା ବୋଇଲେ ଗାଈଖୋଜା । ଆଲୋଚନା ଚକ୍ର, କବିତା ପାଠୋତ୍ସବ, ଭଞ୍ଜଜୟନ୍ତୀ, ଜଣା ଅଜଣା ସମସ୍ତଙ୍କର ଶ୍ରାଦ୍ଧଜୟନ୍ତୀ ଆଦି କରି ସମ୍ବାଦପତ୍ର ପୃଷ୍ଠାରେ ନିଜକୁ ପ୍ରଚାରିତ କରିବାରେ ମୂଳରୁ ତାଲିମ ପାଇଥିବା ସଦାନନ୍ଦ ଶିକ୍ଷକରୂପେ ନିଯୁକ୍ତି ପାଇଲେ ଯେଉଁ ଅଲଡ଼ିଗାଁରେ–ସେ ଅପନ୍ତରା ରାଜ୍ୟରେ କବିତା ପାଠୋତ୍ସବ କି ଆଲୋଚନାଚକ୍ର କି ଭଞ୍ଜଜୟନ୍ତୀ ସବୁ କି ପ୍ରକାର ବସ୍ତୁ କାହାରି ଦୃଷ୍ଟିପଥାରୂଢ଼ ହେବା ତ ଦୂରର କଥା, କର୍ଣ୍ଣକୁହରଗତ ମଧ୍ୟ ହୋଇନଥିଲେ । ଭୂମିହୀନ ଲୋକ ପଡ଼ିଆଭୂମି ପାଇଗଲାପରି ନନ୍ଦମାଷ୍ଟ୍ରେ ବିପୁଳ ଉତ୍ସାହରେ ଖୋଳତାଡ଼ କଲେ କଟକୀ ସାଂସ୍କୃତିକ ମଞ୍ଜିମାନ ଅଲଡ଼ିଗାଁରେ ଗଜୁରାଇବା ପାଇଁ । କିନ୍ତୁ କେମ୍ପୀକି ନାଚ ଶିଖାଇବା ମାଫିକେ ନନ୍ଦେ ବହେ ନାଚିଗଲେ, ଖୁବ୍‌ ଉଚ୍ଚରେ ବୋଲ୍‌ ଡାକିଗଲେ, ତେବେ କିଛି କାରଣ ହେଲା ନାହିଁ ।

 

ହଠାତ୍‌ ଦିନେ ନନ୍ଦେ ଆତ୍ମସମୀକ୍ଷାରୁ କଳି ନେଲେ ଯେ ଅଲଡ଼ିଗାଁକୁ ସଂସ୍କୃତ କରାଇବାକୁ ସେ ଯେଉଁମାତ୍ରାରେ ବିଫଳ ହେଉଛନ୍ତି ଅଲଡ଼ିଗାଁ ନିଜ ପରିବେଶ ଅନୁରୂପେ ତାଙ୍କୁ ପ୍ରାକୃତ କରାଇ ନେବାକୁ ସେହି ମାତ୍ରରେ ସଫଳ ହେବାରେ ଲାଗିଛି । ଏହା ପରେ ନନ୍ଦେ ଅଲଡ଼ିଗାଁର ରାକ୍ଷସୀ କବଳରୁ କିପରି ଉଦ୍ଧାର ପାଇବେ ଏହି ଚିନ୍ତାରେ ଘାରିହେଲେ । ତ୍ରାହିମାମ୍‌ ଲଡ଼ିଗ୍ରାମରୁ ଡାକ ଦେଇ ସେ ବିଭାଗୀୟ ପୁଣ୍ୟଶ୍ଳୋକ କର୍ତ୍ତୃପକ୍ଷଙ୍କୁ ସବିନୟ ପୁରଃସର ବିବେଦନଂ କଲେ । ‘ହେଉ ଦେଖିବା, ‘ବୁଝିବା’ କହି ହାକିମ କାଳକ୍ଷେପଣ ନୀତି ଧରିବା ପରେ ନନ୍ଦେ ଯେତେବେଳେ କାକୁସ୍ତତର ହୋଇ କରଯୋଡ଼ି ଜଣାଣ କରିବାକୁ ଆରମ୍ଭ କଲେ, ହାକିମ ସଫା ସଫା ଶୁଣାଇ ଦେଲେ ‘‘କି ହୋ, ତମେ ହେଲ ଅଭିଆଡ଼ା ନିଜଞ୍ଜାଳୀ ଲୋକ, ଯଦି ତମେ ସେଠି ଠାକି ପାରିବ ନାହିଁ ତ ପିଲାକବିଲା ଧରି ଆଉ କିଏ ସେ ଅବର୍ଯ୍ୟା ଜାଗାକୁ ଯିବ ? ଯାଅ, ବଦଳି ଫଦଳି କଥା ପାସୋରି ପକା ।’’ ତଦବଧି ନନ୍ଦ ମାଷ୍ଟ୍ରଙ୍କ ପାଇଁ ଦୁଇଟି ମାତ୍ର ପନ୍ଥା ଥିଲା । ଗୋଟିଏ ଚାକିରି ଛାଡ଼ି ଦେବା ଓ ଅନ୍ୟଟି ହଠାତ୍‌ ବିବାହ କରି ପକାଇ ତୁରନ୍ତ ଗୁଡ଼ାଏ ପିଲାକବିଲା କରିପକାଇବା । ଏହିପରି ପରିସ୍ଥିତିରେ, ହାକିମଙ୍କ ରୋକଠୋକ୍‌ ନାସ୍ତିବାଣୀ ଶୁଣିବାର ମାତ୍ର ସପ୍ତାହେ ଖଣ୍ଡେ ପରେ ସେ ଯଦି ତାଳପଡ଼ାକୁ ବଦଳି ଆଦେଶ ପାଇ ପାରିଲେ ତାହା ପରମ ସୌଭାଗ୍ୟ ନୁହେଁ ତ ଆଉ କ’ଣ ?

 

ପୁଣି, ଆପଣା ଭାଗ୍ୟକୁ ପ୍ରଶଂସିବାର ଅନ୍ୟତର କାରଣ ହେଲା ତାଳପଡ଼ା ଯାହାତାହା ଜାଗା ନୁହେଁ । ବର୍ଷ ପାଞ୍ଚଟା ଆଗେ ତାଳପଡ଼ାର ଚିହ୍ନବର୍ଣ୍ଣ ନ ଥିଲା । ଆଖପାଖର ବଡ଼ ଗାଁ ବୋଇଲେ ନଦୀ ସେପାରି ମହନପୁର । ମହନପୁରର ଧର ବଂଶ ପୁରୁଣା ଖାନ୍‌ଦାନ୍‌ ଘର । ସେହି ବଂଶର ଗଙ୍ଗାଧର ବାବୁ ମହନପୁର ପଞ୍ଚାୟତର ସରପଞ୍ଚ ହେବା ପରେ ତାହାର ମହକୁମାକୁ ତାଳପଡ଼ାକୁ ଉଠାଇ ଆଣିଲେ ଗମନାଗମନ ସୁବିଧା ପାଇଁ । ସେହିଦିନୁ ଗଙ୍ଗାଧର ବାବୁଙ୍କ ବଡ଼ତି ଯେଉଁ ତାଳରେ ହୋଇଚାଲିଛି, ତାଳପଡ଼ା ସେହି ତାଳରେ ବଢ଼ି ବଢ଼ି ଚାଲିଛି । ପରେ ଥାନାଟି ମଧ୍ୟ ମହନପୁରରୁ ତାଳପଡ଼ାକୁ ଉଠି ଆସିଲା । ଗଙ୍ଗାଧର ବାବୁ ଲାଗି ପଡ଼ି ତାଳପଡ଼ାକୁ ବ୍ଲକ୍‌ ମହକୁମା କରାଇ ଦେଲେ । ପଞ୍ଚାୟତ ସମିତି ଅଫିସ୍‍, ଡାକତାର ଅଫିସ୍‍, ବ୍ୟାଙ୍କ୍‌ଶାଖା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୀମା ଅଫିସ୍‍ ଆଦି ଖୋଲିଲା । ଚାହୁଁ ଚାହୁଁ ତାଳପଡ଼ାରେ ମାଳମାଳ କୋଠାବାଡ଼ିମାନ ତୋଳା ହେଲା । ଗଙ୍ଗାଧର ବାବୁ ନିଜ ଅର୍ଥରେ ଲୋକଙ୍କ ସୁବିଧା ଓ ନିଜର ବ୍ୟବସାୟ ପାଇଁ ଗୋଟିଏ ଭୋଜନାଳୟ ଓ ଜଳଖିଆ ହୋଟେଲ ବସାଇଲେ, ଓ ମନହରି ଦୋକାନ ଖୋଲିଲେ । ବାଳକଟା ସେଲୁନ୍‌, ପାନ ବିଡ଼ି ଦୋକାନ, ରେଡିମେଡ୍‍ ଜାମାପଟା ଦୋକାନ ଓ କପଡ଼ା ଦୋକାନ, ସାଇକେଲ୍‌ ମାର୍ଟ, ଯୋତା ଦୋକାନ ଆଦି ଖୋଲିଲା । ଗଙ୍ଗାଧର ବାବୁ ତାଳପଡ଼ାରେ ନୂଆ ହାଟଟିଏ ମଧ୍ୟ ବସାଇଲେ । ଲୋକେ ବୁଝିଲେ, ଗଙ୍ଗାଧର ବାବୁଙ୍କ ଅକଲ ମହତାବଙ୍କ କାର୍ଟର । ସେ ଓଡ଼ିଶା ପାଇଁ ନୂଆ ରାଜଧାନୀ ବସାଇବା ବାଗରେ ଗଙ୍ଗାଧର ବାବୁ ତାଳପଡ଼ାକୁ ଠିଆ କରାଇ ଦେଲେ । ଅସଲ କଥା ହେଲା, ମହତାବଙ୍କ ପରି ଗଙ୍ଗାଧର ବାବୁ ମଧ୍ୟ ସାହିତ୍ୟ ଓ ସଂସ୍କୃତିର ବଡ଼ ପୃଷ୍ଠପୋଷକ, ଯେଉଁଥିପାଇଁ ନନ୍ଦ ମାଷ୍ଟ୍ରେ ସେ ଜାଗାଟିର ଖବରଅନ୍ତର ସବୁବେଳେ ରଖୁଥାନ୍ତି । ଗଙ୍ଗାଧର ବାବୁଙ୍କର ଆବାହକତ୍ୱରେ ହେଉ, ପୃଷ୍ଠପୋଷକତ୍ୱରେ ହେଉ, ଆତିଥେୟତ୍ୱରେ ହେଉ କି ପୌରୋହିତ୍ୟରେ ହେଉ, ତାଳପଡ଼ାରେ ସାଂସ୍କୃତିକ ସଭା, ମିଳନ, ଉତ୍ସବ, ବୈଠକ, ଅଧିବେଶନ, ସମ୍ମେଳନ, ପାଠଚକ୍ର, ସନ୍ଧ୍ୟା, ଜୟନ୍ତୀ ମାନ ବରାବର ଅନୁଷ୍ଠିତ ହେଉଥାଏ । ତାଳପଡ଼ାର ସଭାସମିତିର ଖବର ସମାଜରେ ପଢ଼ିଲେ ହିଁ ମନସ୍ତାପରେ ନନ୍ଦେ ଘାଣ୍ଟି ହେଉଥିଲେ । ଯଦି ଅଲଡ଼ିଗାଁ ତାଳପଡ଼ା ହୋଇଥାନ୍ତା ତ, ନନ୍ଦେ କ’ଣ ନାଁ କମାନ୍ତେ ନାହିଁ ? କିନ୍ତୁ ତାଳପଡ଼ାରେ ଗଙ୍ଗାଧର ବାବୁ ଚାରୁ ଚନ୍ଦ୍ରୋଦୟ ମଶାଲ ହୋଇ ଚତୁର୍ଦ୍ଦିଗକୁ ଉଦ୍‌ଭାସିତ କରୁଛନ୍ତି ଅଥଚ ଅଲଡ଼ିଗାଁ ଯେଉଁ ତିମିରେକୁ ସେହି ତିମିରେ ପଡ଼ି ରହିଛି ।

 

ବଦଳି ଆଦେଶପତ୍ରଟିକୁ ଯେତେ ଥର ପଢ଼ିଲେ ନନ୍ଦଙ୍କ ମନରେ ସନ୍ଦେହ ତେତିକି ବଢ଼ିଲା । ପତ୍ରଟି ଜାଲ୍‌ ନୁହେଁ ତ ଆଉ ? ମନ ଥୟ ଧରିଲା ନାହିଁ । ସର୍କଲ ଅଫିସ୍‍କୁ ଯାଇ ସେ ବୁଝିଲେ ଯେ ଘଟଣା ବିଲ୍‌କୁଲ୍‌ ସତ । ଯେଉଁ ହାକିମ ଦିନ କେତୁଟା ଆଗେ ବଦଳି କଥା ପାସୋରି ଦେବାକୁ କହିଥିଲେ ସେ ପୁଣି ନରମି କରି କହିଲେ, ‘‘ହଇ ହୋ, ନନ୍ଦେ, ତମେ ମୋତେ କିଆଁ କହିଲ ନାହିଁ ଯେ ଗଙ୍ଗାଧର ବାବୁ ତମ ଲୋକ ? କହିଥିଲେ ମୁଁ କ’ଣ ବଦଳିଟା କରିନଥାନ୍ତି ? ଏଇ ସାମାନ୍ୟ ବିଷୟ ନେଇ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ କଥା କାହିଁକି ଯାଆନ୍ତା ? ଗଙ୍ଗାଧର ବାବୁଙ୍କ ସହ ତାଙ୍କର ବିଲ୍‌କୁଲ୍‌ ଚିହ୍ନା ପରିଚୟ ନାହିଁ କି କାହାରି ଜରିଆରେ ବି ବଦଳି ପାଇଁ ସୁପାରିସ୍‌ କରିବା ଲାଗି ନନ୍ଦେ କହି ନାହାନ୍ତି ବୋଲି ଯେତେ କହିଲେ ମଧ୍ୟ ହାକିମଙ୍କର ହୃଦବୋଧ ହେଲା ନାହିଁ ।

 

ନିଜେ ନନ୍ଦେ ବି ବଦଳିର ଅସଲ କାରଣ ଠଉଣାଇ ପାରିଲେ ନାହିଁ । ନାନା ସମ୍ଭାବନାର ଉଦୟ ମନରେ ହେଉଥାଏ । ହୋଇପାରେ, ଗଙ୍ଗାଧର ବାବୁ ତ ସଂସ୍କୃତିର ସମଝଦାର ଗ୍ରାହକ, ଉପଯୁକ୍ତ ସାଂସ୍କୃତିକ ଭାବାପନ୍ନ ଜଣେ ପ୍ରଧାନଶିକ୍ଷକ ପାଇଁ ଖୋଜା ଲୋଡ଼ା କରିଥିବେ । ନନ୍ଦଙ୍କ ସହପାଠୀ କାହାକୁ ଯଦି ପଚାରିଥିବେ ତ ନନ୍ଦଙ୍କ ନାମଟି ନିଶ୍ଚୟ ଉଠିଥିବ ଓ ଗଙ୍ଗାଧର ବାବୁ ମନ୍ତ୍ରୀଙ୍କଦ୍ୱାରା ବଦଳି କରାଇଥିବେ । ଅଥବା କିଏ ଜାଣେ, ବଦଳିର ରହସ୍ୟ ସରସତର ହୋଇପାରେ । ନନ୍ଦେ ତ ଅଭିଆଡ଼ା ଲୋକ, ଗଙ୍ଗାଧର ବାବୁଙ୍କର କିମ୍ୱା ତାଙ୍କର ଆତ୍ମୀୟ କାହାର ବୟସ ଗଡ଼ି ଯାଉଥିବା ଝିଅ ନ ଥିବେ ଓ ସେ ତେଣୁ ନନ୍ଦଙ୍କୁ ଧରିବାକୁ ଥୋପ ସ୍ୱରୂପ ବଦଳି କରାଉ ନ ଥିବେ ବୋଲି କିଏ କହିବ ? ନନ୍ଦେ ଭାବିଲେ, ଏତେକାଳ ଅଭିଆଡ଼ା ରହିବାର ଦୁଃଖ ଏହି ଏକା ବଦଳିରେ ଉଭେଇଯିବ । ଅଥବା ବଦଳିର କାରଣ ହୁଏତ ଗୂଢ଼ତର ହୋଇଥିବ ।

 

ନନ୍ଦେ ତିଥିବାର ନକ୍ଷତ୍ର ଗଣି ଅଲଡ଼ିଗାଁରୁ ଚିର ବିଦାୟ ନେଇ ତାଳପଡ଼ାରେ ପହଞ୍ଚିଗଲେ । ସେ ହେଉଛନ୍ତି ନୂଆ ହେଡ଼୍‌ମାଷ୍ଟର, ଏ କଥା ଜଣାଇଦେବା ମାତ୍ରେ ତାଙ୍କର ଆଉ କୌଣସି ଅସୁବିଧା ରହିଲା ନାହିଁ । ତାହାଙ୍କ ପାଇଁ ବସା ନିର୍ଦ୍ଦିଷ୍ଟ ରହିଥିଲା । ସ୍କୁଲ୍‍ର ଚପରାସି ଓ ଶିକ୍ଷକବର୍ଗ ଅବିଳମ୍ୱେ ପହଞ୍ଚି ନନ୍ଦଙ୍କୁ ନୂଆ ଘରେ ଥଇଥାନ କରିବାରେ ସାହାଯ୍ୟ କଲେ ।

 

ସନ୍ଧ୍ୟାବେଳେ କ୍ରମେ ଜଣେ ଜଣେ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ନନ୍ଦଙ୍କ ସହ ପରିଚୟ ହେବାକୁ ଆସିଲେ । ଯେତେବେଳେ ପିଲାଙ୍କ ହେଡ଼୍‌ମାଷ୍ଟ୍ର, ଦରମା କମ୍‌ ହେଉପଛେ, ପିଲାଏ ଯେତିକି ମାନ୍ୟ କରିବେ ତାହାଙ୍କ ପିତାମାନେ ତାହାର ଚଉଠା ମାନ୍ୟ କଲେ ବି କାହିଁରେ କ’ଣ । ଆଳାପ ଆଲୋଚନାକୁ ନନ୍ଦେ ତାଙ୍କର ବଦଳିର ହେତୁଟିକୁ ଠଉରାଇ ନେଲେ ।

 

ହେତୁଟି ହେଲା ଗଙ୍ଗାଧର ବାବୁଙ୍କ ଖିଆଲ । ସେ ତ ପ୍ରାଚୀନ ଓଡ଼ିଆ ସାହିତ୍ୟର ବଡ଼ ରସିକ, ତେଣୁ ଯମକ ଅଳଙ୍କାର ପ୍ରିୟ । ତାଙ୍କ ନିଜ ନାମ ଗଙ୍ଗାଧର ଧରରେ ଯେଉଁ ପରି ଯମକ ଅଛି ସେହିପରି ଯମକ ଥିବା ନାମଗୁଡ଼ିକୁ ତାଳପଡ଼ାରେ ଠୁଳ କରିବାକୁ ସେ ଚାହିଁଲେ । ରାଜନୀତିକ ପ୍ରଭାବ ବଳରେ ଚାକିରିଆଙ୍କୁ ବଦଳି କରି ଅଣାଇବା ତାଙ୍କ ପକ୍ଷେ ଅନାୟାସସାଧ୍ୟ । ସେଠାକୁ ବଦଳି ହୋଇ ଆସିଥିବା କର୍ମଚାରୀ ମାନେ ହେଲେ:–ମାଜିଷ୍ଟ୍ରେଟ ଗଣପତି ପତି, ଡାକ୍ତର ବାସୁଦେବ ଦେବ, ବ୍ୟାଙ୍କ୍‌ ମ୍ୟାନେଜର କାମପାଳ ପାଳ, ସଞ୍ଚୟ ଅଫିସର ଅଭିରାମ ରାମ, ବି.ଡ଼ି.ଓ ନରସିଂହ ସିଂହ, କମ୍ପାଉଣ୍ଡର ଦିବାକର କର, ଗ୍ରାମସେବିକା ବୀଣାପାଣି ପାଣି, ଥାନାବାବୁ କୃଷ୍ଣଚନ୍ଦ୍ର ଚନ୍ଦ୍ର, ଏ.ଏସ.ଆଇ ଲୋକନାଥ ନାଥ, ପୋଷ୍ଟମାଷ୍ଟର କାଳିଦାସ ଦାସ, ନାଜର ବାବୁ ରଣଧୀର ଧୀର, ହେଡ଼୍‌କ୍ଲାର୍କ ବାବୁ ଦଶରଥ ରଥ ।

 

ପୂର୍ବରୁ ହେଡ଼୍‌ମାଷ୍ଟର ଥିଲେ ବିନାୟକ ନାୟକ; ସେ ବି ଖୋଜାଲୋଡ଼ା ହୋଇ ଅଣା ହୋଇଥିଲେ । କିନ୍ତୁ ଅନ୍ୟାନ୍ୟ ସାଂଜ୍ଞାଗୁଡ଼ିକ ଦୁଇ ଅକ୍ଷରିଆ ହେଲାବେଳକୁ ନାୟକ ସାଜ୍ଞାଟି ତିନି ଅକ୍ଷରିଆ ହୋଇଥିବାରୁ ଗଙ୍ଗାଧର ବାବୁ ବହୁ ଅନୁସନ୍ଧାନ ପରେ ସଦାନନ୍ଦ ନନ୍ଦଙ୍କୁ ଆବିଷ୍କାର କରିବା ମାତ୍ରେ ବିନାୟକ ନାୟକଙ୍କୁ ବିଦା କରିଦେଲେ ।

ନିଜର ସାଂସ୍କୃତିକ ସାମର୍ଥ୍ୟ ପାଇଁ ସେ ବଛା ହୋଇଛନ୍ତି ବୋଲି ଯେଉଁ ଆତ୍ମପ୍ରସାଦକର ଅନୁମାନ, ଆପଣା ଶୁଭ ପରିଣୟର ନବୋଦ୍ୟମ ନେଇ ଯେଉଁ ମଧୁମୟ ସନ୍ଦେହ ସେ ସବୁ ସହସା ଦୂର ହୋଇଯିବାରୁ ଅଲଡ଼ିଗାଁରୁ କଳ୍ପନାର ତାଳପଡ଼ା ଯେତେ ଆକର୍ଷଣୀୟ ଥିଲା ତାଳପଡ଼ାର ବାସ୍ତବତା ତେତିକି ଅସହ୍ୟ ବୋଧ ହେଲା । କିନ୍ତୁ କିଂ କର୍ତ୍ତବ୍ୟଂ ?

ବିଦ୍ୟା ପ୍ରମାଣଂ ମୁଖ ଭାଷଣଂ ଚ । ପାଞ୍ଚସାତ ସହ ଆଳାପ ପରେ କଥାଟି ପ୍ରକଟ ହୋଇଗଲା ଯେ ନୂଆ ହେଡ଼୍‍ମାଷ୍ଟ୍ରେ ଜଣେ ସୁବକ୍ତା ଓ ପ୍ରାଚୀନ ସାହିତ୍ୟ ରସିକ । ଗଙ୍ଗାଧର ବାବୁଙ୍କ ମନ ଖୁସି । ଯାହାହେଉ ତାଙ୍କ ସାଂସ୍କୃତିକ ପରିକଳ୍ପନା ଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ଜଣେ ଉପଯୁକ୍ତ ଲୋକ ମିଳିଗଲେ ।

ଏହାର ଅଳ୍ପ କେତୋଟା ଦିନ ପରେ ତାଳପଡ଼ା କ୍ଲବ୍‌ଘର ସାଂସ୍କୃତିକ ସମିତିର ବୈଠକ ବସିଲା । ସମିତିର ପ୍ରଧାନ କାର୍ଯ୍ୟ ହେଲା ବଡ଼ ବଡ଼ କବି ଓ ମହାପୁରୁଷମାନଙ୍କର ଜୟନ୍ତୀ ଉତ୍ସବ ପାଳନ କରିବା । ସେହି ବୈଠକରେ ସ୍ଥିର ହେଲା, ମହାପୁରୁଷ ଭକ୍ତକବି ଜଗନ୍ନାଥ ଦାସଙ୍କର ଆଗାମୀ ଜୟନ୍ତୀ ମହାସମାରୋହରେ ପାଳିତ ହେବ । ସମସ୍ତେ ପ୍ରସ୍ତାବ କଲେ ଯେ ନୂଆ ହେଡ଼୍‍ମାଷ୍ଟ୍ରେ ଏହି ଜୟନ୍ତୀର ଆୟୋଜକ ହୁଅନ୍ତୁ । ନନ୍ଦେ ଏଥିକୁ ପହିଲେ ରାଜି ହେଉନଥିଲେ । କିନ୍ତୁ ଖୋଦ୍‌ ଗଙ୍ଗାଧର ବାବୁ ଯେତେବେଳେ ଅନୁରୋଧ କଲେ ସେ ଏକ ସର୍ତ୍ତରେ ରାଜି ହେଲେ । ସର୍ତ୍ତଟି ହେଲା ଜୟନ୍ତୀ ସ୍ମରଣୀୟ ଭାବରେ ପାଳିତ ହେବ, ଅର୍ଥାତ୍‍ ଜଗନ୍ନାଥ ଦାସଙ୍କ ମହାନ୍‌ ସୂକ୍ତିମାନ ସଂଗ୍ରହ କରି ସେଗୁଡ଼ିକୁ ଲୁହା ଚଦରରେ ରଙ୍ଗରେ ଲେଖାଇ ଜୟନ୍ତୀ ଉପଲକ୍ଷେ ତାଳପଡ଼ାର ବିଭିନ୍ନ ସ୍ଥାନରେ ଲୁହାଖୁଣ୍ଟି ଉପରେ ପ୍ରଦର୍ଶନ କରାଯିବ । ନନ୍ଦଙ୍କ ଏହି ପ୍ରସ୍ତାବ ଗଙ୍ଗାଧର ବାବୁଙ୍କ ମନକୁ ଖୁବ୍‌ ପାଇଲା । ସେ ସ୍ୱତଃପ୍ରବୃତ୍ତ ହୋଇ ଏହି ବାବଦ ସବୁ ଖର୍ଚ୍ଚ ନିଜେ ବହନ କରିବେ ବୋଲି କହିଲେ । ଚଟାପଟ୍‌ ତାଲିକା ହୋଇଗଲା କେଉଁଠି କେଉଁଠି ସୂକ୍ତି ଲେଖା ପଟାଖୁଣ୍ଟି ପୋତା ହେବ । ନନ୍ଦଙ୍କ ମୁହେଁ ମୁହେଁ ତ ଭାଗବତର ପଦ; ଜଗନ୍ନାଥ ଦାସଙ୍କ ସୂକ୍ତିଗୁଡ଼ିକର ଏକ ତାଲିକା ମଧ୍ୟ ହୋଇଗଲା । ଏପରି ଅଭିନବ ଭାବରେ ଜଗନ୍ନାଥ ଦାସଙ୍କ ଜୟନ୍ତୀ ତାଳପଡ଼ାରେ ରାଧାଷ୍ଟମୀଦିନ ହେବ ବୋଲି ମଧ୍ୟ ଖବରକାଗଜରେ ବାହାରି ଗଲା । ଏ ବିଷୟରେ ତାଳପଡ଼ାରେ ସମସ୍ତଙ୍କର ପ୍ରବଳ ଉତ୍ସାହ; ଅନ୍ତତଃ ଗୋଟିଏ ବିଷୟରେ ତ ତାଳପଡ଼ା ଦେଖା ଶିଖା ଓଡ଼ିଶାକୁ ଜୟନ୍ତୀ ପାଳନର ନୂତନ ମାର୍ଗ ଦେଖାଇ ପାରିଲା । ଯଥା ସମୟରେ ସୂକ୍ତିଲେଖା ପଟାଖୁଣ୍ଟି ସବୁ ଆସିଗଲା । ଜୟନ୍ତୀ ଦିନ ବଡ଼ିଭୋର୍‌ରୁ ନନ୍ଦେ ସ୍କୁଲ୍‍ ପିଲାଙ୍କୁ ଲଗାଇ ଖୁଣ୍ଟିଗୁଡ଼ିକୁ ବିଭିନ୍ନ ସ୍ଥାନରେ ପୋତାଇ ଦେଲେ । ରାତି ପାହିଲା ବେଳକୁ ତାଳପଡ଼ା ଦେଖିଲା ତା’ ବକ୍ଷରେ ଜଗନ୍ନାଥଙ୍କ ଅମରବାଣୀମାନ ପରିଷ୍କାର ଲିପିରେ ଉତ୍କୀର୍ଣ୍ଣ ହୋଇଛି ।

ଯଥା :–

କୋର୍ଟ ସାମ୍ନାରେ: ‘‘ଧନ କାର୍ପଣ୍ୟ ସେବା ବଳେ । କିବା ଅସାଧ୍ୟ ମହୀତଳେ ।।’’

ଥାନା ପାଖରେ: ‘‘ଅଳପ ଲୋକେ ଅଧିକାର । କିପାଇଁ ଦେଲୁ ଦାମୋଦର ।।’’

ବ୍ୟାଙ୍କ ସାମ୍ନାରେ: ‘‘ଦୁଃଖେ ସଞ୍ଚିତ ଯେତେ ଧନ । ସେ ନୁହେଁ ସୁଖେ ପ୍ରୟୋଜନ ।।’’

ବ୍ଲକ୍‌ ଅଫିସ୍‌ ଆଗରେ: ‘‘ମନ କଳ୍ପଇ ଯେତେ ଫଳେ । ଦଇବ ହରେ ତାହା ବଳେ ।।’’

ସ୍କୁଲ୍‍ ପାଖରେ: ‘‘ଯାହାର ଯେମନ୍ତ ସ୍ୱଭାବ । ଗୁରୁ କହିଲେ କିସ ହେବ ।।’’

ସଞ୍ଚୟ ଅଫିସ୍‌ ଆଗରେ: ‘‘ରଙ୍କ ସଞ୍ଚଇ ବୀର ଖାଇ । ତା’ ଧନ ପାଣି ପରି ଯାଇ ।।’’

ପରିବାରକଲ୍ୟାଣ କେନ୍ଦ୍ରରେ । ‘‘ମୂଳୁ ମାଇଲେ ଯିବସରି । ଦେବଙ୍କ ସଙ୍ଗେ କିପାଁ କଳି ।।’’

ଓକଲଙ୍କ ଦୁଆରେ: ‘‘ଆତ୍ମା କୁଶଳେ ସର୍ବସିଦ୍ଧି । ତେବେ ଜାଣିବ ମହାବୁଦ୍ଧି ।।’’

ଡାକ୍ତରଙ୍କ ଦୁଆରେ: ‘‘ମରଣ କାଳେ ନିଦ୍ରାଗଲେ । ଯମ କି ଛାଡ଼ିଯିବ ଭଲେ ।।’’

କ୍ଲବ୍‍ ଘର ଆଗରେ: ‘‘ଯହିଁ ଅନେକ ସଙ୍ଗ ମିଳି । ଅବଶ୍ୟ ଉପୁଜଇ କଳି ।।’’

ହୋଟେଲ ଆଗରେ: ‘‘ଆହାରେ ଭଲମନ୍ଦ ନାହିଁ । ଯେ ସ୍ଥାନେ ଯେମନ୍ତ ମିଳଇ ।।’’

ଗଙ୍ଗାଧର ବାବୁଙ୍କ ଘର ଆଗରେ: ‘‘ଜୀବର ଭଲମନ୍ଦବାଣୀ । ମରଣକାଳେ ତାହା ଜାଣି ।।’’

ଜଗନ୍ନାଥ ଦାସଙ୍କ ସୂକ୍ତିଗୁଡ଼ିକ ସାଂସ୍କୃତିକ ଉଦ୍ଦୀପନାକୁ ହଠାତ୍‌ ନିର୍ବାପିତ କରିଦେଲା । କେହି ପ୍ରତିବାଦ କରିପାରିଲେ ନାହିଁ କାରଣ ଜଗନ୍ନାଥ ଦାସଙ୍କ ଅମର ବାଣୀର ପ୍ରତିବାଦ କି ସମ୍ଭବ-? ସେ ବର୍ଷ ଜୟନ୍ତୀ ସଭା ‘ବହ୍ୱାରମ୍ଭେ ଲଘୁକ୍ରିୟା’ ହେଲା । ତଦବଧି ତାଳପଡ଼ାର ପ୍ରତିଭାପୂଜକମାନଙ୍କର ଆଉ କୌଣସି ଜୟନ୍ତୀ ବିଷୟରେ ଉତ୍ସାହ ରହିଲା ନାହିଁ । ଗଙ୍ଗାଧର ବାବୁ ବାଟରେ ଗଲାବେଳେ ସୂକ୍ତିଗୁଡ଼ିକୁ ରୋଷଯୁକ୍ତ କଟାକ୍ଷ ଦେଇ ଯାଆନ୍ତି । ତାଙ୍କର ହୃଦବୋଧ ହୋଇଗଲା ଯେ ପ୍ରାଚୀନ ସାହିତ୍ୟ ପ୍ରେମ ଆଧୁନିକ ଜୀବନ ପାଇଁ ଏକ ବିପଜ୍ଜନକ ବ୍ୟାପାର । ଗଙ୍ଗାଧର ବାବୁ ଆଉ ସାହିତ୍ୟ ସଭାସମିତିର ନାଁ ଧରିଲେ ନାହିଁ । ତଥାପି ଜଗନ୍ନାଥ ଦାସଙ୍କ ସୂକ୍ତିସମ୍ୱଳିତ ଖୁଣ୍ଟିମାନ ରହିଥିଲା ତାଳପଡ଼ାର ସର୍ବଶେଷ ଜୟନ୍ତୀର ସ୍ମାରକୀ ସ୍ୱରୂପ । ସଦାନନ୍ଦ ନନ୍ଦେ ଜାଣିଥିଲେ ଲୋକେ ବିଜୟରେ ଆନନ୍ଦିତ ଓ ପରାଜୟରେ ଦୁଃଖିତ ହୁଅନ୍ତି କିନ୍ତୁ ଅନୁଭବ କଲେ ତାଙ୍କର ଚରମ ବିଜୟ ନିଜର ସମସ୍ତ ଆଶାଆକାଙ୍‌କ୍ଷାକୁ ଧୂଳିସାତ୍‌ କରିଦେଲା ।

Image

 

ପାଟଦେଉଙ୍କ ଦି’ପଣ

 

ଏହା ମଧ୍ୟରେ ପାଟଦେଉ ରାଜା ହୋଇ ପ୍ରିଭିପର୍ସର ଅଧିକାରୀ ହେବା ପରେ ଏବେ ତାକୁ ପୁଣି ହରାଇ ବସିଲେଣି । ଘଟନାଟି ତାଙ୍କ ଯୌବନ କାଳର, ଯେତେବେଳେ ତାଙ୍କ ଦଦେଇ ମାହାର୍ଜା ଥିଲେ, ରାଜ୍ୟ ଥିଲା, ରାଜୁଡ଼ା ଥିଲା ।

 

ପାଟଦେଉର ଅର୍ଥ ଯୁବରାଜ, ଭାବୀରାଜା । ରାଜ୍ୟରେ ପାଟଦେଉଙ୍କ ଢେର ଖାତିର । ହେଲେ, ପାଟଦେଉ–ବୁଦ୍ଧିରେ ତାଙ୍କ ପରି ସେ । ପହିଲୁ ସେ ସାଆନ୍ତ ଭଲଲୋକଙ୍କ ପିଲାଙ୍କ ତୁଲେ ଏକା ଚାହାଳିରେ ପଢ଼ୁଥିଲେ କିନ୍ତୁ ପରେ ପାଟଦେଉଙ୍କୁ ଅନ୍ୟ ପିଲାମାନେ ପାଠରେ ଟପିଯିବାକୁ ବାହାରିଲାରୁ ଅବଧାନେ ଉଆସ ଭିତରେ ଏକା ତାଙ୍କୁ ପଢ଼ାଇବେ ବେଲି ଦଦେଇ ମାହାର୍ଜାଙ୍କ ଛାମୁରୁ ଆଜ୍ଞା ହେଲା । ଏକୁଟିଆ ପଢ଼ି ବସିଲେ ମଧ୍ୟ ବୟସ ବଢ଼ିଯିବାରୁ ସାନପିଲାଙ୍କ ପରି ଯୁକ୍ତାକ୍ଷର କି ପଣକିଆ ଘୋଷିବାକୁ ପାଟଦେଉ ଲାଜ କଲେ । ମାହାର୍ଜା ମଧ୍ୟ ଭାବିଲେ, କଥାଟା ଆଉ ପସନ୍ଦ ହେଉନାହିଁ । କାଲି ଅପରଦିନ ଯେ ମୁଲକ ଗୋଟାକରେ କର୍ତ୍ତା ହେବେ ତାଙ୍କୁ ଗୋଟେ ଅବଧାନ ‘ମଣିମା, ମ-ସ ଟିଏ ଲେଖି ତଳେ ଛ’ର ଛନ୍ଦ କାଟି ଅସ୍ଥ ଲେଖିଁ କରନ୍ତୁ’ ବୋଲି କହିବା ଭଲ ହେଉନାହିଁ । ତହୁଁ ପାଟଦେଉଙ୍କ ପଢ଼ା ସରିଲା । ପଢ଼ା ପରେ ତ କାମଦାମ କରିବା କଥା । ତେଣୁ ପାଟଦେଉ ରାଜକାର୍ଯ୍ୟରେ ମନ ବଳାଇଲେ । ଏହା ପରେ ପାଟଦେଉଙ୍କ ବୁଦ୍ଧିର ପ୍ରଶଂସା ଶୁଣିବାକୁ ମିଳିଲା । ପାଟଦେଉ ଯେତେବେଳେ ରାଜକାର୍ଯ୍ୟରେ ଲାଗିଲେ ଗୁଡ଼କୁ ପିମ୍ପୁଡ଼ି ବେଢ଼ିଲା ପରି ଢେର ଢେର ଜାଣିବା ଶୁଣିବା ଲୋକେ ତାଙ୍କ ଚତୁର୍ଦ୍ଦିଗରେ ବେଢ଼ି ତାଙ୍କ ସିଆଣିଆ ପଣର ତାରିଫ୍‌ କରିବାରେ ଲାଗିଲେ ।

 

ଦିନକର କଥା । ରାଜାଙ୍କ ମଧୁବନ ତୋଟାରୁ ସେଦିନ ଆମ୍ବ ତୋଳାଯିବ । ଏହି କାର୍ଯ୍ୟ ସ୍ୱୟଂ ତଦାରଖ କରିବାପାଇଁ ପାଟଦେଉ ଜାମାଯୋଡ଼ ହୋଇ ବାହାରିପଡ଼ିଲେ । ତୋଟାରେ ଆମ୍ୱ ପରା ହେବାକୁ ଲାଗିଲା । ଲୋକେ ତ ପାଟଦେଉଙ୍କୁ ଜାଣନ୍ତି । ଏହି ମୌକାରେ ତାଙ୍କ ପ୍ରଶଂସା ଯଥାର୍ଥରେ ଫଳପ୍ରଦ ହେବ ଜାଣି ଅନେକ ଲୋକ ତାଙ୍କ ରୂପଗୁଣ ଚାଲିଚଳଣ ସବୁକୁ ଟେକି ଲାଗିଲେ ।

 

ଆମ୍ୱପରା ସରିଲାରୁ ଆମ୍ୱକୁ କୁଢ଼ କରିବା କାର୍ଯ୍ୟ ଚାଲିଲା ଏବଂ ଏଣେ କୀର୍ତ୍ତନ ପରେ ପ୍ରାର୍ଥନା ଶୁଭିଲା ।

 

ପୁରୋହିତ କହିଲେ, ‘‘ଛାମୁରୁ କିଛି ଆମ୍ୱ ଦେଇଁ କରନ୍ତୁ, ଚାଖିବା ।’’

 

ପାଟଦେଉ ଅକୁଣ୍ଠଭାବେ ତୋଟା ଜଗୁଆଳକୁ ଫରମାସିଲେ ‘‘ବେ ମାଧ, ପୁରେଇତକୁ ଦି’ପଣ ଆମ୍ୱ ଦବୁ ।’’

 

ସେଠୁ ଶ୍ରୀକରଣେ ଜଣାଇଲେ, ‘‘ହଜରୁଙ୍କୁ କହିବି କହିବି ହେଉଥିଲି, ପିଲାମାନେ ଏ ସାଲ ଆମ୍ୱ ଖଟା କି ମିଠା ଜାଣିପାରିଲେ ନାହିଁ । ହଜୁରୁଙ୍କୁ ବୋଉ କଥା ଅଜଣା ଯେ ।’’

 

ପାଟଦେଉ ପୁଣି କହିଲେ, ‘‘ଶ୍ରୀକରଣକୁ ହେଲେ ଦି’ପଣ ଦବୁ, ବେ ମାଧ ।’’

 

ଯେତେବେଳେ ଜଣାଗଲା ଯେ ପାଟଦେଉ ମାଗିଲା ମାତ୍ରେ ଦି’ ଦି’ପଣ ଲେଖା ଆମ୍ୱ ଦେଉଛନ୍ତି, ମାଗିବା ଲୋକେ କୁଢ଼େଇ ହୋଇପଡ଼ିଲେ । ପୂଜାରୀରତ୍ନ, ମହାସୁଆର, କଥାସାଗର, ସୁମନ୍ତ, ବୈଦ୍ୟଭୂଷଣ, ବାଣୀକଣ୍ଠ ଭଳି ଭଲଲୋକମାନେ ଦି’ ଦି’ପଣ ଲେଖା ଆମ୍ୱ ପାଇବାକୁ ପାଟଦେଉ ଆଜ୍ଞା କଲେ । ସେବକ ଶ୍ରେଣୀର ଅନୁସରଣିଆ ଲୋକେ ମଧ୍ୟ ବେଳ ଉଣ୍ଡି ମାଗିଲେ ଓ ପଣେ ପଣେ ମିଳିବା ପ୍ରତିଶ୍ରୁତି ପାଇଲେ । ତୋଟାରେ ପାଟଦେଉଙ୍କ ବଦାନ୍ୟତା ସମ୍ୱାଦ ପାଇ ଅବଧାନେ ମଧ୍ୟ ଯୁଟିଗଲେ । ପାଟଦେଉଙ୍କର ତ ଅବଧାନଙ୍କ ପ୍ରତି ମହାଭକ୍ତି । ସେ ତେଣୁ ଗୁରୁ ସାକ୍ଷାତ୍‌ ପରଂବ୍ରହ୍ମଙ୍କୁ ଦି’ପଣ ଦିଇଟା ଆମ୍ୱ ଦେବାକୁ ମାଧକୁ କହିଲେ ।

 

ମାଧ ଦେଖିଲା ଯେ ପାଟଦେଉଙ୍କ ଫରମାସି ମୁତାବକ ଦିଆଗଲେ ତୋଟା ଗୋଟାକର ଆମ୍ୱ ନିଅଣ୍ଟ ପଡ଼ିବ । ପାଟଦେଉଙ୍କ ଦାନ ପରିମାଣ ବେଶି ହୋଇଗଲା ବୋଲି କହିବାକୁ ତ ତା’ ଜିଭରେ ହାଡ଼ ନାହିଁ, ସେ ଗଲା ଦିଆନଙ୍କଠିକି । ଦିଆନ ଦାନର ତାଲିକା ଶୁଣିବା ପରେ କହିଲେ ‘‘ହଉ, ଚାଲ ତୋଟାକୁ, ଦେଖିବା ।’’

 

ଦିଆନେ ତୋଟାକୁ ଯାଇ ପାଇବା ଲୋକଙ୍କୁ କହିଲେ, ‘‘ଯେଉଁମାନେ ପାଇବା କଥା ସେମାନେ ଜାଗା ଦେଖାନ୍ତୁ । ପାଟଦେଉ ଶ୍ରୀହସ୍ତରେ ଗଣି ଦେଇଁ କରିବେ ।’’

 

ଆମ୍ୱକୁଢ଼ ପାଖେ ବସି ପାଟଦେଉ ସ୍ୱହସ୍ତରେ ଗଣି କରି ଦେଲେ । ପୁରୋହିତଙ୍କ ଟୋକେଇରେ ଦି’ହାତରେ ଦି’ପୁଞ୍ଜା ଆମ୍ୱ ପକେଇ ସାରି ଶ୍ରୀକରଣଙ୍କୁ କହିଲେ, ‘‘କାଇଁ ? ତମ ଜାଗା କାଇଁ ?’’

 

ପୁରୋହିତ ବଲବଲ ଚାହିଁ ରହିଥାନ୍ତି । ଆମ୍ୱ ଦି’ପୁଞ୍ଜା ପକେଇ ପାଟଦେଉ ତାଙ୍କୁ ଅନାଉଁ ବି ନାହାନ୍ତି । ଅନ୍ୟାନ୍ୟ ଲୋକେ ମଧ୍ୟ ଶଙ୍କିଗଲେଣି ।

 

ଶ୍ରୀକରଣେ କହିଲେ, ‘‘ଶ୍ରୀଛାମୁ ଆଗେ ପୁରୋହିତଙ୍କ ଗଣିବା ହୁଅନ୍ତୁ ।’’

 

ପାଟଦେଉ କହିଲେ ‘‘ହେଇ ଦେଲୁ ପରା, ପଣେ ଦି’ପଣ ।’’ ଏହା କହୁ କହୁ ଟୋକେଇର ଦି’ଗଣ୍ଡା ଆମ୍ୱକୁ ପୁଣି ଥରେ ଦି’ଭାଗ କରି ଦେଖଇ ଦେଲେ ।

 

ସେଠୁ ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ପାଟଦେଉଙ୍କ ପଣକ ଗଣ୍ଡେ । ଯେ ଯାହାର ଆମ୍ୱ ଧରିଲେ । ଏକା ଅବଧାନେ ସେଠି ନ ଥିଲେ । ସେ ଯହୁଁ ଶୁଣିଲେ ଯେ ତାଙ୍କୁ ଦି’ପଣ ଦି’ଇଟା ଆଜ୍ଞା ହେଲା, ସେ ଧରିନେଲେ ଯେ ପଣକ କୋଡ଼ିଏ ଗଣ୍ଡା ହେଲାପରି ଲାଗୁନାହିଁ । ସେ ଲାଜରେ ସେଠୁ ଖସିଗଲେ ।

Image

 

ମାହାର୍ଜାଙ୍କ ପ୍ରଭାତ ଫେରି

 

ମାହାର୍ଜା ଏଣିକି ପ୍ରଭାତ ଫେରିବେ

ନୂଆ ଡାକତର ଦେଲା କହି

‘‘ନୋହିଲେ ଛାମୁଙ୍କ ମେଦ ବୃଦ୍ଧି ରୋଗ

ଊଣାହେବା ଆଶା ଦିଶୁ ନାହିଁ ।’’

କହିଛି ଡାକ୍ତର ଶ୍ରୀଅଙ୍ଗକୁ ପଥ

ଚାଲିବା ଅଭ୍ୟାସ ହିତକାରୀ,

କାଲି ପାହାନ୍ତାରୁ ପ୍ରଭାତ ଫେରିରେ

ରଜା ବିଜେ ହେବେ ହେଲା ହୁରି ।

ମେହନ୍ତରଗଣ ଗଣିଲେ ବିପଦ

ବାଟ ଓଳା ହେବ ରୋଜ ରୋଜ

ସିନ୍ଦୂରା ନ ଫାଟୁଁ ପାଇଟି ସରିବ

ପ୍ରଭାତ ଫେରିବେ ମହାରାଜ ।

ଭୁଆସୁଣୀ ଯେତେ ମୁଣ୍ଡ ଦେଲେ ହାତେ

ରଜା ବିଜେ ନିତି ବଡ଼ିଭୋର

ଅନ୍ଧାରୁ ଅନ୍ଧାରୁ ପୋଖରୀ ପାଣିରୁ

ଫେରିବାର କେଡ଼େ ହରବର ।

ପିଲାଏ ସକଳ ଉଠିଲେ ସଅଳ

ଦେଖିବାର ଲାଗି ରଜାବିଜେ

ପାଲିଙ୍କି ବିନାରେ ହାନ୍ଦୋଳା ବିନାରେ

ରାଜା ଚାଲୁଥିବେ ନିଜେ ନିଜେ ।

ରଜା ପାଦଗତି ବିଜେ କରି ହେବେ

ଗଡ଼ବାସୀ ବଡ଼ ଉଦ୍‌ଗ୍ରୀବ

ନୂଆ ଡାକତର କି କଥା ନ କଲା

ଶ୍ରୀଅଙ୍ଗକୁ କେଡ଼େ ବ୍ୟଥା ହେବ !

ବୀର କାହାଳିଆ ଆଗେ ରହି ଠିଆ

କାହାଳି ଫୁଙ୍କିଲା ନାଦ ଧରି

ଡାକିଲା ଖୁଣ୍ଟିଆ ‘‘ହୁଅ ସାବଧାନ

ମଣିମା ହୋଇଲେ ବିଜେ କରି ।’’

ବୁଢ଼ା ପୁରୋହିତେ ମଙ୍ଗଳ ଅଷ୍ଟକ

ବୋଲି ଚାଲିଥାନ୍ତି ଠିକେ ଠିକେ

ପଛେ ପଛେ ଚାରି ହାତ ଖଣ୍ଡେ ଛାଡ଼ି

ଚାଲିଥାନ୍ତି ଥୋକେ ଭଲଲୋକେ ।

ପାନ ଯୋଗାଣିଆ ପକଦାନୀ ଧରା

ଦୁଇ ବାହି ଦୁଇ ଶୋଭା ଅତି

ତାଙ୍କ କନ୍ଧେ କର ପଇଠ ଦେଇଣ

ଘାଲି ହୋଇ ରାଜା ଚାଲିଥାନ୍ତି ।

ପଛେ ଛତି ଟେକି ସେବକ ଚାଲିଛି

ତରାସଧରାଏ ଦୁଇ କରେ

ପହଣ୍ଡ ମଣାଇ ଦିଆନେ ଚାଲନ୍ତି

ଫେରି ଫେରି ଚାହିଁ ଥରେ ଥରେ ।

ଝରୀ ଧରି କେହି ସେବକ ଆସଇ

ଚାଦର-ଧରା ବି ସେ ଗହଣେ

ଚଉକିଟେ ବୋହି ସେବାକାରୀ କେହି

ପିଢ଼ାଟେ ମୁଣ୍ଡାଇ ଆଉ ଜଣେ ।

ଲୋଦର ପରା ସେ ପୃଥୁଳ ଅଙ୍ଗର

ଭାରା ବୋହି ଦୁଇ ଗୋଡ଼ ଫୁଲେ

ମହାରାଜାଙ୍କର ଧଇଁ ପେଲୁଅଛି

ଦି’ ଚାରି ପହଣ୍ଡ ଚାଲିଗଲେ ।

ଚଉକିରେ କ୍ଷଣେ ହାଲିଆ ମାରନ୍ତି

ଆଲଟ ପଡ଼ଇ ଅଧିକରେ

ପାଦତଳେ ପିଢ଼ା ଥୋଇ ପିଢ଼ାଧରା

ପାଦ ସାଉଁଳଇ ଧୀରେ ଧୀରେ ।

ଅଙ୍ଗିଲା ସେବକ ଶ୍ରୀଅଙ୍ଗୁ ବିବାକ

ଝାଳ ପୋଛିବାରେ ଲାଗିଥାଏ ।

ଶ୍ରୀମୁଖରେ ପାଣି ଛିଟା ମାରି ଜଣେ

ଚାଦରରେ ପୁଣି ପୋଛିନିଏ ।

ପୁଣି ରଜା ଉଠି ପ୍ରଭାତ ଫେରନ୍ତି

ସର୍ବେ ଘୋଷୁଥାନ୍ତି, ‘ସୁକୁମାର

ଏଡ଼େ ଶ୍ରୀଅଙ୍ଗକୁ ଆହା କେତେ ସରି

ଦୁଃଖ ନୋହୁଥିବ ଚାଲିବାର ।’’

ଆହା ଆହା ବୋଲି ବୋଲନ୍ତି ସକଳେ

‘‘ଡାକତର କେଡ଼େ ଅବିବେକ,

ପ୍ରଭାତ ଫେରିବେ ମହାରାଜା ବୋଲି

କି ସାହସେ କହିଦେଲା, ଦେଖ ।’’

ଯତେ ଗଡ଼ବାସୀ ଲଭି ଖେଦରାଶି

ପଥ ଧାରେ ଧାରେ ସୁନିଶ୍ଚଳ

ଦୁଆର କବାଟି ଫାଙ୍କ ପଛେ ଶତ

ନାରୀ ନେତ୍ର ନୀରେ ଟଳମଳ ।

ମାହାର୍ଜା ଏପରି ଦିନା ଦୁଇଚାରି

ପ୍ରଭାତ ଫେରିରେ ଯେବେ ଗଲେ

ଶ୍ରୀଅଙ୍ଗକୁ ପୀଡ଼ା ଅତିରେକ ହେଲା

ଶେଯୁଁ ଉଠିବାକୁ ନ ପାରିଲେ ।

ନୂଆ ଡାକତର ତେବେ ଡକା ହୋଇ

ଛାମୁଙ୍କ ଛାମୁରେ ଛିଡ଼ା ହେଲା

ମାହାର୍ଜା ତ ମହା କ୍ରୋଧରେ ଜର୍ଜର

ବୋଇଲେ ‘‘ଶଳା, ତୁ ପଳା ପଳା ।’’

Image

 

ବାଲୁଙ୍କି ଦାଶଙ୍କ ପ୍ରବଚନ ଗବେଷଣା

 

ଯେଉଁମାନେ ପଣ୍ଡିତ ବାଲୁଙ୍କିଶରଣ ଦାଶଶର୍ମୀଙ୍କୁ ଜାଣନ୍ତି ନାହିଁ ସେମାନଙ୍କ ପାଇଁ ଏଠାରେ ତାହାଙ୍କର ସାମାନ୍ୟ ପରିଚୟ ଦିଆଯାଉଛି । ତାଙ୍କୁ ଜାଣିବା ଲୋକେ ମଧ୍ୟ କ୍ୱଚିତ୍‌ ତାଙ୍କର ପ୍ରକୃତ ନାମଟିକୁ ଜାଣନ୍ତି । ତେବେ ସେ ‘ବାଙ୍ଗରା ପଣ୍ଡିତ’ ଉପାଧିରେ ସର୍ବଜନବିଦିତ । ଏହି ବାଙ୍ଗରା ପଣ୍ଡିତ ଆଖ୍ୟା ବାଲୁଙ୍କି ଦାଶଙ୍କଠି ଲାଖିବାର ଗୋଟିଏ ଇତିହାସ ଅଛି । ସେଥିପାଇଁ ଆମ ହେଡ଼୍‍ମାଷ୍ଟ୍ରେ ସ୍କୁଲ୍‍ର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଦାଶେ ଅନ୍ୟତମ ବୋଲି କହୁଥିଲେ । କଥା ହେଉଛି, ବାଲୁଙ୍କି ଦାଶେ ପଣ୍ଡିତ ଭାବରେ ପ୍ରଥମେ ଜଏନ୍‌ କଲାବେଳକୁ ସ୍କୁଲରେ ଜଣେ ଅତି ଡେଙ୍ଗା ପଣ୍ଡିତ କୁଆଡ଼େ ଥିଲେ, ଯାହାଙ୍କର ଲୋକପ୍ରିୟ ନାମ ଥିଲା ଡେଙ୍ଗା ପଣ୍ଡିତ । ଦାଶେ ଜଏନ୍‌ କରୁ କରୁ ତୁଳନାତ୍ମକ ଭାବରେ ତାଙ୍କର ନାମ ହୋଇଗଲା ବାଙ୍ଗରା ପଣ୍ଡିତ, ଯଦିଚ ସେ ପ୍ରକୃତରେ ବାଙ୍ଗରା ନୁହନ୍ତି, ଉଚ୍ଚତା ସାଧାରଣ । ଆମ ଗଞ୍ଜାମରେ ବାଙ୍ଗରା ଅର୍ଥ ଗେଡ଼ା । ଅଳ୍ପକାଳ ପରେ ଡେଙ୍ଗା ପଣ୍ଡିତେ ଅବସର ଗ୍ରହଣ କଲେ କିନ୍ତୁ ‘ବାଙ୍ଗରା ପଣ୍ଡିତ’ ଆଖ୍ୟାଟି ଦାଶଙ୍କଠି ସ୍ଥାୟୀ ଭାବରେ ଲାଖି ରହିଗଲା । ଏପରିକି ପରେ ଯେତେବେଳେ ଅର୍ଜୁନ ପାଠୀ ଓ ବାମଦେବ ରଥେ ଆମ ସ୍କୁଲ୍‍ର ପଣ୍ଡିତ ହେଲେ ଓ ସେମାନେ, ବିଶେଷତଃ ରଥେ, ବାଲୁଙ୍କି ଦାଶଙ୍କଠାରୁ ଢେର୍‌ ଗେଡ଼ା ଥିଲେ, ସମସ୍ତେ ‘ବାଙ୍ଗରା ପଣ୍ଡିତ’ କହିଲେ ଦାଶଙ୍କୁ ହିଁ ବୁଝୁଥିଲେ । ନାମକରଣର ଗହନ ଇତିହାସ ନ ଜାଣିଲା ଲୋକେ ପଣ୍ଡିତଙ୍କ ମଧ୍ୟରେ ଯେ ଡେଙ୍ଗା ତାହାଙ୍କୁ ‘ବାଙ୍ଗରା ପଣ୍ଡିତ’ କୁହାଯାଉଥିବା ଶୁଣି ଆଚମିତ ହୁଅନ୍ତି । ତେଣୁ ଆମ ସ୍କୁଲ୍‍ର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ ଆଶ୍ଚର୍ଯ୍ୟ ବାଙ୍ଗରା ପଣ୍ଡିତ । ଏତାଦୃଶ ନାମକୁ ଦାଶେ ପସନ୍ଦ କରନ୍ତୁ ନ କରନ୍ତୁ, ତାଙ୍କର ଅନ୍ୟ ନାମ ଥିବା କଥା ଅଳ୍ପଲୋକ ଜାଣିଥଲେ ଓ ଜାଣି ମଧ୍ୟ କେହି ପ୍ରାୟ ବାଲୁଙ୍କି ଦାଶ ନାମ ବ୍ୟବହାର କରୁନଥିଲେ । କେବଳ ସମ୍ମାନ ପଦର୍ଶନ ଲକ୍ଷ୍ୟଥିଲେ ତାଙ୍କ କନିଷ୍ଠ ସହକର୍ମୀ ଶିକ୍ଷକମାନେ ତାଙ୍କୁ ‘ଦାଶେ’ ବୋଲି ଆଗରେ କହୁଥିଲେ କିନ୍ତୁ ପଛରେ ସେହି ‘ବାଙ୍ଗରା ପଣ୍ଡିତ’ । ପିତୃଦତ୍ତ ବାଲୁଙ୍କିଶରଣ ଦାଶ ସହ ସ୍ୱାର୍ଜିତ ଶର୍ମା ପଦ କେବଳ ସରକାରୀ ରେକର୍ଡ଼ ପତ୍ରରେ ରହିଥିଲା ।

 

ବାଙ୍ଗରା ପଣ୍ଡିତେ ମୋର ହାଇସ୍କୁଲ୍‍ ପଢ଼ା ବେଳର ଗୁରୁ । ଆମକୁ ଓଡ଼ିଆ ସାହିତ୍ୟ ପଢ଼ଉଥିଲେ । ସେ ଟୋଲପଢ଼ା ପଣ୍ଡିତ, ଯାହାକୁ କହନ୍ତି ‘ବିରିମୁଠିଆ’ । ସେ ଇଂରାଜୀ ବିଦ୍ୟା ବିବର୍ଜିତ ଓ ଆଧୁନିକ ବିଜ୍ଞାନ, ଇତିହାସ, ଭୂଗୋଳ, ଅଙ୍କ ଆଦି ସବୁ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ; ଏ ସବୁ ତାହାଙ୍କ ଭାଷାରେ ଖିରସାନ ପାଠ କିନ୍ତୁ ସଂସ୍କୃତ ଅଭିଧାନ, ବ୍ୟାକରଣ, କାବ୍ୟ ଶାସ୍ତ୍ରରେ ସେ ଧୂରୀଣ । ତାଙ୍କ ମୁଖରୁ ଶ୍ଳୋକ ବାହାରେ ଅନର୍ଗଳ । ଶ୍ଳୋକ ବୋଲିବାରେ ଯେ ଗୋଟିଏ କଳା ଅଛି ଏହା ତାଙ୍କ ମୁହଁରୁ ଯେ ଶ୍ଳୋକ ଥରେ ଶୁଣିଛି, ସେ ଜାଣିଛି । ପଣ୍ଡିତଙ୍କ ହାବଭାବ ଓ ଚାଲିଚଳଣ ପୁରୁଣାକାଳିଆ ହେଲେ ମଧ୍ୟ ତାହାଙ୍କ ପରି ବିଦ୍‌ବତ୍ତା, ପଢ଼ାଇବାରେ ନିଷ୍ଠା ଓ ଛାତ୍ରବତ୍ସଳତା କ୍ୱଚିତ୍‌ ପଣ୍ଡିତଙ୍କ ପାଖରେ ଦୃଷ୍ଟିଗୋଚର ହୁଏ । ପାଠ, ବିଶେଷ କରି ଶବ୍ଦାର୍ଥ ବୁଝାଇଲାବେଳେ ସେ ଖୁବ୍‌ ପ୍ରାଞ୍ଜଳ ହୋଇଥାନ୍ତି; କିନ୍ତୁ ତାହାଙ୍କର ଛାତ୍ରମାନଙ୍କର ବୁଦ୍ଧି ବୈଶଦ୍ୟ ଯେଉଁ ସ୍ତରରେ ବୋଲି ସେ ଧରି ନିଅନ୍ତି ଆମ୍ଭେମାନେ ସେହି ସ୍ତରର ବହୁ ତଳେ ଥିବାରୁ ଅନେକ ସମୟରେ ସେ ଅବୋଧ୍ୟ ହୋଇପଡ଼ନ୍ତି । ଦୃଷ୍ଟାନ୍ତ ସ୍ୱରୂପ ତାଙ୍କର ‘ନୀଳଗାଈ’ ଶବ୍ଦର ବ୍ୟାଖ୍ୟା ଉଲ୍ଲେଖ କରାଯାଇପାରେ, ଯାହା ମୋର ଅପାସୋର ରହିଛି । ସେ ‘ନୀଳଗାଈ’ର ଅର୍ଥ ବୁଝାଇଥିଲେ: ‘ନୀଳଗାଈ’ ନାମଧେୟ ଆରଣ୍ୟକ ଜୀବବିଶେଷ, ବିଶେଷତଃ ଗାଈ ନୁହେଁ, ପ୍ରତ୍ୟୁତ ଏହା ଯଦ୍ୟପି ଖର୍ବକାୟ ଘୋଟକ ସଦୃଶ, ତଥାପି ଏକ ବୃହଦାକାର ହରିଣ ଅଟେ । ଗାଈ ଶବ୍ଦ କେବଳ ସ୍ତ୍ରୀ ଲିଙ୍ଗରେ ପ୍ରଯୋଜ୍ୟ କିନ୍ତୁ ନୀଳଗାଈ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ଉଭୟ ଲିଙ୍ଗର ଦ୍ୟୋତକ ଅଟେ ।’’ ତାହାଙ୍କର ବ୍ୟାଖ୍ୟା ସର୍ବଦା ଏହିପରି ଉଚ୍ଚସ୍ତରର ଅଟେ ।

 

ପଣ୍ଡିତ ମହାଶୟେ ଉତ୍ତମ ଛାନ୍ଦାର୍ଥୀ । ଭଞ୍ଜଙ୍କ ଲେଖାରୁ ବହୁତ ବହୁତ ଅର୍ଥ ବାହାର କରିବାରେ ସେ ଅଦ୍ୱିତୀୟ ଓ ଅଦ୍ୱିତୀୟ ବୋଲି ସେ ନିଜେ ଖୁବ୍‌ ସଚେତନ । ଏ ଦିଗରେ ଅଧ୍ୟାପକ ଗୌରୀ କୁମାର ବ୍ରହ୍ମାଙ୍କ ସାମର୍ଥ୍ୟ ପ୍ରତି କୌଣସି ଆକ୍ଷେପ କରାଯାଉନାହିଁ । ମୋର ସ୍ପଷ୍ଟ ମନେଅଛି, ଥରେ ଖବର ପ୍ରକାଶ ପାଇଲା ଯେ ଅଧ୍ୟାପକ ବ୍ରହ୍ମା ଭଞ୍ଜଙ୍କର କେଉଁ ଗୋଟେ ଛାନ୍ଦର ସତର ପ୍ରକାର ଅର୍ଥ କରିଥିଲେ । ଏହାପରେ ବାଙ୍ଗରା ପଣ୍ଡିତେ ସ୍କୁଲ୍‍କୁ ଆଉ ଆସିଲେ ନାହିଁ । ଛୁଟି ନେଇ ତିନି ଦିନି ତିନି ରାତି ଅବିଶ୍ରାନ୍ତ ଲାଗି ପଡ଼ି ସେହି ଛାନ୍ଦର ସେ ପୂରା ଊଣେଇଶି ପ୍ରକାର ଅର୍ଥ ବାହାର କଲେ । ତେବେ ଯାଇ ସେ ସ୍କୁଲ୍‍କୁ ଆସିଲେ; ଅଦ୍ୱିତୀୟ ଛାନ୍ଦାର୍ଥୀ ହୋଇ ରହିବା ଲାଗି ସେ କେତେଦୂର ଅଧ୍ୟବସାୟ କରି ପାରୁଥିଲେ, ତାହା ଏହି ଗୋଟିଏ ଘଟନାରୁ ଅନୁମାନ କରାଯାଇପାରେ ।

 

ମୁଁ ସ୍କୁଲ୍‍ ଛାଡ଼ିବା ପରେ ଓ ବିଶେଷତଃ ବାଙ୍ଗରା ପଣ୍ଡିତେ ଅବସର ଗ୍ରହଣ କରି ପୁଅ ପାଖରେ ଏହି ଭୁବନେଶ୍ୱରରେ ରହିବା ପରେ ତାଙ୍କ ସହ ମୋର ସମ୍ପର୍କ ଶିଥିଳ ହେବା ପରିବର୍ତ୍ତେ ଘନିଷ୍ଠତର ହେଲା । ତାହାଙ୍କର ଓ ମୋର ପ୍ରାଚୀନ ଓଡ଼ିଆ ସାହିତ୍ୟ ପ୍ରତି ସମାନ ଅନୁରାଗ ଏହି ଘନିଷ୍ଠତାର କାରଣ ଅଟେ । ଯେତେବେଳେ ବା ସୁବିଧାସୁଯୋଗ ମିଳୁଥିଲା ସେ ଛାନ୍ଦ ଅର୍ଥ କରିବାରେ ତାଙ୍କର ଦକ୍ଷତା ପ୍ରଦର୍ଶିତ କରନ୍ତି । କାବ୍ୟାମୋଦଦ୍ୱାରା ମୋ ସହ ସମୟ ବିତାଇବା ତାଙ୍କ ଜୀବନର ଶ୍ରେଷ୍ଠତମ ବିଳାସ ବୋଲି ମୁଁ ବିଚାର କରେ ଓ ଏପରି ବିଳାସ ତାଙ୍କୁ ଦେଇ ପାରୁଥିବାରୁ ମୁଁ ନିଜକୁ ଧନ୍ୟ ମନେକରେ ।

 

ଥରେ ଆମେ ଏପରି କାବ୍ୟଶାସ୍ତ୍ର ବିନୋଦନରେ ଥିଲାବେଳେ ମୋର ସାନପୁଅ ସିଦ୍ଧାର୍ଥ ଆସି ପଚାରିଲା, ‘‘ନନା ! ‘ଜଳିଲା ଦୀପତଳ ଅନ୍ଧାର’ର ଅର୍ଥ କ’ଣ ?’’ ମୁଁ ଅର୍ଥ ବୁଝାଇଲି, ହେଲେ ହେଁ ପିଲାଟି ପୂରା ହୃଦୟଙ୍ଗମ କରିପାରୁ ନ ଥାଏ । ସିଦ୍ଧାର୍ଥର ଏହି ମାମୁଲି କଥା ବୁଝିବାରେ ବିଳମ୍ୱ ଯୋଗେ ବାଙ୍ଗରା ପଣ୍ଡିତେ ଆଶ୍ଚର୍ଯ୍ୟ ହେଲେ । ମୁଁ ତାଙ୍କୁ କହିଲି, ପୂର୍ବକାଳର ଦୀପର ତଳ ଅନ୍ଧାର ହେଉଥିଲା, କିନ୍ତୁ ଆଜିକାଲିର ଦୀପର ତଳ ଖୁବ୍‌ ଆଲୋକିତ ବରଂ କ୍ୱଚିତ୍‌ ଉପର ଅନ୍ଧାର । ସିଦ୍ଧାର୍ଥ ତା’ ଜୀବନରେ ଚଳିଛି ଇଲେକ୍‌ଟ୍ରିକ ଲାଇଟରେ, ସେ ପୁରୁଣାକାଳିଆ ଦୀପ ଦେଖିଥିଲେ ସିନା ପ୍ରବଚନର ତାତ୍ପର୍ଯ୍ୟ ବୁଝନ୍ତା ! ସମସ୍ୟାଟି ପଣ୍ଡିତଙ୍କୁ ଗୁରୁତର ମନେହେଲା । ସେ ଭାବିଲେ, ଯଦି ବିଜ୍ଞାନର ଅଗ୍ରଗତି ଫଳରେ ପ୍ରବଚନଗୁଡ଼ିକ ଏପରି ଅବୋଧ୍ୟ ଓ ଅର୍ଥହୀନ ହୋଇପଡ଼ିବେ ତେବେ ପିଲେ ଅର୍ଥ ସଂପ୍ରସାରଣ କରି ରଚନା ଲେଖିବେ କିପରି ?

 

ଓଡ଼ିଆ ପ୍ରବଚନକୁ ରକ୍ଷାକରିବା ଲକ୍ଷ୍ୟରେ ବାଙ୍ଗରା ପଣ୍ଡିତଙ୍କ ଗବେଷଣା ଏହିଠାରୁ ଆରମ୍ଭ ହେଲା । ଅବଶ୍ୟ ତାହା ମୋର ଅଜ୍ଞାତସାରରେ ହୋଇଥିଲା । କେତେମାସ ମଧ୍ୟରେ ପଣ୍ଡିତେ ବହୁ ଓଡ଼ିଆ ପ୍ରବଚନର ଏପରି ଅର୍ଥ ସବୁ ବାହାର କରିଛନ୍ତି, ଯାହା ଆଧୁନିକ ଚିନ୍ତା ଓ ଚେତନାର ଅନୁକୂଳ ଅଟେ । ସେ ପ୍ରାୟ ଦୁଇଶହ ପ୍ରବଚନକୁ ନେଇ ‘ଓଡ଼ିଆ ପ୍ରବଚନ ବୋଧିନୀ’ ନାମକ ଗ୍ରନ୍ଥ ଲେଖି ମୋତେ ଦେଖାଇଲେ ଓ ମୁଁ ତାହାର ମୁଖବନ୍ଧ ଲେଖିବି ବୋଲି କହିଲେ ।

 

କୌତୂହଳବଶତଃ ମୁଁ ପ୍ରଥମେ ଜଳିଲା ଦୀପତଳ ଅନ୍ଧାରର ବ୍ୟାଖ୍ୟା ପଢ଼ିଲି । ଏହାର ବ୍ୟାଖ୍ୟା ହେଲା, ସନ୍ଧ୍ୟାହେଲେ ଇଲେକଟ୍ରିକ୍‌ ଦୀପ ଜଳେ ତଥାପି ତଳ ଅର୍ଥାତ୍‍ ଭୂତଳରୁ ଅନ୍ଧକାର ଅଟେ । ଦୈବ ପ୍ରଭାବକୁ ସମ୍ପୂର୍ଣ୍ଣ ପ୍ରତିହତ କରିବା ପୌରୁଷ ପକ୍ଷେ ସମ୍ଭବପର ନୁହେଁ, ଏହା ହେଉଛି ପ୍ରବଚନର ମର୍ମ । ଜଗନ୍ନାଥଙ୍କର ଦେଶର ସମନ୍ୱୟବାଦୀ ଦର୍ଶନର ପ୍ରଭାବ ଏହି ପ୍ରବଚନ ମଧ୍ୟରେ ଉପଲଭ୍ୟ ଅଟେ । ଏଥିରେ ଦୀପ ଅର୍ଥାତ୍‍ ପୌରୁଷ ଓ ଅନ୍ଧକାର ଅର୍ଥାତ୍‍ ଦୈବଶକ୍ତିର ଯୁଗପତ୍‌ ବିଦ୍ୟମାନତା ପ୍ରତିପାଦନ କରାଯାଇଛି । ପୌରୁଷର ପ୍ରତୀକରୂପେ ଦୀପକୁ ଓ ଦୈବର ପ୍ରତୀକରୂପେ ଅନ୍ଧକାରକୁ ନେବାଦ୍ୱାରା ଏଥିରେ ଦର୍ଶାଇ ଦିଆଯାଉଛି ଯେ ପ୍ରକୃତିର ପ୍ରତିକୂଳ ପ୍ରଭାବକୁ ଅତିକ୍ରମ କରିବା ବିଜ୍ଞାନର ମୌଳିକ ଲକ୍ଷ୍ୟ ଅଟେ । ପୌରୁଷ ତାହାର ଜ୍ଞାନାଲୋକଦ୍ୱାରା ଦୈବ ପ୍ରଭାବକୁ ସମ୍ପୂର୍ଣ୍ଣ ପ୍ରତିହତ କରିନପାରିଲେ ମଧ୍ୟ ନିଜର ସୀମିତ ପରିସର ମଧ୍ୟରେ ତାହାକୁ ପ୍ରତିହତ କରିପାରେ ଇତ୍ୟାଦି ଇତ୍ୟାଦି ଦାର୍ଶନିକ ତତ୍ତ୍ୱ ଏହି ପ୍ରବଚନରେ ନିହିତ ଥିବା ପଣ୍ଡିତ ମହାଶୟେ ତାହାଙ୍କର ସ୍ୱଭାବସୁଲଭ ଶୈଳୀରେ ପ୍ରତିପାଦନ କରିଛନ୍ତି । ପ୍ରବଚନଟି ଆଉ ସିଦ୍ଧାର୍ଥର ନବମ ଶ୍ରେଣୀ ସ୍ତରରେ ନାହିଁ, ସିଧା ଏମ.ଏ. ପିଲାଙ୍କ ସ୍ତରକୁ ଉଠିଛି ।

 

ଆଉ ଗୋଟିଏ ପ୍ରବଚନ ଦେଖିଲି, ‘‘ଛି ଲୋ ଛତୁ, ମେଘ ବରଷିଲେ କେତେ ତୁ ମାତୁ-।’’ ଏହା ଏକ ନବୋଢ଼ା ବଧୂ ତାହାର ବାରିରେ ଫୁଟିଥିବା ଛତୁକୁ କହୁଛି । ସେ କହୁଛି, ଲୋ ଛତୁ ତୁ ଧିକ୍‌ (ଛି), ଏକେ ମେଘ ଅର୍ଥାତ୍‍ ଶୃଙ୍ଗାରୀ ଚେତନାର ଉଦ୍ରେକକର ପ୍ରାବୃଟକାଳ, ତହିଁରେ ପୁଣି ବର ଅର୍ଥାତ୍‍ ଯୁବକ ପତି ସିଲରେ ଅର୍ଥାତ୍‍ ଛୁଟିନେଇ ଅଫିସ୍‍କୁ ନ ଯାଇ ଅଛନ୍ତି । ଛତୁ ଫୁଟିଲେ ସ୍ୱାମୀ ଜିହ୍ୱା ଲାଳସାରେ ଏକେତ ସ୍ତ୍ରୀକୁ ଛତୁ ତୋଳିବାକୁ କହିବ ଅଥବା ନିଜେ ତୋଳିବାକୁ ଯିବ ଅତଏବ ମେଘକାଳରେ ସ୍ୱାମୀ ସଙ୍ଗେ ଗେଲ ହେବାର ସୁଯୋଗ ଆଉ ମିଳିବ ନାହିଁ । ତେଣୁ ରସିକାବଧୂଟି ଛତୁର ଫୁଟିବା କାର୍ଯ୍ୟକୁ ନିନ୍ଦାକରି ଏହା କହୁଛି । ପ୍ରବଚନରେ ଓଡ଼ିଆ ସମାଜରେ ସ୍ୱକୀୟା ପ୍ରେମର ପରାକାଷ୍ଠା ପ୍ରତିଷ୍ଠିତ ହେଉଛି ଓ ତତ୍‌ସହ ଓଡ଼ିଆଣୀମାନେ ପୁରୁଷଙ୍କ ଅପେକ୍ଷା ଅଧିକତର ରସମୁଗ୍‌ଧା ବୋଲି ପ୍ରତିପାଦିତ ହେଉଛି । ଯେକୌଣସି କଳାପ୍ରିୟ ଜାତି ଅର୍ଥାଗମ ଅପେକ୍ଷା ରସିକତାକୁ ଅଧିକ ସମ୍ମାନ ଦେଇଥାନ୍ତି । ଉତ୍କଳ ଉତ୍‌କୃଷ୍ଟ କଳାର ଦେଶ । ତଦନୁରୂପେ ଏଠାରେ ଅର୍ଥାଗମ (ଛତୁତୋଳା) ଅପେକ୍ଷା ପ୍ରେମକୁ ଅଧିକତର ପ୍ରାଧାନ୍ୟ ଦିଆଯିବା ସ୍ୱାଭାବିକ ହୋଇଛି ଇତ୍ୟାଦି, ଇତ୍ୟାଦି ।

 

ଏହା ପଢ଼ିବା ପରେ ମୁଁ କହିଲି ‘‘ଆଜ୍ଞା, ଯଦିଓ ଏପରି ଅର୍ଥ ଅସମଞ୍ଜସ ନୁହେଁ ଓ ଅବଶ୍ୟ ଉଚ୍ଚତର ଭାବର ଦ୍ୟୋତକ ତଥାପି ପୂର୍ବରୁ ଏହାର ଅନ୍ୟ ସୁବିଦିତ ଅର୍ଥ ଥିଲା, ଏଠାରେ ତାହାକୁ ଲୋପ କରି ଅଭିନବ ବ୍ୟାଖ୍ୟା କରାଯାଉଛି । ଏହା ଗୋଦରୀ କୋଡ଼େ ଯେତେ, ମାଡ଼େ ତେତେ ଭଳି ହେଉଛି ।’’

 

ବାଙ୍ଗରା ପଣ୍ଡିତେ ଏହାର ପ୍ରତିବାଦରେ କହିଲେ, ‘‘ପୁରୁଣା ଅର୍ଥ ପୁରୁଣା ଯୁଗର ଉପଯୋଗୀ ଥିଲା; କିନ୍ତୁ ତାହା ଆଧୁନିକ ଯୁଗକୁ କିପରି ନିରର୍ଥକ ତାହା ସିଦ୍ଧାର୍ଥର ଅର୍ଥ ଜିଜ୍ଞାସାରୁ ପ୍ରତିପନ୍ନ ହେଉଛି । ପରମ୍ପରାର ମୂଲ୍ୟାଙ୍କନ ଯୁଗେ ଯୁଗେ ସମୟୋପଯୋଗୀ ହେବାପରି ନୂଆ ନୂଆ ପ୍ରକାରେ ହୋଇଆସିଛି । ପ୍ରବଚନଗୁଡ଼ିକ ଲୌକିକ ପରମ୍ପରାର ମୌଖିକ ବାହକ । ଯୁଗୋପଯୋଗୀ ଅର୍ଥ ଲଗାଣ ନ କଲେ ସେସବୁ ନିରର୍ଥକ ହୋଇପଡ଼ିବେ ଓ ତଦ୍ଦ୍ୱାରା ଜାତୀୟ ସାହିତ୍ୟର ଅପୂରଣୀୟ କ୍ଷତି ଘଟିବ । ଅତୀତରେ ସରକାରୀ ଶାସନକଳରେ ଚାକିରିଆଙ୍କ ପାଇଁ ‘ସିଲ’ ଆକସ୍ମିକ ଛୁଟି ବ୍ୟବସ୍ଥା ନ ଥିଲା; ତେଣୁ ପ୍ରବଚନଟିକୁ ଭିନ୍ନ ପ୍ରକାର ବ୍ୟାଖ୍ୟା କରାଯାଉଥିଲା-। ବର୍ତ୍ତମାନ ସିଲ ମିଳିବା ଯୁଗରେ ଅଧିକ ଉପଯୁକ୍ତ ଅର୍ଥ ହେବ ଏହି ନୂତନ ଅର୍ଥ ।’’

 

ଏହା କହି ପଣ୍ଡିତେ ‘ଗୋଦରୀ କୋଡ଼େ ଯେତେ, ମାଡ଼େ ତେତେ’ ପ୍ରବଚନର ବ୍ୟାଖ୍ୟା ମୋତେ ଦେଖାଇଲେ । ସେ ଏହାର ବ୍ୟାଖ୍ୟା କରିଛନ୍ତି: ଗୋଦରୀ ଏକ ଅସୁନ୍ଦରୀ ନାରୀର ସୂଚକ-। ଅସୁନ୍ଦରୀକୁ କୋଡ଼େ ଅର୍ଥାତ୍‍ କୋଳରେ ଧରି ବଶ କରାଯାଇପାରେ ଓ ମାଡ଼େ ଅର୍ଥାତ୍‍ ମାଡ଼ମାରି ମଧ୍ୟ ବଶ କରାଯାଇପାରେ । ସେ ଅସୁନ୍ଦରୀ ଥିବା ଯୋଗେ ସ୍ୱାମୀକୁ ଛାଡ଼ି ଅନ୍ୟ କୁଆଡ଼େ ଯିବା ସମ୍ଭାବନା ରହେନାହିଁ । ଏହି ପ୍ରବଚନର ଗୂଢ଼ ତାତ୍ପର୍ଯ୍ୟ ହେଲା ନାରୀ ନିର୍ଯ୍ୟାତନାରୁ ରକ୍ଷା ପାଇବାକୁ ହେଲେ ନିଜ ଅଙ୍ଗସୌଷ୍ଠବକୁ ବଢ଼ାଇବାକୁ ପଡ଼ିବ । ଆଧୁନିକ ମନୋଭାବାପନ୍ନ ସ୍ୱାଧୀନଚେତା ମହିଳାମାନେ ଆପଣା ଶରୀରର ସୌନ୍ଦର୍ଯ୍ୟ ରକ୍ଷାପାଇଁ ସମଧିକ ଯତ୍ନ ନେବାଦ୍ୱାରା ସ୍ୱାମୀଙ୍କଠାରୁ କେବଳ କୋଡ଼ସୁଖ ପାଆନ୍ତି, ମାଡ଼ ପାଆନ୍ତି ନାହିଁ । ଓଡ଼ିଆ ପ୍ରବଚନରେ ଅସୁନ୍ଦରୀ ପାଇଁ ଗୋଦରୀ ଶବ୍ଦ ବ୍ୟବହୃତ ହେବାର ରହସ୍ୟ ଏହି ଯେ ଗୋଦର ଏକ ଖାଣ୍ଟି ଓଡ଼ିଶୀ ରୋଗ, ଯାହା ଶରୀରକୁ ଶୋଚନୀୟ ଭାବରେ ବିକୃତ କରିଥାଏ । ମୁଁ ଲଜ୍ଜିତ ହେଲି ଯେ ପ୍ରବଚନଟିର ଏତାଦୃଶ ଆଧୁନିକତାବ୍ୟଞ୍ଜକ ଅର୍ଥ ଥାଉ ଥାଉ ମୁଁ ତାହାକୁ ପୁରୁଣା ଅର୍ଥରେ ପ୍ରୟୋଗ କରିଥିଲି ।

 

ଏହିପରି ଆଧୁନିକ ଅର୍ଥର ବହୁ ପ୍ରବଚନ ସେ ସଂଗ୍ରହ କରିଛନ୍ତି । ତନ୍ମଧ୍ୟରୁ କେତୋଟି ଲୋକଙ୍କ ସାକ୍ଷାତ୍‌ ଉପକାରରେ ଆସିବ, ଏହା ନିଃସନ୍ଦେହ । ଦୃଷ‌୍ଟାନ୍ତ ସ୍ୱରୂପ ‘‘ଆଗେ ବୁଣୁ, ପଛେ ବୁଣୁ, ଗର୍ଭଣାକୁ ଠୁଣୁଠୁଣୁ’’ । ବୁଣିବା ଅର୍ଥ ବୀଜବପନ ଅର୍ଥାତ୍‍ ଗର୍ଭାଧାନ । ଆଗେ ବୁଣୁର ଅର୍ଥ ସଅଳ ବା ଅଳ୍ପବୟସ ବେଳେ ଗର୍ଭାଧାନ କର ଓ ପଛେ ବୁଣୁର ଅର୍ଥ ବିଳମ୍ୱରେ ବା ବୁଢ଼ୀ ବୟସରେ ଗର୍ଭାଧାନ କର । ଯୁବା କାଳରେ ଗର୍ଭବତୀ ହେଲେ ପ୍ରସବ ଓ ଶିଶୁପାଳନ ଯୋଗେ ଶୀଘ୍ର ସ୍ୱାସ୍ଥ୍ୟଭଙ୍ଗ ହେବା ଆଶଙ୍କା ଥାଏ ପୁଣି ଶିଶୁର ଜଞ୍ଜାଳ ହେତୁ ପିତାମାତା ଯୌବନସୁଖ ଉପଭୋଗ କରିପାରନ୍ତି ନାହିଁ । ବିଳମ୍ୱରେ ଗର୍ଭାଧାନ ହେଲେ ଶିଶୁକୁ ମଣିଷ କରିବା ପାଇଁ ପିତାମାତାଙ୍କର ଆଉ ବୟସ ନଥାଏ । ତେଣୁ ଗର୍ଭାଧାନ ହେବା ମାତ୍ରେ ଭୁଆସୁଣୀ ଓ ବୁଢ଼ୀମାନେ ଔଷଧ ପ୍ରୟୋଗଦ୍ୱାରା ଗର୍ଭପାତ କରାଇ ନେବା ଉଚିତ । ପ୍ରବଚନରେ କୁହାଯାଇଛି, ଗର୍ଭଣାକୁ ଅର୍ଥାତ୍‍ ଗର୍ଭାଧାନ ହେଲେ ଠୁଣୁଠୁଣୁ ଅର୍ଥାତ୍‍ ଠୁଣୁ ଠୁଣୁକିଆ କି ଚେରମୂଳି ଔଷଧ ପ୍ରୟୋଗ କର୍ତ୍ତବ୍ୟ । ଶିଶୁ-ଉତ୍ପାଦନ କମ୍‌ ବୟସରେ କରିବା ଯେପରି ଅନୁଚିତ, ବେଶି ବୟସରେ କରିବା ସେହିପରି । ଏଥିରୁ ଅବଧାରଣୀୟ ଯେ ପ୍ରାଚୀନ କାଳରେ ମଧ୍ୟ ଟୋକୀ ଓ ବୁଢ଼ୀମାନେ ଗର୍ଭପାତ ଅର୍ଥାତ୍‍ ପରିବାର ନିୟନ୍ତ୍ରଣ କରାଉଥିଲେ; କିନ୍ତୁ ତାହା ପ୍ରକାଶ୍ୟରେ ନ କରି ଗୋପନରେ କରୁଥିବାରୁ ଅର୍ଥଟି ଗୋପନ ଥିଲା । ଆଧୁନିକ ଯୁଗରେ ତାହା ପ୍ରକାଶ୍ୟରେ କରାଯିବାରୁ ଅର୍ଥଟି ପ୍ରକାଶିତ ହୋଇ ପାରିଲା ଇତ୍ୟାଦି, ଇତ୍ୟାଦି ।

 

ପଣ୍ଡିତ ବାଲୁଙ୍ଗିଶରଣ ଦାଶ ଶର୍ମାଙ୍କ ଗଭୀର ଗବେଷଣାପ୍ରସୂତ ‘ଓଡ଼ିଆ ପ୍ରବଚନ ବୋଧିନୀ’ର କି ମୁଖବନ୍ଧ ଲେଖିବି ? ପଣ୍ଡିତେ ଦୁଇ ଚାରିଦିନ ଛଡ଼ାରେ ମୋତେ ପଚାରି ଲାଗିଥାନ୍ତି ମୁଖବନ୍ଧ ଲେଖା ସରିଲା କି ବୋଲି । ଏପରି ବ୍ୟାଖ୍ୟାର ଯଥାର୍ଥତା ନେଇ ମୋର ଘୋର ସଂଶୟ ତାଙ୍କ ଆଗରେ ପ୍ରକାଶ କରି ନ ପାରି ମୁଁ ଲେଖିବି ଲେଖିବି କହି କାଳ କ୍ଷେପଣ କରୁଥାଏ । ଶେଷକୁ ସେ ଅତିଶୟ ବ୍ୟସ୍ତ କରିବାରୁ ମୁଁ କହିଲି ଯେ ସେ ଆଗେ ଜଣେ ପ୍ରକାଶକ ଯୋଗାଡ଼ କରନ୍ତୁ । ବହି ମୁଦ୍ରିତ ହେଉ ହେଉ ମୁଁ ମୁଖବନ୍ଧ ଲେଖିଦେବି । ପଣ୍ଡିତେ ପାଣ୍ଡୁଲେଖ ଧରି ଗୋଟିଏ ପରେ ଗୋଟିଏ ପ୍ରକାଶକଙ୍କର ଦ୍ୱାରସ୍ଥ ହେଲେ, କିନ୍ତୁ ଓଡ଼ିଆ ପ୍ରକାଶଙ୍କଦ୍ୱାରା ବହି ନିର୍ବାଚିତ କରାଇ ନେବାର ସୂତ୍ର ପଣ୍ଡିତଙ୍କୁ ଜଣା ନାହିଁ ଓ ସୂତ୍ର ଜାଣିଥିବା କଟକୀ ସାହିତ୍ୟିକ ମଧ୍ୟସ୍ଥିମାନେ ପଣ୍ଡିତଙ୍କୁ ଜାଣନ୍ତି ନାହିଁ । ଏଣିକି ମୁଁ ମଝିରେ ମଝିରେ ପ୍ରକାଶକ ମିଳିଲେ କି ବୋଲି ପଣ୍ଡିତେ ମହାଶୟଙ୍କୁ ପଚାରେ ଓ ସେ ମିଳିବେ ମିଳିବେ ବୋଲି କହନ୍ତି । କଥା ଏପରି ହେଲାଣି ଯେ ମୁଁ କାଳେ ପ୍ରକାଶକ ମିଳିବା କଥା ପଚାରିଦେବି ଭାବି ସେ କେତେଦିନ ହେବ ଆଉ ମୋ ପାଖକୁ ଆସୁ ନାହାନ୍ତି । ବାଙ୍ଗରା ପଣ୍ଡିତଙ୍କର ମୁଁ ଜଣେ ଆଦର୍ଶ ଅର୍ଥାତ୍‍ ଆଜ୍ଞାଧୀନ ଛାତ୍ର ରହିଥିଲି । ତାଙ୍କ ମୋ ଭିତରେ ଶିକ୍ଷକ-ଛାତ୍ର ସମ୍ପର୍କ କେବଳ ସ୍କୁଲ୍‍ ପଢ଼ାବେଳରେ ସୀମାବଦ୍ଧ ଏପରି ଧାରଣା ତାଙ୍କର ବା ମୋର କାହାର ନାହିଁ । ମୁଁ ଜାଣେ ତାଙ୍କର ପୁତ୍ରକନ୍ୟା ଅବାଧ୍ୟ ହେଲେ ସେ ଯେଉଁ ମାନସିକ ଆଘାତ ପାଇବେ, ମୁଁ ଅବାଧ୍ୟ ହେଲେ ସେ ତଦପେକ୍ଷା ଢେର୍‌ ଅଧିକ ମର୍ମାନ୍ତକ ଆଘାତ ପାଇବେ । ମୁଁ ମୁଖବନ୍ଧ ଲେଖିବାକୁ ମନା କରିବି କିପରି ? ଏହାପରି ପରିସ୍ଥିତିରେ ଓଡ଼ିଶାର ପ୍ରତ୍ୟେକ ପୁସ୍ତକ ପ୍ରକାଶକଙ୍କୁ ମୋର ବିନୀତ ଅନୁରୋଧ ସେମାନେ ‘ଓଡ଼ିଆ ପ୍ରବଚନ ବୋଧିନୀ’କୁ ପ୍ରକାଶ କରନ୍ତୁ ନାହିଁ । ଅନ୍ୟାନ୍ୟ ଓଡ଼ିଆ ପଣ୍ଡିତଙ୍କ ପରି ଆମର ବାଙ୍ଗରା ପଣ୍ଡିତେ ମଧ୍ୟ କୌଣସି ସାହିତ୍ୟ ପତ୍ର କସ୍ମିନ୍‌କାଳେ ପଢ଼ୁ ନ ଥିବା ଜାଣି ମୁଁ ଏପରି ନିବେଦନ ପ୍ରକାଶ କରି ପାରୁଛି । ପଣ୍ଡିତ ମହାଶୟଙ୍କୁ ଜାଣିଥିବା ପାଠକମାନେ ଏହି ଲେଖା ବିଷୟ ତାହାଙ୍କୁ ଦୟାକରି ଜଣାଇବେ ନାହିଁ ବୋଲି ମଧ୍ୟ ପ୍ରାର୍ଥନା କରୁଛି ।

Image

 

ପିଠି-ମୁଦ-ବନ୍ଧେଇ

 

ଆଜିକାଲି ଖୁବ୍‌ କମ୍‌ ଜିନିଷ ଖୋଲାରେ ମିଳୁଛି । ମାସିକିଆ ସଉଦା କଲେ ଦେଖିବେ, ସେଥିରେ ଗଣ୍ଡେ ଛଅଟା ପ୍ୟାକେଟ୍‌, ଦୁଇ ତିନିଟା ଡବା ଏବଂ କେତୋଟି ବୋତଲ ବରାବର ରହିଛି-। ଅତରଠୁ ଆରମ୍ଭ କରି କିରାସିନି ପର୍ଯ୍ୟନ୍ତ ନିତ୍ୟବ୍ୟବହାର୍ଯ୍ୟ ଶହ ଶହ ପଦାର୍ଥ ଏହି ଭଳି କିସମ ବୋତଲ, ଡବା, ପ୍ୟାକେଟ୍‌ ଭିତରେ ହରେକ୍‌ ରକମର ଠିପି ମୁଦ-ବନ୍ଧେଇଦ୍ୱାରା ସୁରକ୍ଷିତ ଥାଏ । ଏହି ଠିପି ମୁଦ-ବନ୍ଧେଇ ସବୁ ପ୍ରତ୍ୟେକ ପ୍ରସ୍ତୁତକାରୀର ଏକ ସ୍ୱାତନ୍ତ୍ର୍ୟ । ଅନେକ କ୍ଷେତ୍ରରେ ଏହି ସ୍ୱାସ୍ଥ୍ୟସହାୟକ ବ୍ୟବସ୍ଥାଟି ମେସିନ୍‌ଦ୍ୱାରା ସୁଚାରୁରୂପେ ସମ୍ପାଦିତ ହୁଏ । ପ୍ରସ୍ତୁତକାରୀମାନେ ଏକଥା ଜାଣନ୍ତି ଯେ ଠିପି ବା ମୁଦ ଦେବା କିମ୍ୱା ବନ୍ଧେଇ କରିବା କାର୍ଯ୍ୟଟିକୁ ମଣିଷ ହାତ ଅପେକ୍ଷା ମେସିନ୍‌ ଢେର ଭଲ ଭାବରେ କରିପାରେ କିନ୍ତୁ ସେମାନେ ଏ କଥା ଜାଣନ୍ତି ନାହିଁ ଯେ ମେସିନ୍‌ ଯାହା କରେ ତାକୁ ଖୋଲିବା ପାଇଁ ମଣିଷହାତର ଉପଯୋଗିତା ଖୁବ୍‌ କମ୍‌ ।

 

ବୋତଲ, ଡବା, ପ୍ୟାକେଟ୍‌ର ଆକାର ପ୍ରକାର ଭିନ୍ନ ଭିନ୍ନ । ମଣିଷର ତ ଫେର୍‌ ରୁଚି ବୋଲି କିଛି ଅଛି ଏବଂ ପ୍ରସ୍ତୁତକାରୀମାନେ ମଧ୍ୟ ମଣିଷ ? ହଜାର ହଜାର ପ୍ରସ୍ତୁତକାରୀଙ୍କର ହଜାର ହଜାର ରୁଚି ଅଛି । ତେଣୁ ଦାନ୍ତ ଆକାରର ସେଣ୍ଟ୍‌ ବୋତଲଠାରୁ ଦନ୍ତୀ ଆକାରର ବାକ୍‌ସ ପର୍ଯ୍ୟନ୍ତ ଆପଣଙ୍କୁ ଭେଟିବେ ଏବଂ ଖୋଲିବା ଲାଗି ଆହ୍ୱାନ କରିବେ । ଏଗୁଡ଼ିକର ମୁଦ ବେଶ୍‌ ଚମତ୍କାର । ଦର୍ଶନ ମାତ୍ରେ ଆପଣ ବୁଝିଯିବେ ଯେ ଜିନିଷଟି କମ୍ପାନୀଠାରୁ ଆପଣଙ୍କ ନିକଟରେ ପହଞ୍ଚିବା ଯାଏଁ ସୁରକ୍ଷିତ ରହି ପାରିଲା ଖାଲି ଏଇ ମୁଦ ଲାଗି । ଦୁର୍ଭାଗ୍ୟକ୍ରମେ ଜିନିଷଗୁଡ଼ିକର ପ୍ରସ୍ତୁତି ଏହି ମୁଦ ଭିତରେ ହିଁ ରହିବା ଲାଗି ହୁଏ ନାହିଁ । ତାହା ହୋଇଥିଲେ ଗୃହିଣୀ ଜୀବନଟା ବିଶେଷ ମନ୍ଦ ହୁଅନ୍ତା ନାହିଁ । କିନ୍ତୁ ଭଲଭାବେ ମୁଦ ଦେଇ ତାକୁ ଖୋଲିବା ଭାରଟି ପ୍ରସ୍ତୁତକାରୀମାନେ ଆପଣଙ୍କ ଉପରେ ଲଦି ଦିଅନ୍ତି [ବିବାହ ବେଳେ ମୁଠି କଉଡ଼ିରେ ମୁଦ ଫିଟାଇବା ଅଭିଜ୍ଞତା ଆପଣଙ୍କର ଅଛି ବୋଲି ସେମାନେ ଜାଣନ୍ତି] । ତେବେ ଆପଣଙ୍କ ଅବଗତି ପାଇଁ ମୁଦକୁ କିପରି ଖୋଲାଯାଇ ପାରେ ତାହା ସେମାନେ ଲିପିବଦ୍ଧ ମଧ୍ୟ କରିଥାଆନ୍ତି । କେଉଁଠି ଠିପି ଉପରେ ଶର ଚିହ୍ନ ଦିଆଯାଇ ଲେଖାଥାଏ ‘ଘୂରାଅ’, କେଉଁଠି ବା ‘ଉଠାଅ’, କେଉଁଠି ବା ‘ଚାପିଦିଅ’ ଇତ୍ୟାଦି । ମୋଡ଼, କାଟ, ଟାଣ, ଠେସ, ଫାଡ଼, ଟାଣ ଆଦି ନିର୍ଦ୍ଦେଶ ମୁତାବକ ଆପଣଙ୍କୁ କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ । ଅନ୍ୟଥା, ଆଧାର ଭିତରର ନିଜିଷଟି ବେଶ୍‌ ସୁରକ୍ଷିତ ହିଁ ରହିବ । ଏଇ କର୍ତ୍ତବ୍ୟ ସମ୍ପାଦନ ଲାଗି ଆପଣଙ୍କୁ ବିବିଧ ସରଞ୍ଜାମର ଆଶ୍ରୟ ନେବାକୁ ପଡ଼ିବ । ଛୁରୀ, କତୁରି, ସ୍କୃ-ଡ୍ରାଇଭର, ପ୍ଲାସ୍‌ର ଆବଶ୍ୟକତା ସେହି ମୁଦରେ ହିଁ ସୂଚିତ ହୋଇଥାଏ । ଏଥିରୁ ପୁଞ୍ଜେ ପାଞ୍ଚଟା କରି ଭିନ୍ନ ଭିନ୍ନ ଆକାରର ପାଖରେ ନ ଥିଲେ ନ ଚଳେ । କିନ୍ତୁ ସେତିକିରେ ସବୁ ମୁଦ ଆପଣଙ୍କ ବୋଲ ମାନିବେ ନାହିଁ । ଆପଣଙ୍କୁ ସ୍ଥଳବିଶେଷରେ ମୁଦ ଭେଦରେ ଛୁଞ୍ଚିଠାରୁ ଶବଳ ଯାଏଁ, କେଉଁଠି କଟୁରିଟିଏ ଆଉ କେବେ କିମିତି ରନ୍ଧାଘର ପିଠାପାତିଆଟିକୁ ମଧ୍ୟ ପ୍ରୟୋଗ କରିବାକୁ ପଡ଼ିବ । ବସ୍ତୁତଃ ଆପଣଙ୍କୁ ଘରେ ଗୋଟିଏ ଓ୍ୱାର୍କସପ୍‌ ଖୋଲିବାକୁ ପଡ଼ିବ । ସବୁ ଜିନିଷ କାମ ନ ଦେଲେ ମଧ୍ୟ ଆପଣ ନିରାଶ ହେବେ ନାହିଁ–ଦାନ୍ତ ତ ଅଛି । [ଯେଉଁମାନଙ୍କର ଦାନ୍ତ ପଡ଼ିଗଲାଣି ସେମାନଙ୍କ କଥା ମୁଁ ବିଚାର କରୁନାହିଁ–ସେମାନେ ତଥାପି ଗୃହିଣୀ ପଦରୁ ଅବସର ନ ନେବା ଅଯୁକ୍ତିସମ୍ମତ] । କଟୁରି, ପ୍ଲାସ୍‌, କତୁରି, ଚିମୁଟା, ପେଚକସ୍‌ ଆଦି ସୁବପ୍ରକାର ସରଞ୍ଜାମର କାମ ଦେବ ଆପଣଙ୍କ ଦାନ୍ତ । ଦାନ୍ତକୁ କମ୍‌ ବିଚାରନ୍ତୁ ନାହିଁ ।

 

ଆଗକାଳର ସୋଲ ଠିପି ସବୁ କୁଆଡ଼େ ଗଲା କେଜାଣି ! ଆମ ଚାବିପେନ୍ଥାରେ ଦି’ଚାରି ପଇସାରେ ମିଳୁଥିବା ସାନ ବଡ଼ ଦୁଇଟି କର୍କ ଉଠାଇବା ସ୍କୃ କେଉଁ କାଳରୁ ଝୁଲୁଛି । କିନ୍ତୁ ଆଜିକାଲି ତାହାର ବିଶେଷ ଆବଶ୍ୟକତା ଆଉ ଜଣାଯାଉନାହିଁ । ଭିତର ପଟେ ରବର କି କାର୍ଡ଼ବୋର୍ଡ଼ର ଚକି ଲାଗିଥିବା ଠିପି ସଚରାଚର । ଯଦିବା କଦବା ସେ ପୁରୁଣା ଢଙ୍ଗର କର୍କ ଠିପିକୁ ଆପଣ ଭେଟିବେ ତେବେ ତାକୁ ସ୍କୃ ମୋଡ଼ି ଉଠାଇଲେ କର୍କର ଉପର ଅଂଶଟି ଅନାୟାସରେ ଉଠିଯାଇ ତଳ ଅଂଶଟି ଅବିଚଳିତ ଭାବେ ଲାଖି ରହିଥିବ । ସେଇଠି ଆପଣ ବିଚାରିବେ ଆପଣଙ୍କ ସିଲେଇ ପେଡ଼ିର କ୍ରୂସ୍‌ଟି ଠିକଣା କାମ ଦେବ, ଖାଲି ଟିକିଏ ଫୋଡ଼ି ଦେଇ ଟାଳି ଦେଲେ ହେଲା । କିନ୍ତୁ ଫଳ ଆଶାନୁରୂପ ଦେବ ନାହିଁ । ଖେଞ୍ଚିଲା ବେଳକୁ ଠିପିଟି ଡରେ ଭିତରକୁ ଭିତରକୁ ଖସି ପଳାଇବାକୁ ଚାହିଁବ, ଆଉ ଟାଳି ଦେଇ ଉଠାଇଲା ବେଳକୁ ଠିପିର ସାମାନ୍ୟ ଅଂଶଟିଏ ଉପରକୁ ଛିଟିକି ପଡ଼ିବ । କିନ୍ତୁ କ୍ରୂସ୍‍ଟି ଏପରି ବଙ୍କା ହୋଇସାରିଥିବ ଯେ ତାକୁ ଆପଣ ସିଲେଇ ବାକ୍‌ସରେ ନ ଥୋଇ ସରଞ୍ଜାମ ବାକ୍‌ସରେ ନିର୍ବିକଳ୍ପ ଚିତ୍ତରେ ଥୋଇ ଦେବେ । ତାହାପରେ ଆପଣ ପୁଅର କମ୍ପାସ୍‌ ବାକ୍‌ସଟି ଖୋଲି ଡିଭାଇଡ଼ରଦ୍ୱାରା କାର୍ଯ୍ୟ ସମ୍ପାଦନ କରିବାକୁ ଯିବେ । ପରିଣାମରେ ଠିପିର ବଳକା ଅଂଶଟି ବୋତଲ ଭିତରର ତରଳ ପଦାର୍ଥରେ ନୌକା ଲହଡ଼ି ଭାଙ୍ଗିଲାପରି ହେଉଥିବ–ସତେ କି ଟିକେ ନାକୁ ଢାଳି ଦେଲେ ତଳକୁ ଖସି ପଡ଼ିବ । ପ୍ରଲୋଭନଟା ମୁଁ ଏଡ଼ି ପାରେ ନାହିଁ । ବୋତଲଟିକୁ ଅଣାଇ ଦେଲେ ଠିପିଟା ଓଲଟ ଦିଗକୁ ପଳାଏ ଅଥଚ ସୁରକ୍ଷିତ ତରଳ ପଦାର୍ଥର ଆଚ୍ଛା ଅଂଶ ତଳେ ବୋହିଯାଏ । ମୋ ବିଚାରରେ ଜିନିଷ ସରିବା ଯାଏଁ ଏବଂ ତା’ପରେ ମଧ୍ୟ ଠିପିଟି ସେହିଭଳି ବୋତଲର ଗର୍ଭମଣ୍ଡନ କରିବା ଭଲ । ଅନୁଭୂତିରୁ ଆପଣ ଜାଣିଯିବେ ଯେ ଏଭଳି ଠିପିକୁ ଉପରକୁ ଉଠାଇବା ଲାଗି ବିଫଳ ଚେଷ୍ଟା ନ କରି ତଳକୁ ଠେସିଦେଲେ କାର୍ଯ୍ୟଟା ଅପେକ୍ଷାକୃତ ସହଜ ହୋଇଯିବ ଏବଂ ନିଜେ ଡିଭାଇଡ଼ରଟିକୁ ହଜେଇ ଥିବା ବିଶ୍ୱାସରେ, ମାଡ଼ ଭୟରେ କାହାକୁ କିଛି ନ କହି ପୁଅ ସାରା ଘରଟାକୁ ଓଲଟ ପାଲଟ କରି ପରିଶେଷରେ ସରଞ୍ଜାମ ବାକ୍‌ସରେ ତାକୁ ଆବିଷ୍କାର କରି ଚୁପ୍‌ଚାପ୍‌ ନେଇ କମ୍ପାସ ବାକ୍‌ସରେ ପୂରାଇ ଆଶ୍ୱସ୍ତିର ନିଶ୍ୱାସ ମାରିବାରୁ ତ୍ରାହି ପାଇଯିବ ଏବଂ ଆପଣବି ଘରଟାକୁ ସବୁବେଳେ କିଏ ଇମିତି କରୁଛି ବୋଲି ବିରକ୍ତ ହେବେ ନାହିଁ ।

 

ଟିଣଠିପିଦିଆ ବୋତଲଗୁଡ଼ିକ ଆଧୁନିକ ଧରଣର । ଠିପି ଉପରେ ସ୍ୱର୍ଣ୍ଣାକ୍ଷରରେ ଇଂରାଜୀରେ ଲେଖାଥାଏ–‘ଖୋଲିବା ଲାଗି ଏହି ଦିଗକୁ ମୋଡ଼’ ଏବଂ ଲେଖାର ଉଭୟ ପଟେ ଦିଗସୂଚକ ତୀର ଚିହ୍ନ ମଧ୍ୟ ଥାଏ । ପଢ଼ିଲେ ମନେ ହେବ, କାର୍ଯ୍ୟଟି ନିହାତି ସହଜ । ପ୍ରଥମେ ହାତରେ ମୋଡ଼ିବେ । ଚମ୍ପାଫୁଲିଆ ହାତ ମନ୍ଦାରଫୁଲିଆ ହୋଇଯିବ ପଛକେ ଠିପି ଟିକିଏ ବୋଲି ଘୁଞ୍ଚିବ ନାହିଁ । ଟିଣଠିପି ସହ ବହୁ ସ୍ଥାନରେ ଲାଗି ରହିଥିବା ତଳଭାଗର ଟିଣ ବଳାଟିକୁ ଏହିପରି ମୋଡ଼ି ମୋଡ଼ି ଠିପିରୁ ଛଡ଼ାଇବାକୁ ପଡ଼ିବ । ବୁଝିବେ, କାମଟା ଖାଲି ହାତର ନୁହେଁ । ତାହାପରେ ପ୍ଲାସ୍‌ଟାକୁ ଲଗାନ୍ତୁ । ବାଁ ହାତରେ ବୋତଲଟିକୁ ଭିଡ଼ରେ ମୁଠେଇ ଧରି ଡାହାଣ ହାତରେ ପ୍ଲାସ୍‌ଦ୍ୱାରା ଠିପିଟିକୁ ଚାବିଧରି ତୀରନିର୍ଦ୍ଦେଶିତ ଦିଗକୁ ଆସ୍ତେ ଆସ୍ତେ ମୋଡ଼ନ୍ତୁ । ଦେଖିବେ, ତଳର ବଳା ସହ ସଂଯୁକ୍ତ ଟିଣ ଅଂଶଗୁଡ଼ିକ ଖଟ୍‌ ଖଟ୍‌ ହୋଇ ଗୋଟିକ ପରେ ଗୋଟିଏ ଛିଣ୍ଡି ଯାଉଛି; ଆଉ ଶେଷରେ ବୋତଲର ମୁହଁ ସମେତ ଠିପିଟି ପ୍ଲାସରେ ଧରାଦେଇ ଉପରକୁ ଉଠିଯାଇଛି ଏବଂ ଖଣ୍ଡ ଖଣ୍ଡ କାଚ ବୋତଲ ଭିତରେ ଓ ବାହାରେ ଖେଳେଇ ହୋଇପଡ଼ିଛି । ତାହାପରେ ଆପଣଙ୍କର ସମସ୍ୟା ହେବ–ବୋତଲ ଭିତର ଜିନିଷରୁ କାଚ ଖଣ୍ଡମାନ ବାହାର କରିବେ କିମିତି (ଭଗବାନ କରନ୍ତୁ, ଭିତରର ଜିନିଷଟି ଜେଲି ଭଳି ବହଳିଆ କି ଅଠାଳିଆ ନ ହେଉ) । ତଳେ ପଡ଼ିଥିବା କାଚଖଣ୍ଡଗୁଡ଼ିକୁ ହାତ କଟିଯିବାର ଅବ୍ୟବହିତ ପୂର୍ବରୁ ଉଠାଇ ନେବେ କିମିତି ଏବଂ ବୋତଲର ସୁରକ୍ଷିତ ଜିନିଷଟିକୁ ଆଉ ରଖିବେ କେଉଁଠି ? ଭଲ ଗୃହିଣୀ ହେବାକୁ ହେଲେ ସବୁ ସମସ୍ୟାର ସମାଧାନ ଶୀଘ୍ର କରିବାକୁ ହେବ । ଏଠାରେ ତାହାର ଆଲୋଚନା ଅପ୍ରାସଙ୍ଗିକ ହେବ, କାରଣ ଠିପି ଖୋଲିବା ହେଲା ଆଲୋଚ୍ୟ ପ୍ରସଙ୍ଗ । ଆପାତତଃ ଆପଣଙ୍କ କାର୍ଯ୍ୟଟି ସମାହିତ ହୋଇଗଲା ତ ?

 

ସେହି ଠିପିରେ କେଉଁଠି କେଉଁଠି ଗୋଟିଏ ମଳାକଥା ଲେଖାଥାଏ–‘ସିଲ୍‌ ଭଙ୍ଗାଥିଲେ ଖରିଦ କରନ୍ତୁ ନାହିଁ’ । ମୁଁ ସବୁବେଳେ ବିଚାରେ ମୁହଁ ଭାଙ୍ଗି ନ ଥାଇ ସିଲ୍‌ ଭାଙ୍ଗିବା ଭଳି ଦୁରୂହ କାର୍ଯ୍ୟଟି ସର୍ବମଙ୍ଗଳାଙ୍କ ଅପାର କରୁଣାରୁ ଯଦି ଆଗରୁ ହୋଇଯାଇଛି ତେବେ ମନ୍ଦ କଥା କ’ଣ ? ତେଣୁ ସୁବିଧା ମିଳିଲେ ତାକୁ କିଣିବେ । ଦେଖିବେ ଆପଣଙ୍କର କୌଣସି ନିଜିଷ ଠିପି ଖୋଲିବାରେ କ୍ଷତି ହେଉ ନାହିଁ ଏବଂ ଆପଣ ଅକ୍ଷୁଣ୍ଣ ବୋତଲଟିଏ ପାଉଛନ୍ତି । ଖୁବ୍‌ ସମ୍ଭବ ଏହି କାରଣରୁ ଚତୁର ପ୍ରସ୍ତୁତକାରୀ ଆପଣଙ୍କୁ ସେହି ଭଙ୍ଗା ଠିପିଦିଆ ବୋତଲଟିକୁ ନ କିଣି କହୁଛି । ସମସ୍ତେ ଯଦି ଭଙ୍ଗା ଠିପିବାଲା ବୋତଲ କିଣିବାକୁ ପାଆନ୍ତେ ତ ଜିନିଷଟିର ବିକ୍ରୀ ଅଧାକୁ ଖସିଆସନ୍ତା କି କ’ଣ ।

 

ଆପଣ ଯଦି ଭଡ଼ାଘରେ ରହୁଥାନ୍ତି ତେବେ ବିନା ପ୍ଲାସ୍‌ରେ ଠିପି ଖୋଲିବାର ସହଜ ଉପାୟଟି ଜାଣି ରଖନ୍ତୁ । ଦୁଆର ବନ୍ଧ ଓ କବାଟ ମଝିରେ କବାଟ ମେଲା ଥିବାବେଳେ ଯେଉଁ ଫାଙ୍କ ରହେ ତାହା ଭିତରେ ଠିପିଟିକୁ ଧରାଇ କବାଟଟିକୁ ଆସ୍ତେ ବନ୍ଦ କରନ୍ତୁ, ଯେପରିକି ଠିପିଟା କସି କରି ଚାପି ହୋଇ ରହେ । ପରେ ବୋତଲଟିକୁ ତୀରର ବିପରୀତ ଦିଗକୁ ଧୀରେ ଧୀରେ ମୋଡ଼ିଲେ ଠିପିଟି ଉଠିଯିବ–ହୁଏତ ବୋତଲର ମୁହଁ ଅଂଶ ସହିତ । ତୁଳନା କରି ଜାଣିଯିବେ ଯେ ପ୍ଲାସ୍‌ ଅପେକ୍ଷା କବାଟଟି ଢେର ଭଲ । କିନ୍ତୁ କବାଟ ଦେଇ ଖୋଲିବା ସବୁ ଘରେ ଚଳିବ ନାହିଁ । ଦିନେ ମୋ ସ୍ୱାମୀ ଉଦ୍ଭାବନ କଲେ ଯେ କବାଟର ସେହି ଅଂଶର ରଙ୍ଗ ଏବଂ ଛେଲା ଛେଲା କାଠ ଉଠି ଯାଇ ବିକୃତ ଦେଖାଯାଉଛି । ତାହାପରେ କିଛି ନ ଜାଣି ହୁଙ୍କାପିଟା ଧରିନେଲେ ଯେ କାଣ୍ଡଟି ପୁଅର । ମୁଁ ଘଟଣାଟିକୁ କହିବି କି ନାହିଁ ଠିକ୍‌ କରୁ କରୁ ବିଚାରା ମିଛରେ ଗାଳି ଶୁଣିଲା । ଶେଷକୁ ହେଲା ମୋ ପାଳି । କୀର୍ତ୍ତିଟି ପୁଅର ବୋଲି ସେ ଯେଉଁ ସିଦ୍ଧାନ୍ତ କରିଥିଲେ ତାହା ଭ୍ରାନ୍ତ ପ୍ରମାଣିତ କଲାରୁ ମୋ ଉପରେ ରାଗର ମାତ୍ରାଟା ବେଶି କିଛି ବଢ଼ିଗଲା । ତେବେ ତ ସବୁ ଦାମ୍ପତ୍ୟ ।

 

କେତେକ ଠିପିରେ ସତକଥାଟି ସଫା ସଫା ଲେଖାଥାଏ ‘ଭାଙ୍ଗିବା ପାଇଁ ମୋଡ଼ନ୍ତୁ’ । ସିଲ୍‌ ଭାଙ୍ଗିବା କଥା ଲେକା ନ ଥାଏ–ବୋତଲ ଭାଙ୍ଗିଲେ ବି ଚଳେ । ତେବେ ‘ଅଶ୍ୱତ୍‌ଥାମା ହତ ପରି’ ବୋଲି ଉତ୍କୀର୍ଣ୍ଣ ହୋଇଥିଲେ କେହି ଭ୍ରମରେ ପଡ଼ନ୍ତେ ନାହିଁ ।

 

ଆପଣ ଡାଲଦା କିଣନ୍ତୁ, କଫି କିଣନ୍ତୁ, ଓଭଲ୍‌ଟିନ୍‌ କିଣନ୍ତୁ କି ବାର୍ଲି କିଣନ୍ତୁ ଅଥବା ସେହି ପ୍ରକାରର ଅନ୍ୟାନ୍ୟ ଯାହା କିଛି କିଣନ୍ତୁ–ଟିଣର ଉପର ଢାଙ୍କୁଣିଟିକୁ ଉଠାଇବା ପାଇଁ ସ୍କୃ ଡ୍ରାଇଭରଟି ଯଥେଷ୍ଟ ହେବ, ଭିତରେ କିନ୍ତୁ କିଣିବା ଜିନିଷଟି ପତଳା ଟିଣର ମୁଦ ଭିତରେ ଥିବ । ଟିଣ ଉପରେ ଟୋପି ଟୋପିଆ ଅଥବା ଉଠା ଅକ୍ଷରରେ ଲେଖାଥିବ ‘ଖୋଲିବା ପାଇଁ ଏହାକୁ ଗୋଲେଇ କରି କାଟିଦିଅ’ । ଛୁରୀରେ କାଟି ଦିଅନ୍ତୁ । [ତେବେ ସାବଧାନ ରହନ୍ତୁ, ଏଥିପାଇଁ ଧାରୁଆ ପେନ୍‌ସିଲ୍‌ କଟା ଛୁରୀକୁ ଜମାରୁ ବ୍ୟବହାର କରିବେ ନାହିଁ, ଯଦି କରନ୍ତି, ତେବେ ତାହା ଆଉ ଧାରୁଆ ପେନ୍‌ସିଲ୍‍ କଟା ଛୁରୀ ହୋଇ ରହିବ ନାହିଁ] । ବାସ୍‌, କାମ୍‌ ଫତେ । ତା’ପରେ ଆପଣଙ୍କର ଆଉ କିଛି କରିବାର କଥା ନାହିଁ । କାଟିବା ବେଳେ କ୍ଷୁଦ୍ରାଦପି କ୍ଷୁଦ୍ର ଟିଣ ଖଣ୍ଡଗୁଡ଼ିଏ ଡବା ଭିତରର ଜିନିଷରେ ମିଶିଯିବ । କଫିରେ ଚକ୍‌ ଚକ୍‌ ହୋଇ ଦିଶିବ, ବାର୍ଲିରେ ଜମା ବାରି ହେବ ନାହିଁ । ସେଇ ଟିଣଖଣ୍ଡଗୁଡ଼ିକୁ ବାହାର କରିବାର ପାରମ୍ପରିକ ଉପାୟ ହେଉଛି, ତାକୁ ପେଟ ବାଟେ ପାଇଖାନାକୁ ପଠାଇ ଦିଅନ୍ତୁ ।

 

ଅନେକ ଡବାରେ ଖୋଲିବା ଉପାୟଟି ଲେଖା ନ ଥାଏ । ତେଣୁ ସେ ସ୍ଥଳେ ଖୋଲିବା କାମଟାରେ ବିଶେଷ ଅଡ଼ୁଆ ନ ଥାଏ । ଡବା ଉପରେ ଦୁଇ ବିପରୀତ ପଟେ କଣ୍ଟା ଓ ହାତୁଡ଼ିଦ୍ୱାରା ଦୁଇଟି କଣା କରିଦେଲେ ହେଲା । ଡବାଟି କିନ୍ତୁ ଅନ୍ୟ କୌଣସି କାମରେ ଲାଗିବ ନାହିଁ । ମୋ ସ୍ୱାମୀଙ୍କ ମନକୁ ଗଣେଶମାର୍କା ସୋରିଷ ତେଲ ଡବାଗୁଡ଼ିକୁ ଏଭଳି ନଷ୍ଟ କରିବା ପସନ୍ଦ ହେଲା ନାହିଁ । ଦିନେ ରବିବାର ସକାଳଟାରେ ସେ ଡବାରେ ଠିପି ଖୋଲିବାକୁ ଗଲେ । ଡବାଟି ମଝିରେ ରହିଲା । ବାପ ପୁଅ ଦି’ପଟେ ବସିଲେ ଏବଂ ପାଖକେ ସରଞ୍ଜାମ ବାକ୍‌ସଟି ଆଣି ଥୁଆଗଲା । ପୁଅ ସହକାରୀ ଭାବରେ ଏଠୁ ଚଟୁରେ ନିଆଁ ଆଣ୍‌ ତ ସେଠୁ ଫୁଙ୍କୁନଳା ଆଣ୍‌ ଆଦେଶଗୁଡ଼ିକ ତୁଲାଉ ଥାଏ । ଠିପିର ଚାରିପଟେ ରଡ଼ନିଆଁ ଥୁଆ ହୋଇ ଘଡ଼ିଏ ଫୁଙ୍କିବା ପରେ ଜଣାପଡ଼ିଗଲା ଯେ ସେଥିରେ ତରଳିବା ପାଇଁ କିଛି ନାହିଁ ଅର୍ଥାତ୍‍ ଡବାର ଉପର ପାଖ ଟିଣ ଓ ତା’ ମଧ୍ୟରେ ଠିପି ଆକାରର ଦେଖାଯାଥିବା ଅଂଶ ମଧ୍ୟର ବନ୍ଧନଟି ହିନ୍ଦୁ ବିବାହ ପରି ମଜବୁତିଆ । ତାହାପରେ ଠିପିଟାକୁ ଟାଳିଦେଇ ଉଠାଇବାର ଯୋଗାଡ଼ ଯନ୍ତ୍ର ଚାଲିଲା । ଟାଳୁ ଟାଳୁ ଠିପିରେ ହାତ ବାଜିଗଲା ଓ ତାହା ତଥାପି ତାତିଥିବାରୁ ଆଚ୍ଛା ଚକଡ଼ାଏ ସିଝିଗଲା । ତେଣିକି କମାରଶାଳ ପରିଷ୍କାର କରି ଜିନିଷପତ୍ର ଯଥାସ୍ଥାନରେ ରଖିବା ଦାୟିତ୍ୱ ଗୃହିଣୀର । ସେ ଚିଆଁ ଖାଇବା ପରେ କହିଲେ ଯେ ତାଙ୍କର ପିଲାଦିନେ ତେଲଡବା ସବୁ ଏ ବାଗେ ଖୋଲାହେଉଥିବା ସେ ଦେଖିଛନ୍ତି । ହେଇଥିବ; ତେବେ ବିଜ୍ଞାନ କ’ଣ ସ୍ଥାଣୁ ହୋଇଛି ? ଠିପି ଜଗତରେ ବୈପ୍ଳବିକ ପରିବର୍ତ୍ତନମାନ ପ୍ରତିମୁହୂର୍ତ୍ତରେ ଆସିଯାଉଛି । ତେଣୁ ଆପଣ ସରଞ୍ଜାମ ବାକ୍‌ସରେ ଫୁଙ୍କୁନଳାଟିକୁ ରଖିବା ନିହାତି ଆବଶ୍ୟକ ବୋଲି ବିଚାରନ୍ତୁ ନାହିଁ ।

 

ବୁଟ୍‌ ପଲିସ୍‌ ଡବା ଖୋଲିବା ଏକ ସ୍ୱତନ୍ତ୍ର ବ୍ୟାପାର । ସେଥିରେ ଲେଖାଥାଏ, ‘‘ମୁଦ୍ରାଟିଏ ଭରି କରି ମୋଡ଼ନ୍ତୁ’’ । କିନ୍ତୁ କେଉଁ ମୁଦ୍ରା ? ତାହା ଲେଖା ନ ଥାଏ । ଗୋଟିକ ପରେ ଗୋଟିଏ ବ୍ୟବହାର କରି ଜାଣିବେ ଯେ ପୁରୁଣା ଅଣିଟି ଏଥିପାଇଁ ଭଲ । ପୁରୁଣା ପଇସା ଏଥିକୁ ଧରିବ ନାହିଁ–ଖସି ଯାଉଥିବ । ଦୋଅଣି, ଅଧୁଲି ବା ଟଙ୍କା ଗଳିବ ନାହିଁ । ସୁଉକିଟି ତା’ର ଧାରର ଖଦଡ଼ା ଅଂଶ ଲାଗି କାମଦେବ । କିନ୍ତୁ ପରେ ପରେ ଆପଣ ତାକୁ ଅନ୍ୟକୁ ଦେବାକୁ ଯେତେ ଚେଷ୍ଟା କରିବେ ତା’ ଆପଣଙ୍କ ହାତକୁ ତେତେ ଫେରି ଆସୁଥିବ । ଅଧୁଲି ଆଦି ପରି ନୂଆ ଦଶପଇସିଟି କାମ ଦେବ ନାହିଁ । ନୂଆ ପଇସା କି ଦୋପଇସି ହେଲେ ମୋଡ଼ିବାକୁ ହାତରେ ଜୋର୍‍ ପାଏନାହିଁ । ଥରେ ତାଙ୍କର ଟୁରରେ ଯିବାର ଥାଏ ବୋଲି ଅନୁରୋଧ ଆଦେଶ ଗୋଳେଇ ପୋଳେଇ କହିଥିଲେ ବୁଟରେ ପଲିସ୍‌ ଦେବାକୁ । ତାହା ମୋର ମନେପଡ଼ିଲା ଶେଷ ମୁହୂର୍ତ୍ତରେ । ଖୋଜିଲା ବେଳକୁ ପଲିସ୍‌ ଡବାଟି ମଧ୍ୟ ବାଷ୍ପ ହୋଇ ପବନରେ ଉଡ଼ିଯାଇଛି । ଟଙ୍କାଟିଏ ଦେଇ ପୁଅକୁ ଦୋକାନକୁ ପଠାଇଲି । ଦୋକାନରେ ସେହି ପୁରୁଣା ଅବସ୍ଥା–ରେଜା ନାହିଁ । ଘରେ ସବୁ ଜାଗା ଦରାଣ୍ଡି ଯାହା ପାଇଲି ତା’ କିନ୍ତୁ ମୂଲ୍ୟଠାରୁ ଦୁଇ ପଇସା କମ୍‌ । ତଥାପି ଦୋକାନଟି ଚିହ୍ନା ଜଣା ବୋଲି ଡବାଟିକୁ ପୁଅ ଆଣିଲା । କିନ୍ତୁ ଖୋଲେ କିମିତି ? ଡବା ତ ଆଉ ନୋଟରେ ଖୋଲିବା ଭଳି ବସ୍ତୁ ନୁହେଁ । ଯାହା ପାଇଲି ତାକୁ ନେଇ କସରତ କଲି । ନିରାଶ ହୋଇ ପୁଅକୁ ପଠାଇଲି ପଡ଼ିଶା ଘରୁ ଅଣିଟିଏ ଆଣିବା ପାଇଁ ଯେ ସେମାନେ ଛଅ ନୂଆପଇସା ଦେଲେ । ନୂଆ ପଇସାଟି ବଙ୍କେଇ ଗଲା ଓ ପାଞ୍ଚ ନୂଆପଇସାଟି ବରାବର ଖସିଲା । ଏହା ଦେଖି ପୁଅ ଡବାଟିକୁ ମୋ ହାତରୁ ଛଡ଼ାଇ ନେଇ ନିର୍ବିଚାରରେ ଜୋର୍‌ କରି କାନ୍ଥକୁ ଫିଙ୍ଗିଲା । ମୋ ଜାଣିବାରେ ସେଇଟା ହେଲା ପଲିସ୍‌ ଡବା ଖୋଲିବାର ସର୍ବଶ୍ରେଷ୍ଠ ଉପାୟ–ଏବଂ କାନ୍ଥରୁ ଚେନାଏ ପଲସ୍ତରା ଝଡ଼ାଇବା ଲାଗି ମଧ୍ୟ ଉପାୟଟି ଭଲ କାମଦିଏ । [ଆଜିକାଲି ମୋଡ଼ିବା ଲାଗି ଲୁହାପାତିଆ ଖଣ୍ଡେ ଲେଖା ଲାଗିଥିବା ଡବା ମିଳୁଛି–ତାକୁ ଆଣନ୍ତୁ ନାହିଁ । ଥରେ ଅଧେ ପାତିଆ ଖଣ୍ଡିକୁ ମୋଡ଼ି ଡବା ଖୋଲିବା ପରେ ସେଇଟି ହୁଗୁଳି ଯାଏ ଏବଂ ଫଳରେ ଆଉ କାମ କରେ ନାହିଁ । ତେଣିକି ଆପଣଙ୍କ ସାରା ଘରର ପଲସ୍ତରା ଉଠିଗଲେ ମଧ୍ୟ ସେହି ଡବା ଆଉ ଖୋଲିବ ନାହିଁ । ତାକୁ ନେଇ ଛୁରୀଟିକୁ ଦାନ୍ତୁରା କରିବେ ନାହିଁ] ।

 

ମାର୍କିନ୍‌ ଡବାଗୁଡ଼ିକରେ ଅନେକ ସ୍ଥଳେ ଲେଖାଥାଏ–‘ଏଠାରେ ଚାପ ଦିଅ–ଆପଣଙ୍କର ସୁରକ୍ଷା ପାଇଁ’ । ଏ ଆପଣଟା ଆପଣ ନୁହନ୍ତି, ତାହା ଡବା ଭିତରର ଜିନିଷ, ପହିଲେ ଏଗୁଡ଼ିକୁ ମୁଁ ହାତ ଆଙ୍ଗୁଠିରେ ଚାପୁଥିଲି ଏବଂ ଆଙ୍ଗୁଠିର ପ୍ରାସ ତିନି ଦିନ ରହୁଥିଲା । ପରେ ଗୋଡ଼ର ଦୁଇ ବୁଢ଼ା ଆଙ୍ଗୁଠିକୁ ଚାପ ସ୍ଥାନରେ ରଖି ତା’ ଉପରେ ଠିଆ ହୋଇ ଲମ୍ଫ ଦେବା ଭଳି ନାଚି ଗଲେ ଚାପଟି ଯଥେଷ୍ଟ ହେଉଥିବା ବୁଝିଗଲି । ଉପାୟଟି ଶିକ୍ଷଣୀୟ, କାରଣ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମର ଉପକାରିତା ବିଷୟ ତ ଆପଣ ଜାଣୁଥିବେ । ଏଥିରେ ଜିନିଷର ତ ସୁରକ୍ଷା ହୁଏ, ଆପଣଙ୍କର ବି ସ୍ୱାସ୍ଥ୍ୟ ହୁଏ ।

 

ଠିପି ଯେତେ ପ୍ରକାରର ତାକୁ ଖୋଲିବା ଉପାୟ ମଧ୍ୟ ସେତିକି ପ୍ରକାରର । ସୋଡ଼ା ବୋତଲ ଖୋଲିବା ଲାଗି ମିଳୁଥିବା ଲୁହା ସରଞ୍ଜାମଟି ଅନେକ ବେଳେ କାମରେ ଲାଗେ । ଏଇଟିକୁ ଯଥାସ୍ଥାନରେ ଖଞ୍ଜି ଆଖିବୁଜି ଠିପିଟିକୁ ଉଠାଇ ଦେଇ ପାରନ୍ତି । କିନ୍ତୁ ଯଦି ଆଖି ନ ବୁଜନ୍ତି ତେବେ ଭିତରର ଜିନିଷ ସିଧା ଆଖିରେ ପଡ଼ିବା ସମ୍ଭବ । ସିନ୍ଦୂର ଭଳି ପାଉଡର ଡବା ଖୋଲିଲା ପୂର୍ବରୁ ଘର ଧୋଇବା ପାଇଁ ଯଥେଷ୍ଟ ପାଣି ଘରେ ଅଛି କି ନାହିଁ ଦେଖିନେବେ । ନଥିଲେ ଖୋଲିବେ ନାହିଁ ।

 

ଏବେ ପ୍ୟାକେଟ୍‌ କଥା କହିବି । ପୁରୁଣା ଦିଆସିଲି ପେଡ଼ିକୁ ନଷ୍ଟ କରିବେ ନାହିଁ, ଏପରିକି ଝାଡ଼ା ପରୀକ୍ଷା ପାଇଁ ମଧ୍ୟ ବ୍ୟବହାର ନ କରିବାକୁ ଚେଷ୍ଟିତ ହେବେ । ନୂଆ ଦିଆସିଲିକୁ ଖୋଲିଲା ପରେ ଦେଖିବେ ଯେ ପେଡ଼ିଟି ଆଉ ପେଡ଼ି ହୋଇ ନାହିଁ । ତାହା ଭିତରେ ଯେତିକି ଜାଗା ତା’ ତୁଳନାରେ ଢେର ବେଶି କାଠି ଖୁନ୍ଦା ହୋଇଥିବା ହେତୁ ଖୋଲିଲା ବେଳେ ପେଡ଼ିଟି ଛତିଆ ହୋଇଯିବ (ଅବଶ୍ୟ ଯେତେ କାଠି ଥିବାକଥା ପେଡ଼ି ଉପରର ଲେବୁଲରେ ଲେଖାଥାଏ ତା’ଠାରୁ ଗଣ୍ଡେ ଛଡ଼ା ଊଣା ଥାଏ । ହୁଏତ ବ୍ୟୟସଂକୋଚ ଲାଗି ପେଡ଼ିଟିକୁ ଛୋଟ କରାଯାଇଥାଏ ଏବଂ କାଠି ସଂଖ୍ୟା କମାଇ ଦିଆଯାଏ । କିନ୍ତୁ ବ୍ୟୟସଂକୋଚର ମାତ୍ରା ସମତୁଲ ନ ହେବାରୁ ଆମେ ଅସୁବିଧା ଭୋଗୁ । ପେଡ଼ିରେ ଆହୁରି କମ୍‌ କାଠିଦେଲେ ଚଳିବ) ।

 

ଯଦି ଫିତାଦିଆ ପାର୍ଶଲ ହୋଇଥିବ ତେବେ ଫିତାଟିକୁ ଲୋଭେଇବେ ନାହିଁ; ଲୋଭ କଲେ ଆପଣଙ୍କ ନଖଟା ନଷ୍ଟ ହେବ ଓ ଟଣାଟଣିରେ ଭିତରର ଜିନିଷଟି ସମୁଚିତ ବ୍ୟବହାର ପାଇବ ନାହିଁ । ଯଦି ବଡ଼ କାଠବାକ୍‌ସ ହୁଏ, ତେବେ ତାକୁ ବାନ୍ଧିଥିବା ଲୁହାପାତିଆ ସହଜେ ଛିଣ୍ଡେ ନାହିଁ । ତାକୁ ଟାଳିବାକୁ କି ମୋଡ଼ିବାକୁ ଚେଷ୍ଟା କଲେ ବାକ୍‌ସଟି ଭୁଷୁଡ଼ି ପଡ଼ିବ । ଏକ୍ଷେତ୍ରରେ ଲିହଣଟିଏ ନ ହେଲେ ନ ହୁଏ–ତାକୁ ଘରେ ରଖିଥିବେ । ତା’ପରେ ଦରକାର କରତର, ଶାବଳର, ଆଉ ଯାହା କିଛି ମୋଟାରୋଟା ଲୁହା ଜିନିଷ ଥାଏ ତା’ର, ଏବଂ ଆପଣଙ୍କର ସ୍ୱାମୀଙ୍କର । ଏଗୁଡ଼ିକୁ ମଧ୍ୟ ଘରେ ରଖିଥିବେ । ସ୍ୱାମୀଙ୍କର ଦରକାରିତା ଏଥିପାଇଁ ଯେ ପାର୍ଶଲ ଖୋଲିବା ପୂର୍ବରୁ ହେଉ କି ଖୋଲିବାବେଳେ ହେଉ–ଯେଉଁ କେତୋଟି ଜିନିଷ ଅବଶ୍ୟ ଭାଙ୍ଗି ଯାଇଥିବ, ତାହାପାଇଁ ଆପଣଙ୍କୁ ‘ହରିଆ ରାଉତ ପଣ୍ଡିତ କାକୁଡ଼ି ଚୋର’ ଦଶା ଭୋଗିବାକୁ ହେବ ନାହିଁ ।

 

ଠିପି ଖୋଲିବା ଏକ ବହୁମୁଖୀ ସମସ୍ୟା । ତାକୁ ଡରିଲେ କି ଏ ଯୁଗରେ ଚଳି ହେବ ? ସେଥିପାଇଁ କେତୋଟି ନିୟମ ମାନି ଚଳିଲେ ହେଲା । ପରେ ସବୁ ପ୍ରକାରର ଅଭଙ୍ଗାଡବା ବୋତଲ ଠିପି ସଂଗ୍ରହ କରି ରଖିଥାନ୍ତୁ । ଦେଖିବେ, ଆପଣ ଅନେକବେଳେ ଭାଙ୍ଗି ଦେଉଥିବା ଡବାଟିର ବା ବୋତଲଟିର ବା ଠିପିଟିର ‘କା’ ଅର୍ଥାତ୍‍ ବ୍ରେକ୍‌ଡାଉନ୍‌ ଆପଣଙ୍କ ହାତପାଆନ୍ତାରେ ଅଛି । ସେ ସ୍ଥଳେ ଆପଣଙ୍କର ମୁଣ୍ଡବ୍ୟଥା ଅଧା କମିଯିବ । ଦ୍ୱିତୀୟ କଥା, ଘରେ ଏକ ସରଞ୍ଜାମ ବାକ୍‌ସ ରଖନ୍ତୁ ଏବଂ ସେଥିରେ ଯାବତୀୟ ଦାଢ଼ୁଆ, ଗୋଜିଆ, ଗୋଲିଆ ପାତିଆ ଲୁହା ଖଣ୍ଡମାନ ସହ ସକଳ ପ୍ରକାର ସରଞ୍ଜାମ ରଖନ୍ତୁ । ଶାବଳ, କଟୁରି, ହେମଦସ୍ତା ଆଦି ସବୁପାଇଁ ଘରେ ନିର୍ଦ୍ଦିଷ୍ଟ ସ୍ଥାନ ରଖନ୍ତୁ । ତାହା ନ କଲେ ଲୋଡ଼ା ବେଳକୁ ସେସବୁ ଭଲରକମ ଲୁଚକାଳି ଖେଳନ୍ତି ଆଉ ବିକଳ୍ପ ସୂତ୍ରେ ଅନ୍ୟ କିଛି ବ୍ୟବହାର କଲେ ତାହା ଦିଗଡ଼୍‌ ହୋଇଯାଏ । ଆଉ ଏକ କଥା ହେଲା: ଜଞ୍ଜାଳ ଶୂନ୍ୟ ଥିବାବେଳେ ପ୍ରଫୁଲ୍ଲ ଚିତ୍ତରେ ଠିପି ଖୋଲା କାମରେ ହାତ ଦିଅନ୍ତୁ, କାରଣ ଜଞ୍ଜାଳିଆ ବିରକ୍ତ ମନ ଧୈର୍ଯ୍ୟ ରଖିପାରେନାହିଁ । ତେବେ ସବୁଠାରୁ ପ୍ରଧାନ କଥା ହେଉଛି–ଆପଣ ଆପଣଙ୍କ ନଖ ଓ ଦାନ୍ତକୁ ପଜେଇ ରଖନ୍ତୁ । ରଜାକୁ, ନାରୀକୁ, ନଖୀକୁ ଓ ଦନ୍ତୀକୁ ବିଶ୍ୱାସ ଯାଇ ନ ଯୋଗାଏ ବୋଲି ଶାସ୍ତ୍ରବାକ୍ୟ ରହିଛି । ରଜାମାନେ ଲୋପପାଇଯିବା ପରେ, ଏକାଧାରରେ ନାରୀ, ନଖୀ ଓ ଦନ୍ତୀ ରୂପରେ ଆପଣଙ୍କୁ ଦେଖିଲେ ହିଁ ଠିପି ହଡ଼ବଡ଼େଇ ଯିବ ଏବଂ ଆପଣ ଆକ୍ରମଣ କରିବାର ଅଳ୍ପକାଳ ପରେ ସେ ଆତ୍ମସମର୍ପଣ କରିବ । ଅନ୍ୟଥା ଯୁଦ୍ଧ କରୁଥିବେ ଯେ କରୁଥିବେ ।

Image